Unknown

 

 

 

 

 

 

 

 

 

 

 

ଆଲୁଅର ଛାଇ

ଶ୍ରୀମତୀ କନକଲତା ମହାନ୍ତି

 

ସୂଚୀପତ୍ର

 

୧.

ବାଙ୍କିମୁହାଣର ବାଲିରଥ

୨.

ଦୁଇଟି ସକାଳର କାହାଣୀ

୩.

ଡାଆଣୀ

୪.

ଲକ୍ଷ ହୀରା

୫.

ସୁନାର ପର

୬.

ବ୍ୟତିକ୍ରମ

୭.

ଅବୁଝା

୮.

କାଳିଜହ୍ନିଆର ପୂର୍ବାପର ବୃତ୍ତାନ୍ତ

୯.

ଆଲୁଅର ଛାଇ

୧୦.

ସୀତା ନାନୀର ସଂସାର

୧୧.

ଧନୀ ମାଉସୀ

୧୨.

ପଥର

Image

 

ବାଙ୍କିମୁହାଣର ବାଲିରଥ

 

ପୁରୁଷୋତ୍ତମ କ୍ଷେତ୍ରରେ ସ୍ୱର୍ଗଲୋକ ଦୁର୍ଲଭ, ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଛି । ଆଷାଢ଼ ଆକାଶରେ....ନବ ଜଳଧରର, ନବୀନ ସମାରୋହ । ଗ୍ରୀଷ୍ମତାପଦଗ୍‌ଧା ପ୍ରକୃତିରେ ନୂତନ ବାରି ବିନ୍ଦୁ ସ୍ପର୍ଶ ଜନିତ ସୁଖାବେଶ । ଅପୂର୍ବ ଶ୍ୟାମଳ ସୁଷମାରେ ସତେ ବା ପ୍ରକୃତି ଅଭିସାରିକା ସାଜିଛି । ......ପରମ ପ୍ରିୟତମର ମିଳନାକାଂକ୍ଷାରେ ।

 

ବଡ଼ଦାଣ୍ଡ ଉଛୁଳି ଉଠୁଛି.....ଲକ୍ଷ ଲକ୍ଷ ପ୍ରେମ ପୁଲକିତ ହୃଦୟ.....ପ୍ରେମାଶ୍ରୁ ପୂରିତ......ନୟନ... ଉତ୍ତୋଳିତ ଯୁକ୍ତକର, ଆକୁତି ଆକୁଳ.....ମନ......ତାଙ୍କରି ଦର୍ଶଦ ଆଶାରେ, ତାଙ୍କରି କିଞ୍ଚିତ କୃପା-କଟାକ୍ଷ ପାଇଁକି, ଉଦ୍‌ବେଳିତ ସିନ୍ଧୁ ପରି, ଅଥୟ ହୋଇ ଉଠୁଛି ।

 

ସେଇ ସେ ରଜତ ଧବଳ, ପୂର୍ଣ୍ଣ ଶଶଧରନିନ୍ଦୀ ଶୁଭ୍ର, ସୁନ୍ଦର କାନ୍ତି, ବଡ଼ ଠାକୁର ବଳଦେବ, କାଦମ୍ବରୀ ପାନ ପ୍ରମତ୍ତ ନୀଳ-ନେତ ପରିହିତ ଅନନ୍ତ ମୂର୍ତ୍ତି, ତାଳଧ୍ୱଜ ରଥର ଆରୋହୀ, ଅଯାଚିତ କୃପା-ଦାତା ହଳ ମୂଷଳଧାରୀ ଶରଣ ରକ୍ଷଣ ମହାବାହୁ । ସେଇ ହରିଦ୍ରାଭ ବର୍ଣ୍ଣା ରକ୍ତ ପଟ୍ଟମ୍ବରୀ, ପରମ କରୁଣାମୟୀ, ପରମାଶକ୍ତି ପରା ଜନନୀ ସୁଭଦ୍ରା । ଦେବଦଳନ ରଥର ଆରୋହୀଣୀ, ବନ୍ଧନ, ମୁକ୍ତି ଋଦ୍ଧି, ସିଦ୍ଧିର ଚାବିକାଠି ଯାହାଙ୍କ ହାତ ମୁଠାରେ । ଆଉ ସେଇ ସେଇ– ଯେ ନୀଳଜୀମୂତ ସନ୍ନିଭ ମନୋହର ବିଗ୍ରହ...ତା’କଥା କହନା ସଖୀ... ।

 

ସେଇ ନୀଳ ତମାଳ ତନୁ, ସେଇ ଶ୍ୱେତ ଶତଦଳ ଡୋଳା, ଦରହାସ, ନଫିଟି ଫିଟି ପଡ଼ୁଥିବା, ସେଇ ସୁରଙ୍ଗ ଅଧର...ଛନ୍ଦେ ଛନ୍ଦେ ଆନ୍ଦୋଳିତ ସେଇ କେତକୀ ଟାହିୟା... । ସେ’ତ ଚିତ୍ତକୁ ଥୟ କରୁନାହିଁ... ତା’ ପ୍ରେମ ସମୁଦ୍ରରେ ମନକୁ ବୁଡ଼ାଉଛି ପୁଣି ଉଠାଉଛି । ପୀତ ବସନ ପରିହିତ, ଶଂଖଚକ୍ର ଶୋଭିତ କିରୀଟ.....କୁଣ୍ଡଳ କସ୍ତୁଭ ମଣି ମଣ୍ଡନ ହୋଇ ସେ, ଯେତେ ଆଡ଼ମ୍ବର କରୁ ପଛକେ.....ସେ ସେଇ ଗୋପୀ ମନ ଚୋର, ମୁରଲୀ ମନୋହର, ନୂଆ ନଟ ପଟ୍ଟଳି ମୁକୁଟ ଶ୍ୟାମଘନ......ସେଇ ନନ୍ଦ ଗଉଡ଼ର ପୁଅ, ଗାଈଜଗା, ସୁଦାମ, ସୁବଳ, କହୁଣୀଖିଆ, କଳାକାହ୍ନୁ । କାଳିଆ ।

 

କିନ୍ତୁ ବର୍ତ୍ତମାନ ଏହି ନଭଶ୍ଚୁମ୍ବୀ ଦେଉଳର ମହାସାମନ୍ତ ରାଜାଧିରାଜ ତ୍ରୀଲୋକର ଅଧୀଶ୍ୱର, ଦୀନାର୍ତ୍ତ-ହରଣକାରୀ ମହାମହିମ ରୂପତଳେ ଏବେ ବି ରାଧା ପ୍ରେମଆତୁଳ ରୂପଟି ଲୁଚିରହିଛି । ଏବେ ବି ଯାଇନାହିଁ, ସେଇ କୁଳ, ମାନ ମହତ, ଦେହ, ସଂସାର ଭୁଲାଇ ଘର କ’ଣ ଭୁଆସୁଣୀକି ଦାଣ୍ଡକୁ ଓଟାରି ଆଣିବାର ଚପଳ ଛଇଳ ଗଣ ।

 

ସେଇ କାଳିଆର ଡୋରି ଲାଗିତ ବଡ଼ ଦାଣ୍ଡକୁ ଓଟାରିହୋଇ ଆସିଛନ୍ତି ଆର୍ତ୍ତୀ, ଅର୍ଥାର୍ଥୀ, ଜ୍ଞାନୀ ଭକ୍ତ, ଅଜ୍ଞାନୀ, ପାମର, ଚଣ୍ଡାଳ, ବିରକ୍ତ ସନ୍ୟାସୀ ପୁଣି ବିଷମ ଗୃହୀ । ସମସ୍ତଙ୍କ ହୃଦୟକୁ, ସବୁ ବିଷମ- ବିଭକ୍ତ ଚେତନାମାନଙ୍କୁ, ସମଭାବରେ ଛନ୍ଦିରଖିଛି, ଚକା ଆଖିର, ସେଇ ଚୈତନ୍ୟମୟ ଆକର୍ଷଣ ଟିକକ । ବଡ଼ଦାଣ୍ଡ ଗହ ଗହ ନାଦରେ କମ୍ପି ଉଠୁଛି । ହରିବୋଲ ହୁଳହୁଳି ଧ୍ୱନିରେ, ଘଣ୍ଟ ଘଣ୍ଟା କାହାଳି ପଟ୍ଟହ ଶବ୍ଦରେ ନିନାଦିତ ହେଉଛି, ଶ୍ରୀକ୍ଷେତ୍ରର ଗଗନ, ପବନ ।

 

ଏତେବେଳେ ଭଲା କିଏ ସେ ବଧିର, ବାତୁଳ, ବିଷୟ-ବିଷ-ଜର୍ଜରିତ ପାଷାଣ କଠିନ ପ୍ରାଣ, ହୃଦୟହୀନ, କୁରସିକୁ, ବେଶ୍ୟା ଘରେ ଶୋଇଛି ? ନବୀନ ଘନକାନ୍ତି ରସରାଜ ଜଗନ୍ନାଥଙ୍କୁ ଗର୍ଜନ କରି ବେଶ୍ୟା ସଙ୍ଗେ ଶୃଙ୍ଗାର ରସରେ ମଜ୍ଜିଯାଇଛି...ସୁରଙ୍ଗ ଅଧରର ରଙ୍ଗକୁ ନୟନରେ ପାନ ନ କରି ନାରୀର ଅଧର ସୁଧା ପାନ କରିବାକୁ ଅଧିକ ଭାଗ୍ୟ ମନେ କରୁଛି, କିଏ ସେ ହତଭାଗ୍ୟ ?

 

ତିନି ରଥରେ ଜଗା କାଳିଆ ଜଗଦମ୍ବା ସୁଭଦ୍ରାଙ୍କ ଦର୍ଶନରୁ ବଞ୍ଚିତ ହୋଇ ତରୁଣୀ ଅପଘନରେ ଜଡ଼ି ରହିଛି କେଉଁ ମୂଢ଼ାଦପି ମୂଢ଼-ପାମର.... ? ନିଜକୁ ନିଜେ କଠିନ ବ୍ୟଙ୍ଗ ପ୍ରଶ୍ନବାଣରେ ଜର୍ଜରିତ କରୁଥିଲେ ମତ୍ତ ବଳରାମ ଦାଶ । କ୍ରମେ କ୍ରମେ, ଅକୃତ୍ରିମ ଅନୁତାପ ପ୍ରବଳ-ବିରହ ବେଦନା, ପ୍ରଚଣ୍ଡ ଆତ୍ମଗ୍ଳାନି, ଅଧିକରୁ ଅଧିକତର ଭାବେ ବଢ଼ିବାକୁ ଲାଗିଲା... ।

 

ଥର ଥର ହୋଇ ଥରିଲା, ଇଷତ୍‌ ପୃଥୁଳ, ଚୁଆ-ଚନ୍ଦନ, କୁଙ୍କୁମ ହରିଦ୍ରା ବିଲୋପିତ, ବେଶ୍ୟାଲିଙ୍ଗନ ବଦ୍ଧ, ଦାସଙ୍କ ଶରୀର । ନାରୀ ମୁଖ-ଶୋଭା ନିରୀକ୍ଷଣ କରୁଥିବା ନୟନ ଯୁଗଳ କଳା-ଶ୍ରୀମୁଖ ସ୍ମରଣରେ ଅର୍ଦ୍ଧ ନିମୀଳିତ ଲୋତକାର୍ଦ୍ର ହୋଇ ଉଠିଲା । ସାରା ଦେହରେ ସାତ୍ତ୍ୱିକ ବିକାର । ଘଡ଼ିକିଘଡ଼ି ରୋମାଞ୍ଚ ପୁଲକ... । ମନପଦ୍ମ ବନକୁ ମତ୍ତହସ୍ତୀ କାଳିଆ ଦଳି ପକାଉଛି । ମନ୍ଥି ଚକଟି ଏକାକାର କରୁଛି । ଆଉ କି ବନ୍ଧନ ରହେ.... ? ରହେ ନାରୀର ବାହୁବନ୍ଧନ- ନା- ସଂସାର ପ୍ରପଞ୍ଚର ଆସକ୍ତି ବନ୍ଧନ ?

 

ଦାସେ ଦୁଇବାହୁ ତୋଳି ଉନ୍ମାଦ ଭଳି ଧାଇଁଲେ ବଡ଼ଦାଣ୍ଡ ଆଡ଼େ । କେଉଁଠି ଖସି ପଡ଼ିଲା ସୁଝୀନ ଉତ୍ତରୀୟ.... । କେଉଁଠାରେ ଛିଣ୍ଡି ପଡ଼ିଲା ଗଳାର ସୁବାସିତ ପୁଷ୍ପମାଳା । ଚୁଟି କେରିକର ତୁଳସୀ ମଞ୍ଜରୀ ସୁଦ୍ଧା କେଉଁଠି ପଡ଼ିଗଲାଣି । କେତେବେଳେ କଟି ବସନ ସମ୍ଭାଳିବା ଅସମ୍ଭବ ହୋଇ ଉଠୁଛି । ଆଉ କି କଥା ଅବା ସୁମରି ହେବ ସେତେବେଳେ..... ? ଦାସେ ଅବା ଅଛନ୍ତି କୋଉ ସ୍ମରଣ ବିସ୍ମରଣ, ଜ୍ଞାନ, ଅଜ୍ଞାନ, ସଂସାର ଶଶୀର-ବୋଧ ଭୂମିରେ ? ସେତେବେଳେ ଖାଲି ସମ୍ମୁଖରେ ସେଇ ପରମ ପ୍ରେମମୟ, ପରମ ସୁନ୍ଦର, ପ୍ରାଣର ପ୍ରାଣ ହୃଦୟର ଦୋସର ଚକାଡ଼ୋଳଙ୍କ ମୁହଁ ।

 

ଯୁଆଡ଼େ ଚାହିଁଲେ ଦିଶି ଯାଉଛନ୍ତି ନନ୍ଦିଘୋଷ ରଥ ଆରୁଢ଼ ବଳୀୟାର ଭୂଜ ଜଗବନ୍ଧୁ ଜଗନ୍ନାଥ । ତାଙ୍କ ବିନା ଅନ୍ୟ ନାହିଁ । କ୍ଷେତ୍ର ବାସୀ ମାତ୍ରେ ଜାଣନ୍ତି, ବଳରାମ ଦାସ, ସେଇ ମହା ଭବର ଭାବୁକ, ସେଇ ପରମ ପ୍ରେମର ପ୍ରେମିକ, ବ୍ରଜରସ କାଙ୍ଗାଳ ରସିକ ଜଣେ । ଶ୍ରୀ ଜଗନ୍ନାଥଙ୍କ କୈବଲ୍ୟ ବିନା ତା’ର ଆହାର ନାହିଁ.... ଶ୍ରୀଜଗନ୍ନାଥଙ୍କ ଦର୍ଶନ ବିନା ତା’ର ସୁଖ ନାହିଁ, ଶ୍ରୀ ଜଗନ୍ନାଥଙ୍କ ସେବା ବିନା ତା’ର ଶାନ୍ତି ନାହିଁ ।

 

ମହାପ୍ରଭୁଙ୍କ ଭଜନ ଗାନ ବିନା ବଳରାମ ଦାସଙ୍କ ତୁଣ୍ଡରେ ଗୀତ ନାହିଁ । ସେଇ ହରି ଗୁଣ ଗାନରେ ସେ ଅନୁକ୍ଷଣେ ମତ୍ତ..... । ସେଇଥି ପାଇଁ ତ ଶ୍ରୀ ପୁରୁଷୋତ୍ତମର, ଆବାଳ ବୃଦ୍ଧ ବନିତା, ଏଇ ଜଗନ୍ନାଥ ସେବକ ଶିରୋମଣି ସ୍ୱଭାବ ବୈଷ୍ଣବଙ୍କୁ ଚିହ୍ନିତ କରନ୍ତି ମିତ୍ତ ବଳରାମ ଦାସ ରୂପେ ।

 

କିନ୍ତୁ– ଚନ୍ଦ୍ରରେ କଳଙ୍କ, କୁସୁମରେ କୀଟ, ଦେବ ରାଜ୍ୟରେ ଦାନବର ଉତ୍ପୀଡ଼ନାଶଙ୍କା କେଉଁ କାଳେ ଭଲା ଲାଗି ନ ରହେ । ପ୍ରକୃତିବଶରୁ, ପ୍ରାରବ୍‌ଧ କର୍ମ ଫଳର, ନିଶ୍ଚିତ ଭୋଗ ନିମନ୍ତେ, ବଳରାମ ଦାସଙ୍କ ଇଷ୍ଟ ସମର୍ପିତ ମନର କେଉଁ ଅନୁକୋଣରେ କାମର ଅଳନ୍ଧୁ କଳା ଜମି ରହିଛି । ଗଛର ଶୁଖିଲା ବକଳ ପରି, କର୍ତ୍ତିତ ଶାଖାର ଦରଫୁଟା କଢ଼ି ପରି ରହି ଯାଇଛି । ରମଣୀର ରମଣୀୟ ତନୁ ପ୍ରୀତି ମୋହ ଅତପ୍ତ ଜାନ୍ତବ ଦେହ-କ୍ଷୁଧା ବେଳେବେଳେ ଦାସଙ୍କୁ ବିଚଳିତ କରେ । ସେଥିକି, ଏବେ ସେ କ’ଣ କରିବେ ? ବିନିଦ୍ର ରଜନୀର ସ୍ତିମୀତ ଦୀପାଲୋକରେ ନଶ୍ୱର ଶରୀର ସୌନ୍ଦର୍ଯ୍ୟ ମଧ୍ୟ ଅବିନଶ୍ୱର ରାଜ୍ୟ କଥା ମନେ ପକେଇ ଦିଏ ।

 

ଜଗନ୍ନାଥ, ଜଗତ ଜନ ଅନ୍ତର୍ଯ୍ୟାମୀ ତାଙ୍କୁ କୋଉ କଥା ଅଜଣା..... । ୟେ’ ପୁଣି ଏମିତି କି ’ ବା କଥାଟାଏ ଯେ, ବଳରାମ ଦାସ ବାଉଳି ହେବେ । ଚେତାରଖି ସିନା, ସେ ଏ ଖେଳରେ ପଶିଛନ୍ତି....ମନ ଝଗଡ଼ି ହେଇ, ଖେଳଣାଟାଏ ଧରିଚି ମୁହୂର୍ତ୍ତକେ ଫିଙ୍ଗିଦେବ । କ୍ଷେତ୍ରବାସୀଏ ଦାସଙ୍କୁ ଶ୍ରଦ୍ଧା କରନ୍ତି, ସମ୍ମାନ ଦିଅନ୍ତି, କିଞ୍ଚିତ ଘୃଣା ବି କରନ୍ତି ।

 

ଭାଡ଼ୁଆ ଗିରୀ ଭଲ ଲାଗେ ନାହିଁ । ଭଲ, ମନ୍ଦ, ନିନ୍ଦା, ପ୍ରଶଂସା, ଶ୍ରଦ୍ଧା, ଘୃଣାରେ ବଳରାମ ଦାସଙ୍କର କି’ ଥାଏ ?

 

ହଂସ ପରି ପହଂରୁ ଥାଆନ୍ତି । ପକ୍ଷୀରେ ପାଣି ଲାଗେ ନାହିଁ । ଏତେବେଳେ କିନ୍ତୁ କଥାଗୁଡ଼ା, ସେ ଅଶାଳୀନ, ରୁକ୍ଷ, କଟୁ ବଚନ ଗୁଡ଼ା, ଭାରି ବାଧିଲା ତାଙ୍କ ଆତ୍ମା ପୁରୁଷକୁ । ଏ ବେଜମାନ, ଏ ଦହଗଞ୍ଜ ଗାଳି, ଗଞ୍ଜଣା, ପୁଣି ଆଉ କେଉଁଠି ନୁହେଁ ସ୍ୱୟଂ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଛାମୁରେ ।

 

ନନ୍ଦିଘୋଷ ରଥ ଉପରେ ଖାଲି ଅବା ଜଗନ୍ନାଥ, ଥାଆନ୍ତେ, ଦାସେ ଥଆନ୍ତେ ପ୍ରଭୁ ଖାଲି ତାଙ୍କ ଚକା ନୟନ ଚାହାଣିରେ, ଏକୁଟିଆ ଦେଖି ଥାଆନ୍ତେ ଦାସଙ୍କ ଲାଞ୍ଛନା । ଚତୁର୍ଦ୍ଦଶ ଭୁବନର ଅଧିବାସୀ ଠୁଳ ହୋଇଛନ୍ତି । ଘୋଷ ଯାତ୍ରା ଉପଲକ୍ଷେ ଆବାଳ ବୃଦ୍ଧ ବନିତା, ବଡ଼ ଦାଣ୍ଡର ବିରାଟ ଜନ ସମୁଦ୍ର, ଚାହିଁଛନ୍ତି ନନ୍ଦିଘୋଷ ରଥକୁ । ସାରଥୀଟା ବସିଛି ବାଗଡ଼ୋର ଧରି, ଘୋଡ଼ା ଚାରିଟା ବେକ ବଙ୍କେଇ କାନ ଠିଆ କରି ଚାହିଁଛନ୍ତି । ଏତିକି ବେଳେ ଏଇ ହାଟ ମଝିରେ ହାଣ୍ଡି ଭାଙ୍ଗି ଦେଲେ ପ୍ରଭୁ ।

 

ନିଜ ହାତରେ ପରା ନିଜ ଦାସକୁ ଦଣ୍ଡି ଥାଆନ୍ତେ, ଶ୍ରୀ ଭୂଜରେ ଶୋଭା ପାଉଛି ଯେଉଁ ସହସ୍ର ଧାର ଚକ୍ର ସୁଦର୍ଶନ ସେଥିରେ ଭଲ ଛେଦି ପକେଇ ଥାଆନ୍ତେ ବଳରାମ ଦାସର ମୁଣ୍ଡ......କୋଉ କାଳୁତ ମୁଣ୍ଡଟା ଜଗନ୍ନାଥଙ୍କୁ ପାଣି ଛଡ଼ା ସରିଛି । ବଳିଆ କ’ଣ, ସେଥିକି ଖାତର କରେ ? ତା’ନ କରି ୟେ କି ଦଣ୍ଡ ଦେଲ ମଣିମା......କୋଉ ବଡ଼ ପଣ ଏଥିରେ ପ୍ରକାଶ ପାଇଲା..... ?

 

ଯେଉଁମାନେ ଅଶ୍ଳିଳ କଟୁ ବଚନରେ, ଆକ୍ଷି ରଙ୍ଗ କରି, ହାତ ହଲେଇ ଓଠ ନେଫେଡ଼ି ଭର୍ଚ୍ଛନା କରି କହିଲେ–‘‘ଯା, ଯା’’ ଏ ପବିତ୍ର ନନ୍ଦିଘୋଷ ରଥ ଉପରୁ ଚକାଡ଼ୋଳା ଛାମୁରୁ, ଏଇ ମୁହୂର୍ତ୍ତରେ ବାହାର ବେହିପୋ ସୁନା ମାହାରି କେଳିକୁଞ୍ଜଲେ, ଏତେ ବେଳ ଯାଏ, ପହୁଡ଼ି ଥିଲା । ବେଶ୍ୟା ଅଇଁଠା ପାନ ଖିଲିରୁ, ଅଧେ କଳରେ ଯାକି, ପିନ୍ଧା ଦୋଷଡ଼ାରେ ହଳଦି ଦାଗ ଲଗେଇ, ଗାଲରେ ପାନ ବୋଳବୋଳି, ଅଇଲା ନିଯୋଗ ଖଟିବାକୁ ।

 

ଆରେ ପାଚନପାଣି ନିଶାରେ କ’ଣ ଇନ୍ଦ୍ର ଚନ୍ଦ୍ର ଦିଶୁ ନାହାନ୍ତି । କୋଟି ବ୍ରହ୍ମାଣ୍ଡର ନାଥ ଚକାଡ଼ୋଳା ଚଉବାହା ପତିତପାବନ ଯାତ୍ରା କରୁଛନ୍ତି, ଭାଇ ଭଉଣୀଙ୍କି ସଙ୍ଗେ ଘେନି ଦେବ, ନର, ନାଗ, ଯକ୍ଷ, ରକ୍ଷ, ଗନ୍ଧର୍ବ, କିନ୍ନର ସମସ୍ତେ ଏକାଠାଆକେ ଠୁଳ ହୋଇଛନ୍ତି ।

 

ଏତିକିବେଳେ ଏମିତି ବେଶରେ ଆସିବାକୁ ଲାଜ ମାଡ଼ିଲା ନାହିଁ । ଦାରୀଘର ପଶା ଭାଡ଼ୁଆର ଭଗିନୀ ବଳେଇ ପଡ଼ିଲା....ସ୍ନାନ ଶୌଚ କରିବାକୁ ବେଳ ମିଳିଲା ନାହିଁ ଭଣାକୁ । ସୁନା ମାହାରୀ କେଳି କୁଞ୍ଜକୁ ଭଲା କୋଉ ଶଳାଟି ନ ଯାଏ ? ବଡ଼ ସିଂହାର ଧୂପ ପଡ଼ିଲେ ପହୁଡ଼ ପଡ଼ିଗଲେ, ଭାଙ୍ଗୁଆ କଣ୍ଠରେ ଚଉପଦୀ ପଦେ ଗାଇ ହାତରେ ଉଲଗି ଚମ୍ପା ମାଳ ଗୁଡ଼େଇ ଅଧିକାଂଶ ପଣ୍ଡା ପଢ଼ିଆରୀ ବେଶ୍ୟା ଦୁଆରେ ଟିପ ମାରନ୍ତି । ଶ୍ରୀ କ୍ଷେତ୍ରବାସୀଏ ଅବା ସବୁ ଗୋଇ ଗୁମର ଜାଣି ନଥିବେ । ଦିନରେ ମାର୍କଣ୍ଡ କି ଶ୍ୱେତ ଗଙ୍ଗାରେ ପାପ ଧୋଇ, ମଠା ବେହରଣ ପିନ୍ଧି– ଏମାନେ ଶ୍ରୀ ଜୀଉଙ୍କ ଛାମୁକୁ ଆସନ୍ତି ।

 

ଗଳାରେ ପଇତା ସଙ୍ଗେ ଚଉସରି ତୁଳସୀ ମାଳି, କପାଳରେ ଚନ୍ଦନ ଚିତା, ମୁହଁରେ ଯାତ୍ରୀଙ୍କ ସଙ୍ଗେ ପାଉଣାର ନେଣଦେଣ ଝଗଡ଼ା । ମଣିଷ ଛାର କି ବୁଝିବ ଅବା ଏଥିରୁ । ହେଲେ ଜଗନ୍ନାଥେତ ବୁଝୁଥିବେ । ବଳରାମ ଦାସଙ୍କ ଆଖି ଛଳ ଛଳ ମୁହଁ ଥମ ଥମ ହୋଇ ଉଠିଲା ଭାବରେ ନୁହେଁ ରାଗରେ, ପ୍ରଚଣ୍ଡ ଅଭିମାନ ଆଉ ପ୍ରବଳ କ୍ରୋଧରେ ।

 

ଗଳଥା ଖାଇ ରଥର ଚାର ଉପରକୁ ଖସି ପଡ଼ିଲେ ଦାସେ । ତଥାପି କ’ଣ ଶୁଦ୍ଧ, ପୁତ ସେବକମାନଙ୍କର ଅସୂୟା ତୃପ୍ତ ହେଉଛି । ଛେରା ପହଁରା କରିବାକୁ, ଏଇଲାଗେ ମହାର୍ଜା ବିଜେ କରିବେ । ସେ’ତ କେବଳ ନାମରେ ପ୍ରତାପରୁଦ୍ର ନୁହନ୍ତି, ତାଙ୍କ ପ୍ରତାପରେ ସାରା ଜମ୍ବୁଦୀପ ମେଦିନୀ ଥରହର କମ୍ପୁଛି । ଜମ୍ବୁକ୍ଷେତ୍ରରେ ସ୍ୱୟଂ ଶ୍ରୀଜଗନ୍ନାଥଙ୍କ ଶ୍ରୀଛାମୁରେ, ରଥଉପରେ କି ସେ ଏଡ଼େ ଅନାଚାର ବରଦାସ୍ତ କରିବେ । ଏକା ଏ ଅଲାଜୁକ ଚଳିଆଟା ଯୋଗୁ ପଣ୍ଡାଯାକ ଧଣ୍ଡାପକା ମେଣ୍ଢାପରି ହାଣ ମୁହଁକୁ ଯିବେ ।

 

ସେମାନେ ଚାର ଉପରୁ ପେଲି ପକେଇ ଦେଲେ ବଳରାମ ଦାସଙ୍କୁ । ଦାସଙ୍କ ଆଣ୍ଠୁ ଗଣ୍ଠି, ଓଠ ପାଟି ଛିଣ୍ଡିଲା । କେବଳ ଛିଣ୍ଡିଲା ନାହିଁ ସେଇ ଅଛିଣ୍ଡା କାଳିଆ ପ୍ରେମର ଡୋର । ଆଘାତ ଅଭିମାନ ତାକୁ ଅଧିକରୁ ଅଧିକ ଶକ୍ତ କଲା ସିନା.... । ଦାସେ ଉଠି ସିଧା ହୋଇ ବଳିଆରଭୂଜଙ୍କ ସାମନା ସାମନି ଛିଡ଼ା ହେଲେ ।

 

ଚଉଦଭୂବନ ଦେଖୁଥିବା ଚିରନିମେଷହୀନ ସେଇ ଚକା ଆଖିରେ ଆଖି ରଖିଲେ । ଆଉ କିନ୍ତୁ ହାତ ଯୋଡ଼ିଲେ ନାହିଁ । କି ହେବ ଏଭଳି ସାମନ୍ତକୁ ସେବା କରି ସେବକକୁ ଯିଏ ପର ହାତରେ ଦଣ୍ଡେ । ପରତୁଣ୍ଡରେ ତୁ’କାର ବଚନ ଶୁଣାଏ । ଯେତେବଡ଼ ହେଲେ ସେ ହେଉ ପଛକେ, ତା’ ବଡ଼ ପଣ ତା’ପାଖରେ ଥାଉ । ବଳିଆ ଦାସ ତ ଜାଣେ ଚାରିଦଉଡ଼ିକଟା ଯିବତ ଯିବ । ଗଲାବେଳେ ଦିକଥା ଶୁଣାଇ ଦେଇ ଯିବ ଏକା ।

 

ଓଠ ଥରୁଛି.....ଲୁହରେ କଥାଗୁଡ଼ାକ ଗୋଳି ହୋଇ ଯାଉଛି.... । ବାହାରକୁ ସ୍ପଷ୍ଟ ଶୁଭୁନାହିଁ । ସ୍ପଷ୍ଟ ବୁଝି ହେଉନାହିଁ କିଛି । ଆଉ କିଏ ବୁଝିବା ନବୁଝିବାରେ କ’ଣ ବା ଥାଏ । ଯାହାକୁ କୁହା ହେଉଛି, ସେ ଠିକ୍ ବୁଝିବ, ଠିକ୍‌ ଶୁଣିବ ଯେ, ମରମରେ ଭେଦିଯିବ ସବୁଗୁଡ଼ା... ।

 

ଭେଦୁ....ଭେଦୁ....ବାକ୍ୟ ବାଣର ଟାଣ ପଣ ଟିକିଏ ଅନୁଭବ କରୁ ସେ, ଗୋରୁଚରା ଗଉଡ଼ ପୁଅ । ଦାଶେ କହିଲେ.....‘‘କେଡ଼େ ସୁନ୍ଦର କଥାଟାଏ କରି ଦେଲୁ ଏକା....ତୋ ଭଳି ସାମନ୍ତ ସେବା କରି, ମୋ’ଭଳି ଦାସର ଏଇ ଦଶା ହେଲା....’’ ।

 

ସବୁ ଗୋପୀଯାକ କଦମ୍ବ ମୂଳକୁ ଯମୁନା କୂଳକୁ ଧାଇଁଥିବେ । ରାଧା ଯଦି ଘରୁ ଗୋଡ଼ କାଢ଼ିଲା ସେ ହେଲା ଦୋଚାରୁଣୀ କୃଷ୍ଣ କଳଙ୍କିନୀ..... । ହଉ ତୋ’ ବଡ଼ପଣ ନେଇ ତୁ ଥାଆ....ମୁଁ ଏଇ ତତେ ଅନେଇ, ତୋଅରି ନାମର ଦୋହାଇ ଦେଇ ଯାଉଛି...... । କେମିତି ଭଲା ଆଜି ବଳରାମ ଦାସଙ୍କୁ ଛାଡ଼ି ବଳିୟାର ଭୂଜ.... ଭାଇ ଭଉଣୀ ସଙ୍ଗେ ଘେନି ରଥ ଯାତ୍ରା କରିବେ । ଚଉଦ ଭୂବନର ଅଧିବାସୀ ସ୍ୱ ଚକ୍ଷୁରେ ଦେଖନ୍ତୁ ଏ କଥା..... ।

 

ଏଥକୁ ସାକ୍ଷୀ.... ତୁ । ଏ ଅଭିଆଣ ଭିଆଣ କଲୁ । ଦାଶେ ଏକ ମୁହାଁ ହୋଇ ବଡ଼ ବଡ଼ ପାହୁଣ୍ଡ ପକେଇ ବଡ଼ ଦାଣ୍ଡରୁ ଚାଲିଗଲେ... । ଚାଲିଗଲେ ଗହଳ ଚହଳ କୋଳାହଳଠାରୁ, ବହୁ ଦୂରକୁ । ଆଡ଼ମ୍ବର ଐଶ୍ୱର୍ଯ୍ୟର ରାଜସ ବିଳାସ, ଅହଂକାର ବଡ଼ପଣିଆର ସୀମା ସଂକେତ ଠାରୁ ବହୁ ଊର୍ଦ୍ଧ୍ୱକୁ । ଏକୁଟିଆ ବସିଲେ ଯାଇ ସମୁଦ୍ର କୂଳ, ବାଙ୍କି ମୁହାଣ ପାଖ, ବାଲି ପନ୍ତାରରେ । ହୃଦୟରେ ତ ଶୋକ ଉଚ୍ଛୁଳି ଉଠୁଛି ଆଖିରେ ପାଣି ଜମି ଯାଉଛି ।

 

ଦାଶେ ସ୍ଥିର ହେଉଛନ୍ତି କେତେକେ । କିନ୍ତୁ ଏ ଅସ୍ଥିରତା ଏ ଅଭିମାନ, ଶୋକ ସନ୍ତାପର ବୋଝ ସେ କାହାକୁ ଦେବେ ।

 

ଜୀବନଯାକ ସଂସାର ଦୁଃଖ ଦହନ ଜ୍ୱାଳା, ସଂସାରୀ ଲୋକଙ୍କ ନିନ୍ଦା ପ୍ରଶଂସା ଆଘାତ, ଅନାଦର ସିନା ଜଗନ୍ନାଥଙ୍କୁ ସମର୍ପି ଆସିଛନ୍ତି, ଏବେ ଜଗନ୍ନାଥଙ୍କ ଦିଆ, ଏ ଅପମାନର ବୁଜୁଳା କୋଉଠି ରଖିବେ ? ବଳରାମ ଦାସଙ୍କ ଆଖିରୁ ପୁଣିଥରେ, ଧାର ଧାର ଲୁହ ଗଡ଼ି ଆସିଲା ।

 

ମାଆ ହାତରୁ ମାଡ଼ ଖାଇ ଅଜ୍ଞାନ ବାଳୁତ ଯେପରି ଦୁଇ ହାତରେ ସେହି ମା’ହାତକୁ ଜାବୁଡ଼ି ଧରେ....., ପତିଠାରୁ ଅନାଦର, ଅବହେଳା ପାଇ ସୁଦ୍ଧା ସତୀ ଯେପରି ସେ ଆଶ୍ରୟ ପରିତ୍ୟାଗ କରିପାରେ ନାହିଁ, ପତଙ୍ଗ ଯେପରି ନିଆଁରେ ତା’ର ପକ୍ଷୀ ଯୋଡ଼ିକ ଦଗ୍‌ଧ କରି ଅବଶେଷରେ ସେଇ ଶିଖାରେ ହିଁ ଆତ୍ମା ଦାନ କରେ । ସେହିପରି ମତ୍ତ ବଳରାମ ଦାସ ପରମାଶ୍ରୟ ପତିତପାବନ ଜଗନ୍ନାଥଙ୍କ ଧ୍ୟାନରେ ଏକାବେଳକେ ବୁଡ଼ିଗଲେ । ତାଙ୍କର ମାନ, ଅପମାନ, ତାଙ୍କର ପାପପୁଣ୍ୟ, ତାଙ୍କର ସୁଖ, ଦୁଃଖ ତାଙ୍କ ଦୈତ୍ୟ ଚେତନାର ସମସ୍ତ ଭାବ ତରଙ୍ଗ ଶାନ୍ତ ହୋଇ ଏକ ଅଖଣ୍ଡ ଇଷ୍ଟ ଭାବନାରେ ଏକାବେଳକେ ବିଲୀନ ହୋଇଗଲା ।

 

ଜ୍ଞାନ ବିଜ୍ଞାନ କାରଣ ଭୂମି ପାର ହୋଇ, ଆତ୍ମାର ଛାଇ ପରି, ମନ ଆତ୍ମାରେ ଲୀନ ହୋଇଗଲା....... । ଏଥର ପରମାତ୍ମାଙ୍କ ଛବି ଆତ୍ମାର ଆରିସିରେ ସ୍ୱଚ୍ଛ ହୋଇ ପ୍ରତିଭାତ ହେଲା.....-

 

କେତେକ୍ଷଣ କେଜାଣି ଥିଲା ଏହିଭଳି ମଗ୍ନ ଅବସ୍ଥା ? ଲଳିତ ମଧୂର ସମ୍ବୋଧନରେ ଚେତି, ଚମକି କଣିୟାଇ ଚାହିଁ ଦେଲେ ଟିକେ । ସେବକ ମାନ ଉଦ୍ଧାରଣ, ଶରଣପଞ୍ଜର ମହାବାହୁ ଚକାଡ଼ୋଳା ସ୍ଵୟଂ ସମ୍ମୁଖରେ ବିଜେ କରିଛନ୍ତି I ସଙ୍ଗରେ ଜ୍ୟେଷ୍ଠ ବଳରାମ, ଭଗ୍ନୀ ସୁଭଦ୍ରା । ଦାସଙ୍କ ଅଙ୍ଗୁଳି ଅଙ୍କିତ ବାଲି ରଥରେ ବିଜେ କରିଛନ୍ତି, ବଡ଼ ଦେଉଳର ମହାସାମନ୍ତ...... ।

 

ପ୍ରଭୁଙ୍କୁ ପାଖରେ ପାଇ ଆନନ୍ଦ ସଙ୍ଗେ ଅଭିମାନ, ଶୋକସଙ୍ଗେ ହର୍ଷ, ବିହ୍ୱଳିତା ସଙ୍ଗେ ବେଦନା ଗୋଳି ହୋଇଗଲା । ଉଛୁଳି ଉଠୁ ଉଠୁ ସେ ସ୍ଥିର, ହୋଇ ଗଲେ । ମୁଖର ହେଉ ହେଉ ସେ ମୁକ ପାଲଟି ଗଲେ । ଜୀବନର ପରମ ଆକାକ୍ଷିଂତ ଲଗ୍ନରେ ଦାସେ ରହିଗଲେ ଜଡ଼ ପ୍ରାୟ ।

 

ସମସ୍ତ ରାଗ ରାଗିଣୀର, ମଧୁରତା ଘେନି ସେ କଣ୍ଠରୁ ବାଣୀ ଝରିଲା । ସକଳ ସଦ୍ୟ ପ୍ରସ୍ଫୁଟିତ ଫୁଲର ସୁଷମା ଘେନି, ମହାପ୍ରଭୁଙ୍କର ସେ ରଙ୍ଗାଧରରେ ଦରହାସର ବିକାଶ ହେଲା । ‘‘ତୁମରି ପାଇଁତ ନନ୍ଦିଘୋଷ ଛାଡ଼ି, ଘୋଷଯାତ୍ରା ବରଜି, ଏ ଅପନ୍ତରା ମୁହାଣକୁ ଆସିଲି । ଆଉ ଅଭିମାନ କାହିଁକି ?’’

 

ସେତେବେଳେ ଆଉକି ବାଡ଼ ବନ୍ଧ ରହେ ? ଆଉକି ପରମାନନ୍ଦ, ପରମ ପ୍ରାପ୍ତିର ସେ ଉତ୍ତାଳ ବନ୍ୟାକୁ ଅଟକାଇ ରଖିହୁଏ । ସ୍ୱେଦ, କମ୍ପ, ପୁଲକ, ରୋମାଞ୍ଚରେ ବଳରାମ ଦାସ ପଢ଼ୁଛନ୍ତି, ଉଠୁଛନ୍ତି । ଆହା....ଏ ଭଳି ଦୀନ ଦୟାଲ ଶରଣ ପଞ୍ଜର ମହାବାହୁ ଥାଉ ଥାଉ କେଉଁ ମହାମୂର୍ଖ ଆନକୁ ଭଜିବ ?

 

ଦାଶେ ପୁଣି ବିଳାପ କରି ଉଠିଲେ, କୋଟିନିଧି ରାଜ ନିଯୋଗ ଛାଡ଼ି ମୋହ ଛାର ପାଇଁ ଏ ଅପନ୍ତରାରେ ବିଜେକଲ ପ୍ରଭୁ । ମୁଁ ଏବେ କ’ଣ ଦେଇ ତୋଷ କରିବି କି ଉପଚାରରେ ପୂଜିବି ସେ ହରବ୍ରହ୍ମା ସେବିତ ସୂର ଧ୍ୱନି କ୍ଷରିତ ପାଦ ପଦ୍ମକୁ । ଲକ୍ଷ୍ମୀ ଯାହାଙ୍କର ପାଟ ମହାଦେଈ, ରତ୍ନାକର ଯାହାଙ୍କର ଶ୍ୱଶୁର, କେଉଁ ରତ୍ନରେ ଭଲା ସେ ତୋଷ ହେବେ ?

 

ମୋ ଭଳି କାଙ୍ଗାଳ ପୁଣି ରତ୍ନ କାହୁଁ ପାଇବ ? ମୋର ବୋଲି ମୁଁ ତ କିଛି ରଖୁ ନାହିଁ ପ୍ରଭୁ । ଖାଲି ତୋଅରି ଦାସ ବୋଲି ଗର୍ବ ଟିକକ ରଖିଛି...... ।

 

ତାକୁତ ମୁଁ ଛାଡ଼ି ପାରିବି ନାହିଁ । ସେଇତକ ଯୋଗୁଁ ଆଜି ତତେ ଏ ଅପନ୍ତରାକୁ ଟାଣି ଆଣିଛି ମହାବାହୁ । ବାତୁଳ ପରି, ହସି କାନ୍ଦି କେତେ କ’ଣ କହି ଯାଉଛନ୍ତି ବଳରାମ ଦାସ । ପୁଣି ଟିକିଏ ସଚେତ ହୋଇ ସମସ୍ତ ଭୁବନର ଐଶ୍ୱର୍ଯ୍ୟ ମନେ ମନେ ସମର୍ପଣ କରୁଛନ୍ତି ମହାପ୍ରଭୁଙ୍କୁ ।

 

ଭକ୍ତ ଭଗବାନଙ୍କର ସେ ଅପରୂପ ଅନ୍ତରଙ୍ଗ ଲୀଳା ମାଧୂରୀ ଅନୁମାନରେ ହେଜିହୁଏ ନାହିଁ । ତା’ର କୃପା ଥିଲେ ଅନୁଭବରେ ହିଁ ବୁଝି ହୁଏ କିଞ୍ଚିତ । ଏଣେ....ବଡ଼ ଦାଣ୍ଡରେ ଚହଳି ପଡ଼ିଛି-। ବିଷମ-ବିପଦ ଉପସ୍ଥିତ ।

 

ଠାକୁର ରାଜା ପ୍ରତାପରୁଦ୍ର ଦେବ ଛେରା ପହଁରାନୀତି ବଢ଼ାଇ ସାରିଛନ୍ତି । ଅଧର ପଣା ଲାଗି କେତେ ବେଳୁ ସରିଗଲାଣି । ହରିବୋଲ ହୁଳହୁଳି ଧ୍ୱନିରେ ସହସ୍ର ଲୋକ ଭିଡ଼ୁଛନ୍ତି ରଥ ଦଉଡ଼ି । ଡାହୁକ ଡାକି ଡାକି ଥକି ଗଲାଣି । ରଥର ଚକ ସୁଦ୍ଧା ସୂତାଏ ଚଙ୍କୁ ନାହିଁ ।

 

ଅଚଳ ମହାମେରୁଙ୍କୁ ବହି ନନ୍ଦିଘୋଷ ଅଚଳ ହୋଇ ରହିଛି । ଅଚଳ ପ୍ରାୟ ରହିଛି ତାଳଧ୍ୱଜ, ଦେବ ଦଳନ ରଥ । ବଡ଼ ଦାଣ୍ଡରେ ସୋରିଷ ପକାଇବାକୁ ରାହା ନାହିଁ । ଛାତ, ମଞ୍ଚ, ମଣ୍ଡପ ସବୁ ଆଡ଼େ ଲୋକ ଭରପୁର । ବାଳକ, ବୃଦ୍ଧ, ତରୁଣ, ସ୍ତୟୀ, ପୁରୁଷ, ଗୃହୀ, ସନ୍ନ୍ୟାସୀ, ବୈଷ୍ଣବ, ଶୈବ, ଶାକ୍ତ, ଗାଣପତ୍ୟ ଇତ୍ୟାଦି ବିଭିନ୍ନ ମତ ଓ ପଥରେ ବିଶ୍ୱାସୀ ଅଗଣିତ ଲୋକ ଏକ ଧ୍ୟାନରେ ଅପେକ୍ଷା କରିଛନ୍ତି ରଥଚଳା ଦେଖିବାକୁ ।

 

ଦିନମାନରେ ଅଗ୍ନି ବର୍ଷା ଖରା, ପ୍ରଚଣ୍ଡ ତାତି ଦେହରେ ଭେଦିଛି । କାଷ୍ଠା ଉପବାସି ଅଗଣିତ ନରନାରୀ, ମହାପ୍ରଭୁଙ୍କ ରଥ ଚଳା ଦେଖିଲେ ପାରଣା କରିବେ ବୋଲି ମନାଶ କରିଛନ୍ତି । ରଥ ଯେ ଚଳୁ ନାହିଁ ? ଦଇତାପତିମାନେ ଅଦଳଆ ଘଣ୍ଟ ପିଟି ପିଟି ଝାଳ ନାଳ ଆଣ୍ଠିଏ ହେଲେଣି....... ।

 

କାହାଳିଆର କାହାଳୀ ସ୍ଫୁରୁ ନାହିଁ । କୀର୍ତ୍ତନିଆ ଦଳ କୀର୍ତ୍ତନର ତାଳ ହୁଡ଼ିଲେଣି......ତଥାପି ହଟିଆ ହଟ କରି ବସିଛି । ନନ୍ଦିଘୋଷ ଚଳିବାକୁ ନାହିଁ । ଶେଷକୁ ସ୍ୱୟଂ ମହାରାଜା ରଥ ଦଉଡ଼ିରେ ହାତ ଲଗାଇଲେ । ମାହୁନ୍ତର ଇଙ୍ଗିତ ପାଇ ଦନ୍ତାବଳମାନେ ପଛରୁ ଠେଲିବାକୁ ଲାଗିଲେ ଶୁଣ୍ଢ ଦେଇ ।

 

ଯାହାର ଭ୍ରୂଭଙ୍ଗୀ ଚାଳନାରେ ବିଶ୍ୱ ବ୍ରହ୍ମାଣ୍ଡ ଚଳେ । ଇଚ୍ଛା କରି ସେ ନ ଚଳିରେ ତାକୁ ଚାଳିବ କିଏ ? ମହାରାଜା ମହା ଭାବନାରେ ପଡ଼ିଲେ ....ଐଶ୍ୱର୍ଯ୍ୟର ଅହଙ୍କାର ସଂପୂର୍ଣ୍ଣ ରୂପେ ଚୂର୍ଣ୍ଣିତ ହେଲା..... ।

 

ଦନ୍ତରେ ତୀରଣ ଧରି ଦୀନାତି ଦୀନ ଭାବେ, ରଥର ଛାଇ ତଳେ, ପାଏଡ଼ା ପାରି ଶୋଇଲେ ଉତ୍‌କଳର ମହାମହିମ ସମ୍ରାଟ । ତନ୍ଦ୍ରା କାଳରେ ଛାଇ ପ୍ରାୟ ଛଟକରେ ଦୃଶ୍ୟ ହେଲେ ମହାପ୍ରଭୁ । ରଙ୍ଗାଧରରେ ସେଇ ରହସ୍ୟ ବିଜଡ଼ିତ ହସ ଟିକକ ଲାଗି ରହିଛି.......

 

ଶ୍ରୀ ମୁଖରୁ ଆଜ୍ଞା ହେଲା ଅପରାଧ କ୍ଷମା ମାଗି ପାଦ ତଳେ ସାଷ୍ଟାଙ୍ଗ ପ୍ରଣାମ ନିବେଦନ କରି, ମତ୍ତ ବଳରାମ ଦାସଙ୍କୁ ବାଙ୍କି ମୁହାଣରୁ ନିଜେ ବିଜେ କରାଇ ଆଣିବୁ । ମଥାରେ ମୋର କଳା ଶିରୀପା ବାନ୍ଧି, ନନ୍ଦିଘୋଷ ରଥ ଉପରେ ବସି ଦାସେ ଯେବେ ଆଜ୍ଞା ଦେବେ ନିଜ ମୁଖରେ ରଥ ଚଳିବାକୁ ।

 

ସେବକ ମାନ ରଖି ଭକ୍ତ ମର୍ଯ୍ୟାଦା ବଢ଼ାଇ ତେବେ ଯାଇ ବଡ଼ ଦାଣ୍ଡରେ ଚଳିବ ତିନିରଥ । ତେବେ ଯାଇ ହେବ ଶ୍ରୀ ଗୁଣ୍ଡିଚା ଯାତ୍ରାର ବିଜୟ ଉତ୍ସବ ।

 

X X X

 

ବଳରାମ ଦାସଙ୍କୁ ଶତ୍ରୁ ବିମର୍ଦିତ, ଶରଣ ରକ୍ଷଣ ଭୂଜ ଦଣ୍ଡରେ ଆଲିଙ୍ଗନ କରି ଝର ଝର ଅଶ୍ରୁ ବର୍ଷଣ କରୁଛନ୍ତି ଉତ୍‌କଳର ଚଳନ୍ତି ବିଷ୍ଣୁ, ମହାରାଜାଗଜପତି ପ୍ରତାପରୁଦ୍ର । ଦରିଦ୍ର ଦୀନ ହୀନର, ବେଶ୍ୟା ସଂଗଲାଳସୀ ପତିତର, ମହାଭାଗ୍ୟ ଆଗରେ, ନିଃସ୍ୱ କାଙ୍ଗାଳର, ଅନ୍ତର ଐଶ୍ୱର୍ଯ୍ୟ ଝଲକର ମହାରାଜ ଆଜି ନତଶିର ।

 

X X X

 

ବଳରାମ ଦାସ ବେଶ ବିଭୂଷଣ ହୋଇ ନନ୍ଦିଘୋଷ ରଥରେ ବସିଛନ୍ତି । ଆଖିରୁ ଧାର ଧାର ବୋହି ଯାଉଛି, ଓଠରୁ ହସ ବୋହି ପଡ଼ୁଛି । ରଥ ଉଡ଼ି ଯାଉଛି ସତେକି ପକ୍ଷୀ ପ୍ରାୟ ପବନ ପ୍ରମାଣେ । କାଳିଆର ଲୀଳା ଚାତୁରୀକୁ ଧନ୍ୟ କହିବା ସିନା..... ?

Image

 

ଦୁଇଟି ସକାଳର କାହାଣୀ

 

ସୁପ୍ରଭା ଏକ ସ୍ୱୟଂକ୍ରିୟ ମେସିନ୍‌ ଭଳି, ପ୍ରତ୍ୟେକଟି କାମ କରି ଯାଉଥିଲେ । ଝିପି ଝିପି ବର୍ଷା ସାଙ୍ଗକୁ କାଲୁଆ ପବନ ରାତି ପାହାନ୍ତାରୁ ଲାଗି ରହିଥିଲା, ସୌନ୍ଦର୍ଯ୍ୟ ଅଥବା ଶାନ୍ତିର ଟିକିଏ ହେଲେ ଅବଶେଷ ନଥିଲା; ବରଂ ଓଦା କାଠରେ ଚୁଲି ଲଗାଉ ଲଗାଉ ଧୂଆଁରେ ସୁପ୍ରଭାଙ୍କ ଆଖିରୁ ପାଣି ଗଡ଼ି ପଡ଼ୁଥିଲା ।

 

ତଥାପି ଠିକ୍‌ ସମୟ ବେଳକୁ ଜଳଖିଆ, ଚା, ଭାତ ସବୁ ପ୍ରସ୍ତୁତ ହେବା ଚାହିଁ । ପୁଅ, ଝିଅ, ଦିଅର, ସମସ୍ତେ, ନିଜ ନିଜ ବସ୍ ବେଳକୁ ସ୍କୁଲ କଲେଜ ଯିବେ । ନିଜେ ନିଶିକାନ୍ତ ବି ଗୋଟେହେଲେ ଦିନ ଛୁଟିରେ ରହିବେ ନାହିଁ, କଣ୍ଟାଏ, କଣ୍ଟାଏ, ନଅ ବାଜିଲା ବେଳକୁ ଅଫିସ୍ ଅଭିମୁଖେ ତାଙ୍କ ସ୍କୁଟାର୍‌ ଷ୍ଟାର୍ଟ ହେବ ।

 

ସୁପ୍ରଭାଙ୍କର, ମାତ୍ର ଦୁଇଟା ହାତ; କୁଆଡ଼କୁ ଭଲା ସେ ହେବେ ? ନିଶ୍ୱାସ ନେବାକୁ ବି ଫୁରୁସତ୍‌ ନଥାଏ । ଏଇ ସମୟରେ ସୁଯୋଗ ଦୁଝି, ବାସନମଜା ଚାକରାଣୀଠାରୁ, ବଗିଚାର ମାଳି ଯାଏ, କାମରେ ଠକନ୍ତି । ବାଛୁରୀଟା ମୁଣ୍ଡ ଗଳେଇ କୁଆଡ଼େ ଡିଆଁ ମାରିଲାଣି, କୁକୁରଟା ଝାଙ୍କି ଓଟାରି ଭୁକି ଭୁକି ଅସ୍ଥିର । ସେ ରାସ୍ତାର ସେଇ ବାରବୁଲା ଧେଙ୍ଗେଡ଼ା କୁକୁରଙ୍କ ପାଖକୁ ଯିବଇ ଯିବ । ସେଥିରେ ନିଶିକାନ୍ତ ପୁଣି କି ଲେଖକ ବୋଲେଇଛନ୍ତି ଯେ, ଅବାଞ୍ଛିତ, ଦଳକୁ ଦଳ, ତଥାକଥିତ ସମାଲୋଚକ, କବି, ସାହିତ୍ୟିକ, ସାହିତ୍ୟପ୍ରେମୀ, ସମାଜସେବୀ, ରାଜନୀତିବାଲା ଆସି ସମୟ ଅସମୟରେ ଭିଡ଼ ଜମାଉଥିବେ ଏବଂ ସେମାନଙ୍କୁ ଚା, ପାନ, ଆଦିରେ ଆପ୍ୟାୟିତ କରିବାକୁ ପଡ଼ୁଥିବ । ସୁବଠାରୁ ବିରକ୍ତିକର ହେଉଛି ଅନିଚ୍ଛାକୃତ ଭାବେ ମୁଗ୍‌ଧ ଶ୍ରୋତାର ଭୂମିକାରେ ନିପୁଣ ଅଭିନୟ କରିବା ।

 

ବେଳେ ବେଳେ ଅତିଷ୍ଠ ହୋଇଉଠନ୍ତି, ସୁପ୍ରଭା । ପାଟିରୁ ବାହାରିଯାଏ ଦଣ୍ଡେ ହେଲେ ଏ ଜଞ୍ଜାଳରୁ ତ୍ରାହି ମିଳନ୍ତା, ନିରୋଳାରେ ଟିକେ ମୁଁ ବସି ଯାଆନ୍ତି ।

 

ନିଶିକାନ୍ତ ହସନ୍ତି । ଏ ଜଗତରେ, କେହିଭଲା, ସ୍ଥିର ଅଛି ? ବିଶ୍ରାମ ନେଇଛି ? ସୂର୍ଯ୍ୟଚନ୍ଦ୍ର ଗ୍ରହ ନକ୍ଷତ୍ର ସମସ୍ତେ ଘୂରୁଛନ୍ତି । ନିଜ ନିଜ କର୍ତ୍ତବ୍ୟରେ ରହି ସୃଷ୍ଟିର ନିୟମ ଅଟଳ ରଖି ଏମାନେ ଗତିଶୀଳ । ଗତି ହିଁ ତ ଜୀବନ ।

 

ଆନନ୍ଦଟା ବାହାରେ ନଥାଏ–କ୍ଳାନ୍ତିଟା ବି ବାହାରେ ନାହିଁ । ଯେତେବେଳେ କାମରୁ ଆମେ ଆନ୍ତରିକତା ହରାଉ ଆନନ୍ଦର ଯୋଗସୂତ୍ରଟି ବି ଛାଡ଼ିଯାଏ । ସୁପ୍ରଭା ଫଁ କରି ଉଠନ୍ତି । ରଖ ରଖ ତମ ବହି ପଢ଼ା କଥା । ପାଖ ପଡ଼ିଶା ଘରର ଅଫିସର ଘରଣୀମାନଙ୍କ ଆଖିରୁ ପାହାନ୍ତି ନିଦର ଆବେଶ ଏ ଯାଏ ବି ତୁଟି ନଥିବ । ଢିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟେ । ତମେ ନିଜେ ପଦସ୍ଥ ଅଫିସର–ଅଥଚ ତମରି ସ୍ତ୍ରୀ, ଅଧାବୁଢ଼ୀ ହେବାଯାଏ, ଚୁଲି ଫୁଙ୍କି ଫୁଙ୍କି, ଆଖିରୁ ଧାର ଗଡ଼େଇଲା । ୟାକୁ ଇ କହନ୍ତି କପାଳ ।

 

ନିଶିକାନ୍ତ ଏକ କ୍ଷୀଣ ମଧୁର ସ୍ମିତରେ ସ୍ତ୍ରୀଙ୍କର ସମସ୍ତ ବିରକ୍ତି କି ଉପେକ୍ଷା କରି ସକାଳ କାଗଜରେ ମନ ଦିଅନ୍ତି । ସେ ଜାଣନ୍ତି ଯେ ସାମୟିକ ଆବିଳତା ଚହଲା ନଈରେ ଜମାଟ ବାନ୍ଧେ ନାହିଁ, ବାନ୍ଧି ପାରେନା ।

 

ତାଙ୍କ ସାରସ୍ୱତ ପ୍ରତିଭାର ଭିତ୍ତି ଯେଉଁ ଦୃଢ଼ ବ୍ୟକ୍ତିତ୍ୱ ଉପରେ ନିର୍ଭରଶୀଳ, ସେ ନିତାନ୍ତ ଠଣୁକା ନୁହେଁ । ନିଶିକାନ୍ତଙ୍କ ସ୍ମିତହାସ୍ୟଟିକି ମନରେ ସାଇତି ଦେଇ ସୁପ୍ରଭା ଚାବିଦିଆ ଘଡ଼ିଭଳି, ପୁଣି କାମରେ ଲାଗନ୍ତି । ଏମିତି ବିତି ଗଲାଣି କେତେ ସକାଳ, କେତେ ସଞ୍ଜ, କେତେ ରାତି ।

 

କିନ୍ତୁ....ଆଜି....ଆଜି ଯାହା ହେବାର ହେଉ ପଛେ ସୁପ୍ରଭା ନିଶିକାନ୍ତଙ୍କ ଇଚ୍ଛାର କଳକଣ୍ଢେଇ ସାଜି ନାଚି ପାରିବେ ନାହିଁ । ଅଳ୍ପକେ ରନ୍ଧା ବଢ଼ା କାମ ସାରିବେ । କାହାରିକି ଆପ୍ୟାୟିତ କରି ସୁଦୀର୍ଘ ସମୟର ଅପଚୟ କରିବେ ନାହିଁ । ସେ ଟିକେ ନୀରବରେ ଚିନ୍ତାକରି ଅନ୍ତତଃ ଦେଖିବେ କ’ଣ କରାଯାଇପାରେ ।

 

ବର୍ଷାର ବେଗ ବଢ଼ୁଛି । ପବନ ବି ଥମୁ ନାହିଁ । ବଡ଼ଝିଅ, ଅଧୁଆ ମୁହଁରେ, ପଢ଼ା ଟେବୁଲ ପାଖରେ ବସି ଯାଇଛି । ସତେକି ସକାଳ ପଢ଼ାର ଚିନ୍ତାକରି, ରାତିସାରା ତାକୁ ନିଦ ନଥିଲା-। ଅସଲକଥା, ରନ୍ଧା ଆଡ଼େ ମୁହାଁଇଲେ ବୋଉ ଚା କପେ ଦେଇ ଟୁକ୍‌ଟାକ୍‌ ବରାଦ ଟିକେ ବତେଇ ଦେବ ।

 

ପାଗଟା କିନ୍ତୁ ହାତ ଗୋଡ଼ ଯାକି ବସିଲାଭଳି ପାଗ–ନତୁବା ଜିମ୍‌ କର୍‌ବେଟ୍‌ଙ୍କର ବାଘ ଶୀକାର ବହି ପଢ଼ିଲା ଭଳି ପାଗ । ସୁପ୍ରଭା ମନକୁ ହସି ପକେଇଲେ । ଏଇ ଝିଅ ପୁଣି, ପରଘରେ ଯାଇ କର୍ତ୍ତବ୍ୟର ବୋଝ ମୁଣ୍ଡକୁ ନେବ । ୟାରିପାଇଁ ତାଙ୍କୁ ରାତିରେ ନିଦ ନାହିଁ ।

 

ଅବଶ୍ୟ ଏତେ ବେଶି ଚିନ୍ତା ତାଙ୍କୁ କରିବାକୁ ପଡ଼ନ୍ତା ନାହିଁ । ନିଶିକାନ୍ତ ଯଦି ସମଭାବରେ ଦାୟିତ୍ୱର ବୋଝ ମୁଣ୍ଡକୁ ନିଅନ୍ତେ ଅଥବା ସମସ୍ୟାର ଗୁରୁତ୍ୱ ବିଚାରି ଦେଖନ୍ତେ । ସେ ତ ତାଙ୍କ ସ୍ୱପ୍ନ ଜଗତକୁ ନେଇ ବ୍ୟସ୍ତ ବିହ୍ୱଳ । ଏଭଳି ମଣିଷଟିର ହାତ ଧରି ସୁପ୍ରଭା ଯେ କେତେ ଥର ହସୁ ହସୁ କାନ୍ଦିଛନ୍ତି– କାନ୍ଦୁ କାନ୍ଦୁ ହସିଛନ୍ତି ତା’ର ଇୟତ୍ତା ନାହିଁ.... ତଥାପି ବାସ୍ତବ ଜଗତର ସମସ୍ତ ବିଷ ଆକଣ୍ଠ ପାନ କରି ନିଶିକାନ୍ତକୁ ସେ ଅମୃତର ଆସ୍ୱାଦ ଦେବାକୁ ଚେଷ୍ଟା କରିଛନ୍ତି ।

 

ତାଙ୍କ ଅନୁଭବ ଭିତରେ କବି ବଧୂର ଆକାଶ ଚୁମ୍ବି ଗୌରବ ଓ ଅତଳସ୍ପର୍ଶୀ ଯନ୍ତ୍ରଣା ଫେଣ୍ଟାଫେଣ୍ଟି ହୋଇ ଜୀବନକୁ ଏକ ବିଚିତ୍ର ସ୍ୱାଦରେ ଭରି ଦେଇଛି ।

 

ସୁଖଦୁଃଖ ଭାବଅଭାବକୁ ଗୋଟିଏ ଅଚଳ ଟଙ୍କାର ଦିଓଟି ପାଖ ମନେ କରି ନିଶିକାନ୍ତଙ୍କ ସମସ୍ତ ଉଦାସୀନତାକୁ ସେ କ୍ଷମା କରିଛନ୍ତି ।

 

ତା’ ବୋଲି ଝିଅ ବାହାଘର କଥାରେ ଯେ ସେ ଏମିତି ନିର୍ଲିପ୍ତ ସାକ୍ଷୀ ସ୍ୱରୂପ ଭୂମିକାରେ ନୀରବ ଦ୍ରଷ୍ଟା ସାଜିବେ ଏ କଥା ସୁପ୍ରଭା ମାଆ ହୋଇ କେମିତି ସହିବେ ?

 

ଭଲଘର, ଭଲବର, ନୂଆ ଇଞ୍ଜିନିୟର ଚାକିରିରେ ନିଯୁକ୍ତି । ନିଜେ ସୁପ୍ରଭା ପିଲାଟିକି ଦେଖିଛନ୍ତି, ସୁନ୍ଦର ସୁଠାମ ସ୍ୱାସ୍ଥ୍ୟବାନ୍‌ ଚେହେରା । ସ୍ୱଭାବଟି ଭଲ ବୋଲି ବି ଖବର ନେଇ ଜାଣିଲେଣି । ଏମିତି ପାତ୍ରକୁ ହାତଛଡ଼ା କରିବା ବୋକାମି । ହେଇ ହେଇ ଟଙ୍କା କେଇହଜାର ତାଙ୍କ ଘର ଦାବି କରୁଛନ୍ତି । ଅନ୍ୟାୟ ନୁହେଁ ତ ?

 

ସୁପ୍ରଭା ଚା କପ୍‌ଟିଏ ହାତରେ ଧରି ଡ୍ରଇଁ ରୁମ୍‌କୁ ପଶିଲେ । ନିଶିକାନ୍ତଙ୍କର କିଛି କ’ଣ ମନେଥିବ ? ଯଦି ବା ସେ ସ୍ତ୍ରୀଙ୍କର ଗମ୍ଭୀର ମୁହଁକୁ ଚାହିଁ ଦେଇଥିବେ । ସଂସାର ଚକର କେଉଁଠି କ’ଣ ସାମାନ୍ୟ ତ୍ରୁଟିକି ତା’ର କାରଣ ବୋଲି ଧରି ନେଇଥିବେ ।

 

ଚା କପରେ ଆସ୍ତେ ଆସ୍ତେ ଚୁମୁକ୍‌ ଦେଉ ଦେଉ ନିଶିକାନ୍ତ ସୁପ୍ରଭାଙ୍କ ଅଭିଯୋଗ ଶୁଣିଗଲେ । ସ୍ତ୍ରୀଙ୍କର ଉଦାସ ଆଖିରେ ଆଖି ମିଳେଇ ସେ କହିଲେ, ଏତେ ଦିନର ସଂସାର ଯାତ୍ରା ପଥରେ ତୁମେ ଅନେକ ଥର ଅନୁଭବ କରିଥିବ ଯେ, ଯେତେବେଳେ ଏକ ଅଦୃଶ୍ୟ ହାତର କରୁଣାମୟ ସାହାଯ୍ୟ ଲୋଡ଼ା ହୁଏ, ସେ ଆପେ ଆପେ ଆସେ ଏକ ପରିପୂର୍ଣ୍ଣତା ନେଇ । ଆମର କାମ ହେଉଛି ଏଇଥିପାଇଁ ଏକ ସମର୍ପିତ ଶାନ୍ତ ନୀରବ ନିଶ୍ଚିନ୍ତ ପ୍ରତୀକ୍ଷାରେ ରତ ରହିବା । ନିଶିକାନ୍ତ ସକାଳର ଭିନ୍ନ ଭିନ୍ନ ସମ୍ବାଦ ଉପରେ ଦୃଷ୍ଟି ଘୂରାଇଲେ । ସୁପ୍ରଭା ବାହାରି ଆସୁ ଆସୁ ଶୁଣିଲେ - ବ୍ୟସ୍ତ ହୁଅନାଇଁ ପ୍ରଭା ! ଯୌତୁକ ଟଙ୍କାଟା ଯୋଗାଡ଼ କରିବାକୁ ମୁଁ ଚେଷ୍ଟା କରିବି ।

 

ଏ ଦିଗରେ ଭଲା କେବେ ତୁମେ ଦୃଷ୍ଟି ଦେଇଛ ନାଁ ଦେବ ? ଯାହା କରିବାକୁ ହେବ ମତେ ହିଁ କରିବାକୁ ପଡ଼ିବ । ନିଜକୁ ଏତିକିରେ ସାହସ ଓ ସାନ୍ତ୍ୱନା ଦେଇ ସୁପ୍ରଭା କାମ ଭିତରେ ବୁଡ଼ିଗଲେ । ଦିନର ସ୍ୱଳ୍ପ ଅବସର ଏବଂ ରାତିର ଅଖଣ୍ଡ ନୀରବତା କିନ୍ତୁ ତାଙ୍କୁ ସମାଧାନର ବାଟ ବତାଇ ପାରିଲା ନାହିଁ ।

 

ଅନେକ ସମୟ ଛଟପଟ ହୋଇ ଟେବୁଲ ଲ୍ୟାମ୍ପଟି ଜଳାଇ ନିଜ ନାମାଙ୍କିତ ପ୍ୟାଡ଼୍ ଖଣ୍ଡେ ଟାଣିଆଣି ଲେଖିଲେ ଶ୍ରୀଚରଣକମଳେଷୁ ! ବୁନ୍ଦାଏ କାଳି ଝରିପଡ଼ିଲା । କଲମଟି ରଖିଦେଇ ସୁପ୍ରଭା ଦୁଇ ହାତରେ ମୁଣ୍ଡରଖି ଟେବୁଲ ଉପରେ ଆଖି ବୁଜିଲେ ।

 

ଭାଇ ବୋକାରୋରେ ପଦସ୍ଥ କମ୍ପାନୀ କର୍ମଚାରୀ, ପ୍ରଚୁର ଆୟ । ଟଙ୍କା କେତ ହଜାର ଧାର ମାଗିଲେ ସେ ମନାକରି ଦେବେନାହିଁ । ସୁପ୍ରଭା ପାଇଁ ଗୋଟିଏ କୋମଳତମ ଅଂଶ ଏବେ ବି ତାଙ୍କ ମନଭିତରେ ନିର୍ବିଘ୍ନରେ ରହିଛି । କିନ୍ତୁ କନକାଞ୍ଜଳିର କେଇମୁଠା ଚାଉଳରେ ଯେଉଁ ଦୂରତ୍ୱ ଯେଉଁ ବ୍ୟବଧାନ ସୃଷ୍ଟି ହୁଏ ସେ ଯେ କେଡ଼େ ଦୀର୍ଘ ସେ କଥା ପରଘର ଝିଅ ବୁଝେ ସିନା । ଶଳା ଭେଣେଇଙ୍କ ଭିତରେ ଯଦିଓ କୌଣସି ସ୍ଥୂଳ ମନୋମାଳିନ୍ୟ ନାହିଁ ତଥାପି ଅନ୍ତର୍ଲୋକର ସୂକ୍ଷ୍ମ ସ୍ତରରେ ଦୁହେଁ ଦୁହିଁଙ୍କଠାରୁ ବିଛିନ୍ନ । ଭାଇଙ୍କର ଆନେକ ଆକ୍ଷେପ, ପ୍ରଭା ଅସହନୀୟ ମର୍ମଦାହ ନେଇ ସହିଛନ୍ତି ।

 

ନିଶିକାନ୍ତଟା ଦ୍ୱାରା କିଛି ହେବନାହିଁ । ସାହିତ୍ୟ ସାହିତ୍ୟ ହୋଇ, ଜୀବନରେ ଫେଲ ମାରିବା ବ୍ୟତୀତ ଆଉ କ’ଣ ପାଇବେ ସେ ? ନିଶିକାନ୍ତଙ୍କ ପରିହାସ ବି ବେଶ୍‌ ତିକ୍ତ ମଧୁର । ଭାଇ ତମର ପ୍ରକୃତ ହିଁ ସୁଖୀ, ପ୍ରଭା । ଆହାର, ନିଦ୍ରା, ମୈଥୁନ ଭିତରେ, ଜୀବନରେ ଜୀବନର ପାସ ନମ୍ବର, ଫେଡ଼ାଣ, ମିଶାଣ କରୁକରୁ, ବେଳ ଶେଷ ।

 

ସୁପ୍ରଭା ବିବ୍ରତ ବ୍ୟସ୍ତ ହୋଇପଡ଼ନ୍ତି । ବେଳେବେଳେ ତାଙ୍କ ମନରେ ଗୋଟାଏ ଅଦ୍‌ଭୁତ ଶିଶୁସୁଲଭ କାମନା ଗଜୁରି ଉଠେ । ଶକୁନି-ଦୃଷ୍ଟି, ଆକାଶଚାରୀ ବଡ଼ ଭାଇଙ୍କ ସହିତ ମେଘ ବିଳାସୀ, ମୟୁରଭଞ୍ଜ ଭଳି ସୁଦୂରର ପ୍ରେମିକ ନିଶିକାନ୍ତଙ୍କ ମୈତ୍ରୀ ସ୍ଥାପନ କ’ଣ ଆଦୌ ସମ୍ଭବ ନୁହେଁ ? ଦୁହିଁଙ୍କ ମଝିରେ ଦିଆଡ଼କୁ ଟାଣି ଓଟାରି ହୋଇ ସେ ଯେଉଁ ହିନସ୍ଥା ଭୋଗୁଛି ସେଥିରୁ କେମିତି ମୁକ୍ତ ମିଳନ୍ତା ?

 

ଭାଇ ଏଭଳି ଏକ ତ୍ୟାଗ କରନ୍ତେ–ଯେଉଁଥିରେ ନିଶିକାନ୍ତଙ୍କ ଚକ୍ଷୁ ଝଲସି ଯାଆନ୍ତା, ଅବା ତାଙ୍କର ଗୋଟିଏ ସାହିତ୍ୟ କୃତି ଏମିତି ଏକ ଆଖିଦୃଶିଆ ପୁରସ୍କାର ଲାଭକରନ୍ତା ଯାହା ଭାଇଙ୍କ ଚମକାଇ ଦିଅନ୍ତା । ଏ ଯାଏତ କିଛି ହେଲାନାହିଁ । ଚାହିଁବା, ପାଇବା ଭିତରେ, ଯୁଗେ ଯୁଗେ.... ଜମିନ ଆସମାନ ଫରକ ।

 

ଏଇତ, ସେ ଝିଅଟିକି ସୁପାତ୍ରରେ ଦେବାକୁ, ପ୍ରାଣେ ପ୍ରାଣେ ଚାହୁଁଛନ୍ତି, ହେଉଛି କେତେକେ । ବର ତରଫ, କନ୍ୟା ପସନ୍ଦ କରିଗଲେ । ବର ବି ନିଜେ ଦେଖିଲା । ଟଙ୍କା କେଇ ହଜାର ପାଇଁ ହୁଏତ ସମ୍ବନ୍ଧ ଭାଙ୍ଗି ଯାଇପାରେ । ସେଦିନ ରାତିଟା....ବଡ଼ ଛଟପଟ ହୋଇ କଟିଲା....କୃଷ୍ଣପକ୍ଷ ମେଘାବୃତ ତାମସୀ ରାତ୍ରୀ ଅନାଗତ ସୂର୍ଯ୍ୟ ପାଇଁ ବ୍ୟାକୁଳ, ପ୍ରାର୍ଥନାରତ.....ଧ୍ୟାନମଗ୍ନ ।

 

ତା’ ପରର ସକାଳ,....ପ୍ରଶାନ୍ତ ସୁନେଲି ରୌଦ୍ରୋଜ୍ଜ୍ୱଳ ଶରତର ସକାଳ.... । ଆକାଶରେ ହାଲୁକା ବଗ ପକ୍ଷିଆ, ବାଦଲର ଖିଆଲୀ ସନ୍ତରଣ । ସୁପ୍ରଭାଙ୍କ ମନଟା, ଛାଏଁ ଛାଏଁ ହାଲୁକା ହୋଇଗଲା । ଯେମିତି ସକାଳର ଭଦଭଦଳିଆ ପକ୍ଷୀ ତାଙ୍କପାଇଁ କେଉଁ ବିଚିତ୍ର ଜଗତର ସମ୍ବାଦ ବହି ଆଣିଚି । ସେ ଦିନ ସକାଳ ଡାକରେ ଦୁଇଟି ଲଫାପା ଚିଠିଥିଲା । ଖଣ୍ଡିଏ ସୁପ୍ରଭାଙ୍କ ନାମରେ । ବୋକାରୋରୁ ବେଶ ନାଟକୀୟ ଭାଷାରେ ଭାଇ ନିଜ ହିସାବି ପଣର ଶେଷ ଏବଂ ଶ୍ରେଷ୍ଠ ପରିଚୟ ଦେଇ ଲେଖିଛନ୍ତି । ରିଟାୟଡ଼୍ କଲା ଉତ୍ତାରେ ପରକାଳର ଭାବନା ଘେନି ସସ୍ତ୍ରୀକ ସେ ତୀର୍ଥ ଭ୍ରମଣରେ ଯାଉଛନ୍ତି ।

 

ଅବସରକାଳୀନ କମ୍ପାନି ଦେଇଥିବା ପ୍ରଚୁର ଭତ୍ତା ଟଙ୍କାରୁ କେଇ ହଜାର ଟଙ୍କାର ଚେକ୍‌ ସେ ସୁପ୍ରଭା ନାମରେ ପଠାଉଛନ୍ତି । ବଡ଼ଭାଇର ଶେଷ ଥରକ ସ୍ନେହର ଦାନ । ତୀର୍ଥରୁ ଫେରି ସେ ଆଉ ଏ କାମିନୀକାଞ୍ଚନ ସଂସ୍ପର୍ଶରେ ଆସିବେ ନାହିଁ ବୋଲି ଠିକ୍ କରି ସାରିଛନ୍ତି...... । ସୁପ୍ରଭା ଉଜ୍ଜ୍ୱଳ ହସିଲା ଆଖିରେ ନିଶିକାନ୍ତଙ୍କୁ ଅନେଇଲେ । ନିଶିକାନ୍ତ ହସୁ ହସୁ, ମୁଣ୍ଡ ଟୁଙ୍ଗାରୁ ଟୁଙ୍ଗାରୁ କହିଲେ, ଏ ଚିଠିଟି ଶୁଣ ନାଁ ! ଲେଖିଛନ୍ତି ତୁମର ଭାବି ସମୁଦି, ମୋ ପୁଅ ରଞ୍ଜନ ଆପଣଙ୍କ ଝିଅ ସୁଚେତାକୁ ପସନ୍ଦ କରିଛି । ସେ ଯୌତୁକ ଆଣିବାକୁ ଚାହୁଁନାହିଁ ମୁଁ ତା’ ନିଷ୍ପତ୍ତିକୁ ଆନନ୍ଦରେ ମାନି ନେଉଛି । ଆପଣ ଦ୍ୱିମତ ନ ହୋଇ କେବଳ ବିବାହର ଆୟୋଜନ କରିବେ ବୋଲି ଆଶା । ସୁପ୍ରଭା ଯେମିତି ସ୍ଥାଣୁ ପାଲଟିଗଲେ !

 

ତାଙ୍କ ଦୃଷ୍ଟି ସ୍ୱର୍ଣ୍ଣ ସକାଳର ଆଢ଼ୁଆଳରେ ଅନ୍ୟ ଏକ ନବ ଦ୍ୟୁତିର ଆବିଷ୍କାର କଲା । ଏ ଦ୍ୟୁତି ଯେଉଁ ଅନାଗତ ସୂର୍ଯ୍ୟର–ସେ ଏହିଭଳି ଅନେକ ଅନେକ ସୂକ୍ଷ୍ମ ଶୁଭ ପରିବର୍ତ୍ତନର ସୂତ୍ରଧର-

Image

 

ଡାଆଣୀ

 

ସେଇ ତ୍ରିଛକି ପାଖ ପୋଲ ଉପରେ କିଛି ସମୟ ବସିଲା ମୀନକେତନ । ଗାଁ ଆଡ଼ୁ ଆସିଥିବା ସରୁ ସୁନ୍ଥା ଭଳି ଧୂଳିଆ-ରାସ୍ତାଟିକୁ ଦ୍ଵିଖଣ୍ଡିତ କରି ଅନୁରୂପ ସରୁ ସଡ଼କଟିଏ ଆଡ଼ ବାଗରେ ବିଲମାଳ ଆଡ଼ୁ ଲମ୍ବି ଯାଇଛି ମଶାଣୀ ପ୍ରାନ୍ତରକୁ । ବିଲରେ ଲହରେଇ ହେଉଥିବା ଧାନଗଛ ସବୁ ଜୀବନର ଉଚ୍ଚ୍ୱାସ ଭଳି ତୀକ୍ଷ୍‌ଣ ଅପରାଜୟର ସୂକ୍ଷ୍ମ ଅହଂକାରରେ ବିପରୀତ ପ୍ରାନ୍ତ ଶ୍ମଶାନର ରୁକ୍ଷ ବିବର୍ଣ୍ଣତାକୁ ବିଦ୍ରୂପ କରୁଥିଲା ।

 

ଦାର୍ଶନିକ ସ୍କୁଲର ଗମ୍ଭୀର ଭାବୁକତାରେ ସମୟ ବ୍ୟୟ କରିବାକୁ ସେ ଏଠାକୁ ଆସେ ନାହିଁ । ବୈରାଗ୍ୟ ବିକାର ଗ୍ରସ୍ତ ଉଦାସୀନ ଦୃଷ୍ଟିରେ ସଂସାରକୁ ସ୍ୱପ୍ନ ପ୍ରାୟ ମଣିବା ବୟସ ବି ତା’ର ହୋଇ ନାହିଁ । ମୀନକେତନ ବିବାହିତ । ତା’ର ଦାମ୍ପତ୍ୟ ଜୀବନ ସୁସ୍ଥ, ସୁନ୍ଦର ଓ ସୁଖମୟ ବୋଲି ଧରାଯାଇ ପାରେ ।

 

ବିଗତ କୈଶୋରର ଏକ ବେଦନାଦ୍ର କରୁଣ ସ୍ମୃତିର ତୀକ୍ଷ୍‌ଣ ତୀବ୍ର ଆକର୍ଷଣ ତାକୁ ଏଠାକୁ ଟାଣି ଆଣେ ଯେବେ ସେ ଗାଁକୁ ଆସେ । ଶ୍ମଶାନର ଏ କୋଣରେ ଏବେ ସୁଦ୍ଧା ସେ ଆମ୍ୱ ଗଛ ସେମିତି ଛିଡ଼ା ହୋଇଛି । ତା’ର ସ୍ଥବିର, ଜରାଗ୍ରସ୍ତ, ଶୁଷ୍କ ଶାଖା ପ୍ରଶାଖାରେ ପ୍ରତିବର୍ଷ ଯେମିତି ନୂତନ ପ୍ରାଣ ଶକ୍ତିର ସଞ୍ଚାର ହେଉଛି । ଘନ ସବୁଜ ଗହଳ ପତ୍ରରେ ନବ କଳେବର ହେଲାପରି ସେ ପ୍ରତିଥର ହିଁ ମୀନକେତନକୁ ଦିଶୁଛି ନୂତନ ଏବଂ ସୁନ୍ଦର । ଏ ଗଛରେ ପ୍ରଚୁର ଫଳ....ଫଳେ..... । ବାଉଳାରେ ଭାଙ୍ଗି ପଡ଼ୁଥିବା ପ୍ରତିଟି ଡାହିରେ ଲଦି ହୋଇଯାଏ ଚଣା କଷି । ସେ ବଢ଼େ, ଆଖି ଦୁର୍ଶିଆ ହୁଏ । ଧୀରେ ଧୀରେ ବନେ ଏବଂ ପାଚେ । ପାଚି ତଳେ ଝରି ପଡ଼େ । ....ଚଣା ବେଳୁ ପାଟିଲା ଯାଏ ଝଡ଼େ ଏବଂ ଶଢ଼େ । ଗାଁ ଯାକ କେହି ଏ ଆମ୍ବକୁ ଛୁଅନ୍ତି ନାହିଁ । ମାଙ୍କଡ଼ ବାଦୁଡ଼ି, ପଶୁପକ୍ଷୀ ବି ଏ ଗଛର ଫଳ ବର୍ଜନ କରିଥିବା କଥା ଲୋକେ କହନ୍ତି । ଡାଆଣୀ ଗଛ ଆମ୍ବକୁ କିଏ ଖାଇବ ? ସେ ଗଛର ଛାଇ ଅସ୍ପୃଶ୍ୟ, ମୂଳଅପବିତ୍ର, ଫଳ ଅଭକ୍ଷ୍ୟ ।

 

ସବୁକଥା ଶୁଣି ମୀନକେତନ ଛାତି ଭିତରେ ଏକ ଅକଥ୍ୟ ଯନ୍ତ୍ରଣା ଥରକୁ ଥର ଅସହ୍ୟ ହୋଇ ଉଠେ । ଯଦି ସେ ଥରଟିଏ ଆସିପାରନ୍ତା ଆମ୍ବ ପାଚିଲାବେଳେ.....କଷି ଲଦି ହୋଇ ଉଠେ-। ନିଶ୍ଚୟ ନିଜ ହାତରେ ମନଭରି ଏ ଆମ୍ବର ସ୍ୱାଦ ଚାଖନ୍ତା ।

 

ନିଶ୍ଚିତ ଭାବରେ ସୀତା ଭାଉଜର ବ୍ୟଥିତ, ଲାଞ୍ଛିତ, ହତାଶ, ବ୍ୟାକୁଳ, ଅଶରୀରୀ ସତ୍ତା ଆସି ଛିଡ଼ା ହୁଅନ୍ତା ତା’ର ଅତି ପାଖରେ । ଯେତେ କ୍ଷୀଣ, ଯେତେ ସୂକ୍ଷ୍ମ ହେଲେ ବି ମୀନକେତନ ଠିକ୍‌ ସେଇ ଦିନ ଭଳି ନିଜ କାନ୍ଧ ଅଥବା ଚିବୁକରେ ଅନୁଭବ କରନ୍ତା ଫୁଲ ପାଖୁଡ଼ା ଭଳି ଗୋଟିଏ ନରମ କୋମଳ ପାପୁଲିର ସ୍ପର୍ଶ ।

 

କିନ୍ତୁ ଆମ୍ବ ଫଳ ଧରିବା ବେଳେ ଇଚ୍ଛାଥିଲେ ବି ସେ ଗାଁକୁ ଆସି ପାରିନାହିଁ । ଟିଉସନ କରି ପାଠ ପଢି ନିଜ ଗୋଡ଼ରେ ନିଜେ ଠିଆ ହେବାର ସଂଗ୍ରାମ ବିକ୍ଷୁବ୍‌ଧ ଦିନ ଗୁଡ଼ିକର ଆରମ୍ଭ ଏବଂ ଶେଷ ଜପମାଳାର କଣ୍ଠି ଭଳି ତା’ ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ ହୋଇଛି । ଯାହାର ମାତ୍ର ଏକକ ସଂଖ୍ୟା ବିଯୋଗରେ ସମଗ୍ର ଗଣନ ହିଁ ବ୍ୟଥା, ବିଫଳ ହୋଇଯିବ ।

 

ଶିକ୍ଷା ସମାପ୍ତି ପରେ ଚାକିରି ଆରମ୍ଭରେ ଘର ସଂସାରର ଅୟମାରମ୍ଭ ହେଲା ପରେ ଏବେ କେତେ ମାସ ହେଲା, ପ୍ରତି ଶନିବାର ସଂଧ୍ୟାରେ ସେ ନିୟମିତ ଯାତ୍ରୀ ହୋଇ ପଡ଼ିଛି ।

 

ଶକୁନ୍ତଳାର ଲଜ୍ଜାରକ୍ତ ମୁଖଶ୍ରୀରେ କେତେକାଂଶରେ ସୀତା ଭାଉଜଙ୍କ ମୁହଁ ଛିଟିକା ଥିଲା ଭଳି ତାକୁ ଲାଗେ । ଗଭୀର ଅନୁରାଗରେ ଏକାନ୍ତ ଆପଣାର ସେଇ ସ୍ୱଚ୍ଛ ଦର୍ପଣ ଭଳି ମୁହଁଟିକି ତୋଳି ଧରୁ ଧରୁ ମୀନକେତନ କଣ୍ଟକିତ, ଶିହରିତ, ଆତଙ୍କିତ ହୋଇ କଠେ ।

 

ଶକୁନ୍ତଳାକୁ କିନ୍ତୁ କେହି ଡାହାଣୀ ବୋଲି କହି ପାରିବେ ନାହିଁ । ବୋଉ ତାକୁ ଦେଖି ଚାହିଁ ବୋହୂ କରି ଆଣିଛି । କିନ୍ତୁ ସୀତା ଭାଉଜ, ଯାହାଙ୍କୁ ସ୍ୱୟଂ ଉପ ଭାଇ ପସନ୍ଦ କରି ଆଣିଥିଲେ ଏକାନ୍ତ ଶୁଭାନୁଧ୍ୟାୟୀ ଗୁରୁଜନଗଣଙ୍କ ପସନ୍ଦ ଅପସନ୍ଦକୁ ଉପେକ୍ଷା କରି । ପାରି ନାନୀକି ସୁଦ୍ଧା ପଦେ ପଚାରି ନଥିଲେ । ସେଦିନ ନ ବୁଝିଥିଲେ ବି ଆଜି ମୀନକେତନ ଅନୁମାନ କରିଛି ଚୋର କଣ୍ଟା ଯୋତାର ଯେଉଁ କୋଣରେ ଫୁଟୁଥିଲା ।

 

ସୀତା ଭାଉଜର ଚାଲି ଚାହାଁଣୀ, ବସିବା ଠାରୁ ଠିଆ ହେବାର ଭଙ୍ଗି ପର୍ଯ୍ୟନ୍ତ ସେତେବେଳକାର ନାରୀ ମହଲରେ ତୀକ୍ଷ୍ଣ ସମାଲୋଚନାର ଶରବ୍ୟ ହୋଇଥିଲା । ସୀତା ଭାଉଜର ଲୁହ ପୋଛି ଦେବାକୁ ଏକା ଉପଭାଇ ଛଡ଼ା କେହି ନଥିଲେ । ଉପଭାଇ କାହାକୁ ନ ଜଣାଇ, ନପଚାରି ବିଭା ହୋଇ ପଡ଼ିବାର ଅପରାଧଟା ଏକୁଟିଆ ସୀତା ଭାଉଜ ମୁଣ୍ଡରେ ବୋଧେ ସମସ୍ତେ ଲଦି ଦେଇଥିଲେ ।

 

ତେର ବର୍ଷର ମୀନ କେତନ ଘରୁ, ବାହାରୁ, ଅନ୍ତଃପୁରୁ, ମା’ମାଉସୀଙ୍କ ତୁଣ୍ଡରୁ, ଦାଣ୍ଡ ମେଲାର ତାଶ, ପଶା ଆଡ଼୍‍ଡ଼ାରୁ ଶୁଣୁଥିଲା ଖାଲି ସୀତା ଭାଉଜର କୁତ୍ସାରଟନା । ସେଇ କିଶୋର ମନର କେଉଁ ମର୍ମ କୋଷରେ ଅନୁରଣିତ ହୋଇ ଉଠୁଥିଲା ଟିକିଏ ଆହା ପଦ... । ବିଚାରି.....ଅଚିହ୍ନା......ପରଘରେ......ଅନ୍ୟଗାଁରେ.....କିଏ ଅଛି ତା’ ପାଇଁ ।

 

ଚୁପ୍‌ଚୁପ୍‌ କରି ଏକ ସହାନୁଭୂତି ମେଦୁର ହୃଦୟକୁ ଖୋଲିଧରି ମୀନକେତନ ପାଦ ଚିପି ଚିପି ପହଞ୍ଚିଥିଲା ଉପଭାଇଙ୍କ ଘରେ । ମୁଖରା ପାରିନାନୀକୁ ତା’ର ବଡ଼ଭୟ । ତୁଚ୍ଛଟାରେ ସେ ଗାଳି ଦିଏ....କାଟେ....ସମ୍ପେ । ଅନୁରାଗ ଭଳି ରାଗ ବି କୁଆଡ଼େ ଅହେତୁକ । ଅକାରଣରେ ମୁଣ୍ଡକୁ ପିତ୍ତ ଚହଟି ଯାଇ କେତେ ଅଘଟଣ ଘଟଣା ଘଟାଏ । ପାରିନାନୀ ନଥିଲା ଯୋଗକୁ । ନୂଆବୋହୂ ଘର ଦର ଆଉଜା ଫାଙ୍କରେ ଚାହିଁଲା ମୀନକେତନ । ସେହି ଅନ୍ଧାରିଆ କୋଣରେ ଯେମିତି ଦିହୁଡ଼ି, ଜଳୁଛି ଅପରୂପ ରୂପର ଉଜ୍ଜ୍ୱଳ ଦିହୁଡ଼ି । ଯାହାର ଗତି ନାହିଁ ଅଥଚ ଦ୍ୟୁତିରେ ମନର କୋଣ ଅନୁକୋଣ ଉଦ୍‌ଭାସିତ ହୋଇ ଉଠେ । ପ୍ରଥମ ଦେଖାରେ ମୁଗ୍‌ଧ ହୋଇ କିଣି ହୋଇଗଲା କିଶୋର ମୀନକେତନ । କେତେ ସୁନ୍ଦର ସେ ରୂପ । ଦୁର୍ଗା ପ୍ରତିମାର ନିଖୁଣ ନିଟୋଳ ଗଢ଼ଣର ମୁହଁ ଭଳି ମୁହଁଟି । କଇଁ ପାଖୁଡ଼ାର ଆଖିରେ ଅରୂପାୟିତ ସ୍ୱପ୍ନର ଅଧା ଅଙ୍କା ଛବି ।

 

ଅରୁଣିମ ଅଧର ଯୁଗଳରେ ଅନେକ ଅକୁହା କଥାର ସୂକ୍ଷ୍ମ କମ୍ପନ । କପାଳରେ ଗାଢ଼ ଉଜ୍ଜ୍ୱଳ ସିନ୍ଦୁର ବିନ୍ଦୁ । ସୀତା ଭାଉଜକୁ କି ସୁନ୍ଦର ମାନିଛି ।

 

ଗରିବ ଘର ଝିଅ ସୀତା ଭାଉଜ । ମାତ୍ର ବସନ ଭୂଷଣର ଦୈନ୍ୟତା ରୂପ ଗାରିମାରେ ଏଭଳି ଆବୃତ, ଆଚ୍ଛାଦିତ ହେଇ ପଡ଼ିଥାଏ ଯେ, ତାଙ୍କ ପାଖରେ ଛିଡ଼ା ହେଲେ ବହୁ ଆଭୂଷଣାନାରୀମାନେ ଦିଶିବେ ତାଙ୍କ ସେବିକା ଭଳି ।

 

ମୀନକେତନ ସେହି କ୍ଷଣରୁ ହିଁ ବୁଝିନେଲା ଗାଁର ଏହି କାଳି, କୋତରୀ, ନାକଚେପ୍‌ଟୀ, ଟାକୁଆଗାଲିମାନେ ସୀତା ଭାଉଜଙ୍କୁ ଈର୍ଷା କରନ୍ତି ଅତି ଇତର, ଅତି କୁତ୍ସିତ ଭାବରେ । ଏମାନଙ୍କ ମନର ମଇଳା କାଚରେ ସୀତା ଭାଉଜର ସରଳ ସୁନ୍ଦର ମୁହଁର ବିକୃତ ବିପରୀତ ଛବି ପ୍ରତିଫଳିତ ହେଉଛି ।

 

ହେବାହିଁ ସ୍ୱାଭାବିକ । ଏମାନଙ୍କର ନା ଅଛି ରୂପର ଐଶ୍ୱର୍ଯ୍ୟ, ନା ଅଛି ମନର ମାଧୁର୍ଯ୍ୟ ଅଥବା ପ୍ରାଣର ଭରପୁର ପ୍ରାଚୁର୍ଯ୍ୟ ।

 

ତା’ପରେ......ବହମାନ ସମୟର ବ୍ୟଥା, ବେଦନା, ହତାଶା, ହା-ହା-କାର ଭିତରେ ଦଗ୍‌ଧୀଭୂତା ସୀତା ଭାଉଜକୁ ମୀନକେତନ ତା’ର କ୍ଷୁଦ୍ର କରପୁଟରେ ଆବୋରି ରଖିବାକୁ ତା’ର କ୍ଷୁଦ୍ରାତିକ୍ଷୁଦ୍ର ସାମର୍ଥ୍ୟର ପରିଧି ଭିତରେ ନିରାପଦ କିରବାକୁ ଅନେକ ବ୍ୟଥା ଚେଷ୍ଟା କରିଛି ।

 

ପାରିନାନୀ ପ୍ରଥମେ ହିଁ ଡାହାଣୀର ଅପବାଦ ସୀତା ଭାଉଜର ମୁଣ୍ଡରେ ଲଦିଥିଲା । ଉପଭାଇ ଚାରିମାସ କାଳ ଘରର ଦ୍ୱାର ବନ୍ଧ ଡେଇଁ କେଉଁ ଆଡ଼େ ବି ଗଲେ ନାହିଁ । ତାଙ୍କ ଯାତ୍ରାଦଳ ହାତ ବାନ୍ଧି ବସିଲେ । ଉପଭାଇତ ଥିଲେ ଏହି ଯାତ୍ରା ଦଳର ମ୍ୟାନେଜର । ତାଙ୍କରି ଚେଷ୍ଟାରେ ଏ ଦଳଟି ସେ ଖଣ୍ଡ ମଣ୍ଡଳରେ ବେଶ୍‌ ନାଁ କମେଇଥିଲା ।

 

ଏଇ ଯାତ୍ରାଦଳ ନେଇ ଘୂରୁ ଘରୁ ଉପଭାଇ ଯାଇଥିଲେ ସୀତା ଭାଉଜଙ୍କ ଗାଁକୁ । କି କୁକ୍ଷଣ ବା ସୁକ୍ଷଣରେ ଉଭୟଙ୍କର ଶୁଭ ଦୃଷ୍ଟି ହୋଇଥିଲା, ଈଶ୍ୱରଙ୍କୁ ଜଣା ।

 

ଦୁହେଁ ଦୁହିଁଙ୍କ ପାଖରେ ବନ୍ଧା ପଡ଼ିଗଲେ ଅଥଚ ଗାଁ ଲୋକେ କହନ୍ତି ଉପଭାଇ ରୂପର ଫାନ୍ଦରେ ବନ୍ଧା ପଡ଼ିଗଲେ ବୋଲି । ଏକାଥରକେ ବାହା ହୋଇ ବୋହୂ ନେଇ ଉପଭାଇ ଗାଁକୁ ଆସିଥିଲେ ସେଇ ଯାତ୍ରା ଦଳର ସଜ୍ଜିତ ରାଜାରାଣୀ ଭଳି ।

 

ସବୁବେଳେ ଏମିତି କଣପଣା ଢଙ୍ଗ ଦେଖି ପାରିନାନୀ ଦେହ ନିଆଁ ହୋଇଯାଏ......ଏବେତ ନାନୀ ଅଛିକି ମଲାଣି ପୁତୁରା ଖୋଜେ ନାହିଁ । ଘରକୁ ଘରଣୀ ହେଲା....ନାନୀ ଠେଇଁ ଆଉ କି ଦରକାର ।

 

ଏଇ ପୁତୁରାକୁ ଛାତିରେ ଯାକି ଦିନେ ସେ ଭୁଲିଥିଲା ଯୁବା ବୟସରେ ବୈଧବ୍ୟ ଯନ୍ତ୍ରଣା । ନିଜର ସଂସାର ପୋଡ଼ି ଜାଳି ଛାରଖାର ହୋଇ ଯିବାର ଦୁଃଖ ମା’ଛେଉଣ୍ଡ ଛୁଆଟାକୁ ତା’ ହାତକୁ ଟେକି ଦେଇ, ଭାଇ କହିଥିଲା...‘‘ନେ....ପାରି.....ୟେ ତୋର...ତୋରି ହାତରେ ଏ ଉଷୁନାଧାନ ଗଜା ହେବ ।’

 

ଉପୁନୀ ସେମିତି ନୁହେଁ....ସବୁବେଳେ କାନି ଧରି ବୁଲୁଥିଲା । ଭେଣ୍ଡାଟିଏ ହେଲେବି ତା’ ଭିତରେ ଗୋଟାଏ ଅଝଟିଆ ଶିଶୁ ଛପି ରହିଥିଲା... । ସେ ପାରି ନାନୀର ଛାଇ ଭଳି ରହିଥାଏ-

 

ଏବେ କିନ୍ତୁ ତୁଠରେ, ବାଟରେ, ଗାଁ ମାଇପଙ୍କ ମେଳରେ ପାରି ନାନୀ ଗାଇ ବୁଲେ.....-। ଦେଖୁଚୁଲୋ ନେତୀ, ଉପୁନି ମୋର କି ସରି ହେଲାଣି, କୁଆଡ଼େ ଯିବା ନାହିଁ, ଆସିବା ନାହିଁ, ସାଙ୍ଗ ସାଥି କାହିଁରେ ତା’ର ମନ ନାହିଁ । ଖାଲି ସେଇ ଭାରିଜା ମୁହଁକୁ ମୀନକୁ ବଗ ଟାକିଲାପରି ଟାକି ବସିଛି । ତିରିଲା ଝୁଅର ଏତେ ରୂପ ଭଲ ନୁହେଁ ଲୋ..... । ଏ ରୂପ ମୋହିନୀ ରୂପ । ଭେଣ୍ଡାକୁ ମେଣ୍ଢା କରି ପୁରୁଷକୁ ବଶ୍ୟ କରି ରଖେ । କଣ୍ଠର ସ୍ୱରକୁ ଆହୁରି ଖର୍ବ କରି ସାପ ଭଳିଆ ସୁ, ସୁଁ ହୋଇ ପାରିନାନୀ କହେ, ବୁଝିଲୁ ! ଘରନିଆଁ ବୋଲି ଅଣ୍ଟିରେ ପୂରେଇବି ନାହିଁ । ତା’ ଠେଇଁ ଡାହାଣୀ କଳା ଅଛି । ଘରେ ଗୋଡ଼ ଦଉ ନ ଦେଉଣୁ ହାତୀ ଭଳିଆ ବଳଦ ହଳକ ଦନ୍ତାଘାତରେ ମଲେ । ବାଧିକା ପଡ଼ି ସେଇ ଭାଇତ ଚାରିମାସ କାଳ ଫେର୍‌ ଜୁଳୁଜୁଳୁ ଅନେଇ ବଞ୍ଚିଥିଲା । ବୋହୂର ଅଷ୍ଟ ମଙ୍ଗଳା ନ ପାଉଣୁ ସେ ଆଖି ବୁଜିଲା । ଗର୍ଭଣୀ ଗାଈଟାର ବାଛୁରୀ ଜନ୍ମ ହୋଇ ପାରିଲା ନାହିଁ ଯେ, ଦି ମୁଣ୍ଡ ଏକାବେଳେ ଗଲା..... ।

 

ବୁଢ଼ୀ ତା’ ଶୁଖିଲା ଆଖିର ନେଞ୍ଜରାକୁ ମସିଆ ଲୁଗା କାନିରେ ପୋଛୁ ପୋଛୁ ଖିଅ ଯୋଡ଼େ......ଆହୁରି କି ଦୁର୍ଯୋଗ ଅଛି କେଜାଣି ? ଉପୁନୀ ମୁଣ୍ଡରେ କିଏ ଏ ଦୁର୍ବୁଦ୍ଧି ଦେଲା ? ଯାହାଙ୍କର ଆଇଁସିଆ ପ୍ରକୃତି ପଚାମାଛର ଦୁର୍ଗନ୍ଧ ବାରି ସେମାନେ ଆସି ଯୁଟି ଯାଆନ୍ତି ।

ଆଗୋ ନାନୀ, ତମରି ଡରେ ଆମେ ପାଟି ବୁଜି ରହିଥିଲୁ । ଆମେ ପରା ତା’ ଡାହାଣୀ କଳା ସେଇ ନୂଆ ଗୋଡ଼ କାଢ଼ିଲା ବେଳୁ ଠଉରେଇଛୁ । ଉପୁନି କ’ଣ ଆଉ ମଣିଷ ପଣରେ ଅଛନ୍ତି-

ତାଙ୍କର ତ ହାଡ଼ କଣ୍ଟା ରହିଲାଣି । କିଏ ଅବା ଦେଖୁଛି । ରାତି ଅଧରେ କୁଟା ଲଗେଇ ତାଙ୍କ କଲିଜାରୁ ରକ୍ତ ଶୋଷୁଥିବ । ନହେଲେ ରୋଗ, ବଇରାଗ ନଥାଇ ସଳଖ ସୁନ୍ଦର ଭେଣ୍ଡିଆଟା ଏମିତି ଦିନୁ ଦିନ ଝଡ଼ି ଯା’ନ୍ତେ ?

ଅପବାଦର ଡେଣା ଗଜୁରିବାକୁ ବେଳ ଲାଗେ ନାହିଁ । ପାରି ନାନୀ ରବେଇ ଖବେଇ ହୋଇ ବାହୁନି ବାହୁନି କାନ୍ଦେ....

ଡାହାଣୀ ନ ହେଲେ କ’ଣ ଏତେ ରୂପ ଏମିତି ଜଳନ୍ତା ନିଆଁ ଭଳିଆ ଜଳୁଥାଆନ୍ତା । ପୋଡ଼ି ଯିବ, ସବୁ ପୋଡ଼ି ଜଳି ପାଉଁଶ ହୋଇଯିବ ।

ଦି’ ଦି’ ଥର ପେଟରେ ଛୁଆ ରହିଲା । କେତେ ଆଶା କରିଛି......ଏଘରେ କୁଆଁ ଡାକ ଶୁଭିବ ବୋଲି.....ସେ ଆଶା କ’ଣ ପୂରଣ ହେବ ? ଡାଆଣୀ ତ ସବୁ ସେହି ଆଡ଼ୁ ବେକ ମୋଡ଼ି ଦଉଚି । ପେଟରୁ ମରି ଅଧା ପନ୍ତୁରିଆ ହୋଇ ଅବେଳେ ସେ ଗୁଡ଼ାକ ଖସି ପଡ଼ୁଛନ୍ତି । ତଥାପି ଟୋକାଟା ମୁହଁ ବୁଜି ରହିଛି । କେତେ କହିଲି, ଯୋଉଁଠୁ ଆଣିଛୁ ସେଇଠିକି ବିଦା କରିଦେ, ଛତର ଖାଇକି ।

 

କ’ଣ ଶୁଣୁଛି ମୋ କଥା । ଓଷଦ ମୋଷଦ କରି ଗାରେଡ଼ିରେ ତା’ ମୁହଁ ବନ୍ଧନ କରି ଦେଇଛି, ସବା ଖାଇ ଘର ଝୁଅ....

 

ଏଇଆ ଦେଖିବାକୁ ମୋ କପାଳରେ ଥିଲା । ମୁଁ କ’ଣ କରିବି ଲୋ ! ସୀତା ଭାଉଜ ସବୁ ଶୁଣୁଥିଲେ, ସବୁ ଜାଣୁଥିଲେ, ବୁଝୁଥିଲେ କିନ୍ତୁ ବୁଝୁଥିଲେ କିନ୍ତୁ ସହିବା ଛଡ଼ା ତାଙ୍କର ଗତ୍ୟନ୍ତର ନଥିଲା ।

 

ସେବା, ସ୍ନେହ, ଭକ୍ତି କାହିଁରେ ବି ସେ ପାରିନାନୀର ବିଷ ଜର୍ଜରିତ କ୍ଷୁରଧାର ରସନାକୁ ନୀରବ କରିପାରି ନ ଥିଲା । ଦୁଇଟି ସନ୍ତାନ ନଷ୍ଟ ହେବା ପରେ.......ଉପ ଭାଇଙ୍କ ସ୍ନେହ ଜୁଆରରେ କ୍ରମେ ଭଟ୍ଟାପଡ଼ି ଆସୁଥିଲା । ପ୍ରକୃତରେ ପୁଣି ସେ ଦିନୁଦିନ ଝଡ଼ି ଯାଉଥିଲେ ।

 

ସୀତାଭାଉଜ ଏକ ଅନାଗତ ନିର୍ମମ ଭବିଷ୍ୟତର ନିଶ୍ଚିତ ସୂଚନାରେ ଦିନୁଦିନ ଆତଙ୍କିତା, ଭାବବିହ୍ୱଳା ହୋଇ ଉଠିଲେ । ଉପଭାଇଙ୍କୁ ଅଳ୍ପ ଅଳ୍ପ ଜ୍ୱର ସାଙ୍ଗକୁ ଖୁଁ ଖୁଁ କାଶ ହେବା ଆରମ୍ଭ ହୋଇଯାଇଥାଏ । ଗାଁ ବୈଦ୍ୟର ଚେରମୂଳୀ ଶିଝାଇ କିଛି ଆଶୁ ଉପକାର ବି ହେଉ ନ ଥାଏ ।

 

ପୁତୁରା ଦେହରୁ ଯେତେ ପଳ ମାଂସ ଝଡ଼ୁଥିଲା ପାରିନାନୀ ଖରତୁଣ୍ଡ ବୋହୂର ଡାଆଣୀ ଅପବାଦକୁ ସେତିକି ସେତିକି ରଙ୍ଗ ଦେଇ ପ୍ରଚାର କରୁଥିଲା । ଗାଁ ମାଇପି ମହଲରେ ଚର୍ଚ୍ଚା ପାଇଁ ଏକ ସୁଆଦିଆ କର୍ଣ୍ଣରୋଚକ ବିଷୟ ବି ମିଳି ଯାଇଥିଲା । ଇଚ୍ଛାମତ ବାହା ହେବାର କୁଫଳ ସମ୍ପର୍କରେ ନଜର ଦେବାକୁ ଖୋଜି ହେବାକୁ ପଡ଼ୁ ନଥିଲା ।
 

ଯେଉଁଦିନ ସୀତା ଭାଉଜର ଭୂମିଷ୍ଟ ହୋଇ, କୁଆଁ ରାବ ଦେଇ, ତିନିଦିନ ବଞ୍ଚି ରହିବା ଶିଶୁସନ୍ତାନଟି, ହଠାତ୍ କାନ୍ଦିଉଠି ଚମକିପଡ଼ି, ଧନୁଭଳି ବାଙ୍କି ଯାଇ ମଲା, ସେଦିନ.... ? ସେଦିନ ସଦ୍ୟ ସନ୍ତାନ ହରା ସୀତା ଭାଉଜ ପାଇଁ ଗଲା ଅଇଲା ଇତର ତୁଣ୍ଡରୁ ବି ଗଞ୍ଜଣା ଗାଳିର ଶର ବୃଷ୍ଟି ହେବାକୁ ଲାଗିଲା ।

 

ଉପ ଭାଇ ତଳକୁ ମୁଣ୍ଡ ପୋତି ଗୁମ ହୋଇ ବସିଥାଆନ୍ତି । ତାଙ୍କ ମନରେ ବି ସ୍ତ୍ରୀ ପ୍ରତି ଲେଶମାତ୍ର କରୁଣା ବା ସହାନୁଭୂତି ନ ଥାଏ । ବରଂ ପାତଳ ବିଶ୍ୱାସ ଅବିଶ୍ୱାସର ପର୍ଦ୍ଦାଟା କମ୍ପି କମ୍ପି ଅବିଶ୍ୱାସ ଆଡ଼କୁ ଢଳୁଥାଏ ବେଶି ବେଶି । ଡାଆଣୀ ଫାନ୍ଦରେ ଗୋଡ଼ ହେଲେ ଶେଷକୁ । ସେ ଗାଆଁରେ ତ କାହାଠାରୁ ଶୁଣି ନ ଥିଲେ, ଏ ରୂପତଳେ ଏ ନିଆଁ ଅଛି ବୋଲି ।

 

ମୀନକେତନ ଏକୁଟିଆ ସେଦିନ ଧୂଳିରେ ଲୋଟୁଥିବା ଆଲୁଳାୟିତ କେଶା ସୀତା ଭାଉଜର ଅଚେତ ଦେହଟାକୁ, ତା’ ଦି' ବାହୁରେ ତୋଳି ଧରିଲା । ପୃଥିବୀକି ନିଷ୍ଠୁରତା, ଅକୃତଜ୍ଞତା, ଅନ୍ଧ ଜିଜ୍ଞାସାର ମହାପାପର ଅନ୍ତତଃ ଥରକ ପାଇଁ ରକ୍ଷାକରି ।

 

ସେତ ଆଉ ସବୁଦିନେ ଗାଁଆଁରେ ରହୁ ନ ଥିଲା । ପାଠ ପଢ଼ିବାକୁ ତାକୁ ଗାଁ ଛାଡ଼ିବାକୁ ପଡ଼ୁଥିଲା । ଛୁଟୀମାନଙ୍କରେ ଘରକୁ ଆସିବା କ୍ଷଣି ସୀତା ଭାଉଜର କରୁଣ ବିଷଣ୍ଣ ସଦା ସଜଳ ଆଖି ଯୋଡ଼ିକ ତାକୁ ଚକା-ନୟନର ଆକର୍ଷଣ ଭଳି ଏକ ପ୍ରେମ ପୁଲକିତ ନିତ୍ୟ ସମ୍ବନ୍ଧିତ-ଆକର୍ଷଣରେ ଟାଣି ନେଉଥିଲା ।

 

ଆହା ବିଚାରୀ ! ଅଦମ୍ୟ, ଅପୂର୍ଣ୍ଣ ମାତୃତ୍ୱର ବିଫଳ ବେଦନାରେ ଜର୍ଜରିତା ଅଧାପାଗଳି ସୀତା ଭାଉଜ ସେତେବେଳକୁ ବିକାରଗ୍ରସ୍ତ ରୋଗୀଟିଏ ଭଳି ଖାଲି ଛୁଆଟିଏ ଲୋଡ଼ୁଥାଏ । ସାଇ ପଡ଼ିଶାର ଯେଉଁ ଛୁଆକୁ ତା’ ବାଟରେ ଯାଏ, ଗଭୀର ଆବେଗର ଉତ୍ପୀଡ଼ନରେ ଉତ୍ପୀଡ଼ିତ କରି ନିଜର ଉତ୍ତପ୍ତ ବକ୍ଷରେ ଚାପିଧରେ ଅଣନିଃଶ୍ୱାସୀ କରି । ଅବୁଝା ପିଲାଟା ରଡ଼ିଛାଡ଼ି ରାହାଧରି କାନ୍ଦେ । କାହାକୁ କାହାକୁ ବି ଜ୍ୱର ଆସିଯାଏ । ସେ ପିଲାର ମା’ ଆସି ମନଇଚ୍ଛା ଗାଳିବର୍ଷି ଦେଇଯାଏ ।

 

ପାରିନାନୀ ଚୁଲିରେ ଲୁହା ଖଡ଼ିକା ତତାଇ ସୀତାଭାଉଜର ମୁଲାଏମ ଦେହରେ ଚିଆଁମାଡ଼େ । ସୀତା ଭାଉଜ ବସିଥାଏ, ପଥର ମୂର୍ତ୍ତିଭଳି । ତା’ ଆଖିରେ ନା’ ଥାଏ ଲୁହ, ତା’ ତୁଣ୍ଡରେ ନା’ ଥାଏ କ୍ଷୀଣ ଯନ୍ତ୍ରଣାର ଆର୍ତ୍ତ ଚିତ୍‌କାର । ସେ କ’ଣ ସାଧାରଣ ମଣିଷ ହୋଇଚି ଯେ ତାକୁ ଚିଆଁ କାଟିବ ?

 

ସମସ୍ତଙ୍କ ତୁଣ୍ଡରୁ ଶୁଣି ଶୁଣି ସୀତା ଭାଉଜ ବି ଅନିଚ୍ଛାସତ୍ୱେ ଅସତର୍କ ମୁହୂର୍ତ୍ତମାନଙ୍କରେ ଧୀରେ ଧୀରେ ନିଜକୁ ଡାଆଣୀ ବୋଲି ଭାବୁଥିଲା ।

 

ସେ ବାପଭାଇ ଶ୍ୱଶୁର ନିଜର ଗର୍ଭସ୍ଥ ଶିଶୁ ସନ୍ତାନଙ୍କ ମୃତ୍ୟୁର କାରଣ । ତା’ ଦୃଷ୍ଟିରେ ସବୁ ଜଳି ପୋଡ଼ି ଯାଉଛି । କିଏ ଜାଣେ ସ୍ୱାମୀର ଅବସ୍ଥା ଶେଷକୁ କ’ଣ ହେବ ? ଧୀରେ ଧୀରେ ସେ ଯେପରି ମୃତ୍ୟୁ ଆଡ଼କୁ ଆଗେଇ ଯାଉଛନ୍ତି । କାଶରେ ରକ୍ତ ପଡ଼ୁଛି । ପେଜୁଆ ଶେତା ଆଖିରେ ଜୀବନ ବିଶ୍ୱାସର ଜ୍ୟୋତି କେବେଠାରୁ ଲିଭି ଗଲାଣି । ସୀତା ଭାଉଜ ନିଜେ ନିଜକୁ ଡରେ । ରୋଗୀଣା ସ୍ୱାମୀର ଶେଯ ପାଖକୁ ଯାଏ ନାହିଁ ।

 

ଯେଉଁ ସ୍ତ୍ରୀ’କୁ ଆଖିରୁ ଆଢ଼ୁଆଳ କରିବାକୁ ଉପଭାଇ ଚାହୁ ନଥିଲା, ତା’ରି ଛାଇ ଦେଖିଲେ ସେ’ବି ଆଜି ଭୟରେ ଥରି ଉଠି ଡାକ ପକାଉଛି, ନାନୀ– ନାନୀ.... ନାନୀ ଲୋ.... ।

 

କେଜାଣି ବା ସେଦିନ, ଆନମନା, ସୀତା ଭାଉଜ ରନ୍ଧା ବଢ଼ା ସାରି, ଗାଧୋଇପଡ଼ି, ସଞ୍ଜପହରେ ଓଦା ଶାଢ଼ୀଟି ବାଡ଼ିପାଖ ବାଡ଼ରେ ଶୁଖାଇ ଦେଇଥିଲା । ତୋଳି ନେବାକୁ ହୁଏତ ଭୁଲି ଯାଇଛି । ଗାଁରେ ନୂଆ ଗୁଣିଆ ବୋଲାଉ ଥିବା ମୁକୁନ୍ଦ ଭୋଇ ସେବାଟେ ଯାଉ ଯାଉ ତା’ ମୁଣ୍ଡରେ ଦୁଷ୍ଟ ବୁଦ୍ଧି ଖେଳିଗଲା ।

 

ସୀତା ଭାଉଜର ବହୁ ତୁଣ୍ଡ ଚର୍ବିତ ଅପବାଦରେ ନୂତନ ସ୍ୱାଦ ମାଖି ସେ ଚାହିଁଲା, ନିଜର କିଞ୍ଚିତ ପ୍ରତିଷ୍ଠା ! ଟାଣୁଥିବା ଧୂଆଁ ପତ୍ର ପିକାର କେଇଟା ନିଆଁ ଗୁଳା ଝାଡ଼ି ଦେଇଗଲା ଶାଢ଼ୀର ଠାଏ ଠାଏ । ପରଦିନ ପ୍ରଭାତରେ ପ୍ରଚାରିତ ହୋଇଗଲା, ଉପରକୁ ଗୋଡ଼ ତଳକୁ ମୁଣ୍ଡ ଅଦଭୁତ ନଙ୍ଗଳା ଉପୁନି ଭାରିଜା ଘୁଅ ଚରୁଥିଲା ବେଳେ ତା’ ପାଲଟା ଲୁଗାରେ ପିକାଗୁଳା ଦାଗ ଦେଇ ମୁକୁନ୍ଦା ନିଜେ କଞ୍ଚା ଡାଆଣୀକି ଚିହ୍ନଟ କରି ଆସିଛି ।

 

ଏଥର ଯିବ କୁଆଡ଼େ ? ଏକଥା ଶୁଣି ଗାଁର କେତେ ପବନା ବାହାପିଆ ଆଖି ଛୁଇଁ କହିଗଲେ ସେମାନେ ବି ଦେଖିଛନ୍ତି । ନକରୁ ସଣ୍ଡୁଆସି ଭଳିଆ ଦୁଇଟି ଶୁଣ୍ଢ ବାହାର କରି ଘୁଅ ଶୋଷିନିଏ । ତା’ ଚାରି ପାଖରେ ଆହୁରି ପଞ୍ଜାଏ ଡାହାଣୀ ପାଟିରେ ଆଲୁଅ ଦପ୍‌ ଦପ୍‌ କରି ଜାଳି ତାକୁ ଘେରି ଥାଆନ୍ତି । ସମସ୍ତେ ଲଙ୍ଗଳା, ସମସ୍ତଙ୍କ ବାଳ ମୁକୁଳା; ଆଖିରେ ନିଆଁ ଜଳୁଥାଏ । ସେତେବେଳେ ତାଙ୍କ ଆଗରେ ଯିଏ ପଡ଼ିବ, ତା’ର ରକ୍ଷା ନାହିଁ । ମୁକୁନ୍ଦା ସେମିତିଆ ଗୁଣିଆ ବୋଲି ବର୍ତ୍ତି ଆସିଲା ।

 

ସୀତା ଭାଉଜର ସଫେଇ ଶୁଣି ନିଶ୍ୱାସ କରିବାକୁ ଆଉ କାହାରି ଧୈର୍ଯ୍ୟ ନଥିଲା ।

 

ସେ ବି ନଥିଲା କୌଣସି ସଫେଇ ଦେଲାଭଳି ସୁସ୍ଥ ସ୍ୱାଭାବିକ ଅବସ୍ଥାରେ । ସୁଅ ମୁହଁରେ କାଠି ଖଣ୍ଡେ ଭଳି ବିଚାରୀ ଅପବାଦ ଗଞ୍ଜଣା ନିର୍ଯ୍ୟାତନା ସୁଅରେ ଭାସି ଚାଲିଥିଲା ଏକ ନିଶ୍ଚିତ ଭଉଁରୀ ଭିତରକୁ । ମୀନକେତନ ଭଲା ସେତେବେଳେ ଗାଁରେ ଥାଆନ୍ତା ଆଉ କେହି ଡାଆଣୀର ଛାଇ ନ ମାଡ଼ିଲେ ବି ସେ ସୀତା ଭାଉଜର ମୁଣ୍ଡଟିକି ଛାତି ଉପରେ ଯାକି ଧରି ଲୁହ ପୋଛି ଦେଇ ଥାଆନ୍ତା ।

 

ପୁଣିଥରେ ବୁଝାଇ କହିଥାନ୍ତା–ଭାଉଜ, ତୁମେ ମିଛ ଦୁର୍ନାମରେ ବିଶ୍ୱାସ କରନା । ତମ ଜିଭ ମଝିରେ ଆଦୌ କଳା ଚିହ୍ନ କାହିଁକି; ତମେ ଡାହାଣୀ ନୁହଁ ।

 

ମୀନକେତନ ଜାଣିଥିଲା, ସବୁ ଦୁର୍ଭାଗ୍ୟ ସବୁ ଅପବାଦ, କୁତ୍ସା ଅନର୍ଥର ମୂଳ କାରଣ ରୂପର ଅତୁଳନୀୟ ଐଶ୍ୱର୍ଯ୍ୟ ଛଡ଼ା ଆଉ କିଛି ନୁହେଁ । ଏତେ ଅନାଦର ଅଣହେଳା ଭିତରେ ଅଲୋଡ଼ା ବଣଫୁଲର ସୁଷମାଭଳି ସୀତା ଭାଉଜର କ୍ରାନ୍ତି ତଥାପି ଝଟକି ଉଠୁଛି । ପିତୃ ମାତୃହୀନା ପଡ଼ୋଶୀଙ୍କ ଦୟାରେ ବଞ୍ଚି ରହିଥିବା ସୀତା ଭାଉଜ ରୂପର ଐଶ୍ୱର୍ଯ୍ୟ ଯୋଗୁ ହିଁ ଉପଭାଇର ହାତ ଧରିଥିଲା ।

 

ସେଇ ଯୋଡ଼ି ଭାଙ୍ଗି ଯାଉଛି କେବଳ ସେଇ ନିଆଁ ରୂପ ଯୋଗୁ ।

 

ଖାଲି ତ ସେତିକି ନୁହେ । ସାରା ଗାଆଁଟା ଏଇ ରୂପର ଶତୃ ।

 

ଗାଁଆବାଲା ମେଣ୍ଟ ବାନ୍ଧି ବିଚାର କଲେ, ସୀତା ଭାଉଜ ଖାଲି ଉପୁନି ଘରର ବିପଦ କି କଳଙ୍କ ନୁହେଁ, ସାରା ଗାଁଆର ସେ ବିପଦ ହେଲାଣି । ଜବରଦସ୍ତ ଗୁଣିଆ ଜଣେ ଆଣି ଆଗେ ତାକୁ ଜବତ କରିବା ନିହାତି ଜରୁରୀ । ସେଥିରେ ଉପୁନି ଭାରିଯା ମଲେ ମରୁ କି ବଞ୍ଚିଲେ ବଞ୍ଚୁ । ଚାରଶ ବଢ଼େଇର ଜୀବନ ଆଗ ନା ବାପର ପୁଅ ଆଗ । ଉପୁନି କିଛି କହିବ ନାହିଁ । ପାରିନାନୀ ବା କାହିଁକି ଅମତ ହେବ ।

 

ଏ ଦେହଟା ଏଡ଼େ ମିତ୍ର ! ସୁବ ସୁଖ, ସବୁ ସମ୍ଭୋଗର ତୀର୍ଥ ଭୂମି; ଏ ଦେହଟା ପୁଣି ଏଡ଼େ ଶତୃ ସବୁ ଜଞ୍ଜାଳ ସବୁ ଅନର୍ଥ, ଦୁଃଖ, ଆସକ୍ତି ଅତୃପ୍ତ ବାସନାର ମୂଳାଧାର । ଦେହର ଔଜଲ୍ୟଠାରୁ ତାତି ବରଂ ବେଶି । ସୀତା ଭାଉଜର ଆତ୍ମା ସେ ଦେହକୁ ପରିତ୍ୟାଗ କଲାପରେ ବି, ପରିତ୍ୟକ୍ତ ଦେହଟାର ହତମାନ ହିନସ୍ଥାର ଅନ୍ତ ନଥିଲା ।

 

ମୀନକେତନ ଅବଶ୍ୟ ବହୁଦିନ ପରେ ଗାଆଁକୁ ଆସି ଶୁଣିଥିଲା ସେହି ଅମାନୁଷିକ ବିଭତ୍ସ ନିଷ୍ଠୁର ଉତ୍ପୀଡ଼ନର କରୁଣ କାହାଣୀ ।

 

ଗାଁଆ ଲୋକେ ଚାନ୍ଦାକରି ଟଙ୍କା ଦେଇ ଜଣେ ଗୁଣିଆକୁ ଡାକି ଆଣିଲେ । ଡାଆଣୀ କଳା ଛଡ଼ାଇବାରେ ସେ କୁଆଡ଼େ ଓସ୍ତାଦ୍‌ ।

 

ଦୀର୍ଘ କୃଷ୍ଣବର୍ଣ୍ଣ ଦେହରେ ଝାମ୍ପୁଡ଼ା କହରା କେଶ ଶୋଭିତ ବଡ଼ ମୁଣ୍ଡଟା ଭୟଙ୍କର ଦିଶେ । ଆଖି ଦୁଇଟି ଛୋଟ ହେଲେ ବି ଦୃଷ୍ଟି ଅତି ତୀକ୍ଷ୍‌ଣ ଅନ୍ତର୍ଭେଦି ଜାଜୁଲ୍ୟମାନ । ନାକତଳେ ହଳେ ମୋଟା ନିଶ । କପାଳରେ ଦୀର୍ଘ ସିନ୍ଦୁର କଲି । ଡାହାଣ ମଣିବନ୍ଧରେ ପଟେ ଲୁହା କଡ଼ା । ବାଆଁ ହାତରେ ଲମ୍ବା ଖଣ୍ଡେ ସରୁ କାଉଁରି ହାଡ଼ ।

 

ଡାହାଣ ହାତରେ ଖଣ୍ଡେ ନହକା ସରୁବେତ । ତେଲ ସିନ୍ଦୁରରେ ପାଚି ଲାଲ ଦିଶୁଛି । ପାହାରେ ପିଟି ଦେଲେ ଝର ଝର ରକ୍ତ ଝରି ପଡ଼ିବ । ଅନ୍ଧାରୁଆ ଘରେ ଝୁଣା ଗୁଗୁଳର ବହଳ ଧୂଆଁ ଭିତରେ ହାଡ଼, ମନ୍ଦାର ଫୁଲ ମଣିଷ ମୁଣ୍ଡ, କୁକୁଡ଼ା ରକ୍ତ, ଇତ୍ୟାଦିର ସ୍ତୂପ ପାଖରେ ଏଇ ମଣିଷଟାକୁ ଦେଖି ତା’ର ପାଗଳୀ ସୀତା ଭାଉଜ ଏକୁଟିଆ କାନ୍ଥରେ ଲାଖି ଯାଇଥିବ ।

 

ହୁଏତ ଛାନିଆରେ ଚିର୍‌ଚିରେଇ ଉଠିଥିବ । ଗାଁ ବାଲା ଅଗଣାରୁ ମୁହଁ ଗଳେଇ ଏସବୁ ଦେଖି ଖୁସି ହେଉଥିବେ । ହଁ....ସେମାନେ ଖୁସି ହେବା ଛଡ଼ା....ଟିକିଏ ବି ଦୁଃଖ କରି ନ ଥିଲେ କଞ୍ଚା ଡାଆଣୀ ଉପୁନି ଭାରିଯାର ମୃତ୍ୟୁରେ ।

 

ଗୁଣିଆ କଞ୍ଚା କୁକୁଡ଼ା ରକ୍ତରେ କ’ଣ ସବୁ ଔଷଦ ଗୋଳେଇ ତାକୁ ଜବରଦସ୍ତ ପିଆଇ ଦେଇଥିଲା, ଡାଆଣୀ କଳା ଛାଡ଼ିଯିବ ବୋଲି । । ସେ ଏଡ଼େ ଜିଦ୍‌ଖୋର ଜବର ଡାଆଣୀ ଯେ ମଲା ପଛେ ଆପଣା କଳା ଛାଡ଼ିଲା ନାହିଁ ।

 

ମୀନକେତନ ଶୁଣିଛି । ବାଡ଼େଇ ପିଟି ହୋଇ ଧୂଳି ସାଉଣ୍ଟୁ ସାଉଣ୍ଟୁ ସୀତାଭାଉଜର ପ୍ରାଣ ଛାଡ଼ିଗଲା ବେଳେ ତା’ ପାଟିରେ କେହି ଟୋପାଏ ପାଣି ଦେଇ ନଥିଲେ । ଅଦୂରରେ ଛିଡ଼ା ହୋଇ ସମସ୍ତେ ମଜ୍‌ଜା ଦେଖୁଥିଲେ । ଡାଆଣୀ କଳା ଛାଡ଼ିବାର ମଜ୍‌ଜା ।

 

ଏକୁଟିଆ ପାରିନାନୀ ଶେଷବେଳକୁ ସମ୍ଭାଳି ନ ପାରି ‘‘ମୋ ବୋହୂକୁ କ’ଣ କଲ୍‌ରେ–ଅଳପେଇଶା, ସାପଖିଆ’’ କହି ଧାଇଁ ଆସିଥିଲା । ସେତେବେଳକୁ କିନ୍ତୁ ନାଟକର ଶେଷ ପର୍ଦ୍ଦା ନଇଁ ଆସି ସାରିଥିଲା ।

 

ଆରଘରେ ଉପଭାଇର ଘଡ଼ିକିଆ ହିକ୍‌କା ଉଠୁଥିଲା । ସୀତା ଭାଉଜ ପାଇଁ ଖଇ, କଉଡ଼ି ବଞ୍ଚିବା କଥା କାହା ମୁଣ୍ଡରେ ପଶି ନ ଥିଲା । ଡାଆଣୀ କପାଳରେ କେହି ଟୋପାଏ ସିନ୍ଦୁର, ହାତରେ ଶଙ୍ଖା ଦିପଟ ଦେଇ ଅହ୍ୟ ଡେଙ୍ଗୁରା ବଜାଇବାକୁ ଦରକାର ମଣିଲେ ନାହିଁ ।

 

ସେ ଯାଏ ତ ପୁଣି ଉପଭାଇର କ୍ଷୟିତ ପଞ୍ଜରା ତଳେ ହୃତ୍‌ପିଣ୍ଡ ସ୍ପନ୍ଦିତ ହେଉଥିଲା । ସେ ଥିଲା ଜିଅନ୍ତା ମଣିଷ ଜଣେ । ସୀତା ଭାଉଜର ଦେହଟାକୁ ନିତାନ୍ତ ଅଣହେଳା, ଅଶ୍ରଦ୍ଧାରେ କୋକେଇରେ ବୋହି ଗାଁ ଦାଣ୍ଡରୁ ଅଦୃଶ୍ୟ ହେଲା । ଝିଅ, ବୋହୂଏ ଦୀର୍ଘଶ୍ୱାସ ପକାଇ ଆଶ୍ୱସ୍ତ, ନିଶ୍ଚିନ୍ତ ହେଲେ । ଅଥଚ ସେ ଥିଲା ସେମାନଙ୍କ ଭଳି, ସେମାନଙ୍କ ଭିତରୁ ଜଣେ ।

 

ମଶାଣିରେ ସୀତା ଭାଉଜର ପେଟ ଚିରା ହୋଇ ତିନି ମାସର ମୃତ ଭୃଣ ଦେହରେ ମଣିଷର ପୈଶାଚିକ ନିର୍ଦ୍ଦୟତାର ଚୋଟ ବସିଥିଲା ! ଖାଲି ସେତିକି ନୁହେଁ ସେଇ ସୁନ୍ଦର ଆୟତ ପଦ୍ମପାଖୁଡ଼ା ଭଳି ଆଖିରେ ସିଝୂକ୍ଷୀର ଢାଳି ଦେଇଥିଲେ, ଡାଆଣୀ ଅଶରୀର ଛାୟାଚକ୍ଷୁର ଅନ୍ଧତା କାମନା କରି । ସୀତା ଭାଉଜର କଅଁଳ ପାଦ ଦୁଇଟିରେ ଶକ୍ତ ଲୁହା କଣ୍ଟା ପିଟି ଦେଇଥିଲେ, ଅଶରୀର ଗତିବେଗ ବ୍ୟାହତ କରିବା ଲାଗି । ତା’ ପରେ ଚରମ ଅଣହେଳାରେ ତା’ର ସୁଠାମ ଦେହଟାକୁ ମାଟିରେ ମୁହଁ ମଡ଼ାଇ ଏ ଗଛ ତଳେ ପୋତି ପକାଇ ଥିଲେ ।

 

ସେଇ ସୁନ୍ଦର ଶରୀରର ସାରପୁଷ୍ଟ ଏ ଆମ୍ବ ଗଛ । ସେଇ ମାତୃତ୍ୱର କାମନା ଏ ଗଛର ପ୍ରତ୍ୟେକଟି ଫଳରେ ଅମୃତ ସ୍ୱାଦ ହୋଇ, ଅକୃତଜ୍ଞ ପୃଥିବୀ ପାଇଁ ଝୁଲି ରହିଛି ।

 

ତଥାପି ଅପମାନର ଅବସାନ ହୋଇ ନାହିଁ । କେହି ଖାଆନ୍ତି ନାହିଁ ଏ ଗଛର ଫଳ । ମୀନକେତନ କିନ୍ତୁ ନିଶ୍ଚୟ ଖାଇବ । ଶକୁନ୍ତଳାକୁ ଦେବ । ଶକୁନ୍ତଳା ଗର୍ଭର ଅନାଗତ ଶିଶୁକୁ ବି ଦେବ । ଅଦୂର ଭବିଷ୍ୟତର କୌଣସି ସକାଳେ ଏ ଗଛର ଫଳ ସମସ୍ତେ ଖାଇବେ ଛଡ଼ା ଛଡ଼ି ହୋଇ ।

Image

 

ଲକ୍ଷ ହୀରା

 

ପ୍ରକୃତ ପକ୍ଷେ ଲକ୍ଷହୀରା କ୍ଳାନ୍ତ ହୋଇ ପଡ଼ିଥିଲା.... । ଭୀଷଣ କ୍ଳାନ୍ତ.... ତା’ର ଶିରାରେ, ଶିରାରେ ଅହରହ ଅପରିସୀମ, ବ୍ୟଥାର ଯନ୍ତ୍ରଣା.... । ବକ୍ଷରେ ଯେପରି ଚାପି ରହିଛି ଭାରି ପାଷାଣର ଚାପା । ମନ ବ୍ୟାକୁଳ ହୋଇ ଉଠୁଚି ପ୍ରତି ଦଣ୍ଡ, ପ୍ରତି ମୁହୂର୍ତ୍ତରେ ।

 

ଆଉ ସେ ପାରୁ ନାହିଁ.... । ପ୍ରତି ରାତିରେ ଏକ ପାଶବିକ କ୍ଷୁଧା ଜର୍ଜର ଅନ୍ଧ କାମୁକ ପୁରୁଷର ଲୋଳିତ ବାସନା ପୂର୍ତ୍ତି ପାଇଁ ଆଉ ସେ କରି ପାରୁ ନାହିଁ ନିଜକୁ ଉତ୍ସର୍ଗ ।

 

କ’ଣ ବା ରସ ଥାଏ, ସେ ନିଶିଥ ରାତ୍ରିର ଅନିଚ୍ଛାକୃତ ବିକଳ ବିଭତ୍ସ ଅଭିନୟରେ ? ଉଦଣ୍ଡ କାମ ଦଗ୍‌ଧ ପୁରୁଷର ଆଲିଙ୍ଗନ ଚୁମ୍ବନ ବିଷ ଜର୍ଜର ହୋଇ ! ଦେହ ଚାପରେ ଦଳିତ ହୋଇ, ନିଷ୍ପେସିତ ହୋଇ, ସେ ପଡ଼ି ରହିଥାଏ, ହେମାଳ ବିକଳ ନଗ୍ନ ଶବ ଦେହ ଭଳି । ସେମାନେ ଯେମିତି ରାତ୍ରିର ପ୍ରେତଭଳି ଅନ୍ଧାର ଭିତରୁ ବାହାରି ଆସିଥାଆନ୍ତି.....ସେମିତି ଅଶରିରୀ ଛାୟା ଭଳି ସେଇ ଅନ୍ଧାର ଭିତରେ ହିଁ ମିଳେଇ ଯାଆନ୍ତି ।

 

ଦିନର ଆଲୁଅରେ ସେମାନଙ୍କ ସଙ୍ଗେ ସମ୍ବନ୍ଧ ନାହିଁ, ସମ୍ପର୍କ ନାହିଁ । ଆଲୁଅରେ ସେମାନେ ତା’ ସାମ୍ନାକୁ ଆସିବେ ନାହିଁ.... । ଦିନଯାକ, ସେ ରହେ ପ୍ରେତାବିଷ୍ଟଭଳି ଅନ୍ୟମନସ୍କ, ଆଚ୍ଛନ୍ନ, କ୍ଳାନ୍ତ.... ।

 

ଦିନବେଳେ, ଆଲୁଅରେ ମନେପଡ଼େ ଆଉ କୋଟାଏ ଛବି । ପବନରେ ବାଜି ଉଠେ, ଆଉ ଏକ ଦୂରାନ୍ତରର ସୁ....ର୍‌... । ତାକୁ ପୋଛି ଦେଲେ ସେ ଲିଭେ ନାହିଁ । କାନରେ ହାତ ଦେଲେ ସେ ମନ ଭିତରେ ବାଜୁଥାଏ, କେଉଁ କରୁଣ କଇଁ କଇଁ ଅବରୁଦ୍ଧ କାନ୍ଦଣା ଭଳି । ସେ ଯେତେ ମନକୁ ବୁଝାଏ ବହିଗଲା ପାଣିସୁଅ ଆଉ ଉଜାଣି ଗଡ଼ିବ ନାହିଁ ! ହଜିଗଲା ଦିନର କାହାଣୀ ଆଉ କେବେ ବି ସାକାର ହେବନାହିଁ । ମନ ସେତେ ବେଣୀ ଝଗଡ଼ି ହୁଏ । ପ୍ରଶ୍ନ କରେ କାହିଁକି ନୁହେଁ ? କିଏ ଦେବ ୟା’ର ଉତ୍ତର ?

 

କିଏ ନାରୀକି ଫୁଲ ସହିତ ତୁଳନା କଲା, ତୁଳନା କଲା ମାଟିର ପାତ୍ର ସହିତ । ଥରେ ଅପବିତ୍ର ହେଲେ, ଆଉ ସେ ପବିତ୍ର, ନିର୍ମଳ, ଶୁଦ୍ଧ, ସ୍ୱଚ୍ଛ ହୋଇ ପାରିବ ନାହିଁ ବୋଲି । କିଏ ବିଧାନ ଗଡ଼ି ଦେଇଗଲା ! ସେ କଥା ଲକ୍ଷହୀରା ଜାଣେ ନାହିଁ ।

 

କିନ୍ତୁ ସେ ଏତିକି ଜାଣେ, ଏ ମଣିଷ ହୃଦୟର ପ୍ରତିଧ୍ୱନି ନୁହେଁ ! ମଣିଷର ଅନ୍ତରାତ୍ମା ମଧ୍ୟ ଏ ବିଧାନକୁ ମାନି ନେଇ ପାରେନା । ଆଗେ କରୁ ସେ ମଣିଷ । ପଛରେ ତା’ର ଲିଙ୍ଗ ଭେଦର ବିଚାର ! ପରେ ସେ ନାରୀ । ମଣିଷ ତ ଭୁଲ୍‌ କରେ.... ? ଝୁଣ୍ଟି ପଡ଼ି ଉଠେ ! ଠକି କରି ଶିଖେ ! ଭୁଲ୍‌କୁ ସୁଧାରି ନିଏ ।

 

ଏମିତି ବହି ଚାଲିଥାଏ ଜୀବନର ପ୍ରବାହ ଜନ୍ମ ମୃତ୍ୟୁର, ଦେଖା ଅଦେଖା, ସମତଳ ବନ୍ଧର ପଥ ବାହି ବାହି । ଯେଉଁମାନେ ତାକୁ ଅସତୀ କରି ଅଇଁଠା କରି, କୁଳଟାର ଅପବାଦ ତା’ ମୁଣ୍ଡରେ ଲଦିଦେଇ ଉଚ୍ଛିଷ୍ଟର ଅବଶେଷ ବୋଲି ଏ ଆବର୍ଜନା ଭିତରକୁ ଫୋପାଡ଼ି ଦେଲେ, ଯେଉଁମାନେ ଏବେ ବି ପ୍ରେତଭଳି ତା’ ଦେହରୁ ରକ୍ତ ଶୋଷୁଛନ୍ତି । ପିଶାଚ ଭଳି, ପ୍ରତି ରାତିରେ ମାଡ଼ିବସି, ତାକୁ କେଣ୍ଟା କେଣ୍ଟା କରି କେଳେଇ ଖାଉଛନ୍ତି, ସେମାନେ ସମସ୍ତେ ପୁଣ୍ୟବାନ୍ ସାଧୁ ପୁରୁଷ ! ସମାଜର ସୁଧାର ସୁନାପୁଅ ।

 

ଲକ୍ଷ ହୀରାର ନୀଳ ନଳୀନ ନୟନ କ୍ଷଣକେ ଯବାରକ୍ତ ରଙ୍ଗ ଧାରଣ କରେ । ହାତ ମୁଠା ମୁଠା ହୋଇଯାଏ । ଅଙ୍ଗୁଳୀ ସବୁ ଆଙ୍କୁଶୀ ପରି ଶକ୍ତ ବଙ୍କାଳିଆ ହୋଇ ଉଠେ ।

 

ଆଗରେ ପାଇଲେ କାହାର ସେ ତଣ୍ଟି ଚିପିଦବ ! କାହାକୁ ରାମ୍ପି ବିଦାରି ପକାଇବ ! କାହାକୁ ଆଘାତ କରି ଶାନ୍ତ କରିବ ଏ ଦୁର୍ଦ୍ଦମନୀୟ ଆର୍କୋଶ । କାହାକୁ ନପାଇ ନିଜକୁ ହିଁ କ୍ଷତ ବିକ୍ଷତ କରେ ସେ । ଟାଣି ଛିଣ୍ଡାଇ ପକାଇବାକୁ ଇଚ୍ଛାହୁଏ ନୀଳ ମେଘ ସମ ସୁନ୍ଦର କେଶ ରାଶିକି ।

 

ଟଳି ଟଳି ଯାଇ ସେ ଛିଡ଼ାହୁଏ ପ୍ରସାଧନ କକ୍ଷର ବିଶାଳ ସ୍ୱଚ୍ଛ ଦର୍ପଣ ସାମ୍ନାରେ । ଝିଙ୍କି ଟାଣି ଦେହରୁ ଫିଙ୍ଗି ଦିଏ ବେଶ ବାସ । ବେଶ୍ୟାର ପୁଣି ଲଜ୍ୟା କ’ଣ ? ବେଶ୍ୟା.... ବେଶ୍ୟା.... ଶତ ସହସ୍ର କଣ୍ଠର, ଘୃଣିତ ତିକ୍ତ ଚିତ୍‌କାର୍‌ ଶୁଭିଯାଏ କାନ ପାଖେ....

 

କୁଳବଧୂମାନେ ଏ ଶବ୍ଦ ଶୁଣିଲେ କଣ୍ଟକିତ ହୋଇ ଉଠନ୍ତି । ବେଶ୍ୟା ଜଳନ୍ତା ନିଆଁ ସଙ୍ଗେ ସମାନ । ମୁହୂର୍ତ୍ତକେ ସେ ଜାଳି ଦେଇ ପାରେ କେତେ ସୁନା ସଂସାର, କେତେ ସୁନ୍ଦର ନିଶ୍ଚିତ ଭବିଷ୍ୟତ୍‌ର ସୁକୁମାର ସ୍ୱପ୍ନ । ଦର୍ପଣରେ ପ୍ରତି ଫଳିତ ହୋଇ ତାକୁ ହିଁ ଉପହାସ କରେ ତା’ର ନଗ୍ନ ଅଙ୍ଗ ଶୋଭା ।

 

କପାଳ, ଅଧର, ଗଣ୍ଡ, ବକ୍ଷ, ତା’ର ସର୍ବାଙ୍ଗରେ ଶତ ସହସ୍ର କ୍ଷତର ଜ୍ୱାଳା ଯେଉଁମାନେ ଲକ୍ଷହୀରା ବିନିମୟରେ, କିଛିକ୍ଷଣ ଲାଗି କିଣି ନିଅନ୍ତି ଏ ଦେହଟାକୁ ! ସେମାନେ ନିଗାଡ଼ି, ଚିପୁଡ଼ି, ନିଃଶେଷ ଶୋଷିବାକୁ ଚାହାନ୍ତି ସବୁଯାକ ରସ ।

 

ସହସ୍ର ପୁରୁଷର ଦଶନ ଦଂଶନ ନଖକ୍ଷତ ଲଜ୍ଜ୍ୟାରେ ଏ ଦେହଟା କଳା ପଡ଼ି ନଯାଇ ରହିଛି କିପରି ? କେମିତି ଭଲା ରୂପର ଏ ଅଗ୍ନିବାଣ ଅଗ୍ନିଶିଖା ଜଳୁଚି ଦାଉ ଦାଉ ହୋଇ ?

 

ଏଇ ରୂପର ଅଭିଶାପରେ ଜଳିଗଲା ତା’ର ସଂସାର ! ଜଳିଗଲା ତା’ର ଜୀବନ ! ଜଳି ପୋଡ଼ି ଛାରଖାର ହୋଇ ଯାଉଛି ବି ଶତ ସହସ୍ର ସଂସାର । ତଥାପି ଏ ନିଆଁ ଲିଭୁନାହିଁ । ସ୍ତବ୍‌ଧ ହୋଇ ଛିଡ଼ାହୁଏ ସେ । ଏ ରୂପ ଯେଉଁଦିନ ମଉଳି ଯିବ ! ସତକୁ ସତ ଏ ନିଆଁ ଯେଉଁଦିନ ଲିଭିଯିବ-! ସେଦିନ, ତା’ର ଏ ନରକରେ ବି ଆଉ ସ୍ଥାନ ନାହିଁ ।

 

କିଏ କାହିଁକି ତା’ ପାଦ ତଳେ ଢାଳିଦେଇ ଯିବ କଷ୍ଟ ସଂଚିତ ହୀରାର ଅଞ୍ଜଳି ! କିଏ ବା ତାକୁ ଥରେ ହେଲେ ଫେରି ଚାହିଁବ ଆଡ଼ ନୟନରେ ? ଏଇ ଦେହଭୁକ୍‌ ଦଳ ସେଦିନ ଅବଶ୍ୟ ତାକୁ ପରିତ୍ୟାଗ କରି ଯିବେ ! ଯେତେବେଳେ ରାତ୍ରିର ଭୋଜ୍ୟ ହେବା ପାଇଁ, ସେ ସାମର୍ଥ୍ୟ ହରାଇ ବସିବ ।

 

କାହିଁକି ଅବା ଆଉ ଆସିବେ ସେମାନେ ? ତାପରେ ସେ ବଞ୍ଚିବ କେମିତି ? କ’ଣ ନେଇ ବଞ୍ଚିବ ? ଉଜ୍ଜ୍ୱଳ କଠିନ ହୀରାର ଜ୍ୟୋତିରେ ଅନ୍ଧ ହୋଇ, ଏ ପାଷାଣ ପୁରୀର ଅନ୍ଧାର ଭିତରେ, ସଢ଼ି ସଢ଼ି ମରିବ ସେ ! କେହି ନଥିବେ ପାଟିରେ ଟୋପାଏ ପାଣି ଦେବାକୁ ।

 

ସେଇ ଦର୍ପଣ ଉପରେ ଲୁହରେ, କୋହରେ କଇଁ କଇଁ ହୋଇ ଭାଙ୍ଗିପଡ଼େ ଲକ୍ଷହୀରା । ସତରେ.... ଆଉ ତା’ ଭୁଲର ସମାଧାନ ନାହିଁ ! ଏ ନରକରୁ ତା’ର ମୁକ୍ତି ନାହିଁ ।

 

ଜଳୁଥାଉ ତା’ର ଏ ରୂପ ଦିନୁ ଦିନ......ଅଧିକ ଆକର୍ଷଣୀୟ ଅଧିକ ଉଜ୍ଜ୍ୱଳ ହୋଇ । ଗଣ୍ଡରେ ଭରିରହୁ ଜବା ପୁଷ୍ପର ରକ୍ତିମା, ନୟନରେ ଥାଉ ଅପରାଜିତାର ନୀଳ ନୀଳିମା, ଚପଳାର ଚିର ଚଞ୍ଚଳ କଟାକ୍ଷ । ତା’ର ପୀନ ପୟୋଧର ଯୁଗଳ ଥାଉ ଏମିତି ବର୍ତ୍ତୁଳ କଠିନ ସୁନ୍ଦର ସୁଢ଼ଳ ହୋଇ ।

 

ସେ ଥାଉ ଚିର ଯୌବନା ମର୍ତ୍ତ୍ୟର ଉବଂଶୀ ଭୂମିକାରେ । ନ ହେଲେ ସେ ବଞ୍ଚିବ କେମିତି ? ଆଉ ଯେଉଁମାନେ ତା’ ପାଖକୁ ଧାଇଁ ଆସନ୍ତି ଦେହକ୍ଷୁଧାରେ, ଆକୁଳ, ଅଶାନ୍ତ, ଅସମ୍ଭାଳ ହୋଇ, ସେମାନେ ବା’ କେଉଁଠି ସମ୍ଭାଇ ରଖିବେ ତାଙ୍କର ତାପ, ତାତି, ତାଙ୍କର ସର୍ବଗ୍ରାସି ଶେଷ ହୀନ ବୁଭୂକ୍ଷା ?

 

ଚରମ କ୍ଷୋଭ କ୍ରୋଧ ପଲକରେ ରୂପାନ୍ତରିନ ହୁଏ, ପରମ କୋମଳ ଅହେତୁକ ଆକୁଳ କାରୁଣ୍ୟରେ ।

 

ଲକ୍ଷହୀରା ବାମ ଗଣ୍ଡରେ କରମଣ୍ଡି ଭାବେ ମଣିଷ ବଡ଼ ଦୁର୍ବଳ, ବଡ଼ ଅସହାୟ ସତେ ।

 

ଭିତରର ପ୍ରବୃତ୍ତି, ବାହାରର ପରିସ୍ଥିତି, ଇନ୍ଦ୍ରିୟର ନିଷ୍ଠୁର ତାଡ଼ନା, ତାକୁ କ୍ଷଣକେ ରୂପାନ୍ତରିତ କରେ ବିଚାରହୀନ ଦ୍ୱିପଦ-ପଶୁରେ ।

 

ବୁଦ୍ଧି, ବିବେକ, ନୀତି, ନିୟମ, ସଂଯମ, ଶୃଙ୍ଖଳା, ସ୍ରୋତ– ମୁଖର ତୃଣଖଣ୍ଡ ଭଳି କୁଆଡ଼େ ଭାସି ଯାଏ ।

 

ଆସନ୍ତୁ ରାତ୍ରିର ସେ କୁତ୍ସିତ ନିଶାଚର ମାନେ... ସେଇ କାମକ୍ଷୁଧାତୁର ଅତୃପ୍ତ ଦେହ ଭୁକ୍‌ମାନେ ।

ଏଇ ଗୋଟିଏ ରିପୁର ଦାସ ହୋଇ ସେମାନେ ଅନେକ କିଛି ହରେଇଛନ୍ତି ! ମାନ ସମ୍ମାନ, ପ୍ରତିଷ୍ଠା, ପ୍ରତିପତ୍ତିରେ ଆଞ୍ଚ ଆସିଚି ! ପରିଣୀତା ପତ୍ନୀ ଦୂରେଇ ଦେଇଚି ଦୂରକୁ । ସଂସାର ପ୍ରକୃତରେ ହିଁ ସେମାନଙ୍କ ପକ୍ଷେ ମିଥ୍ୟା ଛଳନା ହୋଇ ଯାଇଚି । ପୁଣି ଲକ୍ଷହୀରା ଝୀନ ବାସରେ ଦେହ ଘୋଡ଼ାଏ ! ପରିପାଟୀ କରି ପ୍ରସାଧନ କରେ ! ଓଠରେ ଲଗାଏ ଢଳ ଢଳ ସୁରାପାତ୍ର ।

ସୁରାର ନିଶା କ୍ଷଣକପାଇଁ ସବୁ କିଛି ଭୁଲାଇ ଦିଏ । ମନର ଜ୍ଜ୍ୱଳା, ଦେହର ପରାସ, ଅନ୍ଧ ଭବିଷ୍ୟତର ଅଶାନ୍ତ ଭାବନା... । ସବୁ କିଛି ଭୁଲି ଯାଏ ସେ । ପାଦରେ ବାନ୍ଧେ ଘୁଙ୍ଗୁର, ନୃତ୍ତ୍ୟର ତାଳ ଅଭ୍ୟାସ ପାଇଁ ! କଣ୍ଠରେ ଛୁଟାଏ ସଂଗୀତ, ସ୍ୱରର ଛନ୍ଦ ରଖିବାକୁ ! ନ ହେଲେ କିପରି ବା ସେ ତୃପ୍ତ କରିପାରିବ, ସନ୍ଧ୍ୟାର ଅତିଥି ମାନଙ୍କୁ ? କିପରି ବା’ ଆଲୋକିତ, ସୁରଭିତ, ଆକର୍ଷଣୀୟ ହୋଇ ଉଠିବ, ଗଣିକା ଗୃହର ସନ୍ଧ୍ୟା ଆସର ?

ନୃତ୍ୟର ଛନ୍ଦ କେତେବେଳେ କେଜାଣି, ବେତାଳ ହୋଇଯାଏ ! ସଂଗୀତର ସ୍ୱର ମରି ମରି ଆସେ । ନିଶାବି ଛାଡ଼ି ଆସୁଥାଏ ।

ବାତାୟନ ବାଟେ, ଲକ୍ଷହୀରା ଦୃଷ୍ଟିରେ ପଡ଼େ, ଶ୍ରମିକ ତରୁଣୀ ମାନଙ୍କ ଘର ବାହୁଡ଼ା ସ୍ୱଚ୍ଛନ୍ଦ, ସାବଲୀଳ-ଗତି ଭଙ୍ଗି ! ମୃଦୁ ମଧୁର ସରସ ଆଳାପ । ସେମାନଙ୍କର ଘର ଅଛି ! ଅଛି ଜୀବନର ନିରାପଦ ନିଶ୍ଚିତ ଆଶ୍ରୟଟିକ ।

ତା’ର କେବଳ ଅଛି ଗୁଡ଼ାଏ ପ୍ରାଣହୀନ ଐଶ୍ୱର୍ଯ୍ୟର ନିରସ ଆଡ଼ମ୍ବର ! ତା’ ଭଣ୍ଡାର ଘରେ ଜମା ହୋଇଚି ଗୁଡ଼ାଏ ନିର୍ଜୀବ ଉଜ୍ଜ୍ୱଳ କଠିନ ହୀରାଖଣ୍ଡ । ତାକୁଇ ନେଇ ବଞ୍ଚିବାକୁହବ ଜୀବନଯାକ । ଭାଗ୍ୟ ତା’ର ସବୁ ସୌଭାଗ୍ୟ ଛଡ଼ାଇ ନେଇ ତା’ ସହିତ ଖେଳିଚି ଏଇ ନିଷ୍ଠୁର ଛଳନାର, ନିର୍ଦ୍ଦୟ ଖେଳ ।

ପୁଣି ତା’ ମୁଣ୍ଡ ଗୋଳମାଳ ହୋଇଯାଏ ! ଦେହ ଅବଶ ହୋଇ ଆସେ । ମନ ଛାଟି ପିଟି ହୁଏ କୁଆଡ଼େ ପଳେଇବାକୁ । କୁଆଡ଼େ ପଳେଇବ ? ଐଶ୍ୱର୍ଯ୍ୟର ଏ କାରାଗାରଭିତରୁ, କଳଙ୍କର ଏ କାଳିମା ଭିତରୁ କିଏ ତାକୁ ମୁକ୍ତି ଦବ ?

ଏମିତି ଅବଶୋଷର ଅଶ୍ରୁ, ହା ହା-କାର ଭିତର ଦେଇ କହିଯାଏ ଲକ୍ଷହୀରାର ପ୍ରତିଟି ଦିନ । ଅନିଚ୍ଛାକୃତ ଅଙ୍ଗ ସମର୍ପଣ, ଆତ୍ମଦାହ ମଧ୍ୟ ଦେଇ ଶେଷ ହୋଇଯାଏ ତା’ର ପ୍ରତିଟି ରାତି । ତା’ର ଅନ୍ତର-ସତ୍ତା ସତକୁ ସତ ଆକୁଳ ହୋଇ ଉଠେ, ସେଇ ବ୍ୟାଧଭୀତା, ଜ୍ୱଳନ୍ତ ଅଗ୍ନି ପ୍ରସାରିତ ଜାଲ ଘେରା, ଗର୍ଭାଳସା ମୃଗୁଣୀର ଆକୁଳତାରେ ।

ସେଇ ଆକୁଳ ଡାକର ଉତ୍ତର ଦେଇ କାଲି ଅବା ସ୍ୱୟଂ ବିଧାତା, ସଖୀ ତୁଣ୍ଡରେ ଶୁଣାଇଲେ ସେ ସମ୍ବାଦ ।

ପରମ କାରୁଣିକ ତଥାଗତ ବୁଦ୍ଧ ସଶିଷ୍ୟ ଏ ନଗରରେ ପଦାର୍ପଣ କରିଛନ୍ତି । ତାଙ୍କର ସୁଧାଶ୍ରାବି ଉପଦେଶ ଶୁଣିବାପାଇଁ ତାଙ୍କର ଅଭୟ ପାଦପଦ୍ମ ଦର୍ଶନ ମାନସରେ ଛୁଟି ଚାଲିଛନ୍ତି, ଏ ନଗର ଆବାଳ ବୃଦ୍ଧବନିତା । ଶୁଣୁ ଶୁଣୁ ତା’ ଶିରାରେ ଶିରାରେ ତଡ଼ିତ୍‌ ସଂଚରି ଗଲା....

ଉପାଳୀ ଅମ୍ବାପାଲୀଙ୍କ ଅଞ୍ଜଳୀ ଯିଏ ଘେନିଛନ୍ତି ସିଏ କାହାକୁ ବି ଫେରାଇବେ ନାହିଁ ଶୂନ୍ୟ ହାତରେ. ଶୂନ୍ୟ ମନରେ; ଏକାବେଳେକେ ନିରାଶ କରି ।

ବହୁ ଆଗରୁ, ଜନ ଶ୍ରୁତିରୁ, ପରିବ୍ରାଜକ କଣ୍ଠରୁ, ଚାରଣ କବୀ-ଗାନରୁ ସେ ଶୁଣିଚି, ସଂସାର ଉଦାସୀ ରାଜପୁତ୍ର ଗୌତମଙ୍କ କାହାଣୀ । ପ୍ରିୟତମା ପତ୍ନୀ, ଅବୋଧ ବାଳୁତ ଶିଶୁ ସନ୍ତାନଟିକି ଛାଡ଼ି, ଦିନେ ଯେ ବିରାଗୀ ହୋଇ ଯାଇଥିଲେ । ସଂସାରର ଦୁଃଖକୁ ମଥାରେ ବହି, ନିଜ ଦୁଃଖ ପଛକୁ ପକାଇ ଦେଇଥିଲେ । ଗୋପାର ଅକୁହା ମର୍ମମନ୍ଥା ବେଦନାର ଅବ୍ୟକ୍ତ ଅନୁଭବ କେତେଥର ତା’ ଆଖିକି ଅଶ୍ରୁଜଳ କରିଚି । ତା’ ପରେ ବି ଶୁଣିଚି ନିରଞ୍ଜନା– ନଦୀତଟରେ ତାଙ୍କ ସିଦ୍ଧି ଲାଭର ଅଲୌକିକ କାହାଣୀ । ଶୁଣିଚି ସବୁତକ ପାର୍ଥିବ-ବିଷ ପାନ କରି, ସେ ବିଶ୍ୱପାଇଁ ଆଣି ପାରିଛନ୍ତି ସାଧନା ସିଦ୍ଧିର ସ୍ୱର୍ଗୀୟ ଅମୃତ ।

କାନରେ କେତେ କଥାପଡ଼େ । ମନ ସବୁ କଥା ଘେନେ ନାହିଁ । କେଡ଼େ ଅଘଟନ, ଅବିଶ୍ୱାସୀ ଲାଗେ ସେ ସବୁ । ସେ ଯେମିତି କେଉଁ ରୂପ-କଥାର କଳ୍ପିତ କାହାଣୀ । ଏ ଜଗତରେ, ଏ ଜୀବନରେ, ସେ ସବୁ ସମ୍ଭବ ହୋଇ ପାରେନା....ସତ୍ୟ ହୋଇ ପାରେନା ।

ଭିତରୁ ସ୍ୱର ଉଠେ ସବୁ ମିଛ, ସବୁ ଫାଙ୍କି । ୟେ ବି ଏକ କୌଶଳ, ମନକୁ ଠକିବାକୁ, ମଣିଷକୁ ଠକିବାକୁ ।

ଆଲୁଅରେ ପିନ୍ଧିବାକୁ ପଡ଼େ ମହଁରେ ମୁଖା ! ଗ୍ରହଣ କରିବାକୁ ହୁଏ, ନାନା ନାମ, ରୂପ, ଉପାଧି । ଅନ୍ଧାରରେ ଯୋଗୀ ଭୋଗୀ ସମସ୍ତେ ସମାନ । ଗୃହୀ ସନ୍ୟାସୀ ଏକାକାର । ୟେତ ଅଙ୍ଗେ ଲିଭା ଅନୁଭବର ପ୍ରତ୍ୟକ୍ଷ ସତ୍ୟ ।

 

ଲକ୍ଷ ହୀରା ଉଦାସ ହୋଇଉଠେ । ସକଳ କ୍ଷଣ ଭୁଙ୍ଗୁରତା ଭିତରେ, ସବୁ ମିଥ୍ୟା ଛଳନା ଭିତରେ, ଛପି, ଢାଙ୍କି ହୋଇ ରହିଥିବା ସତ୍ୟର ସମାନ୍ୟତମ ଜ୍ୟୋତି କ’ଣ କେବେବି ପଡ଼େନା କାହାରି ଆଖିରେ ? ଏ ବିଶ୍ୱ ସଂସାର ଖାଲି ମିଛ ଉପରେ ତିଷ୍ଠି ରହିନାହିଁ । ମୁହୂର୍ତ୍ତକ ପାଇଁ ସେ ଆନମନା ହୋଇଯାଏ । ଚକ୍ଷୁକର୍ଣ୍ଣର ବିବାଦ ମେଣ୍ଟାଇ ନେବାକୁ ଇଚ୍ଛା ହୁଏ । ଇଚ୍ଛା ହୁଏ ସେଇ ସିଦ୍ଧ ଯୋଗୀ ତଥାଗତଙ୍କୁ ଦର୍ଶନ କରିବାକୁ । ଲକ୍ଷ ହୀରାର ସେ ଭାଗ୍ୟ କାହିଁ ?

 

ଭାଗ୍ୟ ହେଲେ ସମସ୍ତେ କ’ଣ ଘେନି ପାରନ୍ତି ତା’ର ଅଯାଚିତ ଆଶୀର୍ବାଦ ! ସବୁଭୂମିରେ କ’ଣ କରୁଣାର ବାରିଧାରା ସଞ୍ଚିତ ରହେ ? ସଖୀ ତୁଣ୍ଡରୁ ଶୁଣିଲାକ୍ଷଣି କ୍ଷଣି ନାଁ ସେ ଯାଇ ପାରିଲା ନିଜେ ନାଁ ସଖୀକି ଦେଇ ପାରିଲ ସକୁଣ୍ଠ ସହର୍ଷ ଅନୁମତୀ ? ଅନ୍ଧାରର ଜୀବ କ’ଣ ଚାହେଁନା, କେହି ଆଲୋକର ଆଶୀଷମୟ ସ୍ପର୍ଶ ପାଉ ବୋଲି ? ଆଜି ଅବସ୍ୟ ତା’ର ସମସ୍ତ ସହଚରୀ ସମସ୍ତ ପରିଚାରୀ ଆସିଛନ୍ତି ତା’ ଗହଣରେ । ଏଇ ଆସିବାଟା କ’ଣ ଏଡ଼େ ସହଜ ଏଡ଼େ ସାମାନ୍ୟ କଥା ?

 

ଅନ୍ଧାରର ଅତଳ ଗହ୍ୱରରୁ, ନରକର ରୌରବ କୁଣ୍ଡ ଭିତରୁ, ଆଲୋକର ଏ ଅନନ୍ତ ଉତ୍ସକୁ, ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଲମ୍ଫ ଦେବା କ’ଣ ସାମାନ୍ୟ ଘଟଣା ?

 

ଦେହ ମନ ପ୍ରାଣରେ ପରସ୍ତ ପରସ୍ତ ପାପ ଗ୍ଳାନୀ ହତାସାର କ୍ଳେଦ ଜମି ଗଲାଣି ! ଶୀତଳ ଅନ୍ଧକାରର ତାମଶିକ– ନିଦ୍ରାସୁଖ ସୁହାଇ ଗଲାଣି ଜନ୍ମ ଜନ୍ମ ଧରି । ଝାଡ଼ି ଝୁଡ଼ି ହୋଇ, ପୋଛି ପାଛି ହୋଇ ଯାଗି ଉଠିବାଟା, କ’ଣ ଏଡ଼େ ସହଜ ?

 

ସେ ଅବା କାହାକୁ କେମିତି ବୁଝାଇବ ଅନୁଭବର କଥାକୁ ? ଭାଷା ଅଣ୍ଟିଲେତ !

 

କାଲିର ସେ ଅଶାନ୍ତ ଦ୍ୱନ୍ଦ୍ୱମୟ ଆଶା ନିରାଶାର ଛାଈ ଆଲୁଅ ଘେରା ମୁହୂର୍ତ୍ତ ଗୁଡ଼ିକ, କ୍ଷଣକେ ଯେବେ ବିଶ୍ୱାସର ସ୍ନିଗ୍‌ଧ ଶୀତଳ ଜ୍ୟୋତିରେ ଝଲସି ଉଠେ ସେ ! ଅପର କ୍ଷଣରେ ବୁଡ଼ିଯାଏ ଅବିଶ୍ୱାସର କାଳିମାମୟ ଅନ୍ଧାର ଭିତରେ । କ୍ଷଣକେ ଯେବେ ପାଷାଣ ଦୃଢ଼ ଭିତ୍ତି ଉପରେ ଛିଡ଼ା ହୁଏ ସ୍ଥିର ହୋଇ ! ପର ମୁହୂର୍ତ୍ତରେ ପାଦ ଧସି ଯାଏ ଚୋରା ବାଲିର ଗର୍ତ୍ତ ଭିତରକୁ-

ରାତ୍ରିର ଆୟୁଷ ବଢ଼ୁଥାଏ....ଚନ୍ଦ୍ରିକା ଚର୍ଚ୍ଚିତ ବୟସୀ ରାତ୍ରି ହୋଇ ଉଠୁଥାଏ ପ୍ରସାନ୍ତ ଗମ୍ଭୀର, ଧ୍ୟାନ-ମୌନ, ପ୍ରସନ୍ନ-ସୁଷମାମୟୀ । ତା’ର ଜ୍ୱାଳା, ତା’ରି ଅନ୍ତଦ୍ୱନ୍ଦ୍ୟ କିନ୍ତୁ କମୁ ନଥାଏ ତିଳେ ହେଲେ ।

ଅବସ୍ୟ ବାହାରକୁ, ସେ ବସି ରହିଥାଏ ସ୍ଥିର ପ୍ରାଣଶୂନ୍ୟ ପାଷାଣ ପ୍ରତିମା ପରି । ତା’ର ହାତ ଚଳୁ ନଥାଏ, ଗୋଡ଼ ଚଳୁ ନଥାଏ, ଆଖିରେ ପଲକ ପଡ଼ୁ ନଥାଏ ।

ବାତାୟନ ବାହାରେ ଅଜସ୍ର ଜ୍ୟୋତ୍ସ୍ନା ଅଜସ୍ର ଆଲୋକର ଅକୁଣ୍ଠିତ ପ୍ଳାବନ ! ଆକାଶ-ଚାରି ଆଲୋକ ପିୟାରି ଟିଟିଭର ଗାନ । ଭିତରେ ତା’ର ଶୟନ ପ୍ରକୋଷ୍ଟରେ ଘନ ନିବିଡ଼ ନିରନ୍ଧ୍ର ନିଃଶବ୍ଦ ଅନ୍ଧକାର ।

ସେଇ ଅନ୍ଧାରରେ ଢାଙ୍କି ହୋଇ ପଲକ ହୀନ ଆଖିରେ ସେ ଅନେଇ ଥିଲା, ଆଲୋକର ନିର୍ମଳ ଉଜ୍ଜ୍ୱଳ ପ୍ରକାଶକୁ । ସେ ଆଲୋକ କ’ଣ ଏ ଅନ୍ଧାରକୁ ରୂପାନ୍ତରିତ କରି ପାରିବ-?

ଧୀରେ ଧୀରେ ସେଇ ଗୋଟିଏ ପ୍ରଶ୍ନ ସହସ୍ର ଝଙ୍କାରରେ, ସବୁ ଆଡ଼େ ବାଜି ଉଠିଲା । ଭିତରେ ଭିତରେ ସେ ଦଳି ମନ୍ଥି ଗୁଣ୍ଡୁ, ଗୁଣ୍ଡା ହୋଇଗଲା । ବାହାରେ କିନ୍ତୁ କଠିନ ଆବରଣରେ ଢାଙ୍କି ହୋଇ ରହିଲା, ସେଇ ପ୍ରସ୍ତରିଭୂତ ସ୍ଥିରତା, ସେଇ ସ୍ପନ୍ଦନହୀନ ମୌନତା ।

କୌଣସି ସହଚରୀ ପାଖକୁ ଆସି, ତା’ର ସେ ମଗ୍ନତାକୁ ଭାଙ୍ଗିବାକୁ ସାହସ କରି ପାରି ନଥିଲେ । ସେ ସ୍ତବ୍‌ଧ–ନିସ୍ତବ୍‌ଧତାକୁ ଚହଲାଇ ଦେଇ ନଥିଲେ, ସାମାନ୍ୟତମ ଶବ୍ଦ କରି ।

କାଲି ସନ୍ଧ୍ୟାର ଆସର ବସି ପାରିନଥିଲା ଆଉ । ସୁଦୀର୍ଘ ବିଳମ୍ୱିତ ପ୍ରତୀକ୍ଷା ପରେ ବିଶିନୀମାନେ ଫେରି ଯାଇଥିଲେ ବିରକ୍ତ ବିବ୍ରତ ହୋଇ । ଚମ୍ପା ମଲ୍ଲୀର ମାଳା ସବୁ ସେମିତି ମଉଳି ସୁଖି ଯାଇଥିଲା ।

ସେ ଆଉ ପାଦରେ ବାନ୍ଧି ନଥିଲା ଘୁଙ୍ଗୁର, ଅଣ୍ଟାରେ ପିନ୍ଧି ନଥିଲା ଘାଘରା । ଫେରି ଯାଇଥିଲେ ବି ଦେହ ସଙ୍ଗ-କାମୀ, ନୈଶ ଅଭିଶାରରେ ଆସିଥିବା ନାଗର ଜଣକ ! ଲକ୍ଷହୀରାର ଥଳୀଟିକି ସେମିତି କାଖରେ ଯାକି ।

ତା’ପରେ ସମଗ୍ର ପ୍ରସାଦରୁ.....ସବୁ କକ୍ଷରୁ, ଗୋଟି ଗୋଟି ହୋଇ ଲିଭିଯାଇଥିଲା ସବୁଯାକ ପ୍ରଦୀପ । ସମସ୍ତେ ଶୋଇ ପଡ଼ିଥିଲେ ଗାଢ଼ ନିଦରେ, ନିଶ୍ଚିନ୍ତ ହୋଇ....... ।

ଲକ୍ଷହୀରା ଖାଲି ବସି ବସି ନିଜକୁ ପରଖି ନିରେଖି ଦେଖୁଥିଲା, ବାର ବାର କରି, ତନ୍ନ ତନ୍ନ କରି । ଇଚ୍ଛା କଲେ ବି ଆଉ ସେ ସାଜି ପାରିବ ନାହିଁ ସହସ୍ର ଶଯ୍ୟାର ନାୟୀକା । ସେ ଚତୁର-ଲୀଳା ବିଳାସରେ ଆଉ ସେ ମଜ୍ଜି ପାରିବ ନାହିଁ ।

ଏଇ କେତୋଟି ମୁହୂର୍ତ୍ତ, ତା’ ଭିତରେ ଗଢ଼ି ଦେଇଗଲା, କାହିଁ କେତେ ଯୁଗର ବ୍ୟବଧାନ । ସମୟର ଏ ସିମିତ ସୀମା ପରିବର୍ତ୍ତନ କରି, ନୂତନଭାବେ ଚିହ୍ନିତ କରିଦେଇ ଗଲା, ତା’ ଜୀବନର ସୀମାରେଖା ।

 

ଏପାଖ ପୋଛି ହୋଇଗଲା ! ଏ କୁଳ ସେ ହରେଇଲା......ଯଦି ଆର କୁଳରେ ଠାବ ନ ପାଏ ? ଯଦି ସେଇ ଦୂର ଦିଗନ୍ତର ଅସ୍ପଷ୍ଟ ଆଲୋକ ବିନ୍ଦୁ ତା’ ଭାଗ୍ୟକୁ ଜ୍ୟୋତିଶିଖା ନହୋଇ ଜୁଳୁ ଜୁଳା ପୋକ ହୋଇଥାଏ ?

 

କେମିତି ବା ସେ ଯିବ ? ଏବେ ଅବିଶ୍ୱାସର ବିଷ, ସଂଦେହର ଏ ନୀବିଡ଼ ଘନ କାଳିମା ପାପତାପଜ୍ୱାଳା ଦଗ୍‌ଧ ଏ ଶୂନ୍ୟରିକ୍ତ ହୃଦୟ ଘେନି, କେମିତି ସେ ଛିଡ଼ାହେବ ତାଙ୍କ ସିଂହଦ୍ୱାର ସମ୍ମୁଖରେ ?

 

ବାହ୍ୟ ସୂଚୀତାରେ ବାହାର ଆଖି କି ଠକି ହୁଏ, ଅନ୍ତର୍ଦୃଷ୍ଟିକି ଫାଙ୍କି ହୁଏ ନାହିଁ । ଲକ୍ଷହୀରା ଧୀରେ ଧୀରେ ଉଠି ବାତାୟାନକୁ ଲାଗି ଛିଡ଼ା ହେଲା ।

 

ତୀର୍ଯ୍ୟକ ଜ୍ୟୋତ୍ସ୍ନାରକ୍ଷୀଣ ରେଖାଟିଏ ଆସି ଚୁମ୍ବନ କଲା ତା’ର ବକ୍ଷ-ଦେଶ । ଯିଏ ରୂପ ଦେଇଚି, ଦେହ ଦେଇଚି, ସେ ହିଁ ତ ସୃଷ୍ଟି କରିଚି ରୂପର ପ୍ରଲୋଭନ, ଦେହର କ୍ଷୁଧା । ଯିଏ ମନକୁ ବିଶ୍ୱାସର ସୁଧାସ୍ନିଗ୍‌ଧ ସମର୍ପଣମୂଖୀ ଫୁଲଟିଏ କରି ଫୁଟାଇଚି, ସେ ହିଁ ତ ସେଥିରେ ରଖିଛି ଅବିଶ୍ୱାସର କୀଟ, ସଂଶୟର ମଶୀମୟ କାଳିମା ।

 

ସିଏ ମୁଁ’ର ଭେଦ ଥିଲାଯାଏ ଏ ବିଷ ଅମୃତର ଭେଦ ଅଛି, ପାପ ପୂଣ୍ୟର ଦ୍ୱନ୍ଦ୍ୱ ଅଛି । ଯିଏ ଅଭେଦ, ଏକ, ତାଙ୍କ ପାଖରେ ବିଷ ଅମୃତ ଏକାକାର ।

 

ଅନ୍ଧାର ଥିଲେ ଆଲୋକ କାହିଁ ?

 

ଆଲୋକ ଥିଲେ ଅନ୍ଧାର ଅବା କାହିଁ ?

 

କାଳିୟ ଥିଲା ବିଷର ଅଧିକାରୀ । ବିଶ୍ୱ ବିଧାତା ତା’ର ଫଣାରେ ଫଣାରେ ଭରି ଦେଇଥିଲେ ପ୍ରାଣ ସଂହାରକାରୀ କାଳକୁଟ ବିଷ । ଜୀବନର ଶ୍ରେଷ୍ଠ ମୁହୂର୍ତ୍ତଟିକି ସଫଳ କରି ସେଇ ବିଷକୁ ହିଁ ସେ ଅର୍ପଣ କଲା ପୂଜାର ନୈବିଦ୍ୟ ରୂପେ ।

 

ଲକ୍ଷହୀରା ଅଧିକ ଗମ୍ଭିର ହୋଇଗଲା । ସିଏ ବି ଅଜାଡ଼ି ଦେବ, ତା’ ଜୀବନର ଗ୍ଲାନି ହତାଶ ଦୁଃଖ ବେଦନା ଅଭିମାନ ଅହଂକାର । ନିଃଶେଷ କରି ଢାଳି ଦେବ ସବୁ ଦେବ ସବୁଯାକ ବିଷ ।

 

ବିଷ ହରଣକାରୀ ବିଷ ହଜମକାରୀ ଶକ୍ତି ଯାହାର ନାହିଁ, ସେ’ କି ଦେବତା ! ସେ’ବା କାହୁଁ ଦେବେ ଅମୃତର ଅମର ସ୍ପର୍ଶ । ତା’ ଛଡ଼ା.....ଏତେ ଦିନ ଏତେ ବର୍ଷ ପରେ ଏତେ ଆକୁଳ ପ୍ରାର୍ଥନା ଆତୁର ଆସ୍ପୃହା ପରେ ଯେବେ ଆସିଚି ପରଖି ଦେଖିବାର ବେଳ ! କାହିଁକି ସେ ପଛେଇ ଯିବ ?

 

ଆଜିଯାଏ ଏ ରୂପର ନିଆଁରେ ଯେତେ ଜଳିଛନ୍ତି, ସମସ୍ତେ ପୋଡ଼ି ପାଉଁଶ ହୋଇ ଯାଇଛନ୍ତି । ନିଆଁକୁ ଉଜ୍ଜ୍ୱଳ କରି, ବିଦୃପ କରି, ଝଟକି ଉଠିବାର ଅହଂକାର, ସୁବର୍ଣ୍ଣ ରଖେ ।

 

ଅତି ପ୍ରତ୍ୟୁଷରୁ ସଯତ୍ନ ପରିପାଟିରେ ନିଜ ହାତରେ ନିଜର ଶୃଙ୍ଗାର ରଚନା କରିଥିଲା ଲକ୍ଷହୀରା । ଦର୍ପଣରେ ଥରକୁ ଥର ନିଜକୁ ଦେଖି ବିବସ ମୁଗ୍‌ଧ ମୋହିତ ହୋଇ ଥିଲା ସେ ।

 

ତା’ପରେ ବାହାରି ଆସିଥିଲା ବୁଦ୍ଧଙ୍କ ଦର୍ଶନ ପାଇଁ । ଖୋଲା ଶିବିକାରୁ ଫୁଟି ଦିଶୁଥିଲା ତା’ ରୂପର ଜ୍ୟୋତି । ଅଳଙ୍କାରର ଐଶ୍ୱର୍ଯ୍ୟ, ବିଦ୍ୟୁତ୍‌ ବର୍ଷୀ କଟାକ୍ଷର ଚକିତ ଚଞ୍ଚଳ ଭଙ୍ଗି । ପଥ ପାର୍ଶ୍ୱର ସବୁ ପୁରୁଷ କାମୋଚ୍ଚାଟିତ ଶୀହିରିତ ବିକଳ ଭୂଭୁକ୍ଷୁ ପରି ତା’ ଆଡ଼କୁ ଚାହିଁଥିଲେ ।

 

ଲକ୍ଷହୀରା ଭାବୁଥିଲେ ଏଇ କ’ଣ ସମଗ୍ର ସଂସାରର ଏକମାତ୍ର ଅସଲ ରୂପ । ଜୀବନ ଯାକ ଏଇୟାକୁ ପ୍ରତ୍ୟକ୍ଷ କରି କରି, ଏଇଥିରେ ଘାଣ୍ଟିହୋଇ ହୋଇ କଟିଗଲା ।

 

କିଏ କହିବ ଏଥର ଭାଗ୍ୟରେ କ’ଣ ଘଟିବ ? ଲକ୍ଷହୀରା ଅବସ ହୋଇ ଆଖି ବନ୍ଦ କଲା । ଶାରଦୀୟ ଶୁଭ୍ର ସକାଳର ଉଜ୍ଜ୍ୱଳ କୋମଳ ଆଲୋକ ଝରି ପଡ଼ୁଥିଲା ଅଜସ୍ର ଆଶୀର୍ବାଦ ଭଳି ।

 

ଯେତେବେଳେ ସେ ଆଖି ଖୋଲି ଚାହିଁଲା, ସେତେବେଳେ କମ୍ପିତ ସନ୍ଧ୍ୟାପ୍ରଦୀପର ଶିଖାଭଳି, କମ୍ପି କମ୍ପି ସେ ଛିଡ଼ା ହୋଇଚି ଭୂଇଁ ଉପରେ ! ଛିଡ଼ା ହୋଇଚି ତଥାଗତଙ୍କ ଆସନର ଖଣ୍ଡେ ଦୂର ଆଗରେ ।

 

କିନ୍ତୁ ଦୁଇ ପଲାଶ–ପାଟଳ ପାପୁଲିରେ ଆଖି ମଳି ଥରକୁ ଥର ଚାହିଁବାକୁ ଚେଷ୍ଟାକଲା ଲକ୍ଷହୀରା । ଆଗରେତ ତାକୁ କିଛି ହେଲେ ସ୍ପଷ୍ଟ ଦିଶୁ ନାହିଁ, ସ୍ୱଚ୍ଛ ଦିଶୁନାହିଁ । କିଏ ଯେମିତି ଜାଲ ଘେରାଇ ରଖିଚି, ଧରିରଖିଚି ଖଣ୍ଡେ ପାତଳ କୁହୁଡ଼ିର ଆବରଣ । ଦୁଇ ପାଖରେ କିନ୍ତୁ ସବୁ ସହଜ, ସବୁ ସ୍ୱଚ୍ଛ ସ୍ପଷ୍ଟ ହୋଇ ଦିଶୁଚି ।

 

ଧାଡ଼ିବାନ୍ଧି ଛିଡ଼ା ହୋଇଛନ୍ତି ବୁଦ୍ଧଙ୍କ ତରୁଣ ସାଧକ ଶିଶ୍ୟ ମଣ୍ଡଳୀ । ସାଧନା ସେମାନଙ୍କୁ ଦେଇଚି ଏକ ନିସର୍ଗ ଦିବ୍ୟ କମନୀୟ ସୌନ୍ଦର୍ଯ୍ୟ । ଲକ୍ଷହୀରା ଭିତରେ ଅପମାନର ଭୀଷଣ ଦାହ...କ୍ରୋଧର ପ୍ରଚଣ୍ଡ ବିଷ୍ଫୋରଣ.......

 

ଏ ବ୍ୟବଧାନ, ଏ ଆବରଣ ଏ ପାତଳ ପଦାର ଛଳନା କାହିଁକି ? ଯେଉଁ ବିଷରେ ଜୀବନଯାକ ଜଳିଚି ଆଉ ଜାଳିଚି, ସେ ସବୁ ତା’ର ଗ୍ରହଣ ହେଲା ନାହିଁ ପୂଜାର ଅଞ୍ଜଳୀ ରୂପେ । ଏଠିବି ବଡ଼ ହେଲା, ବାଧକ ହେଲା ତା’ର ତୁଚ୍ଛ ପରିଚୟ ।

 

ତା’ ହେଲେ କ’ଣ ସେ ଫେରିଯିବ ? ଫେରିଯିବ ଅପମାନର ବୁଜୁଳା ବହି, ପୁଣି ସେ ଅନ୍ଧାର ଭିତରକୁ ପୁଣି ସେ ପଙ୍କ ଭିତରକୁ । ଫେରିଯିବ ଯଦି ଜାଳି ଦେଇ ଯିବ ସବୁକିଛି । ଭାଙ୍ଗି ରୁଜି ଗୁଣ୍ଡାଗୁଣ୍ଡା କରି ଦେଇଯିବ ଏ ସ୍ଥିରପ୍ରଶାନ୍ତର ଅହମିକା.....

 

ଲକ୍ଷହୀରା ସଜନୀ ଗହଣରୁ ଆଗକୁ ଆଗେଇ ଗଲା ଏକାକିନୀ ହୋଇ । ଅପୂର୍ବ ଲୀଳାୟିତ ମୃଦୁ ମରାଳ ଗତୀରେ, ନିତମ୍ୱ ଦୋଳାଇ, ଡୋଳା ଖେଳାଇ, ଚୋରା ହସର ଚତୁର ଆମନ୍ତ୍ରଣ ଜଣାଇ ଆଗେଇ ଗଲା ସେ । କାଞ୍ଚଲା ଭେଦକରି ଆଗକୁ ଫୁଟି ଦିଶିଲା ତା’ର ପୟୋଧର ଯୁଗଳ । ଫୁଟି ଦିଶିଲା ଝୀନ କଟି-ବେହରଣ ଉପରକୁ ଗଭୀର ନାଭିରେଖା ।

 

ସୂକ୍ଷ୍ମ ବାସ ତଳେ ଅଧିକ ଆକର୍ଷଣୀୟ ମନେ ହେଲା ତା’ର ଯୌବନ ପୁଷ୍ଟ ସୁଠାମ ସୁନ୍ଦର ଦେହ । ସକାଳ ପବନରେ ଧୀରେ ଧୀରେ ଉଡ଼ିଲା ତା’ ଉତ୍ତରୀୟର ଲୋହିତ ଅଞ୍ଚଳ ପ୍ରାନ୍ତ । ଅନେକ ଦିନର ଉପବାସି ଲୁପ୍ତପ୍ରାୟ ଗୁପ୍ତ କାମ କାମନା ପଲକରେ ସଂଜୀବିତ ହେଲା, ପ୍ରତ୍ୟେକ ତରୁଣ ସାଧକ-ଶିଷ୍ୟ ଭିତରେ ।

 

କ୍ଷଣକେ ମତ୍ତ କାମ ମନ୍ଥି ପକାଇଲା ସର୍ବ ସତ୍ତାକୁ । କ୍ଷଣକେ ହଜିଗଲା ବୁଦ୍ଧି ବିବେକ ସଂଯମ ଶୃଙ୍ଖଳା, ପାପ ପୁଣ୍ୟର ବିଧି ନିଷେଧ । ସେମାନଙ୍କର ଆଖିରେ ନିଶାଚହଟିଲା । ମୁହଁର ଭାବ ହୋଇ ଉଠିଲା ଆଉ ପ୍ରକାରେ । ଥର ଥର ହୋଇ ଥରି ଉଠିଲେ ପ୍ରାୟ ସମସ୍ତେ ।

 

ଲକ୍ଷହୀରା ଚରମ ବିଦୃପରେ ହାଣିଲା ତିର୍ଯ୍ୟକ କଟାକ୍ଷ । ଚରମ ନିଷ୍ଠୁର ଉଲ୍ଲାସରେ ହେଲା ଉଲ୍ଲସିତା । ସଂସାର ଉପରେ ସେ ପ୍ରତିଶୋଧ ନେଇଛି । ରେଣୁ ରେଣୁ ହୋଇ ଝରି ପଡ଼ୁଚି ବିଶ୍ୱାସ ଭରସାର ସକଳ ଆଶ୍ରୟ । କେହି କେହି ଦୁଃସାହସୀ ତରୁଣ ଧରି ପକାଉଛନ୍ତି ତା’ର ଅଞ୍ଚଳ ପ୍ରାନ୍ତ । ଲୀଳା ବିଳାସ ଚତୁର କଟାକ୍ଷରେ ଧୀରେ ଛଡ଼ାଇ ନେଉଛି ସେ ।

 

ବିଷ ଢାଳି ବିଷାକ୍ତ କରି ଦେଉଛି ସବୁକିଛି । ସମ୍ମୁଖରେ ଛିଡ଼ା ହୋଇ କମ୍ପୁଛନ୍ତି ଆନନ୍ଦ– ଶାକ୍ୟ ମୁନିଙ୍କର ପ୍ରଧାନ ପ୍ରିୟତମ ଶିଶ୍ୟ ୟେ ।

 

ଲକ୍ଷହୀରା ଅନେକଥର ଜନଶ୍ରୁତିରୁ ଶୁଣିଚି ଆନନ୍ଦଙ୍କର ନିଷ୍ଠା, ଭକ୍ତି ଆକୁଳ ସମର୍ପଣର କାହାଣୀ । ଏଇ ଗୋଟିଏ ବନ୍ଦୀ ପରେ ଚରମ ମୁକାବିଲାର ମୁହୂର୍ତ୍ତ । ଶେଷ ଜୟ ପରାଜୟର ପ୍ରଶ୍ନ-। ଅନ୍ଧାର ଆଲୁଅର ମୁହାଁମୁହିଁ ବେଳ । ଲକ୍ଷହୀରା ବି ଗୋଟା ସୁଦ୍ଧା ଥରି ଉଠିଲା ଅସ୍ଥିର ଉତ୍ତେଜନାରେ । ତା’ର ସମସ୍ତ ରୋମାବଳୀ କଦମ୍ବ କୁସୁମ ସମ କଣ୍ଟକିତ ହୋଇ ଉଠିଲେ । ତା’ ଆଖିରେ ବି ନାଲି ଚହଟି ଗଲା ।

 

ଆନନ୍ଦଙ୍କ କମ୍ପନ କମି କମି ସ୍ଥିର ପ୍ରସନ୍ନ କାରୁଣ୍ୟମୟ ସମର୍ପଣରେ ବିଲୟ ହୋଇଗଲା-। ସେ ଛିଡ଼ା ହୋଇଛନ୍ତି ଗୁରୁଙ୍କ ଆସନକୁ ଲାଗି, ଗୁରୁଙ୍କ ଅଭୟ କରମୁଦ୍ରା ତଳେ । ଲକ୍ଷହୀରା ଭିତରୁ ବି କମି ଆସିଲା ଉତ୍ତେଜନା....କମି ଆସିଲା ଅସ୍ଥିରତା...... ।

 

ଧୀରେ ଧୀରେ ସେ ବୁଝିପାରିଲା ତା’ର ଚୋଟ ବିଫଳ ହୋଇଚି । ବିଷ କାଟୁ କରି ନାହିଁ । ନିରୂପାୟ ନିଃସହାୟତାରେ ଦୁଇ ଆଖିରୁ ଝରି ପଡ଼ିଲା ବିନ୍ଦୁ ବିନ୍ଦୁ ଅଶ୍ରୁ ଜାଲ ଛିଡ଼ିଗଲା...ପାତଳ କୁହେଳିର ଆବରଣ ମିଳାଇଗଲା ମୁହୂର୍ତ୍ତକେ । ଲକ୍ଷହୀରା ଅନ୍ତରରେ ଅନୁଭବ କଲା ଆଉ ଏକ ଦିବ୍ୟ ତୃତୀୟ ନୟନର ଉନ୍ମେଳନ ।

 

ସେଇ ଆଖିରେ ସେ ଦେଖିଲା....କୋଟି ସୂର୍ଯ୍ୟପ୍ରଭ କୋଟି ଚନ୍ଦ୍ରସୁଶୀତଳ ଦିବ୍ୟ କାନ୍ତି–ତଥାଗତଙ୍କର ଧ୍ୟାନ ମଗ୍ନ ଗମ୍ଭୀର ମୂର୍ତ୍ତି । ଅର୍ଦ୍ଧ ନିମୀଳିତ ନୟନ ଯୁଗଳରୁ ଝରି ପଡ଼ୁଚି ବିଗଳିତ କରୁଣାର ଧାରା ।

 

ପଦ୍ମାସନରେ ନିର୍ବାତ ନିଷ୍କମ୍ପ ଶିଖ ପରି ସେ ସ୍ଥିର ସମାଧିସ୍ଥ । ଚକିତରେ ଚମକି ପଡ଼ିଲା ଲକ୍ଷହୀରା । ୟେ କି ଦୃଶ୍ୟ ଦେଖୁଚି ସେ ! ଧ୍ୟାନମଗ୍ନ କରୁଣାଘନ–ମୂର୍ତ୍ତି ବୁଦ୍ଧଙ୍କ ଉଭୟ ପାର୍ଶ୍ୱରେ ସେବା-ନିରତା ଆଠଜଣ ତରୁଣୀ ନାରୀ । ତା’ଠାରୁ ଲକ୍ଷେଗୁଣ ସୁନ୍ଦରୀ ସହସ୍ରେ ଗୁଣ ସୁକୁମାରୀ ସେମାନେ ।

 

ବେଶ ପରିପାଟିରେ, ଭୂଷଣ ଐଶ୍ୱର୍ଯ୍ୟରେ, ଚତୁର କଳା କୁଶଳତାରେ ସେମାନେ ତାକୁ ବିକିଦେଇ କିଣିନେଲା ପରି ମନେ ହେଉଚି ।

 

ତାଙ୍କ ବିଦ୍ୟୁତ ଚଞ୍ଚଳ କଟାକ୍ଷ ପାତରେ, ତା’ ତନୁରେ ଶିହରୀତ ସୁଖାବେଶ, ମନରେ ଅପୂର୍ବ ଅନଙ୍ଗ ଉନ୍ମାଦନା..... । ନାରୀ ହୋଇ ନାରୀ ରୂପରେ ମୋହିତା ହେଉଛି ସେ ।

 

ଯେଉଁ କାମ ବାଣରେ, ଯେଉଁ କାମ କାଳକୂଟରେ ସେ ଅପରକୁ ଜର୍ଜର ବିବସ କରି ପକାଉଥିଲା ମର୍ମେ ମର୍ମେ ଅନୁଭବ କରୁଚି ସେ ଯନ୍ତ୍ରଣାକୁ । ଅଥଚ ତଥାଗତ ଅଛନ୍ତି ସ୍ଥିର ହୋଇ, ନିର୍ବିକାର ହୋଇ, ନିଜ ଭିତରେ ନିଜେ ମଗ୍ନାବସ୍ଥା ସ୍ଥିତାବସ୍ଥାରେ..... ।

 

ଲକ୍ଷହୀରା ବି ଛିଡ଼ା ହୋଇ ରହିଲା ଚିତ୍ର-ପତ୍ତଳୀପରି ବାହାରକୁ ସ୍ଥିର ସ୍ଥାଣୁ ହୋଇ । ଯୁବତୀମାନଙ୍କ ଖସି ପଡ଼ିଲା ଆଭରଣ.....ଖସି ପଡ଼ିଲା ଆବରଣ...... । ଯୌବନର ୟେ କି ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ ? ରୂପର ୟେ’ କି ଅପରୂପ ଐଶ୍ୱର୍ଯ୍ୟ ? ବିରଳ ହୋଇ ସବୁ ଦିଶୁଚି । ଆଉ ସେ ନିଜକୁ ସମ୍ଭାଳି ରଖି ପାରୁନାହିଁ । ଦୁଇ ହାତରେ ଆଖି ବନ୍ଦ କରି ଭୂଇଁ ଉପରେ ଥରି ଥରି ବସିପଡ଼ିଲା ଲକ୍ଷହୀରା ।

 

ବାହାର ଅପେକ୍ଷା ତା’ ନିଜ ଭିତରେ ଯେ ବେଶି ଝଡ଼ ! ପୁଣି ସେ ଆଖି ଖୋଲି ଦେଲା, ଦୃଶ୍ୟରେ ପଟ୍ଟ ପରିବର୍ତ୍ତନ ହେଲା । ଆଠଟି ଉଲଗ୍ନ ନାରୀ ଦେହର ଚର୍ମାବରଣ ଖସି ପଡ଼ିଲା; ସୁଖିଲା ଖୋଳପାପରି ।

 

ଆଗରେ ଛିଡ଼ା ହୋଇଚି ଆଠଟା ରକ୍ତ ବଲ ବଲ ମାଂସ ପିଣ୍ଡୁଳା.....ଦେଖୁ ଦେଖୁ ସେଥିରେ ହେଲା ଅସଂଖ୍ୟ ଗଳିତ କ୍ଷତ । ପୁଜ ଭଡ଼ ଭଡ଼ ପୋକ ସାଲୁବାଲୁ ଘାଆରୁ ଭଣ ଭଣ ଦୁର୍ଗନ୍ଧ ବାହାରୁଚି ।

 

ଆଉ ସେ ସୌନ୍ଦର୍ଯ୍ୟ ନାହିଁ ଆଉ ସେ ଚମକ ନାହିଁ । ଆଉ ନାହିଁ ଆକର୍ଷଣର ସେ ବୈଦ୍ୟୁତିକ ଶକ୍ତି । ଲକ୍ଷହୀରାର ଲଜ୍ଜ୍ୟା ରୂପାନ୍ତରିତ ହେଲା ଘୃଣାରେ......ତା’ର ସର୍ବାଙ୍ଗରେ ବି ଯେମିତି ସେଇ ଘାଆର ପୋକ ସାଲୁ ସାଲୁ ହେଉଛନ୍ତି ।

 

ଆଠଟା ପିଣ୍ଡଳା’ରୁ ମାଂସ ଶେଷ ହେଲା ! ରସ ଶେଷ ହେଲା ! ଏଥର ଖାଲି ଦୋହଲି ଦୋହଲି ବିକୃତ ଭଙ୍ଗିରେ ଆଗରେ ନାଚୁଚି ଆଠଟା କଙ୍କାଳ ।

 

ଆଠଯୋଡ଼ା ଅସ୍ଥିମୟ ପାପୁଲି ଉଦ୍ୟତ କରି ସେମାନେ ସତେକି ତାଆରି ଆଡ଼େମାଡ଼ି ଆସୁଛନ୍ତି । ଲକ୍ଷହୀରା ପାଦତଳ ପୃଥିବୀ ପ୍ରଚଣ୍ଡ କମ୍ପନରେ କମ୍ପି ଉଠିଲା । ମୁଣ୍ଡ ଉପରେ ଆକାଶ ଅଜାଡ଼ିହୋଇ ପଡ଼ିଲା ଚାରି ଦିଗ ଅନ୍ଧାର ଦେଖାଗଲା... !

 

ଘୃଣା କୁଆଡ଼େ ଗଲା...ପ୍ରଚଣ୍ଡ ଭୟରେ ହେମାଳ ନିଷ୍ପନ୍ଦ ହୋଇଗଲା ସେ । ତଥାପି ପ୍ରାଣପଣେ ଆଖିମଲି ଚାହିଁଲା ତଥାଗତଙ୍କ ପାଦ ପଦ୍ମକୁ । ଅଣ୍ଡାଳି ହେଲା ସେହି ଆଶ୍ରା ଧରିବାକୁ । ପ୍ରସନ୍ନ ଉଦାର ମୃଦୁମନ୍ଦ ହାସ୍ୟରେ ବରାଭୟ ହେଉଛନ୍ତି ତଥାଗତ ।

 

ସେ ଉଦାର ମହିମା ତାକୁ ଆକର୍ଷଣ କରୁଚି । ସେ ପ୍ରସନ୍ନ ହାସ୍ୟ ତାକୁ ଆତ୍ମସାତ କରୁଚି । ଆପେ ଆପେ ଲକ୍ଷହୀରାର ହାତ ଦୁଇଟି ଯୋଡ଼ି ହୋଇଗଲା । ସେ ନିର୍ଭୟ ହେଲା ! ସ୍ଥିର ହେଲା । ସ୍ଥିର ହୋଇଗଲା ପୃଥିବୀ....ସ୍ଥିର ହୋଇଗଲା ଆକାଶ । ଆଉ ଅନ୍ଧାର ନାହିଁ......ଆଉ ଦ୍ୱନ୍ଦ୍ୱ ନାହିଁ ।

 

କଙ୍କାଳର ଖଞ୍ଜା ଖସି ଖଣ୍ଡ ଖଣ୍ଡ ହୋଇ ହାଡ଼ ଯାକ ଝଡ଼ି ପଡ଼ିଲା ଭୂଇଁ ଉପରେ । ବିଭତ୍ସ ବିକୃତ ଦାନ୍ତ ବାହାର କରି ଗଡ଼ିଲା...ଆଠଟା ଖପୁରି ।

 

ଏଇଠି ଥିଲା ନୀଳମେଘ ନିନ୍ଦି ଘନ ଗହଳ କେଶରାଶି । ଏଇ ନୟନର କଟାକ୍ଷ, ରକ୍ତାଧରର ମୃଦୁ ମନ୍ଦ ହାସଛଟା ଦେଖି ଯୋଗୀର ଯୋଗ ଭାଙ୍ଗୁ ଥିଲା, ଭେଗୀର ଭୋଗରେ ଅରୂଚି ଆସୁଥିଲା । ଏଇଥି ପାଇଁ ପାଗଳ ହୋଇ ଉଠୁଥିଲା ସଂସାର । କୁଆଡ଼େ ଗଲା ସେ ସବୁ ?

 

ଲକ୍ଷହୀରାର ହୃଦୟ ଏକ ଉଦାସ ବିଷଣ୍ଣ ବୈରାଗ୍ୟରେ ଭରିଗଲା । ଆସ୍ତେ....ଆସ୍ତେ.....ହାଡ଼ର ସ୍ତୂପ ଉପରେ ଖପୁରିର ଖୋଳ ଭିତରେ ଛାଇ ହୋଇଗଲା ମାଟିର ଗୋଟାଏ ପାତଳ ଆସ୍ତରଣ...... ।

 

ଧୀରେ ଧୀରେ ସବୁ ମାଟିରେ ମିଶିଗଲା ! ମାଟି ହୋଇଗଲା ସବୁ କିଛି । ଏତେ ରୂପ, ଏତେ ସୌନ୍ଦର୍ଯ୍ୟ, ଏତେ ମାୟା ମୋହ ଆସକ୍ତି ଅହଂକାର.....ସବୁ କିଛିର ପରିଣତି ମୁଠାଏ ମାଟି..... ।

 

କେବଳ ମାଟି ମୁଠାଏ । ଲକ୍ଷହୀରା ଚେତା ହରାଇ ଢଳି ପଡ଼ିଲା ଭଗବାନ ବୁଦ୍ଧଙ୍କ ପାଦ ପଦ୍ମ ନିକଟରେ । ଯେତେବେଳେ ତା’ର ଚେତନା ଫେରି ଆସିଲା, ସେ ଅନୁଭବ କଲା ଏକ ଦିବ୍ୟ ଆନନ୍ଦାନୁଭୂତିର ଅପୂର୍ବ ଶୀହରଣ ।

 

ସେ ବୁଝି ପାରିଲା, ବିଶ୍ୱର ମର୍ମେ ମର୍ମେ ଜନ୍ମ ମୃତ୍ୟୁ ବିକାଶ ବିନାଶର ଦୃଶ୍ୟାନ୍ତର ଭିତରେ ଆନନ୍ଦର ସେ ମୋହନ ବଂଶୀ ବାଜି ଚାଲିଚି ବିରାମ ହୀନ ଭାବେ । ସେ ବି ସେଇ ସ୍ୱରର ଏକ ଛନ୍ଦ ଏକ ଝଙ୍କାର.......

 

ତା’ର ଘୃଣା ନାହିଁ ଲଜ୍ଜ୍ୟା ନାହିଁ ଭୟ ନାହିଁ ! ନାହିଁ ଆଉ ବନ୍ଧନର ଦୁସ୍ୱପ୍ନ । ସେ ପ୍ରାଣ ଭରି ଗାଇ ଉଠିଲା

 

ବୁଦ୍ଧଂ ଶରଣଂ ଗଚ୍ଛାମି

ଧର୍ମ ଶରଣଂ ଗଚ୍ଛାମି

ସଂଘଂ ଶରଣଂ ଗଚ୍ଛାମି ।

Image

 

ସୁନାର ପର

 

କୌଣସି ଏକ ଶିଶୁ-ପତ୍ରିକାରେ ପଢ଼ିଥିଲି କାହାଣୀଟି.....ରାଜ୍ୟର କଥା ......ନିଜର ସୌଭାଗ୍ୟ ଉଦୟ ପାଇଁ ରାଜରାଣୀ ଲୋଡ଼ୁଥିଲେ ସୁନାର ହଂସ । ଆହାର, ନିଦ୍ରା, ସୁଖ ସମ୍ଭୋଗ ଭୁଲି ପ୍ରତି ନିମିଷରେ ସେ କରୁଥିଲେ ସୁନା ହଂସର ସମ୍ଭାବିତ ଆଗମନ ପ୍ରତୀକ୍ଷା ।

 

ବାତାୟନ ପଥଦେଇ ଦିନେ ସତକୁ ସତ ଉଡ଼ିଆସିଲା....ସୁନ୍ଦର ସୁକୁମାର ହଂସଟିଏ..... ସେ କିନ୍ତୁ ସୁନାର ନଥିଲା....ଥିଲା ଦୁଗ୍‌ଧ ଧବଳ ନାରଙ୍ଗୀ ଚଞ୍ଚୁବିଶିଷ୍ଟ ଅତି କ୍ଷୁଦ୍ର ପାତୀ ହଂସଟିଏ ମାତ୍ର ।

 

ବିଫଳ ଆଶାହତ ରାଜମହିଷୀ ବିରାଗରେ ମୁହଁ ଫେରାଇ ନେଲେ ।

 

ହଂସଟି ମାଜଣା ପୁଷ୍କରିଣୀର ପଦ୍ମ ପାଖୁଡ଼ା ତଳେ ଆପଣା ଛାଏଁ ଆଶ୍ରୟ ନେଲା । କେବେ କେବେ ସେ ମୃଦୁ ବିକମ୍ପିତ ନୀଳ ଲହରୀରେ ପହଁରୁଥାଏ । କେହି ହେଲେ ସେଆଡ଼େ ଆଡ଼ ଚକ୍ଷୁରେ ଚାହାନ୍ତି ନାହିଁ ।

 

ଦିନେ କେବଳ ସମସ୍ତେ ସଚେତ ସଚକିତ ହୋଇ ଉଠିଲେ......ଯେତେବେଳେ ଦେଖାଗଲା ହଂସଟି ନାହିଁ । ହଂସଟି ଉଡ଼ିଯାଇଛି ।

 

ଘାଟ ଉପରେ ଖାଲି ଯାହା ଝାଡ଼ିଦେଇ ଯାଇଛି....ପରଟିଏ .....ସୁନାର ପର..... ।

 

ଏ ପୃଥିବୀର ନିୟତି.....ଆଦିମ କାଳୁ, ଏହିଭଳି, ନିଷ୍ଠୁର ଖେଳ, ଖେଳି ଆସିଛି.....ପୃଥିବୀ ସାଙ୍ଗେ ମଣିଷ ସାଙ୍ଗେ । ସୁନାର ହଂସମାନେ ଉଡ଼ିଗଲା ପରେ ହିଁ ଚିହ୍ନା ପଡ଼ନ୍ତି ।

 

ଟିଟୋ ନାମକ ପିଲାଟିର ଯେ ଏତେ ବିଭବ ଥିଲା, ଏତେ ବାସ୍ନା ଥିଲା ଏତେ ମଧୁ ଥିଲା....ତା’ର ସୁରାକ କେହି ଭଲା ପାଇଥିଲେ, ଟିକିଏ ହେଲେ ?

 

ପାଠପଢ଼ା ଶେଷ କରି ଆଉ ପାଞ୍ଚଜଣଙ୍କ ପରି ସେ ବି ଥରକୁ ଥର ଚାକିରି ସନ୍ଧାନରେ ଏଣେ ତେଣେ ଘୂରୁଥିଲା....ଇଣ୍ଟରଭ୍ୟୁ ଦେଉଥିଲା....କଟକରୁ ଭୁବନେଶ୍ୱର....ଭୁବନେଶ୍ୱରରୁ ପୁରୀ ହେଉଥିଲା...... ।

 

ମନ୍ଦିରରେ ଦୀପ ଜାଳୁଥିଲା.....ଫୁଲ ଚଢ଼ାଉ ଥିଲା .....ହାତଯୋଡ଼ି ଆଖିବୁଜି ଗୁଣୁ ଗୁଣୁ ହେଉଥିଲା ।

 

ସମସ୍ତେ ଯେମିତି ଚାକିରି ପାଇଁ ସୁଖ ପାଇଁ ସୌଭାଗ୍ୟ ସମ୍ଭୋଗ ପାଇଁ ପ୍ରାର୍ଥନା କରନ୍ତି-

 

ତା’ର ବନ୍ଧୁ ବାନ୍ଧବୀଙ୍କ ଗହଣରେ ହସିଲାବେଳେ, ଗପିଲା ବେଳେ, ଯୁକ୍ତିତର୍କ, କଥା କଟାକଟି ରାଜନୀତି ଠାରୁ ସମାଜନୀତି, ଢିଙ୍କିଶାଳଠାରୁ ଢେଙ୍କାନାଳଯାଏଁ ଚର୍ଚ୍ଚା କଲାବେଳେ କାହିଁ ସେ ତ ବାରିହୋଇ ପଡ଼ୁ ନଥିଲା ସ୍ୱତନ୍ତ୍ର ବୋଲି ଅନନ୍ୟ ବୋଲି.... ??

 

କ’ଣ ବା ବାରିପାରେ ଏ ଆଖି ଦୁଇଟା ? ୟେ ଜୀବନଯାକ ମଣିଷକୁ ବହୁ ଭୁଲ ଧାରଣା ଦିଏ, ଭୁଲ ବାଟ ବତାଏ, ପ୍ରତାରିତ କରେ ।

 

ବାହାରର ଦୃଶ୍ୟମାନଙ୍କୁ ନିଜ ଭିତରେ ବାନ୍ଧି ନ ପାରି ନିଜେ ବରଂ କେତେକ ନିର୍ଦ୍ଦିଷ୍ଟ ଦୃଶ୍ୟରେ ବାନ୍ଧି ହୋଇଯାଏ । ମନକୁ ଛନ୍ଦି ଦିଏ ନିର୍ଦ୍ଦିଷ୍ଟ କେତେକ ଧାରଣାରୁ ସୀମିତ ଗଣ୍ଡି ଭିତରେ-। ଆମ ଆଖିର କ’ଣ କିଛି ହେଲେ ସ୍ୱାଧୀନତା ଅଛି ........ ?

 

ଟିଟୋର ମାଆ ବାପ ଦି’ଜଣ ଯାକ ସରକାରୀ ଚାକିରିଆ । ଦିନମାନଙ୍କରେ ତାଙ୍କ ସଙ୍ଗେ ଦେଖା ଚାହାଁର ଅବସର ଅତି ଅଳ୍ପ ।

 

ପୁଣି.... ଆଜିର ପ୍ରତ୍ୟେକଟି ମଣିଷ ନିଜେ ନିଜର ଖୋସାରେ ଆବଦ୍ଧ.... ଏକାକୀ..... ଅଣନିଃଶ୍ୱାସୀ ।

 

ଆଖି ମେଲି ପହଁରେଇ ନିଅନ୍ତି ସେମାନେ ପୁଅ ଉପରେ । ସେ ଆଉ ପିଲା ନୁହେଁ..... । କଲେଜରୁ ପାଶ୍‌ କରିସାରି ଘରେ ବସି ରହିଛି । ହାତରେ କାମ ନାହିଁ, ମନରେ ଚିନ୍ତା ନାହିଁ ।

 

ସେମାନେ ବି ଦୂର ଅତୀତରେ ଏମିତି ଅବସ୍ଥା ଭିତର ଦେଇ ଏ ଘାଟିକୁ ପାର ହୋଇ ଆସିଛନ୍ତି । ବଡ଼ ଭୟଙ୍କର ଘାଟି । ଜୀବନର ଗୋଟାଏ ଭୀଷଣ ସନ୍ଧୀକ୍ଷଣ.... । ଦୋମୁହାଁଣି ଛକ ଜାଗା ।

 

ରାତି ଅଧଯାଏଁ ଆଲୁଅ ଜଳାଇ ଅନିଦ୍ରା ହୋଇ କ’ଣ ସେ କରେ ? କେବେ ଖୁଡ଼ଖାଡ଼ ଶବ୍ଦ ଶୁଭୁଥାଏ....କେ ବ ବି କିଛି ଶୁଭେ ନାହିଁ ।

 

କ’ଣ କରୁଛି....କରୁ । ଚାକିରି ବାକିରୀ ଖଣ୍ଡେ ପାଇଁ କେତେ କୁହାବୋଲା ଯୋଗାଡ଼ ଯନ୍ତ୍ର ଚାଲିଛି । ତଥାପି....କିଛି ହେଉ ନାହିଁ...ସଂସାରର ଦ୍ୱାରଦେଶରେ ସେ ଛିଡ଼ା ହୋଇଛି ସ୍ଥାଣୁ, ନିରୁପାୟ ହୋଇ ତେବେ ବି ତା’ ଉପରେ ଅନେକ ଆଶା ଅନେକ ଭରସା ।

 

ଯେମିତି ସୁନା ହଂସ ଉପରେ ଅନେକ ଭରସା ରଖିଥିଲା...ରାଜରାଣୀଙ୍କ ଦୂରାନ୍ତରର ଭବିଷ୍ୟତ ।

 

ସୁନା ହଂସମାନେ କ’ଣ କେବେ ହେଲେ ଧରା ଦିଅନ୍ତି ? ଆମେ ବି ତାଙ୍କୁ ଅଠାକାଠିର ଅଠାରେ ଜଡ଼ାଇ ରଖି ପାରୁନାହିଁ....ସେମାନେ ଉଡ଼ିଯାଆନ୍ତି ତାଙ୍କର ନିତ୍ୟ ବିହାର ସ୍ଥଳୀ ମାନସରୋବର ଉଦ୍ଦେଶ୍ୟରେ ।

 

ତଥାପି ସେମାନେ ସ୍ୱୀକାର କରିଯାଆନ୍ତି ଏ ପଙ୍କିଳ ପୁଷ୍କରିଣୀର ଋଣ, ଏ ଧୂଳିଧୂସରିତା ପୃଥିବୀର ଋଣ । ଗଲାବେଳେ ଛାଡ଼ିଦେଇ ଯାଆନ୍ତି ସୁନାର ପରଟିଏ ।

 

ମୁଁ ପ୍ରଥମେ ଯିବାକୁ ମଙ୍ଗୁ ନ ଥିଲି.....କାରଣ ସୁଖ ସୌଭାଗ୍ୟ ଆନନ୍ଦର କୋଳାହଳ ଭିତରେ, ସୋଲ ବିଡ଼ାଟିଏ ଭଳି ଭାସି ଯାଇହେବ । ଶୋକ– ଦୁଃଖର ମହାସମୁଦ୍ର ଭିତରେ ବୁଡ଼ିବାକୁ ଯଉଁ ଗରୁପଣ ଦରକାର, ଦୁର୍ଭାଗ୍ୟକୁ ସାମ୍‌ନା କରିବାକୁ ଯେଉଁ ଶକ୍ତି ଦରକାର, ସେତକ ମୋ’ଠାରେ ନଥିଲା । କେମିତି ଯାଇ ଠିଆ ହେବି ଭାବି ମୋ’ ଗୋଡ଼ ହାତ ଥରୁଥିଲା....ତଥାପି ଯିବାକୁ ପଡ଼ିଲା.....ଯାଇ ବସିବାକୁ ହେଲା ସେଇଘରେ....ସେଇ ତକ୍ତପୋଷ ଉପରେ ।

 

ଯେଉଁଠି ଦିନେ ଟିଟୋ ରହୁଥିଲା.....ଶୋଉଥିଲା......ଆଜି .....ନାହିଁ ।

 

ଘରସାରା ବିଶୃଙ୍ଖଳାର ଚିହ୍ନ, ଶୋକର ଚିହ୍ନ....ଗୋଟାଏ ହତାଶାର, ନିଃଶ୍ୱାସରୁନ୍ଧା ଚାପ...., କାହାରି ମୁହଁରେ କଥା ନାହିଁ ।

 

ଘର ମଝିରେ, ଟେବୁଲ ଉପରେ, ଦିଅଁ ଦେବତାଙ୍କ ଫଟୋପରି, ଫୁଲ, ଧୂପରେ ସୁସଜ୍ଜିତ ହୋଇ ସୁବାସିତ ହୋଇ ଫଟୋଟିଏ ରଖାଯାଇଥିଲା । କାହାରିକୁ ନ ପଚାରି ବି ବୁଝି ହେବ ଯେ ଟିଟୋର ଫଟୋ ।

 

ବାଇଶି ବର୍ଷର ପୁଅ । ପୋଷଣହାରୀ, ବଡ଼ପୁଅ ସେ । ଏକଥା ଶୁଣିଲା ପରେ, ଜାଣିଲା ପରେ, କେଉଁ ସଂସାର ଘଣାପେଲା ମଣିଷ ଆପଣା ନିରୁପାୟତାରେ ନୀରବ ନ ରହି କଥା କହିବାକୁ ସାହସ କରିବ ।

 

ଉପଦେଶ, ଆଶ୍ୱାସନା, ଏଗୁଡ଼ା ଅଯଥା ବାହୁଲ୍ୟ ମାତ୍ର । ମୁଁ ଚୁପ୍‌ ହୋଇ ବସିଥିଲି । ସମସ୍ତେ ବି ନୀରବ ନିର୍ବାକ ଥିଲେ । ସମୟ ସ୍ଥିର ହୋଇଗଲା ଭଳି ଲାଗୁଥିଲା.....ଟିଟୋର ସେ ଫଟୋଟିରେ କେନ୍ଦ୍ରୀତ ହୋଇ ।

 

ସେମାନଙ୍କ ଭିତରୁ କେହିଜଣେ ଉଠିଯାଇ କେତୋଟି ଖାତା, କେତୋଟି ଶିଳ୍ପ ସୃଷ୍ଟି ଆଣି ଆଗରେ ରଖିଲେ ।

 

ସେଗୁଡ଼ିକର ଉଜ୍ଜ୍ୱଳତା ସେଗୁଡ଼ିକର ମୂଲ୍ୟ ଅଧିକ ଉଜ୍ଜ୍ୱଳ ଅଧିକ ଝଲମଲ ହୋଇ ଉଠିଥିଲା..... । ମନେ ହେଉଥିଲା ସୁନାର ପର ପରି ।

 

ଆମ ସମସ୍ତ ଆଖି ତ ଲୁହରେ ଛଳଛଳ ହେଉଥିଲା । ତଥାପି....ମୁଁ ଧୈର୍ଯ୍ୟ ଧରି ଫଟୋଟିକୁ ଚାହିଁଲି । ଆଖି ପୋଛି, ନିରୀକ୍ଷଣ କରି ଦେଖିଲି ଫଟୋଟିକି ।

 

ବାଇଶିଟି ବସନ୍ତର କୋମଳ କିଶଳୟ ଭିତରେ, ଶରତର ଗଙ୍ଗଶିଉଳି ବାସ୍ନାରେ...ବର୍ଷାଭିଜା ନରମ ମାଟିର ସବୁଜ ଶ୍ରୀରେ, ଜୀବନର କି ବିଭବ ଖୋଜୁଥିଲା ଟିଟୋ ? ଅନେକ ନାଆଁ ନଜଣା ସକାଳ ଚଢ଼େଇଙ୍କ ସୁରରେ ନିଜର କେଉଁ ସ୍ୱତନ୍ତ୍ର ସୁଲଳିତ ସୁରଟିଏ ଖୋଜୁଥିଲା ସେ ?

 

କିଏ ଜାଣେ କ’ଣ ସେ ପାଇଲା ନାହିଁ ? ଚେହେରାଟା ଆଉ ପାଞ୍ଚଜଣଙ୍କ ପରି, ଧାରୁଆ ମୁହଁ, ଅଳ୍ପ ହସିଲା ହସିଲା ଓଠ, ଛୁଞ୍ଚି ମୁନିଆ ହୋଇ ଈଷତ୍ ଲମ୍ବା ନାକଟିଏ ସେ ସବୁରେ କିଛି ବିଶେଷତ୍ୱ ଥିଲା ଭଳି ଲାଗିଲା ନାହିଁ । କିନ୍ତୁ ଆଖିରେ ପଡ଼ିଲା ପରି ଢଳ ଢଳ ଭାବମୟ ତା’ର ସୁନ୍ଦର ସବାକ୍‌ ଆଖି ଦୁଇଟି । ସେ ଆଖିକି ଅନେଇ ଦେଇ ମୁଁ ସମ୍ମୋହିତ ହୋଇଗଲି । ସେ ଚାହାଣୀର ଭାଷା, ମୋ ଭିତରେ ଗୁଞ୍ଜରିତ ହୋଇଉଠିଲା ଅତି ସ୍ପଷ୍ଟ, ଅତି ପ୍ରାଞ୍ଜଳ ଅତି ନିର୍ଭୁଲ ଭାବରେ ।

 

ଅଭିମାନଭରା ଅନୁନୟ ଆକୁଳ ସେ ଗୁଞ୍ଜରଣ ମୋର ପ୍ରତ୍ୟେକଟି ତନ୍ତ୍ରୀ କି ଥରେଇ ଦେଲା ! ମୁଁ ବୁଝିପାରିଲି– ସୁନା ହଂସମାନଙ୍କୁ କାହିଁକି ଆମେ ରଖିପାରୁ ନା, କାହିଁକି ସବୁଯାକ ଆଲୁଅ ଅନ୍ଧାରର ଚେମେଣିଆ ପବନରେ ଜଳୁ ନ ଜଳୁଣୁ ଲିଭିଯାଏ, କାହିଁକି ସବୁଯାକ କଢ଼ ଏମିତି ଫୁଟୁ ନ ଫୁଟୁଣୁ ଝରିପଡ଼େ ।

 

ମୁଁ ଚାଲିଗଲି ବୋଲି ମୋତେ ଦୋଷ ଦିଅନା, ଯିବା ନଯିବା କ’ଣ ମୋ ହାତର କଥା ହେଇଚି କି ?

 

ଏବେ ବି ମୁଁ ବୋଉ ଛାତିର ଉଷୁମ ବାପାଙ୍କ ହାତର ଆଶିଷଭରା ସୁଦୃଢ଼ ଅବଲମ୍ବନ ପାଶୋରି ପାରୁନାହିଁ । ଭାଇଭଉଣୀଙ୍କ ଅଳି, ଅନୁଯୋଗକୁ ଭୁଲି ପାରୁନାହିଁ ଭୁଲିପାରୁ ନାହିଁ ଏ ଘର ଆଗ ଛୋଟ ଫୁଲ ବଗିଚାକୁ, ମୋ ନିଜ ହାତରେ ଘଣ୍ଟା ଘଣ୍ଟା ସମୟ ଦେଇ ସଜାଇଥିବା ଏଇ ଡ୍ରଇଁ ରୁମ୍‌କୁ ।

 

ଆମ ଦାଣ୍ଡ ପାଖ କୃଷ୍ଣଚୂଡ଼ା ଗଛରେ ପାଖକୁ ପାଖ ଲାଗି ଯୋଉ ବଣୀ ଦିଓଟି ବସନ୍ତ, ସ୍କାଲାଇଟ୍‌ରେ ଯୋଉ ଘରଚଟିଆ ଯୋଡ଼ିକ ବସା ବାନ୍ଧି ଅଣ୍ଡା ଦେବା ଚେଷ୍ଟାରେ ଥିଲେ, ଯୋଉ ଗୁଣ୍ଡୁଚି ମୂଷାଟି ସବୁଦିନେ ସକାଳେ ବଗିଚାରେ ଦଉଡ଼ା ଦଉଡ଼ି କରୁଥିଲା.....ତାଙ୍କୁ ସବୁ ଏବେ ବି ମୁଁ ନିର୍ଭୁଲ ଭାବରେ ଚିହ୍ନି ପାରିବି ।

 

ମୋ ସାଙ୍ଗ ସୁସାନ୍ତର ଭଉଣୀ ରମା, ମୋରି ହାତ ତିଆରି ମୁକୁଟ ପିନ୍ଧି ଫ୍ୟାନ୍‌ସି ଡ୍ରେସରେ ଫାଷ୍ଟ ପ୍ରାଇଜ ପାଇବା କଥା ମୁଁ ଜାଣି ସାରିଛି...... । ରମା ଏବେ ମୋ’ ପାଇଁ ଲୁହ ଗଡ଼ାଉଛି । ମୁଁ ଖୁବ୍‌ ଦୁଃଖିତ । କିନ୍ତୁ ସେତେବେଳେ ? ମୁଁ ଥିଲାବେଳେ ? ତା’ ପାଖକୁ ଯାଉଥିଲା ସମୟରେ ? ମୋ ସାଙ୍ଗରେ ମନଖୋଲି କଥା କହୁଥିଲା ନା ମିଶୁଥିଲା ?

 

ଏ ପୃଥିବୀରେ ସହଜ ଅନ୍ତରଙ୍ଗତା ଟିକିଏ ବଡ଼ ବିରଳ ବଡ଼ ଦୁର୍ଲ୍ଲଭ । ସବୁବେଳେ ମଝିରେ ଅଭଙ୍ଗା ପ୍ରାଚିରଟା ଥିବ......ଅବୁଝା ଧାଡ଼ିଟିଏ ଥିବ....ଅପହଞ୍ଚ । ଜାଗାଟିକିଏ ରହିଯାଇଥିବ ।

 

ସମସ୍ତେ ତୁମକୁ ଦୂରେଇ ରଖିବେ । ହେଇ....ତମ ଆଗରେ ବାପା ବସିଛନ୍ତି ଏଇ କେତେଦିନେ କେଡ଼େ ଶୁଖିଲା କେଡ଼େ ଦୁର୍ବଳିଆ ଦିଶୁଛନ୍ତି । ବୃଷାଳ ଗଛଟାରେ, ସତେ ଘୂଣଧରି ଯାଇଛି । ବାପାଙ୍କ ହାତରେ କଳା ମଲାଟର ଖାତାଟିଏ ଦେଖି ପାରୁଛ ତ ? ଡାଇରୀ ଖାତା......

 

ସେଇଟା ମୋରି ଖାତା.....ସେଥିରେ କିନ୍ତୁ ମୁଁ ମୋର ଦିନଲିପି ଲିପିବଦ୍ଧ କରିନାହିଁ । ମୋ’ ଦିନଗୁଡ଼ାକ ବଡ଼ ଅଳ୍ପ ବଡ଼ ବିଚିତ୍ର ବେଶ ମଧୁର ମଧ୍ୟ । ମୁଁ ସେ ଦିନଗୁଡ଼ିକର - ମାଧୁରିମା, ମୋ ନିଜ ଭିତରେ ଲିପିବଦ୍ଧ କରି ରଖିଛି । ନିଜର ଅନୁଭବ ଦେଇ ।

 

ସେ ଖାତାରେ ଲେଖି ରଖିଛି କେତୋଟି କବିତା । ସେଦିନ କ’ଣ ସେ କବିତା ଏଡ଼େ ମୂଲ୍ୟବାନ ଥିଲା......ଏଡ଼େ ମନଛୁଆଁ ଥିଲା ? ବାପା ଆଦୌ ସେସବୁକୁ ଦେଖି ନଥିଲେ । ଦେଖିଥିଲେ ମୋ କପାଳରେ ଗାଳି ହିଁ ଯୁଟିଥାନ୍ତା । ଯଦି ତୁଣ୍ଡ ନ ଖୋଲି ଥାଆନ୍ତେ, ଆକାର ଇଙ୍ଗିତରେ ଜଣାଇ ଦେଇଥାଆନ୍ତେ, ବି.ଏ. ପାଶ୍‌ କରା ଯୋଗ୍ୟପୁଅ ସଂସାରଆଡ଼େ ଆଖି ନଦେଇ, ଉପାର୍ଜନର ଚେଷ୍ଟା ଚରିତ୍ର ନକରି, ଏଥିରେ ମାତିବା ସୁଲକ୍ଷଣା ନୁହେଁ । ସୁଖର କଥା ନୁହେଁ ।

 

କେହି ଭଲା ନିଚ୍ଛକ ଶିଳ୍ପୀ କି କବିଟିଏ ହେଇ କୁଟୁମ୍ୱ ପୋଷିଲାଣି, ପେଟ ପାଟଣା ଚଳେଇଲାଣି ବରଂ ଏମାନେ ସଂସାର ଯାକର ଆଘାତ ସହନ୍ତି ସବୁଯାକ ମାଡ଼ ଖାଆନ୍ତି ।

 

ସୁଅର ତୋଡ଼ କଟେ ୟା’ଙ୍କରି ଉପର ଦେଇ ।

 

କେଜାଣିବା ବାପା କଥାଟାକୁ ଏତେ ତଳେଇ ଭାବି ନଥାଆନ୍ତେ ଏତେ ବେଶି ଗୁରୁତ୍ୱ ଦେଇ ନ ଥାଆନ୍ତେ ଏ ସବୁରେ । ବରଂ ମନେ କରିଥାଆନ୍ତେ ଏ ସବୁ ଟୋକାବୟସର ଖିଆଲ । ଭଲ ଭଲ, ଅନ୍ୟାନ୍ୟ ଦୋଷଯୁକ୍ତ....ନାନା । ଜଟିଳତାରେ ଜଡ଼ିତ ନହୋଇ, ଏ ସବୁରେ ମାତିକା ଏକ ପ୍ରକାର ନିରାପଦ । ଅନେକ ଗୁରୁଜନ ଅଭିଜ୍ଞ ଅଭିଭାବକମାନେ ଏମିତି ଭାବନ୍ତି ଏଇଭଳି ଦେଖନ୍ତି କଥାଟାକୁ ।

 

ତଥାପି ମୁଁ ନିଶ୍ଚିତଭାବେ କହି ପାରୁନି ବାପ କ'ଣ କରିଥାଆନ୍ତେ......

 

ସେତେବେଳେ ଯଦି କିଛି କରିଥାଆନ୍ତେ ଆଜି ଥରକୁ ଥର ଚଷମା କାଚ ପୋଛି ଦେଖିବାକୁ ପଡ଼ି ନଥାଆନ୍ତା ଏ ଖାତାକୁ ଏ କବିତାଗୁଡ଼ିକୁ । କିନ୍ତୁ.....ଏ ସଂସାରରେ ଏ ଜୀବନରେ କେହି ଭଲା, କଲାବେଳେ କିଛି କରନ୍ତି ? ସ୍ୱର୍ଗକୁ ଶିଡ଼ି ବାନ୍ଧିବାର ସମୟ ଅଣହେଳାରେ ଅଜାଣତରେ ଖର୍ବ ହୋଇଯାଇଥାଏ ।

 

ଆହା.....ବାପା.....ଜାଣି ନ ଥିଲେ ତାଙ୍କ ପୁଅ କବିଟିଏ ବେଲି । ସୂର୍ଯ୍ୟ ରାଜ୍ୟରେ ଆଲୋକ ରାଜ୍ୟରେ ଖଦ୍ୟୋତଟିଏ ବୋଲି । ଏକା ବାପା ନୁହଁନ୍ତି ! ବୋଉ ବି କ’ଣ କିଛି ସଠିକଭାବେ ଜାଣିଥିଲା, କିଛି ସଠିକ୍ ଭାବେ ବୁଝୁଥିଲା..... ।

 

ତା’ର ସ୍ନେହକୁ ନେଇ ତା’ର ବାତ୍ସଲ୍ୟକୁ ନେଇ ତା’ ନିଜ ମିଠାରେ ନିଜେ ସେ ଜୁଡ଼ୁ ଜୁଡ଼ୁ ହୋଇ ତା’ରି ଆରିଶିରେ ସେ ମତେ ଦେଖୁଥିଲା..... ।

 

ଯଶୋଦା ବାଳୁତ ଶ୍ରୀକୃଷ୍ଣଙ୍କ ଦାନ୍ତ ଗଣୁଗଣୁ ବିଶ୍ୱରୂପ ଦେଖି ବିଶ୍ୱାସ ନ କଲାଭଳି ମୋ ବୋଉ ବି ମତେ ସେଦିନ ବିଶ୍ୱାସ କରୁ ନ ଥିଲା । ସେ ଭାବୁଥିଲା ! ଯୋଉ ପୁଅକୁ ସେ ତା’ରି ପେଟରୁ ଜନ୍ମ କରିଛି ! ସେ ପୁଣି ତାକୁ ବଳେଇଯିବ; ବହକି ପଡ଼ିବ ?

 

କୁମ୍ଭାର ଚକରେ କେତେ ହାଣ୍ଡି ମାଠିଆ କେତେ ପାତ୍ର ଗଢ଼ା ନ ହୁଏ, ସବୁଯାକ କ’ଣ ଚକ– ଘରା ସହିତ ମାପରେ ସମାନ ହୁଏ ?

 

ଏଣୁତେଣୁ ରଙ୍ଗ ନେଇ ତୁଳୀନେଇ ଆଙ୍କିଲି ଜଗନ୍ନାଥଙ୍କ ଛବି, ଦେଖିଛଟି ଜଗନ୍ନାଥଙ୍କୁ-? ଦେଖିଲାପରି ଦେଖିଛଟି ? ସେ ଚକା ଚକା ଆଖି.....ଯେମିତି ତୁମକୁ ଗୋଟିପଣେ ଓଟାରି ନିଏ.... । ସେ ରଙ୍ଗା ଅଧର ଯେମିତି ଜୀବନର ଆଉ ସବୁ ରଙ୍ଗକୁ ତା’ରି ରଙ୍ଗରେ ରଙ୍ଗେଇ ଦିଏ । ତୁ ....ମୁଁ କୁ ଏକ କରିଦିଏ ।

 

ସେଇ ଜଗନ୍ନାଥଙ୍କ ଛବି ଆଙ୍କିଥିଲି । ବୋଉ ଘଣ୍ଟା ଘଣ୍ଟା ହାତ ଯୋଡ଼ି ଦର ନିମିଳିତ ନେତ୍ରରେ ଜଗନ୍ନାଥ ଫଟୋ ଆଗରେ ଠିଆ ହୁଏ । ମୁଁ ତାକୁ ଟାଣି ଓଟାରି ଆଣିଲି ମୋ ଅଙ୍କା ଜଗନ୍ନାଥ ଦେଖିବାକୁ । ସେ ଦେଖିଥିଲେ ମୁଁ ବି ହୃଦୟ ଦେଇ ଦର୍ଶନ କରି ଥାଆନ୍ତି ମୋ’ ଶିଳ୍ପ ସୃଷ୍ଟିରେ ଆଉରି ଥରେ ତାଙ୍କୁ ।

 

କେମିତି ସୁନ୍ଦର ସେ ଆଖି, ସେ ଅଧର, ବର୍ଷୁକ ନବଘନ ସମ କେଡ଼େ ଚିକ୍‌କଣ କଳା ସେ ଶ୍ରୀମୁଖ ମୁଁ ଆହୁରି ଥରେ ଅନୁଭବ କରିଥାଆନ୍ତି । ହେଲେ ବୋଉ କ’ଣ ଦେଖିଲା ? ତା’ର ସହଜ ସୁଲଭ ସ୍ନେହାନ୍ଧ ପଣରେ ଓଠ ନେଫେଡ଼ି କହିଲା–

 

ତୁ ଉଠ୍‌ରେ......ୟେ ଗୋଟାଏ ମଣିଷ ହେଲାଣି ଜଗନ୍ନାଥ ଆଙ୍କିବାକୁ । ତୁମେତ ଫେର୍‌ କହୁଚ ଅତି ଉଚ୍ଚକୋଟିର ଶିଳ୍ପ ସୃଷ୍ଟି, ଅତି ସୁନ୍ଦର ଅଙ୍କା ହୋଇଚି ବୋଲି । ଆଜି ବିଚାରି ବୋଉ ମୋର ଅନେକ ଚଢ଼ାମୂଲ୍ୟ ଦେଇ ଅକଳନ ଦୁଃଖ ଭିତରେ ବିଶ୍ୱାସ କରୁଚି ସେକଥା ।

 

କାନ୍ଦୁଛି ଝରଝର ହୋଇ ! କାନ୍ଦିଲେ ମୁଁ ଆଉ କ’ଣ କରିପାରିବି ? ରାତି ରାତି ଅନିଦ୍ରା ହୋଇ ସେଇ ତକ୍ତପୋଷଟି ଉପରେ ଅଣ୍ଟା ଭାଙ୍ଗି ବସି, ମୁଁ ମୋର ଲାଗିଥିଲି ନିଜ କାମରେ ! ହଜି ଯାଇଥିଲି ନିଜ ଭିତରେ ! ମଜ୍ଜି ରହିଥିଲି ନିଜ ସୃଷ୍ଟିରେ । ଘଣ୍ଟାର ଟିକ୍‌ ଟିକ୍‌ ଆଓ୍ୱାଜ ମତେ ଶୁଭୁ ନ ଥିଲା । ସମୟ ମୋ ପାଖରେ ସ୍ଥିର ହୋଇ ଯାଇଥିଲା ।

 

କେତେ ପିଲାଙ୍କୁ ଫାନ୍‌ସି ଡ୍ରେସରେ ଜିଣିବାକୁ ମୁକୁଟ କରି ଦେଇଛି... କେତେ ନୂଆ ବର୍ଷରେ କାର୍ଡ଼ ଆଙ୍କିଚି... । କେତେ ପରି-କନ୍ୟା... କେତେ ଉଡ଼ନ୍ତା ଚଢ଼େଇ ଫୁଟନ୍ତା ଫୁଲ କରିଚି ବସି ବସି... । କେତେ କବିତା ଲେଖିଚି... । ଏଇଠି ... ଏଇ ଘରେ ।

 

କେତେ ଜଳିଛି ମିଞ୍ଜି ମିଞ୍ଜି ହୋଇ । ଇନ୍ଧନକୁ ଅପେକ୍ଷା ରଖି ! ସସ୍ନେହ ପଣତ ଅଢ଼ୁଆଳରେ ସ୍ୱୀକୃତି କରି ଚାହିଁ ଚାହିଁ । ବୋଉ ତା’ର ସେ ଘରେ ଲାଇଟ୍‌ ନିଭେଇ ନିଘୋଡ଼ ନିଦରେ ଶୋଇଥିଲା । ମଝିରେ ମଝିରେ ନିଦ ଭାଙ୍ଗି ଗଲେ, ମୋ ଦେହ ଖରାପ ହେବ ବୋଲି ଆଶଙ୍କା କରି ମୋ ଉପରେ ବିରକ୍ତ ହେଉଥିଲା । ମୋ ଭବିଷ୍ୟତ କଥା ଭାବୁଥିଲା ।

 

ବୋଉ ଖାଲି ମୋ ଦେହ ମୋ ଭବିଷ୍ୟତ କଥା ନେଇ ବିବ୍ରତ ହୁଏ । ମୋ ମନର ଭଙ୍ଗା ଗଢ଼ା ତା’ର ଅଗୋଚର । ମୋର ବର୍ତ୍ତମାନର ଆବଶ୍ୟକତା ତା’ର ଅଜଣା ।

 

ଯେମିତି କାହାଣୀର ସେ ରାଣୀହଂସର ବର୍ତ୍ତମାନ ସ୍ଥିତିକୁ ଆଉ ରୂପକୁ ଦେଖୁ ନଥିଲେ । ହଂସଟି ଉଡ଼ିଗଲା.....ଝଡ଼ିପଡ଼ିଲା ପରଟିଏ... । ସବୁ ସୁନା ହଂସମାନେ ସେତକ ଝାଡ଼ି ଦେଇ ଯାଆନ୍ତି ।

 

ଏ ପୃଥିବୀ ବିଷଣ୍ଣ, ଆର୍ତ୍ତ ଓ ଅସହାୟ । ତଥାପି ଏ ପୃଥିବୀରେ ଗୋପନ ମାଣିକ୍ୟ ଭଣ୍ଡାର ଲୁଚି ରହିଚି । ଆନନ୍ଦର କ୍ଷୀଣ ଦୁର୍ବଳ ଫଲ୍‌ଗୁ ଧାରାଟିଏ ଆର୍ଦ୍ର ମେଦୁର କରି ରଖିଚି ଏ ସଂସାରର ସକଳ ରିକ୍ତତାକୁ । କରୁଣାର ସ୍ନିଗ୍‌ଧ ଶୀତଳ ସ୍ପର୍ଶ ଟିକିଏ ଅଛି ଏଠି ।

 

ସୁନା ହଂସମାନେ ଏ ରହସ୍ୟଟିକି ବୁଝି ପାରନ୍ତି । ଏ ଋଣକୁ ସସ୍ନେହ ସାଦର ସ୍ୱୀକୃତି ଦିଅନ୍ତି । ତା’ ନ ହେଲେ ଏ ପୃଥିବୀ ଅଧିକ ଉଷର ଛାୟା ଶୂନ୍ୟ, ଜଳ ଶୂନ୍ୟ, ମରୁପ୍ରାନ୍ତର ପାଲଟି ଯାଆନ୍ତାନାହିଁ ? ସୁନା ହଂସ ମାନେ ଏଠିକି ଆସିବାତ ଦୂରର କଥା, ଅନ୍ୟମାନେ ବି ବଞ୍ଚି ପାରନ୍ତେ ନାହିଁ । ନିଃଶ୍ୱାସ ନେଇ ପାରନ୍ତେ ନାହିଁ ।

 

କିନ୍ତୁ ନିଃଶ୍ୱାସ ନବ ବୋଲି ତମ ନିଶ୍ୱାସର ଉଷ୍ମ ଉତ୍ତପ୍ତ ବାମ୍ଫରେ, ଆଉ କିଛି ସତେକ ରହିବାକୁ କଅଁଳି ଜୀଇଁ ରହିବାକୁ ଦବନାହିଁ, ୟେ କୁଆଡ଼ିକାର ନ୍ୟାୟ ? ତମେ ତମର ଚାଲ ସେବାଟେ । ସେଇ ବହୁ ପରିଚିତ, ବହୁ ପଦାଙ୍କିତ ଧତରା ଶଗଡ଼ ଚକରେ, ଆଣ୍ଠୁଗଳି ପଡ଼ୁଥିବା ଧୂଳିରେ ଆବର୍ଜନାରେ ନାକ ରୁନ୍ଧିହୋଇ ଯାଉଥିବା ଅନେକ କାଳୁ ବେମରାମତି ରାସ୍ତାରେ ।

 

କିଏ ନାହିଁ କରୁଚି ? ନାହିଁ କଲେ ତମେ କୋଉ ଶୁଣିବ ? ଆଉ କେହି ଯଦି ଗୋଟାଏ ମସୃଣ ପ୍ରଶସ୍ତ ସଂକ୍ଷିପ୍ତ ପଥର ସନ୍ଧାନ ପାଏ । ଆଉ ସେବାଟେ ନବାକୁ ମନେକରେ । ତମେ ବାଧା ଦେବାକୁ, ଓଟାରି ଆଣିବାକୁ, ଅଣଆୟତ ଅଣନିଃଶ୍ୱାସି କରି ଯାବୁଡ଼ି ଧରିବାକୁ କିଏ ?

 

ଭଲ ପଢ଼ୁଥିଲି ବୋଲି ମତେ କେହି ଦିନେ ହେଲେ ପ୍ରଶଂସା କରିନାହିଁ । ମୁଁ ବି ପୋଷା ଶୁଆ ପରି ଘୋଷା ବଳଦ ନଥିଲି । କହିଲ ! କାହିଁକି ସେମିତି ହୋଇଥାନ୍ତି ।

 

ଆଲଜେବ୍ରାର ଗୁଡ଼ାଏ ଫରମୁଲା, ସାହିତ୍ୟର ସେଇ ଚର୍ବିତ ଚର୍ବଣ ଶବ୍ଦ ଭଣ୍ଡାର, ଇତିହାସର ସେଇ ଦାମି ନାଁ ଗୁଡ଼ା, ଆଉ ପୃଥିବୀ ଗୋଲ କି ଚେପଟା ଏଇ କଥାକୁ ହଜାରଥର ଘୋଷିବାକୁ ମତେ ପିଲାଦିନୁ ବାନ୍ତି ମାଡ଼ୁଥିଲା । ଏ ଦୁନିଆଟା ଏମିତି ବେକୁବ୍‌ । ମଲାଟଟାକୁ ଘୋଷି ଘୋଷି ବେଳ ଗଡ଼େଇ ଚାଲିଛି । ଭିତରେ ଯେ ଅନେକ ଅନୁଦ୍‌ଘାଟିତ ରହସ୍ୟ ଅଜଣା ପାଠ ଜାଣିବା ବାହାରେ ରହିଯାଉଛି ।

 

କଦଳୀ ଚାଉଳ ବନ୍ଧା ପାଠ ପଢ଼ୁପଢ଼ୁ ସମସ୍ତେ ଏଠି ନିଜକୁ କ୍ଷୟ କରିଯାଆନ୍ତି ... ସମୟକୁ କ୍ଷୟ କରିଯାଆନ୍ତି... । ଯିଏ ସେ ତାଲିକାରୁ ସେ ଧାଡ଼ିରୁ ବାହାରିଯାଏ, ତାକୁ ମଙ୍ଗୁଠି ଦେଖେଇ ଚିହ୍ନଟ କରନ୍ତି, ସନ୍ଦେହ କରନ୍ତି ଅବିଶ୍ୱାସ କରନ୍ତି । ଛାଡ଼ ସେ କଥା... ।

 

ମୋ ବାଟ ମୁଁ ନିଜେ ନିଜେ କଣ୍ଟାଝଟା ଅରମା କାଟି ତିଆରି କରୁଥିଲି । ସେ କରିବାରେ ସେ ଲାଗିରହିବାରେ ଭାରି ଆନନ୍ଦ... ଭାରି ରୋମାଞ୍ଚ... ମୋରି ପଦଚିହ୍ନ ଥିଲା ସେ ବାଟର ରେଖା ସଙ୍କେତ... ।

 

ବାପା ମୋ ବିଷୟରେ କ’ଣ ଚିନ୍ତା କରୁଥିଲେ ମତେ କେତେ ବୁଝୁଥିଲେ ସେଥି ପ୍ରତି ମୁଁ ଧ୍ୟାନ ଦେଇ ନ ଥିଲି । ତାଙ୍କୁ ଏଡ଼େଇ ହେଉଥିଲା । କିନ୍ତୁ ବୋଉ ! ବୋଉକୁ ଅନେଇଲେ ମୁଁ ଅକାରଣେ ଶଙ୍କି ଯାଉଥିଲି ।

 

ମାଆର ସ୍ନେହଠାରୁ ବଳି ସ୍ନେହ ନାହିଁ ବୋଲି ସମସ୍ତେ କହନ୍ତି ! ମୁଁ ବି ଜାଣେ ମୋ ବୋଉ ମତେ କେତେ ଭଲପାଏ । କିନ୍ତୁ ପାର୍ଥିବ ସ୍ନେହ ଯେତେ ସୂକ୍ଷ୍ମ ଯେତେ ସୁନ୍ଦର ମଧୁର ହେଉ ପଛକେ ସେଥିରେ ବନ୍ଧନର ଯନ୍ତ୍ରଣା ଥାଏ । ଆଉ ଲୁହାର ବନ୍ଧନଠାରୁ ଫୁଲର ବନ୍ଧନରେ କ’ଣ ବା ତଫାତ ।

 

ବୋଉ ସ୍ନେହ ପାଇଁ ବୋଉର ଭରସା ପାଇଁ, ବୋଉର ସ୍ୱପ୍ନ ପାଇଁ ମୁଁ ଇଣ୍ଟରଭିୟୁ ଦେଇଚି......ଅଫିସ୍‌ରୁ ଅଫିସ୍‌ କି ଘୂରି ବୁଲୁଛି..... । ସଂସାରର ସେଇ ପଙ୍କ କାଦୁଅରେ ଘାଣ୍ଟି ହେବାକୁ ସେଇ ବେଙ୍ଗଳାରେ ଯୋଚା ହେବାକୁ......ମନକୁ ଅନେକ ପ୍ରବର୍ତ୍ତେଇଚି । ତଥାପି କ’ଣ ଅବ୍ୟାହତି ପାଇଚି ? ମୁଁ ହିପ୍‌ପି ହବାକୁ ମୋଟେ ପସନ୍ଦ କରୁ ନ ଥିଲି ।

 

ବନ୍ଧନର ବି ଗୋଟାଏ ଅଫିମିଆ ନିଶା ଅଛି । ସେ ନିଶା ମତେ ଖୁବ୍‌ ଜୋରରେ ଧରେ-। ଆଉ ମୁକ୍ତିର ଛଳନା କରି ବନ୍ଧନକୁ ଏଡ଼ାଇବାର କୌଣସି ମାନେ ନାହିଁ ।

 

ମୋ’ ମତରେ ଯେଉଁମାନେ ହିପ୍‌ପା ସାଜୁଛନ୍ତି ସେମାନେ ଅଧିକ ଗୁଡ଼େଇ ତୁଡ଼େଇ ଛନ୍ଦିଛାନ୍ଦି ହୋଇ ଯାଉଛନ୍ତି, ଗଣ୍ଟିଗୁଡ଼ା ଅଧିକ ଶକ୍ତ ହେଉଛି ।

 

ମୁଁ କେବଳ ହିପ୍‌ପି କଟ୍‌ ଲମ୍ବା ବାଳ ଟିକିଏ ରଖିଥିଲି । ମାତ୍ର ସେତିକି । ସେତିକିରେ ବୋଉର ଯେଉଁ ଯେରା... ଆଉ ସେଥର.. ଅଜୟର ସାନ ଭଉଣୀ ମିନା ମତେ ଫୁଲପକା ରୁମାଲ ଖଣ୍ଡେ ଦେଇଥିଲା । ତାକୁ ଦେଖି ମୋ’ ଭଉଣୀର ସନ୍ଦେହ ହେଲା ମୁଁ କୁଆଡ଼େ ପୂରାପୂରି ପ୍ରେମରେ ପଡ଼ିଯାଇଛି......

 

ସ୍ନେହ ଶ୍ରଦ୍ଧା ଶୁଭାକାଙ୍‌କ୍ଷା ମଧ୍ୟ ତଣ୍ଟି ଚିପି ଦିଏ......ଅଣନିଃଶ୍ୱାସୀ ଅଣାୟତ୍ତ କରି ପକାଏ । ଏମିତି ବୁଝା ଅବୁଝା ଛାଇ ଆଲୁଅ ଭିତରେ ମୋର କଟିଥିଲା ବାଇଶଟି ବର୍ଷ, ବାଇଶଟି ବସନ୍ତ..... । ଆଉରି ଅନେକ......ଅନେକ ବର୍ଷ ଏ ସଂସାରରେ ଏ ଘରେ କଟାଇବାକୁ ମୋର ବାସନା ଥିଲା ।

 

ମୁଁ ଭାବୁଥିଲି ସବୁ ସନ୍ଦେହ, ଅବିଶ୍ୱାସ, ଅବଜ୍ଞାକୁ ଉଲଙ୍ଘନ କରି ଦିନେ ନା ଦିନେ ଖରସ୍ରୋତ ବେଗମତୀ ନଦୀଟିଏ ଭଳି ମୁଁ ସେପାଖକୁ ଉଛୁଳି ପଡ଼ିବି । ବୋଉ ଜଗନ୍ନାଥଙ୍କ ଛବି ଦିନେ ନା ଦିନେ ଦେଖିଦ......ବାପା ଦିନେନାଦିନେ କବିତା ପଢ଼ିବେ, ଭଉଣୀଟି ବିଶ୍ଵାସ କରିବ ଭାଇ ତା’ର ରସିକ ଜୀବନର ପ୍ରେମିକ ।

 

X X X

 

ଆଜି ଯେତେବେଳେ ସେଇଦିନ ଆସିଲା... ସେତେବେଳେ ମୁଁ ନାହିଁ... ସୁନାର ପର ପାଇଲାବେଳେ ହଂସ ଉଡ଼ିଯାଇଛି... । ଏଇ ମୁହୂର୍ତ୍ତରେ ଭାରି ମନ ହେଉଛି ମରଣର ସୀମାରେଖା ଡେଇଁ କାଳର ବିଧାନକୁ ବିଫଳ କରି ଦେହଧାରୀ ହୁଅନ୍ତି । ବାପାଙ୍କର ସେ ଲୁହ ଭିତରକୁ, ବୋଉର ବିଶ୍ୱାସ ଭିତରକୁ ପୁଣି ଥରେ ଫେରି ଯାଆନ୍ତି ।

 

ମନଇଚ୍ଛା କବିତା ଲେଖନ୍ତି, ଛବି ଆଙ୍କନ୍ତି ! ରାତି ରାତି ଅନିଦ୍ରା ହୁଅନ୍ତି, ଲାଇଟ୍‌ ଜାଳି... ମିନାଠାରୁ ଆହୁରି ଫୁଲପକା ରୁମାଲ ଆଣନ୍ତି । ଜୀବନର ରସପାନ କରନ୍ତି ଆକଣ୍ଠ ଭାବେ । ସହଜରେ ବାଟ କାଟି ଯାଆନ୍ତି, ନିଃସଙ୍ଗତା ନ ଥାନ୍ତା ।

 

ଅସହାୟ ଲାଗନ୍ତା ନାହିଁ । ସବୁ ସହଜ ହୋଇଯାଆନ୍ତା... । ସୁଲଭ ହୋଇଯାଆନ୍ତା... କି... ନ୍ତୁ...

 

ମୁଁ ଜାଣେ, ମୁଁ ବୁଝିପାରୁଚି, ସେମିତି ହବାର ନୁହେଁ...

 

ବିଚ୍ଛେଦର ଅଶ୍ରୁ ମରଣର ଆଶୀର୍ବାଦ ଯାହା ଦେଇଚି... ମିଳନ ଅଥବା ଜୀବନର ନିର୍ଦୟ ବାଟମାରଣା ପଣରେ ମୁହୂର୍ତ୍ତକେ ସେତକ ଲୁଟି ନେବ ।

 

ସେମାନେ ସମସ୍ତେ ପୁଣି ବଦଳି ଯିବେ... ପୁଣି ଇଣ୍ଟରଭିୟୁ ଦେବାକୁ କହିଲେ, ଚାକିରି କରିବାକୁ ପ୍ରବର୍ତ୍ତେଇବେ । ମେରୀଖୁଣ୍ଟିର ମୂଳ ବଳଦ କରି, ଆଣ୍ଟ କରି ବେଙ୍ଗଳାରେ ଯୋଚି ଦେବାକୁ ବ୍ୟଗ୍ର ହୋଇ ଉଠିବେ ।

 

ସେମାନେ ଖାଲି ପରଟିରେ ସନ୍ତୁଷ୍ଟ ହେବେ ନାହିଁ... । ଗୋଟି ପଣେ ସୁନାର ହଂସକୁ ରଖିବାକୁ ଯାଇ ତୋଟି ଚିପି ଦେବେ ।

 

ତା’ ପରେ ଆଉ ସୁନା ନୁହେଁ, ଝଡ଼ିପଡ଼ିବ ସାଧାରଣ ଧଳା ପକ୍ଷୀ ଗୁଡ଼ାଏ... ।

 

ନା... ନାଁ... ଏମିତି ଏଇ ଫଟୋ ଭିତରେ, ସେଇ କବିତା ଭିତରେ ସେଇ ଛବି ଭିତରେ ମୁଁ ଜୀଇଁଥାଏ... !

 

ସୁନାର ପର ଚେତାଉ ଥାଉ ସୁନାର ହଂସ କଥା... ।

 

X X X

 

ମୁଁ ଚମକି ପଡ଼ିଲି... ଅନେକ ବେଳୁ ଘରକୁ ଯିବାକୁ ସେ ମତେ ଡାକୁ ଥିଲେ... ।

 

ଉଠି ଛିଡ଼ା ହେଲି । ଫେର ଥରେ ଚାରି ଆଡ଼େ ଆକ୍ଷି ବୁଲେଇ ଆଣିଲି । ଏ ବିଶୃଙ୍ଖଳା, ଏ ଶୋକ ଚିହ୍ନ, ଏ କ୍ଷତର ରକ୍ତଧାର ସମୟ ଆସ୍ତେ ଆସ୍ତେ ପୋଛି ନବ......

 

ଟିଟୋର ଏ ଫଟୋରେ ଧୂଳି ଯମି ଯିବ, ପୋଛିବାକୁ ହୁଏତ ମନେ ପଡ଼ିବ ନାହିଁ । କେତେ ସ୍ମୃତି, କେତେ କାହାଣୀ, କେତେ ସୁଖ-ଦୁଃଖ, ଜୀବନ–ମୃତ୍ୟୁ ଏମିତି ଏ ଅଖଣ୍ଡ କାଳ ସୁଅରେ ଭାସି ଯାଉଛି... ଲୀନ ହୋଇ ଯାଉଛି.....

 

ଖେଳୁ ଖେଳୁ......ପାହି ସେ ପାଖକୁ, ଖେଳ ପଡ଼ିଆ ବାହାରକୁ, ଛିଟିକି ପଡ଼ୁଛନ୍ତି ସମସ୍ତେ.....

 

କେତେ ସୁନାର ହଂସ ଉଡ଼ି ଯାଉଛନ୍ତି । କେତେ ସୁନାପର ହଜି ଯାଉଛି କାହିଁ କୁଆଡ଼େ-

 

ବର୍ତ୍ତମାନ କିନ୍ତୁ......ଶୋକ ଗମ୍ଭୀର ସ୍ନେହ ସଜ୍ଜଳ ଏ ଅନ୍ତରଙ୍ଗ ପରିବେଶର ନାୟକ ଟିଟୋ ।

 

ପରମ ମୂଲ୍ୟବାନ ତାର–

 

ଶିଳ୍ପ-ସୃଷ୍ଟି,

 

ତା’ର କବିତା,

 

ତା’ର ଶିଳ୍ପୀଗୁଣ

 

କବିପଣ

 

ମୁଁ ତାକୁ ସଶ୍ରଦ୍ଧ ସମ୍ମାନ ଜଣେଇଲି ମଥାନତ କରି, ଫଟୋ ଉପରେ ଥୋଇ ଦେଲି–

 

ସଜ ଫୁଲଟିଏ ।

Image

 

Unknown

ବ୍ୟତିକ୍ରମ

 

ଯଦୁନାଥବାବୁ ଥରେ ସ୍ତ୍ରୀଙ୍କର ବେଶପୋଷାକକୁ, ତତ୍‌ପରେ ତାଙ୍କ ହାତର ବୃହତ୍‌ ରଙ୍ଗୀନ୍ ପୁଡ଼ିଆକୁ ସର୍ବଶେଷରେ ସର୍ବଂସହା ଚିରମୌନ ଧରିତ୍ରୀକୁ ଚାହିଁଲେ... । କେତେ ନାଟ ନବରଙ୍ଗ କେତେ ଲୀଳାଖେଳା କରି କିଏ କୁଆଡ଼େ ଗଲେଣି । ଖାଲି ପଡ଼ି ରହିଛି ଏଇ ମାଟି । ସମସ୍ତଙ୍କର ଉଦୟ ପୁଣି ଐଶ୍ୱର୍ଯ୍ୟମୟ ମଧ୍ୟାହ୍ନ ସଙ୍ଗେ, ସକରୁଣ ଅସ୍ତରାଗ ଦେଖି ଦେଖି ।

 

ଏଇ ମହୀଟା... କାଲି ସକାଳେ କେଡ଼େ ବକଟେ ପିଲା ଥିଲା । ବିଧବା ମା’ କହିଲା ଭଳି ଆପଣା ପେଟରେ ଓଦାକନା ଦେଇ, ପିଠିରେ ଉଷୁନା ଧାନ ଗଜା କରି ଛୁଆଟାକୁ ବଢ଼େଇଲା-

 

ମୁହୂର୍ତ୍ତକେ ଯଦୁନାଥବାବୁଙ୍କ ମନ ବର୍ତ୍ତମାନର ସ୍ଥିତି ଭୁଲି, ଅତୀତର ରହସ୍ୟମୟ ରାଜ୍ୟରେ ପ୍ରବେଶ କଲା ।

 

ହେଇ, ମହୀ, କୁଟାସରୁ ହାତଗୋଡ଼ ଦେହରୁ କଳାପାଣି ନିଗିଡ଼ି ପଡ଼ୁଛି । ଟୁମୁକାହେଇ ପେଟଟି ବାହାରିଛି ଆଗକୁ । ମୋଡ଼ିଦେଇ କୌପୁନୀ ମାରିଲା ପରି ପିନ୍ଧିଛି ଖଣ୍ଡେ ସାତଚିରା ହାପ୍‌ପ୍ୟାଣ୍ଟ । ତଥାପି କ’ଣ ଅଛି ତା’ ଚେହେରାରେ, କ’ଣ ଅଛି ତା’ ଭିତରେ ? କି ଏକ ଉଜ୍ଜ୍ୱଳ ଆଲୁଅ ଝଲମଲ କରୁଛି ତା’ ଚେତନାରେ ? ଯାହାର ଦ୍ୟୁତି ଫୁଟି ବାହାରୁଛି ତା’ର ଦୁଇଟି ଆଖି ଦେଇ ।

 

ସେତିକି ତାକୁ ଆକର୍ଷଣୀୟ, ଆଦରଣୀୟ କରିଛି.....

 

ସମୟ ବେଳେ ଏଇ ମହୀ, ମହକି ଉଠିବ, ଏଇ ନିଆଁ ଝୁଲଟିକ ଇନ୍ଧନ ପାଇଲେ ଜଳିଉଠିବ । ଏ ବିଶ୍ୱାସ ଆସୁଛି । ଦୃଢ଼ ହେଉଛି ଆପଣା ଛାଏଁ ।

 

ଯଦୁନାଥ ବାବୁ, ଅବଶ୍ୟ ଏ ଭଳି ଏକ ବିଶ୍ୱାସ ରଖି, ଅବା ମହୀ ସମ୍ବନ୍ଧେ ଗୋଟାଏ ଉଜ୍ଜ୍ୱଳ ଚିତ୍ର ଆଙ୍କି ଯେ ପସ୍ତେଇଛନ୍ତି, କି ଠକି ଯାଇଛନ୍ତି, ସେ କଥା ନୁହେଁ ।

 

ତାଙ୍କର ଯତ୍‌କିଞ୍ଚିତ ସାହାଯ୍ୟ, ସହଯୋଗ ମହୀକି ଖୁବ୍ ବଳ ଦେଇଛି, ଭରସା ଦେଇଛି-

 

ସେ ଦିନର ମହୀ ଆଜି ମହେଶ ପ୍ରସାଦ ଚୌଧୁରୀ, ଆଇ. ଏ, ଏସ. । ସରକାରଙ୍କର ଉଚ୍ଚ କ୍ଷମତାପନ୍ନ ପଦସ୍ଥ କର୍ମଚାରୀ ।

 

କେବଳ ସେତିକି ନୁହେଁ । ମହେଶ ସୁବକ୍ତା, ସୁ ଲେଖକ । ସାଧାରଣ ମାନସରେ ତା’ର ଆସନ ସ୍ୱତନ୍ତ୍ର, ସ୍ମରଣୀୟ ।

 

ସଫଳ, ସରସ, ସୁନ୍ଦର ଜୀବନଯାପନ କରି ସେ ସୁଖରେ ଅଛି ।

 

ମହୀ ମାଆଙ୍କର ଲୁହ, ଶ୍ରମ, ସାଧନା ସଙ୍ଗେ ଯଦୁନାଥ ବାବୁଙ୍କ ନିସ୍ୱାର୍ଥ ପ୍ରଚେଷ୍ଟା ସମ୍ପୂର୍ଣ୍ଣ ଭାବେ ସାର୍ଥକ ହୋଇଛି... । ତଥାପି... ।

 

ସବୁବେଳେ, ସବୁ ସରଳ କଥାକୁ ଜଟିଳ କରି, ସବୁ ଅର୍ଥକୁ ଅନର୍ଥ କରି, ସବୁ ସମସ୍ୟାରେ ବିରାଟ ପ୍ରଶ୍ନବାଚକ ଚିହ୍ନ ଆଙ୍କି ମନରେ କଣ୍ଟା ଫୋଡ଼େ, ଏଇ ତଥାପି...... ।

 

ଗାରଟଣା ନକ୍‌ସା ଏକ ସର୍ବାଙ୍ଗ ସୁନ୍ଦର ଚିତ୍ରରେ ରୂପାନ୍ତରିତ ହେଲା.... । ଜୀବନର ଶୂନ୍ୟପାତ୍ର ରସରେ ଟଳମଳ ହେଇ ପରିପୂର୍ଣ୍ଣ ହୋଇଉଠିଲା । ଉଦୟ ସୂର୍ଯ୍ୟ ମଧ୍ୟାକାଶରେ, ପୂର୍ଣ୍ଣ ତେଜରେ ଜାଜ୍ଜ୍ୱଲ୍ୟମାନ ରହି ଆଲୋକ ବିଚ୍ଛୁରିତ କଲା । ତେବେ’ବି ଅନ୍ତରରେ ଅତୃପ୍ତି, ଭିତରେ ଖୁଂତ୍‌ ଖୁଂତ୍‌ ଭାବ । କିଛି ଗୋଟାଏ ରହିଗଲା । କ’ଣ ଟିକିଏ ହେଲାନାହିଁ । ହୋଇପାରିଲା ନାହିଁ ।

 

କ’ଣ ହେଲା ନାହିଁ ? ଯଦୁନାଥ ବାବୁଙ୍କ କାନ ପାଖରେ କିଏ ଯେପରି ଉପହାସବ୍ୟଞ୍ଜିତ ମୃଦୁ କଣ୍ଠରେ କହିଦେଲା– ମଣିଷ ପଣିଆ... । ହଠାତ୍‌ ଯଦୁନାଥବାବୁ ନିଜ ଉପରେ ରାଗିଉଠିଲେ, ନିଜେ ସେ ମଣିଷ ହେଇଛନ୍ତି, ତାଙ୍କ ବିଗତ ଚୌଦପୁରୁଷ ହେଇଛନ୍ତି ନାଁ ଅନାଗତ ଅଠାଳୋଇ ପୁରୁଷ ମଣିଷ ହବାର କିଛି ନିଶ୍ଚିତ ଗ୍ୟାରେଣ୍ଟି ଅଛି ???

 

ସମସ୍ତେ ତ ବାବୁ, ଚାଲିଛନ୍ତି ସେଇ ବାଟ ଦେଇ ଜେଝା ସାଧ୍ୟମତେ, କିଛି ସାମର୍ଥ୍ୟ ଘେନି । ଦିନକେ କିଏ କେତେ ଆଗୋଉଛି, କିଏ କୋଉଠି ଥକିପଡ଼ି ବସିଯାଉଛି..... । ଦିନ ଗଡ଼ିଯାଉଛି । ରାତି ବିତି ଯାଉଛି । ଚାଲିବାର କ’ଣ କାହାରି ବିଶେଷ ହେଲାଣି ?

 

ସେଗୁଡ଼ା ବିଚାର କରିବାକୁ, ତା’ ଉପରେ ପଣ୍ଡିତପଣିଆ ଦେଖାଇବାକୁ ସେ କିଏ ?

 

‘ହେ କାଳ ତୁମକୁ ନମସ୍କାର ।’

 

ତୁମର ପ୍ରବଳ ପ୍ରବହମାନ ଶ୍ରୋତମୂଖରେ କେତେ ମହୀ, କେଡ଼େ ଯଦୁନାଥ, କେତେ ମହା ମହା ମହୀଋହ ମାନ ତୃଣ ଖଣ୍ଡସମ କୁଆଡ଼େ ଭାସିଯାଉଛନ୍ତି ।

 

X X X

 

ଯଦୁନାଥ ବାବୁଙ୍କ ଦାର୍ଶନିକ ଭାବନା କେତେବେଳ ଯାଏ ଚାଲିଥା’ନ୍ତା କେଜାଣି, ସ୍ତ୍ରୀ ପଦ୍ମାଳୟା ଚେତାଇ କହିଲେ ‘‘କ’ଣ ଏଇ ମାନ୍ଧାତା ଅମଳର ବେଶ ପୋଷାକରେ ଯିବ ନା କ’ଣ ? କେଡ଼େ ଥାଟ୍ଟ, କେଡ଼େ ଆରୋଦଳୀ, ତୁମକୁ ଅନେଇ ଲୋକେ ଆଗ ନାକ ଟେକିବେ ।’’

 

ହଇଓ ମଣିଷର ତ ଫେର ଦାଣ୍ଡକୁ ଭେକ ଥିବା ଦରକାର । ନ ହେଲେ ସେ ହାଉଯାଉରେ ତମକୁ କିଏ ପଚାରିବ, କିଏ ଚିହ୍ନିବ ?

 

ଯଦୁନାଥବାବୁ ଆଗ ହସିଦେଲେ ତା’ପରେ ଗମ୍ଭୀର ହୋଇଗଲେ ।

 

ନିଜକୁ ନିଜେ କହିଲେ ‘‘ଯଦୁନାଥ ତୋର ଆଉ କିଛି ନାହିଁ, କିଛି ଐଶ୍ୱର୍ଯ୍ୟ ନାହିଁ, କିଛି ଚମକ ନାହିଁ । ତୋତେ ତୋ ପୋଷାକରୁ ଏଣିକି ଚିହ୍ନିବେ ।’’

 

ସାଙ୍ଗେ ସାଙ୍ଗେ ଭିତରେ ବିଦ୍ୟୁତ୍‌ ଚହଟିଗଲା । କାହିଁକି ଏ ଅହଙ୍କାର ? ଏ ଅଭିମାନ ? କ’ଣ ଭଲା ସେ ସଞ୍ଚିଛନ୍ତି, କ’ଣ ଅବା ସେ କରିଛନ୍ତି ?

 

କେଉଁଥିରେ ଆଉ ଚିହ୍ନିତ ହେବେ ? ଗୁଣ୍ଡୁଚିମୂଷା ବାଲି ଝାଡ଼ି ସେତୁବନ୍ଧ ବାନ୍ଧିଲା ଭଳି, ବିଶ୍ୱଲୀଳାରେ କ’ଣ ଟିକିଏ ନାକୁ ତାଙ୍କ କାମ ।

 

ହଉ.....ସେ ତ ସେତିକିରେ । ସେଥିକି କ୍ଷୋଭ କାହିଁକି, ଅଭିମାନ ଅବା କ’ଣ ପାଇଁ ?

 

ସ୍ତ୍ରୀ ପୁଣି ତାଗଦା କଲେ ଯାଅ ଯାଅ ବଦଳାବଦଳି ହୋଇଆସ ।

 

ଯଦୁନାଥବାବୁ କିନ୍ତୁ ଚିରାଚରିତ ରୀତିରେ ଚନ୍ଦନକାଠର ବାଡ଼ିଖଣ୍ଡିକ ହଲାଇ ହଲାଇ ଆଗକୁ ଚାଲିଲେ । ସେ ଚାଲିଲେ ବେଖାତିର ଭାବ ନ ଥିଲା ବଂର ଥିଲା ଏକ ବିହ୍ୱଳ ଭାବ ।

 

ଏତେ କୋଳାହଳ, ଏତେ ସମାରୋହ ଏତେ ଐଶ୍ୱର୍ଯ୍ୟ, ଏତେ ପ୍ରାଚୁର୍ଯ୍ୟ ଭିତରେ ଯଦୁନାଥବାବୁ କିନ୍ତୁ ନିଜକୁ ମଣୁଥିଲେ ଏକାନ୍ତ ଏକୁଟିଆ ।

 

ନାଁ ସେ ମିଶି ପାରୁଥିଲେ, ଏଇ ଆନନ୍ଦ ଉଚ୍ଛ୍ୱଳ... ଉଚ୍ଛସିତ ସମାବେଶରେ, ନାଁ ରହିପାରୁଥିଲେ, ନୀରବ ଦ୍ରଷ୍ଟା, ସାକ୍ଷୀ ସ୍ୱରୂପ ଭୂମିକାରେ ।

 

ପଦ୍ମାଳୟା ତାଙ୍କ ଉପହାର ପୁଡ଼ିଆଟି ଘେନି ଅନେକବେଳୁ ଅନ୍ତଃପୁରରେ ପ୍ରବେଶ କଲେଣି ।

 

ସେ ପାଖରେ କଳ କଳ ହସ ମଧୁର ଆଳାପ ଆଲୋଚନାର ଛିନ୍ନାଂଶ ଏ ପାଖକୁ ଭାସି ଆସି ବେଳେ ବେଳେ ସୂଚେଇ ଦେଉଚି, ସେ ସାଙ୍ଗରେ ଆସିଥିଲେ ।

 

ମହୀବାବୁ ଥରେ, ଏ ପାଖକୁ ଘୂରିଆସି ଯଦୁବାବୁଙ୍କ ପାଦ ଛୁଇଁ ଯଥେଷ୍ଟ ବିନୟ ସଂଭ୍ରମ ସହକାରେ ନିଜର ଶ୍ରଦ୍ଧା ଜଣେଇ ଯାଇଛନ୍ତି ।

ତେବେ ବି..... ? ତେବେ ବି ଯଦୁନାଥବାବୁ ସେ ଦିନର ସେ ମହୀକି, ସେଇ ଅନ୍ତରଙ୍ଗ କ୍ଷୁଦ୍ର କିଶୋର ବନ୍ଧୁଟିକି ଖୋଜି ପାଇଲେ ନାହିଁ ।

ସମୟର ଅନ୍ତଃଶ୍ରୋତ ମଧ୍ୟରେ ଥରେ ଯାହା ହଜିଯାଏ, ସେ କ’ଣ କେବେ ବି ମିଳେନା-?

ଅଥଚ.....ସବୁବେଳେ.....ସବୁ ଠିକ୍‌ ଅଛି ବୋଲି, ନିଜ ସହିତ ହିଁ ପ୍ରବଞ୍ଚନା କରିଚାଲିଥାଏ ମଣିଷ ।

ଏଠି ଏତେ ଲୋକ ଏତେ ଆଳାପ... ଆଲୋଚନା, ଯଦୁନାଥବାବୁଙ୍କର ବି ଚିହ୍ନାଜଣା ପରିଚିତ କେତେଜଣ ବସିଛନ୍ତି । ସେମାନେ ବି ଚାହିଁଛନ୍ତି ତାଙ୍କ ସଙ୍ଗେ ଗପିବାକୁ, ମିଶିବାକୁ ।

ତାଙ୍କ ଅଖାଡ଼ୁଆ ପରିସ୍ଥିତିଟି କିନ୍ତୁ କେହି ବୁଝୁଛନ୍ତି କି ?

ଯଦୁନାଥବାବୁଙ୍କ ମନ ଚାହୁଁ ନାହିଁ କାହାସଙ୍ଗେ ମିଶିବାକୁ ଅଥଚ.....କି ଏକ ବିଚ୍ଛେଦ ଯନ୍ତ୍ରଣାରେ ସେ ଜର୍ଜରିତ ହୋଇଯାଉଛି । ସମସ୍ତଙ୍କ ଦୃଷ୍ଟି ବଞ୍ଚାଇ କ୍ଷୁଦ୍ର ଗଛର ଆଢ଼ୁଆଳରେ ଏକୁଟିଆ ହୋଇ ସେ ବସିଛନ୍ତି । ଏଣେ କାହାର ଅନ୍ତରଙ୍ଗ ସାନିଧ୍ୟ ପାଇଁ ଚିତ୍ତ ଆକୁଳ ହୋଇଉଠୁଚି-। ସବୁ କେଳାହଳ ଭିତରୁ ବି ବାରି ହୋଇପଡ଼ୁଚି ଯନ୍ତ୍ର ସଙ୍ଗୀତର ସୁ-ମଧୁର ମୃଦୁ ମୃଦୁ ଝଙ୍କାର... । ସେଇ ସୁର ଯେମିତି ଭିତରେ ବାହାରେ ଏକାକାର ହୋଇ ବାଜିଉଠୁଚି ।

ତାଙ୍କ ଅନ୍ତର ସତ୍ତା ଆକୁଳ ହୋଇ କାହାକୁ ଖୋଜିପକାଉଛି । ଏଣେ ସେ ସବୁ ଦେଖୁଛନ୍ତି । ଦଳ ଦଳ ହୋଇ ଖାଇବାକୁ ପଶୁଛନ୍ତି ତମ୍ବୁ ଘେର ଭିତରକୁ । ଲୋକ ଯାଉଛନ୍ତି... ଆସୁଛନ୍ତି ।

 

ମାଛଝୋଳର ବାସ୍ନା... । ଘିଅ ଭଜା ପଲାଉର ସୁଗନ୍ଧ ଖୁଆ ପକା ପାୟସ୍‌ର ମହକସବୁ ଫେଣ୍ଟି ହୋଇ ନାକରେ ବାଜୁଛି ଗୋଟାଏ ବିଚିତ୍ର ସୁଗନ୍ଧ ।

 

ପଲକରେ ଯଦୁନାଥବାବୁଙ୍କ ସମସ୍ତ ସୂକ୍ଷ୍ମ ବୃତ୍ତି ସମସ୍ତ କାମନା ବାସନା ରସନେନ୍ଦ୍ରିୟରେ କେନ୍ଦ୍ରିତ ହୋଇଯାଉଛି । ନ ବହିପଡ଼ିଲେ ସୁଦ୍ଧା ଜିଭ ଲାଳ ସରସର ହୋଇଯାଉଛି ଆପଣା ଛାଏଁ ।

 

କେହି ଡାକିବା ଆଗରୁ ଉଠିପଡ଼ିବେ ଭାବୁଛନ୍ତି । ଗଛ ଆଢ଼ୁଆଳରୁ ମୁହଁ ଗଳେଇ ଏପାଖ ସେପାଖ ଚାହୁଁଛନ୍ତି ।

 

ୟେ ଯେମିତି ଖିଏ ବୁଢ଼ିଆଣୀ ସୁତାରେ ଆକାଶ ପାତାଳ ପକା ଉଠା, ତଳ ଉପର ଟଣାଟଣି... ।

 

ବିଚରା ଯଦୁନାଥବାବୁ......

 

X X X

 

ଶେଷକୁ କେହି ଜଣେ ଡାକିଲା.... । ଖାଇବା ତମ୍ବୁର ଦୁଆର ପାଖରୁ ପାଛୋଟି ନେଲେ ମହୀର ସ୍ତ୍ରୀ ଓ ତା’ର ବଡ଼ ଭଉଣୀ ।

 

ଯଦୁନାଥବାବୁ ଆଉ ନିଜକୁ ଅସହାୟ ମନେ କରୁନାହାନ୍ତି । ଅପାଂକ୍ତେୟ ଭାବୁ ନାହାନ୍ତି-। ନିଜ ଉପରେ ନିଜର ଭରସା ବିଶ୍ୱାସ ଫେରି ଆସୁଚି... । ବସିଥାନ୍ତୁ ଯେଡ଼େ ଯେଡ଼େ ଲୋକମାନେ ଯେଡ଼େ ଯେଡ଼େ ରଥୀ ମହାରଥୀ ସବୁ । ଯଦୁନାଥବାବୁ କିଞ୍ଚିତ୍‌ ନୁହନ୍ତି ଅବାଞ୍ଛିତ ନୁହନ୍ତି । ଦେଖନ୍ତୁ ସମସ୍ତେ... ।

 

ପତର ଲାଗି ଗଲାଣି... । ବଢ଼ାକୁଢ଼ା ପ୍ରାୟ ସରିଆସୁଛି - । ବସି ଗଲେଣି ଚେୟାର୍‌ ଟେବୁଲମାନଙ୍କରେ ଧାଡ଼ିବାନ୍ଧି... । ଯଦୁନାଥବାବୁ ଆଗକୁ ଯାଉଛନ୍ତି... ଚିହ୍ନା ଲୋକ କିଏ ହସି ଦେଉଛି । କିଏ ଟେକି ଦେଉଛି ଡାହାଣ ହାତଟିକି । ସେ ବି ମୁଣ୍ଡ ହଲାଉଛନ୍ତି, ହସୁଛନ୍ତି, ଆଗଉଛନ୍ତି......

 

ଖାଲି ବାସ୍ନା... ଖାଲି ପ୍ରାଚୁର୍ଯ୍ୟ... ଆଖି ତୃପ୍ତ ହେଉଚି... । ନାଶିକା ଖର ଶ୍ୱାସରେ ଓଟାରି ନେଉଛି । ରସନା ବାର ବାର ଲାଳାୟିତ ହୋଇଉଠୁଚି... ।

 

ଏଇ ଜୈବିକ ପାର୍ଥିବ ଖାଦ୍ୟରେ ଏତେ ଆକର୍ଷଣ..... । ଯଦୁନାଥବାବୁ ଅନୁଭବ କରୁଛନ୍ତି...... ବୁଝୁଛନ୍ତି..... ମହୀର ସ୍ତ୍ରୀ ଅଙ୍ଗୁଳି ନିର୍ଦ୍ଦେଶ କରୁଚି କୋଣିକିଆ ଯାଗାଟିକି...... । ବେଶ୍‌ ହେବ..... । ଯଦୁନାଥବାବୁ ଚେୟାର୍‌ଟାରେ ଟପ୍‌ କରି ବସିପଡ଼ିଲେ... ।

 

ଅଧମିନିଟ୍‌ଏ ଖଣ୍ଡେ ଲାଗିଲା, ସୁସ୍ଥିର ହୋଇ, ଶାନ୍ତ ହୋଇ, ବସିବାକୁ । କେହି ହାତ ଚଳେଇ ନାହାନ୍ତି । ପରସ୍ପର ପରସ୍ପରକୁ ଚାହୁଁଛନ୍ତି । ଏକ ଅପରର ଅପେକ୍ଷା ରଖୁଚି...... । ଭିତରେ ଭିତରେ ସମସ୍ତଙ୍କର ଅସମ୍ଭାଳ ଅବସ୍ଥା । ତଥାପି ଉପରର ବୁର୍ଖାଟା କେହି କାଢ଼ିବାକୁ ରାଜି ନୁହନ୍ତି ।

ଏ ସଂସାରରେ ସବୁକଥା ଏମିତ ଚାଲିଥାଏ । ଯଦୁନାଥବାବୁଙ୍କ ବାମପଟେ କେହି ନାହାନ୍ତି.... । ପବନ ବାଜି ତମ୍ୱୁର ମୋଟା କନା ଖସ୍‌ଖସ୍‌ ହେଉଛି...... । ଡାହାଣ ପଟେ ଲମ୍ୱିଯାଇଛି ଲମ୍ୱାଧାଡ଼ି..... । କେତେ ପ୍ରକାର ମୁହଁ ଫାଳିକିଆ ହେଇ ଦିଶୁଛି ।

ଆରେ..... ? ୟେ ଏଠିକି କୋଉଠୁ ଆସିଲା ? କେମିତି ମଝିରେ ଗଳିପଡ଼ି ବସିଯାଇଛି ଏ ପିଲା ବକଟକ ? ଯଦୁନାଥବାବୁ ଆଶ୍ଚର୍ଯ୍ୟ ହେଲେ । ସାବନା ପାତାଳା ଚେହେରାର ନଅ, ଦଶ ବର୍ଷର ପିଲାଟିଏ । ଶୁଆଥଣ୍ଟିଆ ନାକ, ମୁଣ୍ଡରେ କୁଞ୍ଚ କୁଞ୍ଚୁ ହୋଇ ବାଳ କେରାଏ । କେରାଟାଏ ଏ କପାଳରୁ ଆକ୍ଷିପତା ଉପରକୁ ଝୁଲି ପଡ଼ିଚି ।

ପିଲାଟାର ସାରାମୁହଁ ପତରକୁ ଚାହିଁ ଝଲସିଉଠୁଚି...... ।

ତା’ ଆଖିରେ କି ପ୍ରବଳ ଉତ୍କଣ୍ଠା...... । ଗୋଲ ସରାରେ ପରଷା ଯାଇଥିବା ବଡ଼ ମାଛ ମୁଣ୍ଡଟାରେ ତା’ର ସବୁତକ ଲୋଭ ଲାଳସା ଝରଝର ହୋଇ ଝରିପଡ଼ୁଛି ଅବା...... ।

ମନର ସବୁତକ ଏକାଗ୍ରତା, ସବୁତକ ବ୍ୟାକୁଳତା ନେଇ ସେ ହାତଚଳାକୁ ଅପେକ୍ଷା କରିରହିଛି ବଡ଼ ସଞ୍ଜମ ସହକାରେ, ଅତି କଷ୍ଟରେ । ଆହା ବିଚରା ପିଲାଟି..... । ମାଆ କି ବାପ ସାଙ୍ଗରେ ନିମନ୍ତ୍ରଣ ଖାଇବାକୁ ଆସିଚି- । ସେମାନେ ରହିଯାଇଛନ୍ତି ପଛକୁ । ସେମାନେ ହୁଏତ ଅପେକ୍ଷା କରି ବସିରହିଛନ୍ତି ଆଉଥରକୁ ୟେ ଆଉ ସମ୍ଭାଳି ପାରିନାହିଁ । କେମିତି ଭଲା ପାରନ୍ତା....-। ସେ’ତ ନିଜେ ଅନ୍ଧାର ଭିତରୁ ଦଶଥର ମୁହଁ କାଢ଼ି ଅନାଉଥିଲେ । ଡାକିବାକୁ ଅପେକ୍ଷା କରିଥିଲେ କେବଳ ଚକ୍ଷୁଲଜ୍ଜାବଶତଃ । ବସି ବସି ପଲାଉ, ମାଛ ଝୋଳର ବାସ୍ନା ଶୁଘୁଂଥିଲେ ।

ଆରେ ବାବୁ ଏ ନବମ ଇନ୍ଦ୍ରିୟଟିର କ’ଣ କମ୍ ପ୍ରତାପ କମ୍‌ଜ୍ୱାଳା । ପୁରାଣକାର କହିଲେ ପରା ‘‘କାମକୁ ଜୟ କରିବ କ୍ରୋଧକୁ ଜୟ କରିବ କିନ୍ତୁ ଏଇ ଲୋଭକୁ ? ଜିହ୍ୱା ଲାଳସାରେ ସୂଚିଛିଦ୍ର ଦେଇ ସେ ଗଳି ଚାଲିଯିବ । ତା’କୁ ଜାଣିବାକୁ ପୁଅ ଏ ପୃଥିବୀରେ କାହିଁ ?

ଆହାଃ.... ପୁଣି ସେ ପିଲାବେଳେ । ସେଇ ବାଳୁତ ବୟସରେ ଭଲା ଏ ପୃଥିବୀକି ଏମିତି ନିବିଡ଼ଭାବେ ଏମିତି ସର୍ବୋତ୍ତମଭାବେ ଆଉ କେଉଁ ଇନ୍ଦ୍ରିୟ ସାହାଯ୍ୟରେ ବୁଝିହୁଏ ଜାଣିହୁଏ-??

ସେତେବେଳେ ଖାଲି ତ ପାଟିର କାରବାର । କୋଉଠି କ’ଣ ସୁଆଦିଆ ଅଛି ଅପୂର୍ବ ଦରବ ଅଛି ପକାଅ ପାଟିରେ ।

ଯେମିତି ସେ ତାଙ୍କ ତରୁଣ ବୟସରେ ଚାହୁଁଥିଲେ ପ୍ରେମିକା ମନୋରମାର ଘନନିବିଡ଼ ଆଲିଙ୍ଗନ । ଯେଉଁଭଳି ମୋହାବେଗରେ ପରିଣତ ପୌଢ଼ ବୟସରେ ପ୍ରତିଷ୍ଠା ପ୍ରତିପତ୍ତିକି ମଣିଷ ଏକାନ୍ତଭାବେ କାମନା କରେ । ସେଇଭଳି ବାଳୁତ ବୟସରେ, ଏ ଦୁନିଆକୁ ଜାଣୁ ଜାଣୁ ସେ ଖାଲି ଭଲ ଖାଇବା ଚିଜ ଖୋଜିବୁଲେ ।

ଏଇ ଜିହ୍ୱା ଲାଳସାରୁ ତ ସବୁ ଲାଳସା ଜନ୍ମେ...... । ଯୁବକ ଯୁବତୀପ୍ରତି, ପୌଢ଼ର ପ୍ରତିଷ୍ଠା ପ୍ରତି, କହିବାକୁ ଗଲେ ମଣିଷର ସଂସାର ପ୍ରତି ତ ଲାଳସାର ଜନ୍ମ ଆଗ ଜିଭରୁ ।

ପେଟଲାଗି ସିନା ସବୁ ନାଟ । ଶେଷକୁ ଆଶକ୍ତି କ୍ରୟ ଏକାଠି ଫେଣ୍ଟି ହୋଇଯାଆନ୍ତି ।

ସବୁ କାମନାର ଧାର ଗୋଟିଏ ପ୍ରବାହରେ ବହେ । ପୂର୍ବ ଜନ୍ମର ସୁକୃତି ଥିଲେ ଏଇ ପ୍ରବଳ ବେଗ ହିଁ ରୂପାନ୍ତରିତ ହୁଏ ପ୍ରବଳ ଆସ୍ପୃହାରେ....ମୁକ୍ତିର ଆସ୍ପୃହା..... । ଡେଣା ମେଲି ଅନନ୍ତ ଆକାଶରେ ଅନନ୍ତ ଜୀବନ ଭିତରକୁ ଉଡ଼ିଯିବାର ଦୁର୍ଘମନୀୟ ଆସ୍ଫୃହା.... ।

ଖାଇବା କଥାଟି କ’ଣ ଛୋଟିଆ କଥାଟିଏ କି ?

ପିଲାଟା କେଡ଼େ ଅସମ୍ଭାଳ ହେଲାଣି...... । ତା’ ବିଶି ଆଙ୍ଗୁଠି ଅଗ, ବାରମ୍ୱାର ମାଛ ମୁଣ୍ଡଟାକୁ ଛୁଇଁ ଦେଉଛି । ମହୀ ପିଲାଦିନେ ପ୍ରାୟ ଏମିତି ଥିଲା.... । ଖାଇବା ନା ଶୁଣିଲେ ତା’ ଜିଭ ଅଗରୁ ଆଗହୁଁ ନାଳ ଗଡ଼େ ।

କେତେଥର ତା’ ମାଆ ଅନୁଯୋଗ କରି କହନ୍ତି ‘‘ଏମିତି ହେଲେ ଡାଆଣା କହିବେ ନାହିଁ ତ ଆଉ କ’ଣ କହିବେ ?’’ ସ୍ୱାମୀ ସ୍ତ୍ରୀ ଭୋଜି ଚର୍ଚ୍ଚାରେ ଲାଗିପଡ଼ିଛନ୍ତି । ମହୀ କ’ଣ ଏଠି ଆସି ଦେଖିଲେ ଚିହ୍ନିବ ଏଇ ତା’ ଅତୀତ ।

କେଜାଣି ବା ଏ ସଂସାରରେ କିଛି ହଜେ ନାହିଁ । ଆମେ ଖୋଜି ପାଉ କି ନ ପାଉ ସବୁ ସେମିତି ରହିଥାଏ । ଯଦୁନାଥବାବୁଙ୍କ ମନ କେମିତି କୋମଳ, ଛଳ ଛଳ ହୋଇଉଠିଲା । ସେ କଡ଼ପଟକୁ ଟିକିଏ ଉହୁଙ୍କି ଚାହିଁ କହିଲେ ‘ଖାଅରେ ବାବୁ ଖାଆ....ହାତଚଳା ।’’

ହେ– ହେ– ପିଲା– ଆସିଲ, ଉଠିଆସିଲ ଏଣେ- ଉଠ୍– ଉଠ୍ । ଆରେ ଚାହୁଁଚୁ କ’ଣ– ତତେ ପରା ଡାକୁଚି । ମହୀର ସ୍ତ୍ରୀ... । ପୁଅ ବାହାଘର କରି, କାମ କରି କରି ତା’ ହଲକ ଶୁଖିଗଲାଣି । ତଥାପି ସେ ପ୍ରାଣ ପଣେ ଲାଗିଚି– କିନ୍ତୁ ପିଲାଟିକୁ ଖାଇବା ପତରରୁ ଉଠେଇ ନଉଚି କୁଆଡ଼େ ?

 

ସେ ଭାରି ଇଚ୍ଛାକଲେ ତା’ର ନାଁ ଧରି ଡାକିବାକୁ । ‘‘ହେ– ହେ– ମମତା ଶୁଣୁ– ଶୁଣୁ । ମାତ୍ର ଯଦୁନାଥବାବୁଙ୍କ ତଣ୍ଟି ରୁନ୍ଧି ହୋଇଗଲା । ତୁଣ୍ଡରୁ ପଦେହେଲେ କଥା ବାହାରିଲା ନାହିଁ । ଖାଲି ସେ ଡବ ଡବ ବିହ୍ୱଳ ଆଖିରେ ଚାହିଁରହିଲେ ।

 

ସମସ୍ତେ ହାତ ଚଳେଇଲେଣି । ଗୋଟାଏ ମୃଦୁ ବିଚିତ୍ର ଶବ୍ଦ ଶୁଭୁଚି । ପରସା ବାଲଟିରେ କରଚୁଲି ବାଜିଯାଉଛି.... ।

 

ଲୋଡ଼ାରୁ ଯଥେଷ୍ଟ ଢାଳି ଦେଉଛନ୍ତି ପତ୍ରମାନଙ୍କରେ । ମହୀ ଖର୍ଚ୍ଚ ପାତିରେ ଆଦୌ କାର୍ପଣ୍ୟ କରିନାହିଁ । ପାଖ ଭଦ୍ରଲୋକ ଜଣକ କହୁଛନ୍ତି, ‘ଖାଆନ୍ତୁ ଆଜ୍ଞା, ଏଥର ହାତଚଳୁ । ହାତ ଯେ ଚଳୁନାହିଁ । କୁଆଡ଼େ ନେଲା ସେ, ପିଲାଟାକୁ, କୋଉଠି ନେଇ ବସେଇଲା ତାକୁ । ଏଇଠି ସେ ଖାଇଦେଇ ଥିଲେ କଣ’ଟା ଅଡ଼ୁଆ ହୋଇ ଯାଇଥାନ୍ତା ।’’

 

କେଜାଣି ବା ତା’ ସମବୟସୀ ସାଙ୍ଗପିଲା ସବୁ ଆଉ କୋଉଠି ପାଖିକିଆ ହେଇ ବସିଥିବେ ? ବଡ଼ମାନଙ୍କ ସାଙ୍ଗରେ ସେ ସଙ୍କୋଚ ବୋଧ କରୁଥିବ ଭାବି ମମତା ତାକୁ ଡାକି ନେଇଛି । ତା’ ମାଆ, କି ବାପ ଆଉ କୋଉଠି ଖାଇବସି ପୁଅକୁ ଖୋଜୁଥିବେ କି କ’ଣ ? ମମତା ସେଥିପାଇଁ ଡାକି ନେଲା ।

 

ଛୁଆ ପିଲାର ମାଆ ସେ...... । ତା’ପୁଅର ପୁଣି ବାହାଘର...... । ପିଲାଟାକୁ କ’ଣ.... । ତେଣିକି ଭାବିବାକୁ ଯଦୁନାଥବାବୁଙ୍କୁ ମାଡ଼ି ମାଡ଼ି ପଡ଼ିଲା.... ।

 

ଖଆନ୍ତୁ ଆଜ୍ଞା, ହାତଟେକି ବସିଛନ୍ତି ଯେ । ମମତା ଆସି ଛିଡ଼ା ହେଲାଣି ପାଖରେ, କ’ଣ ଆଉ ଦିଆଯାଇ ନାହିଁ କୁହନ୍ତୁ । ଜଣେ ମଣିଷ ଭଲା ମୁଁ, କେତେ କୁଆଡ଼େ ଦେଖିବି । ବାବା ସେ ପିଲାଟା କି ପେଟୁ । ପୂରା ଗୋଟାଏ ପତରଧରି ଚେକା ଚଉଧୁରୀ ହେଇ ବସିଯାଇଛି । ତାକୁ ଏଠୁ ଟାଣି ଘୋସାରି ନେଇ ଗେଟ୍‌ ପାଖେ ନିକାଲି ଦେଇ ଆସିବାକୁ ମୁଁ କ’ଣ କମ୍‌ ଦହଗଞ୍ଜ ହେଲିଣି ।

 

ୟେ’ତ ଭୋଳା ମଣିଷ । କେତେ ପୋଲା ଫାଉତିଆ ଆସି ଖାଇ ମୁହଁ ପୋଛିଦେଇ ଯାଉଛନ୍ତି.....ଦେଖୁଚି କିଏ...... ?

 

ଯଦୁନାଥବାବୁଙ୍କ ସାମ୍ନାରେ କ’ଣ ଯେମିତି ଘଟିଗଲା, ପଲକପାତରେ କି ପ୍ରଳୟଙ୍କରୀ ଘଟଣା, ଅଭିନୀତ ହୋଇଗଲା.... । କୋଉଠି ଅବା ଧସିପଡ଼ିଲା କେଉଁ ଏକ ବିରାଟ ପ୍ରାସାଦ...... । କି ଏକ ପାଶବିକ କ୍ରୋଧର ପ୍ରବଳ ଝଙ୍କାରରେ ସେ ଗୋଟାସୁଦ୍ଧା ଥରିଉଠିଲେ । ଦାନ୍ତ କଡ଼ମଡ଼ ହୋଇଆସିଲା ଆପଣାଛାଏଁ । ହାତ ମୁଠା ହୋଇଗଲା ମନକୁ ମନ...... ।

 

ସତେ’କି ସାମ୍ନାରେ ଠିଆହୋଇ ମୁହଁ ହଲାଉଥିବା ମାଇକିନିଆଟାର ତଣ୍ଟି ଚିପିଦେବ । ରଡ଼ିଟାଏ କରି କହିବେ– ‘‘ଇଲୋ ତୁ କଲୁ କ’ଣ ।’’ ତୁ ଟା କୁଆଡ଼େ ମାଆ.....ଚାରି ଚାରିଟା ଛୁଆର ମାଆ.... ।

 

ଯଦୁନାଥବାବୁ ମାଆ ଶବ୍ଦଟି ମନେ ମନେ ଉଚ୍ଚାରି ଦେବାମାତ୍ରେ, ଠିକ୍ କ୍ଷଣକେ ରାଗିଉଠିଲା ଭଳି, କ୍ଷଣ ମାତ୍ରକେ ଶୀତଳ ହୋଇଗଲା । ଏକାବେଳେ ହିମଶୀତଳ । ନିଜ ଭିତରେ କ୍ଷଣକେ ମାତୃଭାବ ସତ୍ତାର ବିସ୍ମୟକର ବୋଧନ ହୋଇଗଲା ଯେମିତି ।

ତାଙ୍କର ସମଗ୍ର ଅନ୍ତର ଆଲୋଡ଼ିତ କରି, ସର୍ବାଙ୍ଗ ଥରାଇ ଏକ ପ୍ରବଳ କୋହ ରୋୠଦ୍ୟମାନ ଉଚ୍ଚକ୍ରନ୍ଦନରେ ପ୍ରକାଶିତ ହେବାକୁ ଛାତି ଭିତରେ ଧକ୍‌କା ମାରିଲା । ଝରଝର ହୋଇ ବହିଯିବାକୁ ଆଖିରେ ଆଖିଏ ଲୁହ ଟଳମଳ ହୋଇ ଉଠିଲା ।

ସେଇ କୋହରେ, ସେଇ ଲୁହରେ ଗୁଞ୍ଜରିତ ମୃଦୁ ସ୍ୱରଟିଏ ପହଁରି ବୁଲୁଥିଲା ଯେମିତି । ‘‘ଆରେ ତୁ ନଖାଇ ଉପାସରେ ବଢ଼ା ପତରରୁ ଉଠିଗଲୁ । ଆରେ ବାଇଆ.....ତୁ ଉଠିଗଲୁରେ .....ଏ....ଏ..... ।’’

କାହାରିକି ଖାତିର୍‌ ନକରି, କାହାରିକି ଅପେକ୍ଷା ନରଖି ଯଦୁନାଥବାବୁ ପତ୍ରରୁ ଉଠି ଚାଲିଗଲେ । ପଛରୁ ଶୁଭୁଥିଲା, ଆପଣ ବୁଝୁନାହାନ୍ତି, ଥର ଥର କରି ତିନିଥର ସେ ପିଲା ଖାଇ ସାରିଛି...... । ନିଜ ଭିତରର ଯନ୍ତ୍ରଣା ନିଜ ଆଖିର ଲୁହରେ ସେତେବେଳକୁ ଯଦୁନାଥବାବୁ ଉବୁଟୁବୁ-

ଆଉଥରେ ଫେରି ଚାହିଁବାକୁ, ଆଉଥରେ ରସହୀନ– ଐଶ୍ୱର୍ଯ୍ୟ ସମାରୋହକୁ ରଙ୍ଗହୀନ ରୂପସମ୍ଭାରକୁ, ହୃଦୟହୀନ ସ୍ନେହର ସ୍ତୁତିଗାନକୁ ଦେଖିବାକୁ ଶୁଣିବାକୁ ତାଙ୍କର ଇଚ୍ଛା ନଥିଲା.... ।

ସ୍ତ୍ରୀ ଅନେକଥର ଆକ୍ଷେପ କରନ୍ତି.....

‘‘ଆଚ୍ଛା ମଣିଷ ୟେ । ସବୁ ଦୁଃଖ, ସବୁ ଯନ୍ତ୍ରଣାତକ ନିଜ ଉପରକୁ ଟାଣି ଆଣିବେ....ଆଉ ସେଥିରେ ଆଉଟି ପାଉଟି ହେଉଥିବେ ।’’

ଯଦୁନାଥବାବୁ ବେଳେ ବେଳେ ସ୍ତମ୍ଭିତ ହୋଇଯାଆନ୍ତି । ବେଳେ ବେଳେ ହସନ୍ତି । କେମିତି ଭଲା, ସେ, ସ୍ତ୍ରୀଙ୍କୁ ବୁଝାଇବେ, ଯଦୁନାଥବାବୁମାନଙ୍କର ଏହା ହିଁ ନିୟତି । ଅନେକ କଥାଟା’କୁ ଶୁଣି ବେପରୁଆ ଭାବେ ଉଡ଼େଇ ଦେଲେ ୟେ ଗୋଟାଏ ଘଟଣା ? ଏମିତି ସାଧାରଣତଃ ଘଟେ ।

ଏଇ ସାଧାରଣ ଘଟଣା ଭିତରେ ଯେଉଁ ଅସାଧାରଣ କୁହୁକଟିକ ଅଛି ତା’ରି ସ୍ପର୍ଶରେ ସବୁ ସୁନ୍ଦର ସରସ ହୋଇ ଉଠେ । ତାହାହିଁ ଅନୁଭବ କରି ଯଦୁନାଥବାବୁ ଅଶ୍ରୁଳ ଆର୍ଦ୍ର ହୋଇଉଠନ୍ତି । ହୋଇଉଠନ୍ତି ଆଉ ପ୍ରକାରେ । ବାହାର ଆଇନାରେ ସେ କେମିତି କେଜାଣି, ଭିତର ବାହାର ସବୁ ଦେଖନ୍ତି.....ଦେଖି ପାରନ୍ତି । ସେଥିଲାଗି ହସୁଥାନ୍ତି କାନ୍ଦୁଥାନ୍ତି କାନ୍ଦୁଥାନ୍ତି....ପୁଣି ହସୁଥାନ୍ତି...... । ସ୍ତ୍ରୀ ବୁଝନ୍ତି ନାହିଁ.....ମହୀର ସ୍ତ୍ରୀ ବୁଝେ ନାହିଁ ।

ଯଦୂନାଥବାବୁମାନଙ୍କୁ କେହି ବୁଝନ୍ତି ନାହିଁ ।

ସଂସାର ତା’ର ନିଜ ବୃତ୍ତରେ, ନିଜ ଛକରେ ପକାଇ ନ ପାରି ବ୍ୟତିବ୍ୟସ୍ତ ହୋଇଉଠେ-

କହେ ‘‘ଏମାନେ ସବୁ ଗୋଟାଏ ଗୋଟାଏ ବ୍ୟତିକ୍ରମ’’ ।

Image

 

ଅବୁଝା

 

ଏଇ ହେଉଛି ସବୁଠାରୁ ନିରୋଳା ବେଳ । ବାବାଙ୍କର ଶିଷ୍ୟ-ଶିଷ୍ୟମାନେ ପ୍ରସାଦ ସେମନାନ୍ତେ ନିଦ୍ରା ଯୋଗର କିଞ୍ଚିତ ଅନୁଶୀଳନ କରୁଛନ୍ତି । ସ୍ୱୟଂ ବାବା ବି ମୃଗଛାଲ ବିଛା ହୋଇଥିବା ସୁଖ ଶଯ୍ୟାରେ ଢଳି ଢଳି ପଡ଼ୁଛନ୍ତି । ଦରବୁଜା ତନ୍ଦ୍ରାତୁର ଆଚ୍ଛନ୍ନ ଆଖି ଦୁଇଟିରେ ଆଉ ଏକ ଜଗତର ଅଭିବ୍ୟକ୍ତି ।

 

ଅତୀନ୍ଦ୍ରିୟ ଅମୃତ ଲୋକ ଅଥବା ଅଳିକ ସ୍ୱପ୍ନ ରାଜ୍ୟର ଭାବ–ବିଭୋର ସେ ଦୃଷ୍ଟି.....ସେ କଥା ଏକା, ସେଇ ବାବାଙ୍କୁ ଗୋଚର । ହୈମବତୀଙ୍କ ଭଳି ମୂଢ଼, ମୂର୍ଖ ନାରୀ ଅବା କାହୁଁ ବୁଝିବ ସେ ତତ୍ତ୍ୱ, ସେ ଭେଦ !

 

ହୈମବତୀ କେବଳ ଭକ୍ତି ଢୁଳୁ ଢୁଳୁ ବିସ୍ମୟ ବିମୂଢ଼ ଆଖିରେ, ହାତଯୋଡ଼ି ବାବାଙ୍କୁ ଦେଖୁଛନ୍ତି ।

 

ଆଜାନୁଲମ୍ବିତ ଶାଳ ପ୍ରାଂଶୁ ଭୁଜଦଣ୍ଡ ଚରଣଚୁମ୍ବୀ ଜଟା କଳାପ ରେଖାଙ୍କିତ କପୋଳରେ ତିଳକ-ସିନ୍ଦୂରର ତ୍ରିରେଖା ନାସିକାର ଅଗ୍ରଭାଗ ସ୍ପର୍ଶ କରିଛି । ଦାଢ଼ିର ଅରଣ୍ୟରେ ମୋଟା କଳା ଓଠ ଦି’ଫାଳ । କୋଟରଗତ ଚକ୍ଷୁ ତାରକାରେ ତୀକ୍ଷ୍‌ଣ ମନୋଭେଦ ଶାଣିତ ଦୃଷ୍ଟି । ଚାହିଁ ଦେଲେ ଭୟ ଆସେ, ଭକ୍ତି ଆସେ, ଭରସା ବି ହୁଏ ।

 

ବାବା ସବୁ ଜାଣୁଛନ୍ତି......ସବୁକଥା କହିଦେଇ ପାରିବେ । ଅସମ୍ଭବ ବୋଲି ତାଙ୍କ ଅଭିଧାନରେ କିଛି ନାହିଁ ।

 

ହୈମବତୀ ହାତଯୋଡ଼ି କୃତାଞ୍ଜଳୀ ପୁଟରେ ମୁଣ୍ଡରେ ଲଗାଇଲେ । ଆଭୂମି ପ୍ରଣତି ଜଣାଇ ଠିକ୍‌ ପାଦ ପାଖକୁକିନା ଘୁଞ୍ଚି ବସିଲେ । ବାବା ତାଙ୍କୁ ଟିକେ ଚାହିଁଲେ । ଦରନିମୀଳିତ.......ଦରହସିତ ଅଧର କମ୍ପାଇ ଉଚ୍ଚାରଣ କଲେ ‘‘ସ୍ରୋତର ପ୍ରତିକୂଳରେ ପହଁରି କେହି ତିଷ୍ଠି ପାରେନା ମା’ ତଥାପି, ତୁ ଜିଦ୍‌ ଧରୁଛୁ ।’’ ମୁଣ୍ଡ ନୋଇଁଲେ ହୈମବତୀ । ତାଙ୍କ ପେଜୁଆ ଆଖି ସଜଳ ହେଲା...... । ଲୁହ ଗଡ଼ିଲା ନାହିଁ । ବହୁ ଅବରୁଦ୍ଧ ବ୍ୟଥା ଅପୂର୍ଣ୍ଣ କାମନାର ଦାହ ଚାପି ନେଲା ଭଳି.....ଲୁହକୁ ବି ସେ ରୋକି ନେଲେ ।

 

ବାବା ସିଧା ହୋଇ ବସିଲେ......। ନିଜ ଦାଢ଼ିରେ ଟିକେ ହାତ ବୁଲାଇଲେ । ଆକାଶଆଡ଼େ କିଛିକ୍ଷଣ ଚାହିଁଲେ ।

 

ଅପର କୋଠରିରେ ଦିବାନିଦ୍ରା ଭୋଗ କରୁଥିବା ଶିଷ୍ୟମଣ୍ଡଳୀ ଉପରେ ବୁଲି ଆସିଲା ତାଙ୍କ ଦୃଷ୍ଟି । ତତ୍‌ପରେ ସେ ଅଦୂରସ୍ଥ ଝୁଲାଆଡ଼େ ହାତ ବଢ଼ାଇଲେ । ସେଇ ଆଳିମାଳିକା ଭିତରୁ ଏକାଥରକେ ହାତରେ ଉଠାଇ ଆଣିଲେ ଦି’ଖଣ୍ଡ ଚେର । ଖଣ୍ଡେ ଟକ୍‌ ଟକ୍ କନିଆରଫୁଲିଆ ଅପରଟି ଇଷତ୍ ଧୂସର କଣ୍ଟକିତ ଶୁଖିଲା ପିପ୍‌ପଳୀ ଖଣ୍ଡ ପରି । ଦୁଇଟିଯାକର ଗୁଣ ସେ ବେଶ୍‌ ସାବଧାନତା ସହକାରେ ପରଖିବାକୁ ନିର୍ଦ୍ଦେଶ ଦେଲେ–ହଳଦୀ ରଙ୍ଗର ଚେରଖଣ୍ଡି ବାଟି ପିଇଦେଲା ଉତ୍ତାରେ ବିଗତ ଯୌବନ ପୁନରାଗତ ପ୍ରିୟତମ ଭଳି ଆଲିଙ୍ଗନ କରିବ ।

 

ଶୁଷ୍କ ଚର୍ମାବୃତ ଦେହରେ ସାଂସର ପ୍ରାଚୁର୍ଯ୍ୟ, ବର୍ଣ୍ଣର ଐଶ୍ୱର୍ଯ୍ୟ, କୋମଳତାର ପ୍ରଲୋପ ଲେପି ହୋଇଯିବ । ଆଉଥରେ ଶୁଭ୍ର ଧୂସର କେଶରାଶି ସବୁ, ନିଜର ହରାଇଥିବା ଚିକ୍‌କଣ କଜ୍ଜ୍ୱଳ ତରଙ୍ଗିତ ସୌନ୍ଦର୍ଯ୍ୟ ଫେରି ପାଇବ ।

 

କୋଟରଗତ ଆଖିରେ ନୀଳୋତ୍ପଳର ନୀଳିମା, ଶୁଷ୍କ ଅଧର ଦ୍ୱୟରେ ଉଷାର ସିନ୍ଦୂରାଭା ଦନ୍ତ-ପଙକ୍ତି ବିବର୍ଜିତ ଟାଣ ମାଢ଼ି ଉପରେ ଦୁଇଧାଡ଼ି ଢାଳିମ୍ବ ବୀଜନିନ୍ଦି ସୁନ୍ଦର ଶୋଭନୀୟ ଦାନ୍ତ ଏ ହଳଦୀ ରଙ୍ଗ ଚେର ଗୁଣରେ ଗଜୁରୀ ଉଠିବ ନିଶ୍ଚୟ ।

 

କିନ୍ତୁ

 

ବାବା ଟିକେ ରହିଗଲେ । ତାଙ୍କ ସର୍ବାଙ୍ଗରେ ସାମାନ୍ୟ କମ୍ପନ ଅନୁଭୂତ ହେଲା କି ?

 

‘‘ଏ, ଯେ, ବିପରୀତ କ୍ରିୟା ମା ! ସମ୍ଭାଳି ପାରିଲେ ହେଲା, ଏହାର ପ୍ରଚଣ୍ଡ ବେଗ । ନ ହେଲେ.... ।’’

 

ବାବା.....ଚୁପ୍‌ ରହିଲେ ।

 

ହୈମବତୀ ସେମିତି ହାତଯୋଡ଼ି ଚାହିଁଛନ୍ତି । ମନେ ମନେ, ଶକ୍ତି ସଂଗ୍ରହ କରୁଛନ୍ତି । ସାହସ ସଞ୍ଚୁଛନ୍ତି । ପାରିବେ....ନିଶ୍ଚେ ସେ ପାରିବେ ।

 

ତାଙ୍କର ସେଇ ସୁଦିନ.....ସେଇ ଫୁଲଝରା ଫଗୁଣର ଚନ୍ଦ୍ରିକା– ଚର୍ଚ୍ଚିତ ସୁରଭିତ ସନ୍ଧ୍ୟା ସବୁ । ସେଇ ଅଧା-ଭୁଲା ଅଧା ତନ୍ଦ୍ରାରେ ଶୁଣା, ବେସୁରା ଡାକ; ସେଇ କୋଇଲି, ସେଇ ଭଅଁର, ସେଇ ଝରା ବଉଳର ଅଧା ଗୁନ୍ଥାମାଳା.... ।

 

ସବୁ ଫେରି ଆସିବ । ସବୁ ଫେରେଇ ଆଣିବେ ସେ ।

 

“ସେ କଳା ଧୂସର କଣ୍ଟାଳିଆ ଚେର । ଦିଓଟି ଯାକ ସାବଧାନରେ ରଖ ମା ।’’

 

ବାବା ନୀରବ ହେଲେ......ମଗ୍ନ ହେଲେ । ସାଷ୍ଟାଙ୍ଗ ପ୍ରଣାମାନ୍ତେ ଉଠି ଆସିଲେ ହୈମବତୀ ।

 

ହୈମବତୀ ଘରକୁ ଫେରିଥିଲେ ପୂର୍ଣ୍ଣ ମନରେ ବୁକୁଭରା ଆନନ୍ଦ ନେଇ । ବାଟ କଡ଼ର ପୁରୁଣା ନିତି ଦେଖା ଦୃଶ୍ୟରାଜି ତାଙ୍କୁ ନୂଆ ନୂଆ ଲାଗିଥିଲା । ବରା ପକୁଡ଼ି ଦୋକାନର ଶୁକୁଟା ଚୁଚୁନ୍ଦ୍ରା ମୁହାଁ ବୁଢ଼ାଟା ବି ଦିଶିଲା କନ୍ଦର୍ପ ଭଳି । କୋଠାର ଫାଟକ ପାଖରେ ସେଇ ଗୋରୀ ପାତଳୀ ନର୍ସଟି ସାଙ୍ଗରେ ଭେଟ ହୋଇଗଲା ।

 

ବୁଢ଼ାଙ୍କୁ ଇଞ୍ଜେକ୍‌ସନ୍‌ ଦେବା ବାହାନାରେ ସେ ଥିଲା, ତାଙ୍କ ରସାଳପର ସଙ୍ଗିନୀ । ବେଶ୍‌ କିଛି ପଇସା ବି ତାଙ୍କ ଅଣ୍ଟାରୁ ଝଡ଼ାଇ ନିଏ ।

 

ତା’ ଉପରେ ଆଦୌ ରାଗ କି ଘୃଣା ହେଲା ନାହିଁ । ସବୁଦିନେ ଯାହା ଆଖିରେ ଆଖି ପଡ଼ିଗଲେ ହୈମବତୀ ମୁହଁଛାଟି ଦେଉଥିଲେ, ତା’ପାଇଁ ଆଜି ଓଠରେ ଧାରେ ହସ ଉକୁଟାଇ ଦେଲେ ।

 

ସଞ୍ଜ ପହରେ ବୁଢ଼ା, ନାତିର ଆୟାକୁ ଥରକୁ ଥର କାମ ବାହାନାରେ ଡାକୁଥିଲେ । ଆୟା, ସୁନ୍ଦରୀ ନ ହେଲେ ବି ସ୍ୱାସ୍ଥ୍ୟବତୀ ଯୁବତୀ ।

 

ଆଉ, ୟେ–

 

ବାଳଯାକ ଧଳା, ହେଲାଣି, ଦାନ୍ତଯାକ ଗୋଟିକି ଗୋଟି ଗଳି ପଡ଼ିଲାଣି କେଉଁକାଳୁ । କ୍ଷୁଧା ମରି ଗଲାଣି.....ମାତ୍ର ସ୍ୱାଦର ଲାଳସା ବଢ଼ି ବଢ଼ି ଚାଲିଛି । ଜିଭରୁ ଥପ୍‌ ଥପ୍ ଲାଳ ଗଡ଼ୁଛି ।

 

ଏଇ ଲୋକହସା ପଣ, ଏଇ ଲାଳସା ଦେଖି ତ ବାବାଙ୍କ ପାଖରେ ସେ ଏଡ଼େ ଅସମ୍ଭବ ଗୁହାରି କରି ବସିଲେ । ଜୀବନର ତିନି ପା, ପାର ଉତ୍ତାର ହେଲା ବେଳକୁ କାହିଁକି ଭଲା ସେ ପଛକୁ ପାଦ ବଢ଼ାଇ ଥା’ନ୍ତେ ? ଖାଲି ସିନା ତାଙ୍କ ଆଇଁଷିଣିଆ ପ୍ରକୃତି ଯୋଗେ !

 

ପଛ ଜୀବନର କାହାଣୀ ମନେପଡ଼େ–କେଡ଼େ ରୂପବତୀ କେଡ଼େ ସ୍ୱାସ୍ଥ୍ୟବତୀ ନ ଥିଲେ ସେ । ବିକଷିତ ହେମ ଭଳି ଦେହର ବର୍ଣ୍ଣ ହୈମବତୀ ନାଁକୁ ସାର୍ଥକ କରିଥିଲା ।

 

ଜୀବନର ପ୍ରଥମ ଫଗୁଣ କିନ୍ତୁ ବିଫଳରେ ଝରିଗଲା । ଶାଶୁ ଶଶୁରଙ୍କ ଆକଟରେ ସେ ରହିଗଲେ, ଗାଁର ଈଶାଣକୋଣ ଅନ୍ଧକାର ଭିତରେ । ଏଣେ, ୟେ ସହରର ଆଖି ଝଲସା ଆଲୁଅରେ ଲୋଡ଼ି ବସିଲେ ରୂପରୁ ରୂପ, ଉଡ଼ି ବୁଲିଲେ ଫୁଲରୁ ଫୁଲ । ସେହି ଆଦତ୍‌ ରହିଗଲା ।

 

ଆଶକ୍ତି ଏକମୁଖୀ ହେଲା ନାହିଁ । ମନ ଆବୋରି ଧରିଲା ନାହିଁ, ପ୍ରାଣ ଫେଣ୍ଟି ହୋଇଗଲା ନାହିଁ, ଆତ୍ମା ଏକୀଭୂତ ହେଲା ନାହିଁ ।

 

ପୁଅଝିଅ, ଘରସଂସାର, ଟଙ୍କା ପଇସା ସବୁ ହେଲା । ସବୁ ହେଲା ଭିତରେ କିନ୍ତୁ ଫୁଟି ଦିଶିଲା ଏଇ ନହେଲା ତକ ବାରି ହୋଇ ପଡ଼ିଲା ଶୁଷ୍କ ଶୂନ୍ୟତା । ସେ’ତ ମୂଳରୁ ମରୀଚିକା ପଛରେ ଧାଉଁଥିଲେ । ଧାଉଁଥିଲେ ଅଜଣାରେ, ଅନ୍ଧ ଭାବରେ, ଏବେ କିନ୍ତୁ ଧାଉଁଛନ୍ତି ଜାଣିଶୁଣି ଦେଖି ଚାହିଁ ।

 

ହେମବତୀଙ୍କ ପାଇଁ ଏ କ’ଣ କମ୍‌ ଅପମାନ୍‌, କମ୍ ଲାଞ୍ଛନା ?

 

ସେ ଭାବିଥିଲେ ନିଜ ଜୀବନର ବ୍ୟର୍ଥତା ପିଲାମାନଙ୍କ ଜୀବନ ଭିତରେ ସାର୍ଥକ ହୋଇ ଉଠିବ, ସବୁ ଅପୂର୍ଣ୍ଣତା ପୂର୍ଣ୍ଣ ହେବ ।

 

ସବୁ ଠକାମି...ନିଜ ସଙ୍ଗେ, ନିଜର ପ୍ରତାରଣା, ତୁଚ୍ଛା ମିଛ ସାନ୍ତ୍ୱନା ସେଗୁଡ଼ା । ପୁଅଝିଅ ବାହାଚୋରା ହେଲେ, ସାନପୁଅ କଲେଜରୁ ଗ୍ରାଜୁଏଟ୍‌ ହୋଇ ବାହାରିଲା । କ’ଣ ହୋଇଗଲା ତାଙ୍କର...... ? କ’ଣ ବା ହୋଇଗଲା ଏ ସଂସାରରେ ଚିହ୍ନା ଅଚିହ୍ନା ଆଉ ପାଞ୍ଚଜଣଙ୍କର ?

 

ଏକାଠି ଖାଉଛନ୍ତି, ବସୁଛନ୍ତି, ଶୋଉଛନ୍ତି, ହସୁଛନ୍ତି ଅଥଚ କେହି ପୁଣି ଏଠି କାହାର ନୁହଁନ୍ତି । ସମସ୍ତେ କେବଳ ନିଜର, ଏକାନ୍ତ ନିଜର । ନିଜ ଖୋଷାଟି ଭିତରେ ନିଜେ ନିଜେ ପୂର୍ଣ୍ଣ ହୋଇଉଠେ । ଗଢ଼ି ଉଠେ ପ୍ରଜାପତିଟିଏ– ସ୍ୱାତନ୍ତ୍ର୍ୟ ନେଇ, ସୌନ୍ଦର୍ଯ୍ୟ ନେଇ ।

 

ବାବା ତ ସେଇ କଥାଟିକି ଥରକୁ ଥର ବୁଝାଇ କହୁଥିଲେ, ‘‘ସ୍ୱାମୀପାଇଁ ମାଆ ତୁ ଏତେ ବ୍ୟସ୍ତ ବିବ୍ରତ ହୁଅନା । ଦି’ଖଣ୍ଡ କାଠି ସୁଅ-ତୋଡ଼ରେ ଭାସି ଭାସି ଆସି ଯୋଡ଼ି ହୋଇଯାଇଛି । ପୁଣି କିଏ କେଉଁଆଡ଼େ ଭାସିଯିବ, ଗୋଟି ଗୋଟିକିଆ ହୋଇ, ଛଡ଼ାଛଡ଼ି ହୋଇ ।

 

ହୈମବତୀଙ୍କ ମନ ମାନେ ନାହିଁ । ଖାଲି ଭାଗ୍ୟର ସୁଅରେ ଭାସି ଆସି ଏକାଠି ଲାଖିଗଲେ ! ଆହା ....ଆହା.....ସେଥିରେ ସମର୍ପଣର କେତେ ଆକୁତି, ଆଦାନର କେତେ ଆବେଦନ, ପୁଣି ପ୍ରଦାନର କେତେ ବ୍ୟଞ୍ଜନା ଭରି ରିହିଥିଲା ! କେତେ ବିଶ୍ୱାସ ଥିଲା ସେ ମିଳନର କମ୍ପାନାନୁଭୂତିରେ !

 

ସୁର ବାପା ନ ରଖିଲେ ନାହିଁ ପଛେ ହୈମବତୀ ସେ ବିଶ୍ୱାସର ମର୍ଯ୍ୟାଦା ରଖିବେ, ତାଙ୍କୁ ଏଇଠି ଛାଡ଼ିଦେଇ ପଳାଇବେ ନାହିଁ । ବରଂ ପାଖକୁ ପାଖ ଲାଗିଯାଇ ହାତ ମୁଠେଇ ଧରିବେ-। ବାବାଙ୍କ ଅନିଚ୍ଛାସତ୍ତ୍ୱେ ଚେର ଖଣ୍ଡିକ ସେ ଆଣିଛନ୍ତି–ଶୋଇବା ଆଗରୁ ବାଟି ପିଇଦେଇ ଶୋଇପଡ଼ିବେ । କାଲି ସକାଳୁ ଉଠିବେ ତାଙ୍କ ମନୋମୟୀ ମୂର୍ତ୍ତି ଘେନି । ତେଣିକି ଯାହା ହେବାର ହେଉ ।

 

ହୈମବତୀଙ୍କ ପାଇଁ ସେ ସକାଳ ଥିଲା ଏକ ବିସ୍ମୟଜଡ଼ିତ ରୋମାଞ୍ଚପୂର୍ଣ୍ଣ ଆବେଗ ଚଞ୍ଚଳ ଉଲ୍ଲସିତ ସକାଳ । ଠିକ୍‌ ଖଟ ଉପରୁ ଉଠିପଡ଼ିଲା ମାତ୍ରେ ଆଲମିରାରେ ଖଞ୍ଜା ହୋଇଥିବା ବଡ଼ ଦର୍ପଣରେ ପ୍ରତିଫଳିତ ହେଲା ହୈମବତୀଙ୍କର ପୂର୍ଣ୍ଣାବୟବ ପ୍ରତିବିମ୍ୱ ନିଜେ ସେ ଚମକି ପଡ଼ିଲେ ।

 

କିଏ...କିଏ ୟେ ?

 

ବାବାଙ୍କ କହିବାମତେ ତାଙ୍କ ଅଙ୍ଗପ୍ରତ୍ୟଙ୍ଗରେ ପଚିଶ ବର୍ଷ ତଳର ଅପହୃତ ଯୌବନ ଆତ୍ମପ୍ରକାଶ କରିଛି । ତାଙ୍କ ଝିଅ, ତାଙ୍କ ବୋହୂ, ତାଙ୍କ ଦେଖାନ୍ତରେ ଯେତେ ତନ୍ୱୀ ତରୁଣୀ, କେହି କ’ଣ ସମକକ୍ଷ ହେବେ ଏ ରୂପ ସମ୍ପଦର ?

 

ଆଃ....ହରାନିଧି ଫେରି ପାଇବାରେ କେତେ ଆନନ୍ଦ, ପୁଣି କେତେ ସେ ବେଦନା !

 

ବଡ଼ବୋହୂ ତାଙ୍କୁ ଡାକିବାକୁ ଆସୁଥିଲା । ଚେର ଖଣ୍ଡଟାରେ ସାମାନ୍ୟ ନିଶା ଥିଲା ବୋଧେ । ଟିକେ ବେଶି ବେଳ ଶୋଇ ପଡ଼ିଛନ୍ତି ସେ । ତେଣେ ସଂସାର ଚକ ଅଚଳ ହେବାକୁ ବସିଲାଣି । ଚାଲ ଲୋ ମା, ଚାଲ୍‌ । ଏଥର ଠିକ୍‌ ଠିକ୍‌ ଚକ ଘୂରିବ ଯେ, ପଟୁ ମନ, ସୁଦୀର୍ଘ ଅଭିଜ୍ଞତା ସାଙ୍ଗକୁ ସୁସ୍ଥ ସୁନ୍ଦର ଦେହ ।

 

‘‘ୟେ....ମା ! ତମେ, ତମେ କିଏ ବୋଉ କାହାନ୍ତି ?’’

 

ବଡ଼ ବୋହୂର ବିସ୍ମୟ ଦେଖି ହସି ପକେଇଲେ ହୈମବତୀ । ଯାହାହେଉ, ତାଙ୍କର ମାନସିକ ବିକୃତି ବା ଦୃଷ୍ଟି ବିଭ୍ରମ ଘଟି ନାହିଁ । ପ୍ରକୃତରେ ହିଁ ସେ ଫେରି ପାଇଛନ୍ତି ନିଜର ହୃତ ଯୌବନ ।

 

‘‘ପଚାରୁଛି ପରା, ତମେ କିଏ ? ବୋଉ କାହାନ୍ତି ?’’

 

କାହିଁକି ବକର ବକର ହେଇଛୁ କିଲୋ ? ତତେ କ’ଣ ମଣିଷ ଦିଶୁନାହାନ୍ତି ? ଚାଲ, ଭଣ୍ଡାର ଘରୁ ଜିନିଷ କାଢ଼ି ଦେଉଛି–ଚାଲ ।’

 

‘‘ହେଇ ଶୁଭୁଚି ଆଇଲ... ଉଠି ଆଇଲ ଟିକେ ।’’ ବଡ଼ ବୋହୂ ବାରଣ୍ଡାରୁ ହୁରି ପକେଇ ଡାକ ଛାଡ଼ିଲାଣି ।

 

ଆସନ୍ତୁ ସମସ୍ତେ ।

 

ମଣିଷ ତ ନିଜ ମନ ଉପରେ ଇଚ୍ଛା ଅନୁସାରେ ଅତ୍ୟାଚାର ଅବିଚାର ପୁଣି ଅତିରିକ୍ତ ମମତା ଆସ୍ଥା ସବୁ କରିପାରୁଛି । ପ୍ରତି ମୁହୂର୍ତ୍ତରେ ତାକୁ ଇଚ୍ଛାମତେ ରଙ୍ଗ କରୁଛି । ରୂପ ଦେଉଛି । ସେ ହେଇ, ହେଇ, ଦେହଟା ଉପରେ ଟିକିଏ ଚୂନ, ସୁରକୀର କାମ କରି ଦେଇଛନ୍ତି । ଲଗାଇ ଦେଇଛନ୍ତି କେତେଖଣ୍ଡି ରଙ୍ଗ ବେରଙ୍ଗ ମାର୍ବଲ ପଥର । କ’ଣ ହୋଇଗଲା ସେଇଠୁ ? ଏଇଥିପାଇଁ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ଦେଖିଲା ଭଳି ବୋହୂଟା ହୁରି ପକେଇଛି !

 

ଘରଟାଯାକ ଠୁଳ ହୋଇ ଗଲେଣି । ବଡ଼ପୁଅ, ତା’ର ଚାରୋଟି ଛୁଆ, ବାସନମଜା ଚାକରାଣୀ, ବଗିଚାର ଠିକା ମାଳି ଟୋକା, ଏମିତି କି ସେଇ ଆୟାଟା ସୁଦ୍ଧା । ସମସ୍ତେ ଡିମାଡ଼ିମା ଆଖିରେ ଅନେଇଛନ୍ତି ।

 

ଦେଖନ୍ତୁ, ଭଲକରି ଦେଖନ୍ତି ସାଧୁସେବାର ଗୁଣ । ଏଇ ବଡ଼ ପୁଅ, ଭାରିଯା କଥାରେ ପଡ଼ି, ଥରେ ଅଧେ ଟାହୁଲି କରିବାକୁ ଛାଡ଼ି ନାହିଁ, କ’ଣ ପାଇବୁ ବୋଉ ସେଇ ବାବାଜୀ ପାଖକୁ ଦୌଡ଼ି ଦୌଡ଼ି ?

 

‘‘ମୋ ବୋଉ କାହିଁ, କୁଆଡ଼େ ଗଲା ସେ ?’’

 

ଏଇ ଦେହରୁ ବାହାରି ଏଇ ରକ୍ତ ମାଂସ ହାଡ଼ ସବୁଥିରୁ ଭାଗ ନେଇ ବି ଟୋକାଟା ଚିହ୍ନି ପାରୁନାହିଁ ! ହଃ... ତା’ର ବା ଦୋଷ କ’ଣ ? ତାଙ୍କ ବୋହୂ ବେଳର ସେଇ ଡଉଲ ଡାଉଲ ଦେହ ପାନ ପତର ପରି ମୁହଁ, ଧାର ଧାର ଲମ୍ବା ଆଖି ଦିଓଟି କ’ଣ ସେ ଦେଖିଛି !

 

ମଲା; ବାଉଁଶଟା ଯାକ ହଲ୍ଲା କଲେଣି, କି ଗହନ ନିଦ କି ଏମିତି ? ଆଖିପତ୍ତା ଖୋଲୁ ନାହିଁ, କାନରେ ପଶୁ ନାହିଁ କିଛି; ଏଣିକି ପାଦ ପଢ଼ୁନାହିଁ ! ସେି ଅତୀତର ଚମକ ବିଜୁଳି ଯେମିତି ଶିରାରେ ଶିରାରେ ଛୁଟି ଗଲା । କଣେଇ ଚାହିଁଦେଲେ ହୈମବତୀ.....

 

ବିଛଣାତ ବୁଢ଼ାଙ୍କର ଖାଲି ପଡ଼ିଛି (ବୁଢ଼ା ବୋଲି ଭାବି ଦେଲା ବେଳକୁ ଚାଉଁ କରି ଲାଗିଲା) ଉଠି ଗଲେଣି ଯେ କିନ୍ତୁ ଗଲେ କୁଆଡ଼େ ? ‘‘ଚାହୁଁଚୁ କ’ଣରେ ସୁର ? ସେଇ, ସେଇତୋ ବୋଉ, ହେଇଟି ଉପର କାନ୍ଥରେ ଟଙ୍ଗା ହୋଇଛି ତା’ ଭୁଆଷୁଣୀ ବେଳର ଫଟ । କିନ୍ତୁ... ୟେ କ’ଣ ହେଲା ତୋ ବୋଉର ?’’

 

ପୁଣି ଥରେ ଚମକିଲେ ହୈମବତୀ, କାଲି ରାତିଯାଏ ଏ କଣ୍ଠ ସେ ଶୁଣିଥିଲେ ଶୋଇବାକୁ ଗଲାବେଳେ ଏଇ ମଣିଷ ଭଳି ଚାହିଁ ଚାହିଁ ପିଇ ଦେଇଥିଲେ ଚେରର ବାଟଣାତକ ।

 

ବର୍ତ୍ତମାନ ମନେ ହେଉଛି, ତାଙ୍କ ଶ୍ୱଶୁର ଆଖି ଆଗରେ ଛିଡ଼ା ହୋଇଛନ୍ତି । ସେଇ ଅଭିଜ୍ଞ ତୀକ୍ଷ୍ମ ଦୃଢ଼ କଣ୍ଠ–ସବୁ ଅଡ଼ୁଆ ପଦକରେ ତୁଟେଇ ଦେବାର ସାହସ -ସବୁ ସମସ୍ୟାର ମୁହାଁମୁହିଁ ଛିଡ଼ା ହେବାର ଅନମନୀୟତା ।

 

କାହିଁ ସେଇ ତରୁଣ, ସୁନ୍ଦର ମନର ମଣିଷ, ଯାହାକୁ ଫେରି ପାଇବାକୁ ଦେହ ରଥଟା ଏଡ଼େ ଚକ୍ ଚକ୍ କରି ସେ ମରାମତକଲେ । ଖାଲି କ’ଣ ଦେହରେ ଆସିଛି ଉଜାଣି ବନ୍ୟା ? ନା......ନା... ମନ ବି ସରସ ସବୁଜିମାରେ କମ୍ରକାନ୍ତ ହୋଇ ଉଠିଛି ।

 

‘‘ଯା.....ବଡ଼ ବୋହୂ ପିଲାଙ୍କପାଇଁ ଦଶଟା ବେଳକୁ ଖାଇବା ପିଇବାର ଯୋଗାଡ଼ କର । ଚାହିଁଛ କ’ଣ ?’’ ବଡ଼ ବଡ଼ ପାଦ ପକେଇ ଯେଉଁ ପୌଢ଼ ଜଣକ ଅପସରି ଗଲେ ସେ ଇଙ୍ଗିତରେ ବୋହୂକୁ ହିଁ ଦେଇଗଲେ ଏ ଘରର ଦାୟିତ୍ୱ ! ଏ ପରିବାରର ମୁରବୀତ୍ୱ । ହୈମବତୀ ପଛକୁ ଫେରିଛନ୍ତି, ବହୁ ପଛକୁ । ତାଙ୍କ ନବ ତାରୁଣ୍ୟ ଏଣିକି ଶାସିତ ହେବ, ଶାସନର ଅଧିକାର ପାଇବ ନାହିଁ ।

 

ଦରମଲା ଗଛ ଜୀଇଁ ଉଠିଛି ତା’ର ସମସ୍ତ ସୌନ୍ଦର୍ଯ୍ୟ, ସମସ୍ତ ପ୍ରକୃତି, ସବୁ ଦୋଷ, ଗୁଣ ନେଇ ।

 

ତାରୁଣ୍ୟର ଅଭିମାନ ଈର୍ଷା ଫଣା ଟେକି ଉଠିଲା ।

 

ଯାଃ...ମ...ତମେ । କିଏ ଅନେଇଛି ! ଦିଶୁଛି ତ ଅଜାଶୂର ପରି, ଏଡ଼େ ତୁମ୍ବି କାହିଁକି ? ମନେ ମନେ ଏତକ ଉଚ୍ଚାରି ତରୁଣୀ ହୈମବତୀ ପଶିଗଲେ ଗାଧୁଆ ଘରକୁ । ଯାହା କେବେ ବି କରି ନଥିଲେ, କରିବାପାଇଁ ଚିନ୍ତାକରି ନ ଥିଲେ, ସେଇଆ କରି ବସିଲେ ହୈମବତୀ ।

 

ସମ୍ପୂର୍ଣ୍ଣ ନିରାବରଣ ଦେହକୁ ନିଠେଇ ନିଠେଇ ଦେଖିଲେ.....କେଡ଼େ ସୁନ୍ଦର ଏଇ ଦେହ-! ନିଟୋଳ ନିଖୁଣ ଗଢ଼ଣ-ବକ୍ଷ, ଜଘନ, କଟୀଦେଶ ଓ ଉରୁର ସନ୍ଧି-ସ୍ଥଳ ।

 

ଆଃ ଆଃ... ସର୍ବ ଶରୀରରେ ଛୁଟି ଯାଉଛି ଲାଭାର ସ୍ରୋତ । ପ୍ରଚଣ୍ଡ ଝଡ଼... ସବୁ ଦୋହଲୁଚି । ସେଇ ବୁଢ଼ା... ହନୁହାଡ଼ ଦିଶିଲାଣି । ଦାନ୍ତଯାକ ଖସି ପଡ଼ିଲାଣି ବିବାକ୍‌ । ଗୋଟିଏ ହେଲେ ବାଳ କଳା ନାହିଁ । କାହୁଁ ବୁଝିବ ଏ ଅମୃତର ସ୍ୱାଦ ? ତା’ ଆଗରେ ୟା’କୁ ଥୋଇବା ଯାହା, ପେଚାକୁ ପାଚିଲା କଦଳୀ ଖୋଇବା ସେଇଆ । ସେଇ ନର୍ସ, ଆୟା, ଆଉ, ଅଧା ବୟସୀ ତ୍ରଂଶୋତୀର୍ଣ୍ଣା ବୁଭୁକ୍ଷୀତା ବିଚାରୀମାନେ... କ’ଣ ବା ପାଇବେ ବୁଢ଼ାଠାରୁ ?

 

ଅଙ୍ଗାରରେ ରହିଛି ଟିକିଏ ତାତି- ପାପୁଲି ଉସୁମେଇବ, ପୋଡ଼ିବ କୁଆଡ଼ୁ ? ହୈମବତୀ କ’ଣ କରିବେ ? କ’ଣ କରିବେ ଏସବୁ ? ଏଇ ଅଫୁରନ୍ତ ଐଶ୍ୱଯ୍ୟକୁ କ’ଣ ଅବହେଳାରେ ଲୋଟାଇ ଦେବାପାଇଁ ଯାଚନା କରି ଆଣିଲେ ? ନା, ନାଁ......

 

ମୁକ୍ତ କୁନ୍ତଳକୁ ଉତ୍ତମ ରୂପେ ପୋଛି ଝାଡ଼ି ବୋହୂର ସରୁ ପାନିଆରେ ଧୀରେ ଧୀରେ ସେ କୁଣ୍ଡେଇ ବସିଲେ । ପାଉଡ଼ର, କ୍ରିମ, ଋଜ୍‌, ଲିପ୍‌ଷ୍ଟିକ, କୁଙ୍କୁମ... । ମେଞ୍ଚାଏ ସ୍ନୋ, ପୁଳାଏ ପାଉଡ଼ର......ସବୁ ନିଅଣ୍ଟ ଜଣାପଡ଼ୁଛି......

 

ଝିଲିମିଲି ଭୟେଲ ଶାଢ଼ୀ, ଭୟେଲ ବ୍ଲାଉଜ ପିନ୍ଧି ପକେଇଲେ ହୈମବତୀ । କେମିତି ହୁଗୁଳା ଲାଗୁଛି ବୋହୂର ବ୍ରେସିୟାରଗୁଡ଼ା...... । ଖୁବ୍..... ଧଳା..... ଖୁବ୍‌..... ଚମତ୍କାର... କିନ୍ତୁ ।

 

‘‘ହେଃ..... ସେ କ’ଣ ହେଉଛି ?’’ ବୁଲି ଅନେଇଲା ବେଳକୁ, ପଛରେ ଛିଡ଼ା ହୋଇଛି ବୋହୂ । ଆଖି ଦି’ଟା ତା’ର ରଡ଼ନିଆଁ ଭଳି ଜଳୁଛି । ଜଳିବ ତ, ସବୁଥିରେ ଭାଗ ବସିବ ଏଥର ।

 

ଏତେ ରୂପ...... ଏତେରସ...... ବାହୁଡ଼ାଣୀ ପାଦ ପକେଇଛନ୍ତି ଯେତେବେଳେ, ନ ଦେଖି, ନ ଚାଖି, ନ ମାଖି, ଛାଡ଼ିଯିବେ ? ମାଂସ ତରକାରୀର ନଳିହାଡ଼ ଚୋବେଇ ଚୋବେଇ ଟାଣ ଟାଣ ମାଂସ ଖଣ୍ଡକୁ କାମୁଡ଼ି ଭିଡ଼ି ଖୁବ୍‌ ତୃପ୍ତିରେ ଅନେକ ବେଳଯାଏ ଖାଇଲେ ହୈମବତୀ । ତରକାରୀ ନିଅଣ୍ଟ ହେବାରୁ ବୋହୂ ଗର ଗର ହେଉଛି । ହେଉଥାଉ, ତା’ ବୋଲି ସେ ଆଉ ଖାଇବେ ନାହିଁ ?

 

ଖରାବେଳେ ଡରି ଡରି ପାଖକୁ ଆସିଲା ବଡ଼ ନାତି । ପଚାରିଲା; ‘‘ତୁ, କି ଔଷଧ ଖାଇଲୁ ଜେଜୀମା, ହୁ କିନା ଟୋକୀ ପାଲଟି ଗଲ ? ଯୋଡ଼ିଟା କିନ୍ତୁ ଭାଙ୍ଗିଗଲା ବୋଲି ଜାଣ । ଜେଜେ କ’ଣ ତୋ’ ଲାଖି ହେବେ ? ହୈମବତୀ ହସି ହସି ନାତିକୁ ଦି’ବାହୁରେ ଜାକି ଧରିଲେ । “ତୁ ହବୁତ ?”

 

କଥା କାନରୁ କାନକୁ ଡେଇଁଲା, ପାଖ ପଡ଼ିଶା ଘର ମାଇପେ ଭିଡ଼ ଲଗାଇଲେ । ଦେଖିଯିବେ ନିଜ ଆଖିରେ । କଳିକାଳ ଶେଷ ବେଳକୁ ଅଘଟଣ କଥା ଘଟୁଛି । ବୁଢ଼ୀ ଟୋକୀ ପାଲଟି ଯାଉଛି ।

 

ହୈମବତୀ ନିଜକୁ ଭଲକରି ସଜାଇଲେ । ବେଣୀ ମୂଳରେ ଖୋଷିଲେ ରକ୍ତ ଗୋଲାପ-। ଆଖିରେ କଜ୍ଜଳର ଲାଞ୍ଜ ଟାଣି ଦେଲେ, ଗାଢ଼ କରି; ତେରଛି ଚାହିଁଲେ ଚୋରେଇ ହସିଲେ.....ଦେଖନ୍ତୁ......କେତେ ଦେଖିବେ... ।

 

ବଡ଼ବୋହୂ ବୀନ ବୋଉଙ୍କୁ କହୁଛି... ‘‘କି ରଙ୍ଗ ଦେଖିବ, ଦେଖ ଖୁଡ଼ୀ...... । ମୁଁ ଖାଲି ବାପାଙ୍କ କଥାରେ ରକ୍ତ ଚାଉଳ ଚୋବେଇ ତୁନି ରହୁଛି । ଏଇଟା କୁଆଡ଼େ ମୋ ଶାଶୁ ? କୋଉ ମାଗି ଖାଇ ଛଇ ଛଟକୀ ବଜାରୁଣୀ ଟୋକୀ ଖଣ୍ଡେ...... । ଶଶୁର ହେଲେ ବୋଲି କ’ଣ ଲୁଚେଇବି-? ତାଙ୍କ ସଉକ କ’ଣ ସଇଲାଣି କି ? ହାତଧରା ଭାରିଜାକୁ ରାତାରାତି କୁଆଡ଼େ ତଡ଼ି ଦେଇ, ଧରି ଆଣିଛନ୍ତି ଏଥିରୁ ଗୋଟାଏ, କ’ଣ ନା’ ତୋଅରି....ଶାଶୁ । ମୁଁ କ’ଣ ଦୁଧଖିଆ ଛୁଆ ହୋଇଛି ? ଖାଲି ଚେହେରାରେ ମେଳ ଥିଲେ କ’ଣ ସବୁ ହେଲା ? ଏମିତି ଘରେ ପଡ଼ିଲି ଯେ ମୋଅରି କପାଳକୁ ସବୁ ଅଭିଆଣ କଥା ଘଟୁଛି । ଜହର ଟିକେ ଯାହା ମିଳୁନାହିଁ ମତେ ।’’

 

ହୈମବତୀଙ୍କ ମୁହଁରେ ଚିଆଁ ଲାଗିଗଲା......‘‘ହଇଲୋ, ବୀନବୋଉ ! କିଏ ଯେବେ ଜାଣିଶୁଣି ଜହର ମହୁରା ଖାଇବ, ମୁଁ ହାତ ଧରିବାକୁ ଯବି କି ? ୟେ’ତ ସାଧୁ ବୁଟିର ଗୁଣ......ଏଥିକି ଭଲା ହାତ କାହାର ?’’

 

‘‘ତମେ ତା’ ହେଲେ ଆମର ସେଇ ସୁରିଆ-ବୋଉ ଅପା ? ଆଗୋ, ସୁରିଆ ବାପାଙ୍କୁ ତ ଷାଠିଏ ଧକ୍‌କା ଖାଇଲାଣି, ତମେ ଷୋଳ ବୟସୀ ହେବାକୁ ସକ ସକ ହେଲ କାହିଁକି ? ନାଗର କାହୁଁ ମିଳିବେ ? ’’ ବଙ୍କା ହସ ହସି ବୀନବୋଉ ମୁହଁ ବୁଲେଇ ନେଲା ।

 

ଟା ! ମନରେ ପଛେ ଅତୃପ୍ତିର ଡହକ ତାତି ଅନ୍ତହୀନ ଅଶାନ୍ତ କାମନାର ବୁଭୁକ୍ଷା, ବାହାରେ କିନ୍ତୁ ବୈରାଗ୍ୟର ସ୍ୱରାଳାପ କରି, କାମ ଚଳେଇ ନେବାଟା ଖୁବ୍‌ ଶିଖିଛି ଏଇ ମଣିଷ ଜାତି । କାହିଁକି... କାହା ସଙ୍ଗେ ଏତେ ପ୍ରତାରଣା, ଏମିତି ମିଥ୍ୟାଚାର ?

 

ତାଙ୍କ ମନ ହେଲା ଟୋକୀ ହେବାକୁ । କାହାର କ’ଣ ଗଲା ? ଏଠି କ’ଣ ନିଜ ମନ ମତରେ କେହି କିଛି କରି ପାରିବେ ନାହିଁ ?

 

ପଘାବନ୍ଧା ଗାଈ ଭଳି (ଗାର ଟଣା ଯାଇଛି ପଡ଼ିଆ ସୀମା ଯାକେ) ଦଉଡ଼ି ଲମ୍ବ ଯାଏ, ଦୌଡ଼, ତେଣିକି ଖାଲି ଭିଡ଼ା ଓଟରା । ଥରେ ଯେତେବେଳେ ପଘା ଛିଣ୍ଡେଇଛନ୍ତି ଆଉ କ’ଣ ମୁଣ୍ଡ ଗଳେଇବେ ସେ ଫାଶରେ ? ଯିଏ... ହସିବାର ହସୁ ଥାଆନ୍ତୁ, ଯିଏ କହିବାର କହୁ ଥାଆନ୍ତୁ ।

 

ସୂର୍ଯ୍ୟ ବୁଡ଼ିଗଲେ......ସଞ୍ଜ ହେଲା......ରାତିର ପ୍ରଥମ ପ୍ରହର ବି’ ଶେଷ ହେଲା । ସୁର ବାପା କୁଆଡ଼େ ଗଲେ, ଏଯାଏ ତ ଫେରିଲେ ନାହିଁ ? ଆଉ କ’ଣ ସାଧୁ ବାବୁଙ୍କୁ ଖୋଜୁଛନ୍ତି କି ? ଚେର ପାଇଁ ଗୁହାରିଆ ପଡ଼ିବା ଆଶାରେ ?

 

କେଡ଼େ ଭୁଲଟାଏ ହୋଇଗଲା, ଚେର ଖଣ୍ଡକ ଦି’ଭାଗ କରି ଦିହେଁଯାକ ଖାଇଥିଲେ ଭଲ ହୋଇଥାନ୍ତା । ଏ ଘର, ଏ ଦୁଆର, ଏ ପୁଅ ବୋହୂଙ୍କ ମାୟାପାଶ କଟାଇ, ଦିହେଁ ଚାଲି ଯାଇଥାନ୍ତେ କେଉଁ ସାତ ସମୁଦ୍ର ତେର ନଈ ସେପାରିକି । ପୁଣି ଗଢ଼ିଥାଆନ୍ତେ ନୂଆ ନୀଡ଼ର ସବୁଜ ଆଶ୍ରୟ ।

 

ହୈମବତୀ ବୋହୂର ଦୁଗ୍‌ଧ-ଫେନନିଭ ଶଯ୍ୟା ଉପରେ ଲୋଟାଇ ଦେଲେ ନିଜକୁ । ଯାହା ଜଣାଯାଉଛି କେହି ତାଙ୍କୁ ଖାଇବାକୁ ଡାକି ଆସିବେ ନାହିଁ......ନ ଡାକନ୍ତୁ......ସେକଥାକୁ ସେ ପରେଇ କରି ନାହାନ୍ତି ।

 

ବାହାରେ କି ସୁନ୍ଦର......ତୋଫା ଜହ୍ନ ଆଲୁଅ ବିଛାଡ଼ି ହୋଇ ପଡ଼ିଛି । ଛିପି ଛିପିକା ଗଛ ଛାଇର କେଡ଼େ ଡଉଲ ଦିଶୁଛି । କାହିଁ କେତେ ଯୁଗ ହେଲା ହୈମବତୀ ଦେଖି ନ ଥିଲେ ଏସବୁ......-। ଆଖି ଥାଇ ବି ସେ ଜଳକା ହୋଇ ଯାଇଥିଲେ । ଏ ନିଝୁମ ରାତିରେ......ଏକୁଟିଆ ତେଣ୍ଟେଇ ଚଢ଼େଇଟା ଏମିତି କରୁଣ ରାବ କରି ନିଛାଟିଆ ଆକାଶ ତଳେ... କାହିଁକି ଭଲା ଉଡ଼ି ଯାଏ...... ?

 

ସେ ରାବ ଶୁଣି ହୁ ହୁ ହୋଇ ପୋଡ଼ି ଉଠେ ଛାତିଟା... । ସାରା ଖଞ୍ଜାଟା ନିଶୂନ ହେଲାଣି... ।

 

ପୁଅ ବୋହୂ ମହତ ଯଗି, ଆର ଘରେ ଶୋଇଲେ ବୋଧେ । ଝରକା ଫାଙ୍କରେ ତେରେଛେଇ ପଡ଼ିଛି ଶୋରାଏ ଚାନ୍ଦିନୀ..... । ସତେ କି ସରୁ ଛୁରୀ ଫଳାଟାଏ ପଡ଼ି ରହିଛି । ଅଜଣା ବଣ ଫୁଲର ମହକ ଭିତରେ ବି... କି ଏକ ତୀବ୍ର ଉନ୍ମାଦନା......

 

ହୈମବତୀ ତ ଆଜି ଏକୁଟିଆ ଶୋଇ ପାରିବେ ନାହିଁ...... ।

 

ଧୀରେ ଧୀରେ ସେ କବାଟ ଖୋଲିଲେ........ତାଙ୍କ ହାତ ଥରୁଛି......ପାଦ ଥରୁଛି......ସାରା ଶରୀର କମ୍ପୁଛି...... ଥରଥର ହୋଇ ।

 

ଆଗେଇ ଗଲେ ସେ ପାଦ ଚିପି ଚିପି......ଏଇ ତ ତାଙ୍କର ଶୋଇବା ଘର । ଦିଓଟି ଖଟ ଦି’ ପାଖେ ପଡ଼ିଛି । ହେଇତ ସେ ଶୋଇଛନ୍ତି, ନୀଳ ଶାଲ ଖଣ୍ଡିକରେ ସର୍ବାଙ୍ଗ ଆବୃତ କରି...... । ତାଙ୍କରି ହାତର ଏମ୍ବୋଡ଼ରିରେ ସୁନ୍ଦର ସେବତୀ ଫୁଲର ଧଡ଼ି ପଡ଼ିଚି ।

 

ନବବଧୂସୁଲଭ ସଙ୍କୋଚରେ ସଢ଼ିଗଲେ ହୈମବତୀ, ମୁହଁରୁ କାଢ଼ି ଦେଲେ ସନ୍ତର୍ପଣରେ ଆବରଣ ।

 

ସତକୁ ସତ ସେଇ ମୁହଁ ନାକତଳେ ସେମିତି ସରୁ ସରୁ ନିଶ ହଳିଏ - । ଧନୁ ଭଳି ଭୂରୁ-। କପାଳ ଉପରେ ଅଲରା ବାଳ କେରାଏ ବିଛାଡ଼ି ହୋଇପଡ଼ିଛି ।

 

ଜହ୍ନ ଆଲୁଅ ଝଲକରେ ଅନ୍ଧାର ପାତଳ ହୋଇଯାଇଛି–ସେଇ ଛାଇ-ଛାଇଆ ଦେଖାରେ ବି ସେ ଚିହ୍ନି ପାରୁଛନ୍ତି ମନର ମଣିଷକୁ ।

 

ଆଗୋ ! ତୁମ ପାଇଁ ମୁଁ ସାଧୁ ବୁଟି ଢୋକିଲି ସିନା... । ତେମେ କ’ଣ ମୋଅରି ଯୋଗେ କୋଉ ସୁଧା... ସରରେ... ଡବ ଦେଲ ? ମୋଅରି ପାଇଁ ମୋଅରି ଲାଗି ଫେରିଗଲ ପଛକୁ... । ଅନେକ... ପଛକୁ... । ମନ ଭିତରେ ଏତିକି କହିଦେଇ... ହୈମବତୀ ଆଲିଙ୍ଗନ କଲେ ଶାୟିତ ତରୁଣକୁ ।

 

ହୁଁ... କିନି ଏମିତି କ’ଣ ଭୂମିକମ୍ପ ହୁଏ ? ନିମିଷକେ ଭାଙ୍ଗିପଡ଼େ ଆକାଶଚୁମ୍ବୀ ଅଟ୍ଟାଳିକା... ଉପୁଡ଼ିଯାଏ... ବହୁ ଯୁଗ ବହୁ କାଳର ବଟବୃକ୍ଷ ?

 

‘‘କିଏ ତୁ ? କାହିଁ... ମୋ’ ବୋଉ ? ବୀରକୁ ଚିହ୍ନି ନାହୁ ନାଁ... ? ବାହାର ଅବିକା...’’

 

ଗୋଟାଏ ଚଟକଣାରେ ଭଉଁରୀ ଖାଇ ମୂର୍ଚ୍ଚିତା ହେଲେ ହୈମବତୀ । କିଏ ଜାଣେ ସେ ମୂର୍ଚ୍ଛାଭାଙ୍ଗିଲା କି ନାହିଁ ? ଦରକାର ହେଲା କି ନାହିଁ ସେଇ କଳା ଚେର ଖଣ୍ଡକ; ଯାହା ପୁଣି ଥରେ ଫେରେଇ ଆଣି ଥାଆନ୍ତା ଲକ୍ଷଣ ଟାଣିଥିବା ଗାରର ସୀମା ଭିତରକୁ । ନିଶ୍ଚିନ୍ତ ନିରାପଦତାକୁ ?

 

ତା’ ଆରଦିନ ସକାଳେ ବୁଢ଼ା... ଟହଲି ଟହଲି ବଗିଚାରେ ବୁଲୁଥିଲେ... ସକାଳ କାକର ବିନ୍ଦୁରେ ପୂର୍ବଦିନର ଉତ୍ତାପ ସମ୍ପୂର୍ଣ୍ଣ ଶୀତଳ ହୋଇନଥିଲା । ଗଛପତ୍ର, ଆକାଶ, ବତାସ, ସବୁଥିରେ ଲାଗିଥିଲା ଅଶେଷ ନିଃସଙ୍ଗତାର କ୍ଲାନ୍ତି... । ଆଖିରେ ଭାସି ଯାଉଥିଲା ଗୁଡ଼ାଏ ମୁହଁ ଆୟା... ନର୍ସ ଆଉରି... ଆଉରି ... ଅନେକ... ଅନେକ- ଗୋଟାଏ ବୁଡ଼ୀ ମୁହଁ ଶେଷକୁ ଶୂନ୍ୟେ ଶୂନ୍ୟେ ଝୁଲି ରହିଗଲା । ଆ... ଦି’ ହାତକୁ ଛାତିରେ ଛକି କରି ଜାକି... ମାଟି ଉପରେ ବସି ପଡ଼ିଲେ ସେ... ଏଇ କଥାଟାକୁ ବୁଝି ପାରିଲୁ ନାହିଁ ସୁରିଆ ବୋଉ ?

 

ବୁଢ଼ା ପାଖ ଖଟରେ ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରି ଶୋଇଛନ୍ତି । କୋଉ କାଳ ଯୁଗରେ ଭଲା ସେ ବଗିଚାରେ ବୁଲନ୍ତି ? ସ୍ୱପ୍ନରେ ସବୁ ଘଟେ... ସବୁ ଅସମ୍ଭବ ସମ୍ଭବ ହୁଏ... । ସ୍ଥାନ କାଳପାତ୍ରର ସୀମାରେଖା ମିଶିଯାଏ ଅନନ୍ତ ରିଗନ୍ତରେ । ହୈମବତୀ ତଥାପି ବୁଝି ପାରୁ ନ ଥିଲେ କେଉଁଟି ସତ୍ୟ ?

 

ନିଦ୍ରା ନାଁ ଜାଗରଣ... ସ୍ୱପ୍ନ ନା ବାସ୍ତବ... ??

 

ବିହ୍ୱଳ ଆଖିରେ ସେ ନବାଗତ ସକାଳର ରୂପ ଦେଖିଥିଲେ... ଅଚିହ୍ନା ଅତିଥି କି ଦେଖିଲା ପରି... ।

Image

 

କାଳିଜହ୍ନିଆର ପୂର୍ବାପର ବୃତ୍ତାନ୍ତ

 

ଧନେଶ୍ୱର ବାବୁ ବେଳାବେଳି ଉଠିବାକୁ ମନକରି ଖୁବ୍‌ ବେଳାବେଳି ଉଠି ପଡ଼ିବା କଥାଟା, ନିତ୍ୟକର୍ମ ସାରିବା ପର୍ଯ୍ୟନ୍ତ, ମୋଟେ ଠଉରେଇ ପାରି ନଥିଲେ ।

 

ସବୁଦିନେ ତ ଲାଇଟ୍‌ ଜାଳି ଝାଡ଼ାଝପଟ ଯିବା, ଦାନ୍ତ ଘସିବା ଇତ୍ୟାଦି ସାରି, ସମୁଦ୍ର କୂଳକୁ ଗଲାବେଳକୁ ପୂରାପୂରି ଫର୍ଚ୍ଚା ହୋଇ ସାରିଥାଏ ।

 

କାର୍ଯ୍ୟୋପଲକ୍ଷେ ସମୁଦ୍ରକୂଳର ଏଇ ସାନ ଦୋତାଲା କୋଠା ଖଣ୍ଡ ଭଡ଼ାନେଇ ରହିଛନ୍ତି ଧନୁ ବାବୁ । ପ୍ରଚୁର ସାମୁଦ୍ରିକ ଶୀତଳ ହାଓ୍ୱା ସାଙ୍ଗକୁ, ବାଲକୋନୀରେ ବସି ସୂର୍ଯ୍ୟାସ୍ତ ସୂର୍ଯ୍ୟୋଦୟ ବି ଦେଖି ହେବ । ପାଗର ଅବସ୍ଥା ନେଇ, ସୂର୍ଯ୍ୟ ଦର୍ଶନ ସବୁଦିନେ ସମ୍ଭବ ନୁହେଁ–ମାତ୍ର ଝିପି ଝିପି ବର୍ଷାରେ ସୁଦ୍ଧା ସମୁଦ୍ର ପନ୍ତାରେ, ସକାଳେ ଓ ସନ୍ଧ୍ୟାରେ ଘେରାଏ ଦିଘେରା ନ ବୁଲିଲେ ଧନୁ ବାବୁଙ୍କୁ ଭଲ ଲାଗେନା ।

 

ଖାସ୍‌ ଏଥିପାଇଁ ତ ପୁଣି ଲୋକେ ମୁଠା ମୁଠା ପଇସା ଖର୍ଚ୍ଚକରି ପୁରୀ ଆସୁଛନ୍ତି ।

 

କଳିଷଠା ଷାଠିଏର ସୀମା ଟପିଗଲେ ସୁଦ୍ଧା ଜୀବନକାଳର ସୀମା ଟପିବାକୁ ଧନେଶ୍ୱର ବାବୁ ଆଦୌ ପ୍ରସ୍ତୁତ ନୁହନ୍ତି । କିଏ ବା କେବେ ପ୍ରସ୍ତୁତ ଥାଏ ? ଏଡ଼େ ସରସ, ସୁନ୍ଦର, ଲୋଭନୀୟ ଜୀବନକୁ ତ୍ୟାଗ କଲାପରି ତ୍ୟାଗୀ ଥିବେ ବୋଲି ବିଶ୍ୱାସ ହୁଏନା ? (ଥିଲେ ଥାଇ ପାରନ୍ତି) ଥିଲେ ଥିବେ, ଦୃଷ୍ଟି ସୀମା ସେପଟେ ସ୍ପର୍ଶ ସୀମା ବାହାରେ ।

 

ଅବଶ୍ୟ ଦିନେ ଧନେଶ୍ୱର ବାବୁ ଜୀବନଟାକୁ ଭଙ୍ଗା ଖେଳନାଭଳି ଫିଙ୍ଗି ଦେବାକୁ କୁଣ୍ଠିତ ନ ଥିଲେ । କିନ୍ତୁ ... ସେ ଥିଲା ଅଲଗା ପ୍ରକାରର । କାଳିସୀ ଲାଗିବା ଦିନର କଥା ।

 

ପରାଧୀନ ଭାରତର ଯୁବକ ଆଉ ସ୍ୱାଧୀନ ଭାରତର ଜଣେ ବିଚାରବନ୍ତ ଅଭିଜ୍ଞ ବୟସ୍କର ଚିନ୍ତାଧାରା ଏକ ନୁହେଁ । ହବା ସମ୍ଭବ ବି ନୁହେଁ ।

 

ଆସନ୍ତାକାଲି ସକାଳ ଛଅଟାରେ ପୁରୀ ଟାଉନହଲ ପ୍ରାଙ୍ଗଣରେ ପତକାତ୍ତୋଳନ ସମାବେଶରେ, ସେ ଜଣେ ସମ୍ମାନିତ ଅଂଶୀଦାର । ଅପରାହ୍ନରେ ସଂଗ୍ରାମୀ ବୈଠକରେ ଭାଷଣ ଦେବେ । ସନ୍ଧ୍ୟାରେ କାଉନ୍‌ସିଲରଙ୍କ ବାସଗୃହରେ ବନ୍ଧୁ ମିଳନ । ତା’ ଛଡ଼ା ଦିନଯାକ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।

 

ସେଥିପାଇଁ ଟିକେ ଶୀଘ୍ର ଉଠିବାର ଯୋଜନା କରିଥିଲେ; ଅବସ୍ୟ ଏତେ ଶୀଘ୍ର ନୁହେଁ ।

 

ଥରେ ନିଦ ଭାଙ୍ଗିଲେ ଆଉ ବିଛଣାର ମୋହ ତାଙ୍କୁ ଏଯାବତ୍‌ ଅଟକେଇ ରଖି ପାରିନାହିଁ ।

 

ଧନେଶ୍ୱର ବାବୁ ବାଲକୋନୀ ଆରାମଚେୟାରରେ ଦେହଢ଼ାଳି, ସିଗାରେଟରେ ଅଗ୍ନି ସଂଯୋଗ କଲେ ।

 

ପ୍ରଭାତ ପୂର୍ବ କେତୋଟି ମୁହୂର୍ତ୍ତର ସମୁଦ୍ର, ଅତିବେଶୀ ଅଶାନ୍ତ ହୋଇ ଉଠିଚି ।

 

ଢେଉ ଉପରେ ଢେଉ, ତା’ ପଛକୁ ତା’ ପଛ, ଗୋଟାକ ପରେ ଗୋଟାଏ ଆସି, ବେଳା ଭୂଇଁରେ ଅଜାଡ଼ି ହୋଇ ପଡ଼ୁଛନ୍ତି ଏବଂ ଫିକା କୁହୁଡ଼ିଆ ଆଲୁଅରେ ସମୁଦ୍ରର ରୁପେଲି ଢେଉଗୁଡ଼ା ଆହୁରି ରୁପେଲି, ଆହୁରି ଚକ୍‌ ଚକ୍ ଦିଶୁଛି । କାଳି ଜହ୍ନିଆ ବେଳ......ଏଇଟା.... । ସମୁଦ୍ରର ବାଲିପନ୍ତାର ଖୁବ୍‌ ଫର୍ଚ୍ଚା ଦିଶିଲେ ବି, ଆକାଶର ପାହାନ୍ତି ତାରା କହୁଛି......ରାତି ପାହିବ......କିନ୍ତୁ ଏବେସୁଦ୍ଧା ପାହିନାହିଁ ।

 

ଧନୁ ବାବୁଙ୍କର ପିଲାଦିନର କଥା ମନେ ପଡ଼ିଗଲା.......ବହୁଯୁଗ......ବହୁବର୍ଷ ତଳର କଥା । ପିଲାଦିନେ ଗାଁରେ ଏଇ କାଳି ଜହ୍ନିଆରେ ମିଛ ସକାଳର ଭ୍ରମ ଦେଖାଇ ଭୂତ କୁଆଡ଼େ ପାଣି ବୋହିବାକୁ ଲୋକ ଡାକିନିଏ ... ସେ ପାଣି ବୁହା ଆଉ ଶେଷ ହୁ... ଏ... ନା... । ମନରେ କେଉଁଠି, କ’ଣ ଖଟକରି ଶବ୍ଦ ହେଲା... ଚାଉଁ... କରି ଲାଗିଗଲା ... । ବର୍ଷ ବର୍ଷ ଧରି ଅନ୍ଧାରଥିବା, ଆବଦ୍ଧ କୋଠରିରେ, ଦୈବାତ୍‌ ଜଳି ଉଠିଲା, ଡ଼ିଆସିଲି କାଠିଟାଏ ।

 

ପ୍ରକୃତ ପକ୍ଷେ, ସବୁ ପରିବର୍ତ୍ତନ ଜୀବନ ନଈର, ମୋଡ଼ ଫେରେଇ ପ୍ରତ୍ୟେକ ଥର ବାଙ୍କ ବୁଲିବାଟା । ଏମିତି ଦୈବାତ୍‌, ଏମିତି ହୁ......କରି ହୋଇଥାଏ, ସାମାନ୍ୟ ଘଟଣାରୁ, ଟିକେ ସୂଚନାରୁ-

 

ଗାଁର ରାଣ୍ଡୀପୁଅ ଅନ୍ତା ଧନୁଆ, ମାତ୍ର ଚାହାଳି ପାଠ ଶେଷକରି, ଅପର ପ୍ରାଇମେରୀ ସ୍କୁଲ ମାଡ଼ିଛି । ହାଟରେ, କ’ଣ ଗୋଟାଏ ସଭା ହବ କଥା ଶୁଣାଗଲା । ଆଉ ଦି’ଚାରିଟା, ବଗୁଲିଆ ଟୋକାଙ୍କ ସାଙ୍ଗରେ, ଧନୁଆ ଯାଇଥିଲା ମଜ୍ଜା ଦେଖିବାକୁ । କ’ଣ ସେ ଦେଖିଲା, କ’ଣ ସେ ଶୁଣିଲା, ବୁଝିଲା ଅବା କ’ଣ ?

 

ତେଣିକି ସୁଦୀର୍ଘ ପଥ... । କେବଳ ଖାଲ, ଖଣା, ଢିପ, ଡିଙ୍ଗର, କଣ୍ଟା ଲଟା, ସମଗ୍ର ଯୌବନଟା ହିଁ ବିତିଗଲା... । ସାକି... ସୁରା, ସଙ୍ଗୀତ...... କିଛିର ସେ ଧାର ଧାରି ନାହିଁ ।

 

ଖାଲି ମାତିବା, ଖାଲି ମତାଇବା ଆନ୍ଦୋଳନ, ଜେଲ, ଜୋରିମାନା, ବାଜ୍ୟାପ୍ତି, ଲାଠି, ଗୁଳି, ଜଣେ ସଚେତନ, ସକ୍ରିୟ, ସ୍ୱାଧୀନତା ସଂଗ୍ରାମୀ ଲଢ଼ୁଆ ସୈନିକର, କେତେ ପୃଷ୍ଠା ସ୍ମୃତିଲିପି ।

 

ଉତ୍ତପ୍ତ...... ଉଜ୍ଜ୍ୱଳ...... ! କେଉଁଠି ରହିଗଲା ବୈତରଣୀ ନଈଭଳି ଆଶା କରିଥିବା ସେଇ ବିଧବା ମାଆଟି କୋଉଠି ଛିଟିକି ପଡ଼ିଲା... ଅନ୍ତଃସତ୍ତ୍ୱା ତରୁଣୀ ନବୀନା ନବ ବଧୂ ।

 

ଜେଲଖାନାର ଅନ୍ଧାର କୋଠରି ଭିତରେ କିଛିର ହିସାବ ରଖି ହେଲାନାହିଁ । ରଖିବାର ପ୍ରବୃତ୍ତି ନଥିଲା । ପ୍ରତିଟି ରକ୍ତକଣିକାରେ, ଅନୁରଣିତ ହେଉଥିଲା, କର ଅବା ମର’ର ମନ୍ଦ୍ର ମନ୍ତ୍ରଧ୍ୱନୀ-। ପାହାନ୍ତି ତାରା ଫିକାପଡ଼ି ଆସୁଛି... । ଏଥର ପ୍ରକୃତରେ ସକାଳ ହବ । ...ପ୍ରକୃତରେ ହିଁ ସକାଳ... । ସବୁଥର ସତ ସକାଳ ହବା ଆଗରୁ, ମିଛ କାଳି ଜହ୍ନିଆ ବୋଧେ କିଛିଟା ମୁହୂର୍ତ୍ତ ଚୋରେଇ ନିଏ । ଗୋଟି ଗୋଟି ମନେ ପଡ଼ୁଛି ସବୁକଥା ।

 

ଦେଶ ସ୍ୱାଧୀନ ହେଲା... ସ୍ୱପ୍ନ ସାକାର ହେଲା । ତା’ପରେ ... ? ତା’ପରେ ... ? ତା’ପରେ ସେଇ ଉଦ୍ଦାମ କର୍ମଶକ୍ତି ପ୍ରଖର ଆବେଗ, ପ୍ରଚୁର ଉନ୍ମାଦନା...ରେ ଭଟ୍ଟାପଡ଼ି ଆସିଲା । କିଏ କୋଉଠି ରଚନାତ୍ମକ କାମରେ ଲାଗିପଡ଼ିଲେ, କେହି ଧାଇଁଲେ ପ୍ରତିଷ୍ଠା ପଦବି ପଛରେ, କେହି କେହିବି ଠିକ୍‌ ଏଇ ପାହାନ୍ତି ତାରାଭଳି ବୁଡ଼ିଗଲେ ପଶ୍ଚିମ ଦିଗ୍‌ବଳୟ ତଳେ ।

 

ଗୋଟାଏ କାଳି ଜହ୍ନିଆ ମିଛ ସକାଳର କୁହୁଡ଼ିଆ ଆଲୁଅ ସାରା ଦେଶରେ ଛାଇ ହୋଇଗଲା । ଅଗଣିତ ଭୂତମାନେ, ବନ୍ଧୁତ୍ୱର ହାତ ବଢ଼ାଇ ନିରାପଦ ଆଶ୍ରୟ ତଳୁ ଡାକିନେଲେ ପାଣି ବୋହିବାକୁ– ଏଡ଼େ ଜାଣିବାର ଏଡ଼େ ପାରିବାର, ପୋଖତ ଚିହ୍ନରା ହୋଇତ ସେ ନିଜେ ହିଁ ଠକିଲେ । ମାଆର- ବାତ୍ସଲ୍ୟ ଉଷ୍ମକୋଳ, ଭାର୍ଯ୍ୟାର ଲୋଭନୀୟ ଆଲିଙ୍ଗନର ବନ୍ଧନରେ ଯେଉଁ ସଂସାର ଦିନେ ଧନୁ ବାବୁଙ୍କୁ ବାନ୍ଧି ପାରିନଥିଲା ସେ ଅପେକ୍ଷା କରିଥିଲା ଗୋଟେ ଅର୍କ୍ଷିତ ଅସହାୟ କଅଁଳା ଶିଶୁର ଲୁହ ଛଳ ଛଳ ଚାହାଣୀ ଭିତରେ ।

 

ଧନୁ ବାବୁ ତ ଲାଗିପଡ଼ି, ଗଲା... ପାଣି ବୋହୁଛନ୍ତି... । ସରପଞ୍ଚ, ଚେୟାରମ୍ୟାନ, ଏମ୍‌. ଏଲ୍‌. ଏ. କୋଠାବାଡ଼ି, ଗାଡ଼ିଘୋଡ଼ା, ସଞ୍ଚୟ, ସୁବିଧା, ସ୍ୱାଚ୍ଛନ୍ଦ୍ୟ ସଂସାରପାଇଁ ସବୁ ସାଇତି ଦେଇଗଲେ । ଏ ବଜ୍ଜାତ୍‌ ସଂସାରର ଆଉ ଫଟା ପାହୁଲାଟାକର ଋଣବି ତାଙ୍କଠାରେ ନାହିଁ ।

 

ବର୍ତ୍ତମାନ ଠିକ୍‌ ଏଇ ମୁହୂର୍ତ୍ତରେହିଁ ସେ ବୁଝି ପାରିଛନ୍ତି । ଭୂତ ହାବୁଡ଼େ ପଡ଼ି ପାଣି ବୋହି ବୋହି ତାଙ୍କ ଗୋଡ଼ ହାତ, କୋଲ ମାରିଗଲାଣି, ସେ ଏକବାରକେ ହାଲିଆ ।

 

ସେଇ କିଶୋର, ସେଇ ଆଲୋକନ୍ୱେଷୀ ଚିରନ୍ତନ ସଂଗ୍ରାମୀ ହୃଦୟ କ’ଣ କିଛି କି ଖାତିର କରିଥିଲା, କିଛିର ଅପେକ୍ଷା ରଖିଥିଲା ? ସେ ନିତ୍ୟ ମୁକ୍ତିକାମୀ–ଆଉ ମୁକ୍ତି ? ତାହାତ ପାହାନ୍ତାରେ ।

 

‘‘ସବୁ କଂଗ୍ରେସ କର୍ମୀ, ଦେଶର ସବୁ ମିଲ ମାଲିକ, ପୁଞ୍ଜିପତିର ଦଳ, ସବୁ ଜମାଟକରି ଜମେଇ ରଖିଥିବା ଅତି ଚତୁରମାନେ, ଦେଖାଅ ଭୂତ ସାଙ୍ଗରେ କେତେ ପାଣି ବୋହିଚ ।’’

 

ସେ ପାଣି ତ ନଷ୍ଟ ହବାକୁ ଦିଆହବନି– ସେଥିରେ ସବୁ ଟାଙ୍ଗର ଭୂଇଁ ଶସ୍ୟଶ୍ୟାମଳା ବରଦା ହୋଇ ଉଠିବ ।

 

ଜୀବନର ସବୁ ମୋଡ଼ ଭାଙ୍ଗିବା, ସବୁ ପରିବର୍ତ୍ତନ ହଠାତ୍‌ ଆସେ, ହୁକିନି ଆସେ, ଦପକରି ଜଳି ଉଠେ ଦିଆସିଲି । ଧନେଶ୍ୱର ବାବୁ ନିଜ ରାଇଟିଂ ଟେବୁଲ ପାଖକୁ ଉଠିଗଲେ ଅର୍ଜିତ ସମ୍ପତ୍ତିର ସତ୍ୟ ତାଲିକା ପ୍ରସ୍ତୁତ କରିବାକୁ ଏବଂ ବିଧାନ ସଭାର ସଭ୍ୟ ପଦରୁ ଇସ୍ତଫା ପତ୍ର ଲେଖିବାକୁ । ଭୟ କରନ୍ତୁନି ସେ ସନ୍ନ୍ୟାସୀ ହୋଇ ଯିବେ ନାହିଁ । ଜଣେ ସଚ୍ଚୋଟ ସକ୍ରୀୟ କଂଗ୍ରେସ କର୍ମୀ ଭାବରେ ଜନତାର ସେବା କରିବେ ।

 

ଏଣେ ସ୍ୱାଧୀନତା ଦିବସର ବନ୍ଦେ ମାତରଂ ଗାନ କେଉଁଆଡ଼ୁ ଭାସି ଆସିଲା– ମାଇକ୍‌ରେ । ପ୍ରଭାତ ପବନର ମୃଦୁ ହିଲ୍ଲୋଳ ତାକୁ ବହନକରି ଆନନ୍ଦରେ ବହି ଯାଉଥିଲା । କୁଆଡ଼େ ନାଇଁ କୁଆଡ଼େ । ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ପ୍ରଭାତ-ଫେରି କରୁଥିବାର ଶୁଣାଗଲା । ସେମାନଙ୍କର କୋମଳ ଆଶାପୂର୍ଣ୍ଣ କଣ୍ଠରେ ବାପୁଜୀଙ୍କ ପ୍ରିୟ ଭଜନଟି ଝଂକୃତ ହେଉଥିଲା–

 

ଦୀନ ଦୟାଲ୍‌ ପ୍ରଭୁ ରାଜାରାମ

 

ଧନେଶ୍ୱର ବାବୁଙ୍କୁ ଖୁବ୍‌ ଉଶ୍ୱାସ ଲାଗିଲା- ଖୁବ୍‌ ଆରାମ ବୋଧହେଲା । ତାଙ୍କର ମନେ ପଡ଼ିଗଲା- ସେ ଜୀବନରେ ଦୁଇଥର ତାଙ୍କୁ ଦେଖିଛନ୍ତି- ସେଇ ସତ୍ୟର ମଣିଷଟିକୁ– ତାଙ୍କର ଅଙ୍ଗ ସ୍ପର୍ଶ କରିଛନ୍ତି– ସେଇ ଲଙ୍ଗଳା ଫକୀରଟିର ଅଙ୍ଗ-ଆଃ ! କି ଆରାମ– କି ଆରାମ– କି ପ୍ରତ୍ୟୟ ! କି ଆଶ୍ୱାସନା ! ସେ ଜୀବନରେ ତାଙ୍କ କଣ୍ଠସ୍ୱର ଦୁଇଥର ଶୁଣିଛନ୍ତି– ସେଇ ସ୍ୱାଧୀନ ମଣିଷଟିର– ସେହି ମହାତ୍ମାଟିର ।

 

ଧନେଶ୍ୱର ବାବୁଙ୍କ ଆଖିରେ କୃତଜ୍ଞତାର ଲୁହ ଭରିଗଲା । ସେ ମନେ ମନେ କହିହେଲେ– ହ- ହ ! ସେଇ କେବଳ ସ୍ୱାଧୀନତା ଦେଇପାରେ ଯେ ନିଜେ ସ୍ୱାଧୀନ– ସତକୁ ସତ ସ୍ୱାଧୀନ !

Image

 

ଆଲୁଅର ଛାଇ

 

ମାତ୍ର ଗୋଟିଏ ମିନିଟ୍ ପୂର୍ବରୁ ତାକୁ କେହିବି ଜାଣି ନଥିଲେ ।

 

ଏ ସହରରେ ସେ ଯା’ ଆସ କରୁଥିଲା । ଏହାରି ପାଣି ପବନ ସୁଖ, ଦୁଃଖ ହସ କାନ୍ଦର କଲୋଳିତ ସମୁଦ୍ରରେ ସେ ଥିଲା କ୍ଷୁଦ୍ର ଗୋଟିଏ ବିନ୍ଦୁ । ତଥାପି ତାକୁ କେହି ଯାଣି ନଥିଲେ ।

 

ସହରରେ ବା କିଏ କାହାକୁ ଚିହ୍ନେ... ? ଏଠି ଅସଂଖ୍ୟ ମୁହଁ, ଅଗଣିତ ସମସ୍ୟା ଅସୁମାରି ଚିନ୍ତା ଭାବନା । ଖାଲି ଅଣନିଃଶ୍ୱାସୀ ଦୌଡ଼... ଆଉ... ଦୌଡ଼... । ସମସ୍ତେ ଧାଉଁଛନ୍ତି । କିଏ କାହା ଦେହରେ ପିଟି ହୋଇ ତଳେ କଚାଡ଼ି ହୋଇ ପଡ଼ୁଛି । କିଏ କାହା ପାଦ ତଳେ ପେଷି ଦଳି ହୋଇ ଯାଉଛି । ସେଥିକି କାହାରି ଲକ୍ଷ୍ୟନାହିଁ ।

 

ଚକ୍‌ର କାଟି ଯିଏ ଯେତେ ଉଚ୍ଚକୁ ପାରେ ଉଡ଼ୁଚି... କିନ୍ତୁ ଉଚ୍ଚ ଆକାଶର ଶାଗୁଣା ଭଳି ସମସ୍ତଙ୍କର ତୀକ୍ଷ୍‌ଣ ଶାଣିତ ଦୃଷ୍ଟି ସେଇ ପଚ୍ଚା ମଢ଼ ଉପରେ । ମୁଁ ଆଉ, ମୋର ବନ୍ଧନୀ ଭିତରେ... ଆବଦ୍ଧ ।

 

ହଠାତ୍, ଗୋଟାଏ ଭୟାନକ ବିସ୍ଫୋରଣରେ ଘଟିଗଲା ନିଦାରୁଣ ବିପ୍ଳବ......ଛୋଟ ଛୋଟ ବନ୍ଧନୀର ସୀମାରେଖା ସବୁ ଭାଙ୍ଗିଯାଇ ଗୋଟାଏ ବିରାଟ ବୃତ୍ତରେ ପରିକ୍ରମା କଲା ମିଳିତ ଜନ ଜୀବନ । ରିକ୍‌ସାବାଲା ମଦନ ବିଖ୍ୟାତ ହୋଇ ଉଠିଲା... ନିଜର ମୃତ୍ୟୁ ମଧ୍ୟ ଦେଇ... ।

 

କାଲି ଯୋଉମାନେ ଜାଣିନଥିଲେ ତା’ ନାଁ ମଦନ କି ମଧୁ, ଯଦୁ କି ଦାମୋଦର... ଆଜି ସେମାନଙ୍କର କରତଳା ମନ୍ଦକୀବତ୍‌ ମୁଖସ୍ତ ହୋଇ ଗଲାଣି ମଦନର ପାରିବାରିକ ଇତିହାସ... ।

 

ଜିଅଁନ୍ତାରେ ଯେଉଁମାନେ ମଦନର ବୁହଁ ବି ଦେଖି ନଥିଲେ ସେଇ ନଗର ଲଳନା ମାନେ ତା’ର ମୁର୍ଦ୍ଦାର ଦେଖିବାକୁ ରାସ୍ତା କଡ଼ରେ... କବାଟ ଆରପାଖେ... ଝରକା ଦାଢ଼ରେ ଉତ୍ସୁକ ଅଶ୍ରୁଳ ଆଖିରେ ଚାହିଁ ରହିଲେ ।

 

ମୁଁ କି ତୁମେ ମଲେ ଗୋଟାଏ ପରିବାର କାନ୍ଦିବ । ମଦନ ଲାଗି କାନ୍ଦିଲା ସହସ୍ର ପରିବାର ।

 

ମଦନର ମୃତ୍ୟୁ ଅସୁମାରି ଅଶ୍ରୁ ଧାରାରେ ଆଦ୍ର ହୋଇ ଧନ୍ୟ ହୋଇ ଉଠିଲା... । ପ୍ରକୃତରେ ଏ କ’ଣ ସୌଭାଗ୍ୟ ନୁହେଁ ?

 

ଅମୁକ ଲେଖକ ସମୁକ ଶିଳ୍ପୀ ଜାତି ପାଇଁ ଜୀବନ ଭରି ଅବଦାନ ଦେଇ ଜୀବନାବସାନ କାଳରେ ଠିକ୍‌ ରହିଗଲେ ଆଗଭଳି ଅବହେଳିତ ଉପେକ୍ଷିତ... ସମ୍ବାଦ ପତ୍ରର କେଉଁ କ୍ରୋଡ଼ପୃଷ୍ଠର ଅନୁ-କୋଣରେ ଲଜ୍ଜାନତ ବଧୂଟି ଭଳି ରହିଗଲା ତାଙ୍କ ତିରୋଧାନ ସମାଚାର । କିଏ ପଢ଼ିଲା କି ନାହିଁ ?

 

ମଦନ ଲାଗି କିନ୍ତୁ ପଡ଼ିଗଲା ଖବର କାଗଜ ବିକ୍ରି... ତା’ର ମର୍ମନ୍ତୁଦ ଆକସ୍ମିକ ମରଣକୁ ଅଧିକ କରୁଣ ଅଧିକ ଆବେଗପୂର୍ଣ୍ଣ ଭାଷାରେ, ପରଷା ଯାଇଥିଲା, ପ୍ରଥମ ପୃଷ୍ଠାର ହେର୍ଡ଼ଲାଇନ୍‌ରେ.....ଜଣକଠୁ ମାଗି ଦଶଜଣ ପଢ଼ି ପକେଇଲେ ସେ ଖବର... ତଥାପି ଅବଶୋଷ କଲାଭଙ୍ଗୀରେ ଏକ ଅପରକୁ କହିଲା ।

 

‘‘ଏ ସମ୍ବାଦଦାତା ଗୁଡ଼ାକ କ’ଣ ସଠିକ ସମ୍ବାଦ ପ୍ରାଞ୍ଜଳ ଭାବରେ ଦେଉଛନ୍ତି କି ? କ’ଣ ସେ ହୋଇଗଲା ଏ ଦେଶଟା’ର ସବୁଥିରେ ଖଇଚା ସବୁ କାମରେ ଗଫଲତି ।’’

 

ପେନ୍‌ସନ୍‌ ପାଇ ନଥିବା, ଅବସରପ୍ରାପ୍ତ ବୁଢ଼ା ପଞ୍ଛାଏ, କଥାଟାକୁ ଟିହାଇ ଦେଇ କହିଲେ ବାବୁ ୟେତ ଆଉ ଇଂରେଜ ଅମଳ ନୁହେଁ ଯେ ବାଘ ବକରୀ ଏକା ଘାଟକେ ପାଣି ପିଇବେ । ଯାହା କିଛି କିଛି, କର୍ମତତ୍‌ପରତା, ଯାହା କିଛି କିଛି, ସଚ୍ଚୋଟ ପଣିଆ ଆମ ଅମଳରେ ଥିଲା । ଏବକୁ ଏବକୁ ସେସବୁ ରସାତଳକୁ ଗଲାଣି, ଦେଶଟା ବି ଆଉ କେଇଦିନେ ରସାତଳକୁ ଯିବ ।’’

 

ଆଲୋଚନାର ଗତି, ବାଟ ଛାଡ଼ି ଅବାଟକୁ ମେ ହିଁଲା... ଜଣେ ଅସହାୟ, ଗରିବ ରିକ୍‌ସାବାଲାର, ମରଣ ପାଇଁ, ସହାନଭୂତିର ଆହାପଦଟି, କାହିଁ କୁଆଡ଼େ ପୋତି ହୋଇପଡ଼ି ତାନ ଛିଣ୍ଡିଲା, ବର୍ତ୍ତବାନର ରାଜନୀତି ମୁଣ୍ଡରେ ।

 

କଂଗ୍ରେସର ସମର୍ଥକମାନେ ଗାଳି ଦେଲେ ଜନତା ସରକାରଙ୍କୁ, ଜନତା ଦଳ ଲୋକେ କହି ବୁଲିଲେ ସରକାରୀ କଳକୁ ଓ ଦଳକୁ ବଦନାମ କରିବାକୁ ସେଇ ନିଆଁଗିଳା, ଲଙ୍କା ପୋଡ଼ା କଂଗ୍ରେସ ଦଳର ଦଲାଲମାନେ ଏଇ ଜଘନ୍ୟ ହତ୍ୟା କାଣ୍ଡ ଭିଆଇଛନ୍ତି ।

 

ବାକି ଯୋଉ ବେକାର ଫଟ୍‌ ଫାଟ୍‌ ଦଳଟି ଭାଇ ଦାଦି କକେଇମାନଙ୍କ ଘରେ ପୋଲାଭାତ ବକତ ପକେଇ ନିଷ୍କ୍ରିୟ ନିଶ୍ଚେଷ୍ଟ ହୋଇ ପଡ଼ି ରହିଥିଲେ ।

 

ଛକ ମୁଣ୍ଡ ଚା’ ଦୋକାନ ଆଡ୍‌ଡାରେ ଯେଉଁ ମାନଙ୍କ, ହିମ ଶୀତଳ ମୁହୂର୍ତ୍ତ ଗୁଡ଼ିକୁ, କିଞ୍ଚିତ ଉଷ୍ମତାରେ, ଭରି ଦେବାପାଇଁ ଉତ୍ତେଜନାର ଭୀଷଣ ଦୁର୍ଭିକ୍ଷ ପଡ଼ିଥିଲା ସେମାନେ ଏକାବେଳକେ ନାଚି ଉଠିଲେ ।

 

ଜଣେ ଆରଜଣକୁ ଝୁଙ୍କାଇ ଦେଇ କହିଲା ଏ ହତ୍ୟାକାଣ୍ଡ ପଛରେ ବ୍ୟକ୍ତିଗତ, ଆକ୍ରୋଶ, ଉତ୍ତେଜନା କିମ୍ବା ରାଜନୈତିକ ଦୂରଭିସନ୍ଧି, ଯାହା କିଛି ଥାଉ, ହତ୍ୟା ହିଁ ହତ୍ୟା ।

 

ମୃତ୍ୟୁ ପ୍ରଖର ସୂର୍ଯ୍ୟାଲୋକଠାରୁ ବଳି ବି ସତ୍ୟ, ହିମାଳୟ ଠାରୁ ବଳି ବି ଦୁଲଂଘ୍ୟ ଯିଏ ଯାଏ... ସେ... ଯାଏ...

 

ମଦନ ଯାଇଛି... ଆଉ ଫେରି ଆସିବ ନାହିଁ... ।

 

ହସପିଟାଲରେ ଭୂଇଁରେ ପଡ଼ି ପଡ଼ି, ଔଷଧ ଟୋପାଏ ନ ପାଇ, ଡାକ୍ତରଙ୍କର ସେବା, ଯତ୍ନ ନପାଇ, ବ୍ଳଡ଼, ସାଲାଇନ୍‌, ଇନ୍‌ଜେକ୍‌ସନ୍‌, ଇତ୍ୟାଦି ଇତ୍ୟାଦି ନପାଇ ଶେଷ ନିଃଶ୍ୱାସ ତ୍ୟାଗ କରିଛି ବୋଲି, ଫେରି ଆସି ସେ ପ୍ରତିବାଦ କରିବ ନାହିଁ.....

 

ପ୍ରତିବାଦ କରିବା ଆମେ, ଆମେ ସମସ୍ତେ ।

 

ତାଆରି ଝାଟିମାଟି କୁଡ଼ିଆଘର, ସାମ୍ନା ଏଇ ଦେକାନରେ ଆମେ ସବୁ ଚା ଜଳଖିଆ ଖାଉଚେ......

 

ମଦନର ତରୁଣୀ ଅନାଥିନୀ ସ୍ତ୍ରୀ’ତା ଛେଉଣ୍ଡ ଛୁଆଟିର କାନ୍ଦଣାରେ ସେଗୁଡ଼ା ତଣ୍ଟିରେ ଗଳିବତ ? ମନେକର, ମଦମ ନୁହଁ, ତମେ ମରିଛ... ତମ ସ୍ତ୍ରୀ ପିଲାଙ୍କର ବୁକୁ ଫଟା ବିକଳ ବାହୁନା ଶୁଭୁଚି ।

 

ଅନ୍ୟ ଜଣେ ବାଧାଦେଇ କହିଲା... ‘‘ଆରେ, ସେ କ’ଣ ମୂଳରୁ ହାତକୁ ଦିହାତ ହେଲାଣି ଯେ...’’

 

ଏଡ଼େ ଗମ୍ଭୀର ବିଷଣ୍ଣ ବିଷୟଟିର କରୁଣତା ତଥା ଉପଯୋଗିତା ନବୁଝି ଏଭଳି ହାଲ୍‌କା ମନ୍ତବ୍ୟ କରିବାରୁ ପ୍ରଥମ ଜଣକ ଭୀଷଣ ରାଗିଗଲା... ଏବଂ ନଡ଼ ନଡ଼ିଆ ବେଞ୍ଚରୁ ସନ୍ଦର୍ପେ ଉଠିପଡ଼ି କହିଲା ।

 

ବର୍ତ୍ତମାନ ସେ ବାଜେ କଥା ରଖ, ଆଉ ଶୁଣ ।

 

ମଦନର ମଡ଼ାକୁ ଶୋଭାଯାତ୍ରାରେ ନେଇ, ଚନ୍ଦନ କାଠରେ, ଦାହ କଲେ କି ରାଜନୈତିକ ଦଳର, ଫାଇଦା ଉଠେଇବାକୁ ବିରାଟ ଶୋକସଭାର ଆୟୋଜନ କଲେ, ଦି’ଇଟା ନିଆଶ୍ରୀ ପ୍ରାଣୀର କଡ଼ାକର ଲାଭ ହବ ନାହିଁ ।

 

ମଦନ- ଆତ୍ମାର ସ୍ଵର୍ଗ ଲାଭ ହେଲା କି ନର୍କ ବାସ ହେଲା, ପୃଥିବୀର ଲୋକଙ୍କ ପାଇଁ ସେଇଟା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଅସଲ କଥା ହେଲା... ଅର୍ଥ... । ବାସ୍ତବ କଥା ହେଲା ଗଣ୍ଡାଏ ଖାଇ ଖଣ୍ଡେ ପିନ୍ଧି ଜିଇଁ ରହିବା......

 

ଭାଷାରେ ଆଉ ଟିକିଏ ଆବେଗ ଢାଳି ସେ ଯୋଗ କଲା...

 

ମଦନ ରିକ୍‌ସା ଟାଣୁ କି ଚୋରି... ଚମାରୀ କରୁ, ତା’ ନଉକା ସେ ଠେଲୁଥିଲା... ସେଥିପାଇଁ କାହାରି ମଥା ବ୍ୟଥା ଦରକାର ନଥିଲା ଏବେ ଏ ଦିଇଟା ପ୍ରାଣୀ ଖାଇବେ କ’ଣ ?

 

ଏଇ ପ୍ରଶ୍ନଟା ଠୁଳୀକୃତ ହୋଇଥିବା ସମସ୍ତଙ୍କ ଅନ୍ତରରେ ଝଙ୍କାରୀ ଉଠିଲା ଏକସାଙ୍ଗରେ... ଖାଇବେ କ’ଣ ?

 

ପ୍ରକୃତରେ; ଏ ଦୁନିଆରେ ପେଟ ପାଟଣାର ଚିନ୍ତା ହେଲା... ବଡ଼ ଚିନ୍ତା ।

 

ଏହା ଯେଡ଼େ ସ୍ଥୂଳ ଯେଡ଼େ ବାସ୍ତବ ଧର୍ମୀ ହେଉ ପଛେ......ଏକ କଠୋର ନିର୍ଭେଜାଲ ସତ୍ୟ..... । ଧୂଳି ମାଟିର ଧରଣୀରେ, ମାଟିର ଯୋଉ ପିଣ୍ଡଟି ଗଢ଼ା ହୋଇଚି.....ଯାହାକୁ ମାଧ୍ୟମ କରି, ରୂପରସ ଶବ୍ଦ, ସ୍ପର୍ଶର ପାର୍ଥୀବ ଆନନ୍ଦମୟ ଅନୁଭୂତି, ଜୀବନକୁ ଧୀରେ ଧୀରେ, ଆଉ ଏକ ଅପାର୍ଥୀବ ଅନୁଭବ ଆଡ଼କୁ ଘେନି ଯାଉଚି, ସେଇ ମାଟି ପିଣ୍ଡଟିର, ସେଇ ଦେହର, ଦାବି ଯେମିତି ସର୍ବାଗ୍ରେ ସର୍ବଶ୍ରେଷ୍ଠ ଅନ୍ନ ବିହିନେ ହଂସ ହାନି ।

 

ଅନ୍ନମୟ ପିଣ୍ଡ ପାଇଁ ଆଗ ଲୋଡ଼ା ଅନ୍ନ ମୁଠିକ......

 

ଅତଃ ପର କାହାରି ହେଲେ ଦ୍ୱିମତ ହେବାର କିଛି କାରଣ ନଥିଲା... ମଦନର ବିଧବାଟିକି ସାହାଯ୍ୟ କରିବାରେ.....

 

ମୃତ ରିକ୍‌ସାବାଲାର ଅରକ୍ଷ ପରିବାରଟିକି ଆଗେ ଆଗେ ଚଳାଇ ପଛରେ ଦଳବଦ୍ଧ ଭାବରେ, ଏଇ ଯୁବା ଦଳଟି ମନ୍ତ୍ରୀଙ୍କ ବାସଭବନ ଆଡ଼େ ଅଗ୍ରସର ହେଲେ..... ।

 

ସାରା ଅଞ୍ଚଳଟିର ଲୋକେ......ସଚକିତ ସପ୍ରଶଂସ ଦୃଷ୍ଟିରେ, ଚଲାଫେର । କରୁଥିବା ପ୍ରତ୍ୟେକଟି ହିପିକଟ୍‌ ତରୁଣକୁ ଅବଲୋକନ କରିବାକୁ ଲାଗିଲେ... ଯେତେବେଳେ ପ୍ରଚାରିତ ହୋଇଗଲା.....ମନ୍ତ୍ରୀ ମହାଶୟ ନିଜସ୍ୱ ପାଣ୍ଠିରୁ ଏକ ହଜାର ଟଙ୍କା, ଅରକ୍ଷ ପରିବାରଟିକୁ ତୁରନ୍ତ ସାହାଯ୍ୟ ଦେଇଛନ୍ତି ।

 

ଏଇ ବିଷୟଟିର ଘନ ଘନ ଆଲୋଚନା... ମନ୍ତ୍ରୀଙ୍କ ଲୋକପ୍ରିୟତାକୁ ହଠାତ୍‌ ବହୁଗୁଣିତ କରିଦେଲା... ମଧ୍ୟ ।

 

କିଛି ଦିନ ପାଇଁ (ଯେତେ ଅଳ୍ପଦିନ ହେଉ ପଛକେ) ସେ ସହରର ଲୋକେ, ତେଲ ଦର, ଡାଲି ଦର ଚାଉଳ ଦର, ବାର ବାର ବିଜୁଳି ଆଲୁଅ ଲିଭୁଥିବା ଇତ୍ୟାଦି ଜଟିଳ ସମସ୍ୟାମାନ ଭୁଲି ଗଲେ ।

 

ସରକାର ଯଥାର୍ଥରେ ଗରିବ ଖଟିଖିଆଙ୍କ ସରକାର, ଯଥାର୍ଥରେ ଦୀନ ଦରିଦ୍ରଙ୍କ ମାଆ ବାପ ।

 

ଏକଥା ରିକ୍‌ସାବାଲାମାନେ ସୁଦ୍ଧା କଥାକାର୍ତ୍ତା ହେବାର ଦେଖାଗଲା... ।

 

ଏଣୁ କଂଗ୍ରେସ ବାଲା... ରିକ୍‌ସାବାଲାଙ୍କୁ ଉସୁକେଇ ତତେଇ ମତେଇ ଯୋଉ ଭଙ୍ଗା ରୁଜା ବଡ଼ ଧରଣର, ଧର୍ମଘଟଟାଏ କରିବେ ବୋଲି ପାଞ୍ଚ କରିଥିଲେ, ସେକଥା ହେଲାନାହିଁ ।

 

ଓଲଟି ସବୁ ପେଞ୍ଚ ପଦାରେ ପଡ଼ିଗଲା । ଏତେ କୋଳାହଳ ଏତେ ହଟ ଚମଟ ଏତେ ଛକା ପଞ୍ଝା ଭିତରେ ବିଚାରୀ ଗୌରୀ କାଠର ସଖୀ-କଣ୍ଢେଇଟିଏ ପାଲଟି ଗଲାଣି ।

 

ତା’ର ଜୀବନ ନାହିଁ । ତା’ର ଚେତନା ନାହିଁ... ତା’ର ଇଚ୍ଛା ଆକାଂକ୍ଷା କାମନା ବାସନା କିଛି ହେଲେ... ନାହିଁ... ଅଥବା ଏତେ ଉପଦେଶ, ଏତେ କୁହା ବୋଲା, ଏତେ ଅଜାଚିତ୍‌ ହିତାକାଂକ୍ଷୀଙ୍କ, ଅହେତୁକ ଦରଦରେ, ତା’ର ଯାହା କିଛି ଚିନ୍ତାଦକ... ସବୁ ଗୋଳି ଗାଳି ହୋଇ ମୁଣ୍ଡା ଧରି ଗଲାଣି ଠିକ୍‌ ବରଫ ମୁଣ୍ଡାଏ ଭଳି.....

 

ଯିଏ ଯେମିତି ସୂତାଧରି ଟାଣି ଦେଉଚି... ସିଏ ବିଚାରି... ସେମିତି... ନାଚୁଚି... ।

 

ସ୍ତ୍ରୀ ଜନ୍ମ ପାଇଲେ ତ ଅପରର ଅଙ୍ଗୁଳି ସଙ୍କେତରେ ନାଚିବାକୁ ପଡ଼େ ଜୀବନଯାକ । ସେ ନାଚିବାରେ କିନ୍ତୁ ଥାଏ... ଆପଣାର ପ୍ରଚ୍ଛନ୍ନ ପ୍ରଣୟ କୁଣ୍ଠିତ ମଧୁର ସମ୍ମତି ।

 

ଆଉ ମଧ୍ୟ ଥାଏ ନାଚି ନଚାଇବାର ବିହ୍ୱଳତା...

 

ମଦନ ହାତରେ ନାଚିବା, ଏତେ ଲୋକଙ୍କ ବିକଟ ରାହୁଆ ସ୍ୱାର୍ଥ ହାତରେ ନାଚିବା କ’ଣ ସମାନ କଥା ?

 

ଗୁଉରୀ ଗାଉଁଲୀ ମୁର୍ଖ ମାଇପି ଲୋକଟିଏ ହୋଇଥିଲେ ବି ସବୁ ବୁଝେ ।

 

ଅବଶ୍ୟ ତା’ର ବୁଝିବାରେ ଟିକିଏ ଡେରି ହୋଇ ଥିଲା......

 

ସାମାନ୍ୟ ଦ୍ୱିଧାର ଅବକାଶ ଥିଲା ସେଦିନ...... ଯୋଉଦିନ ତା’ ଲୁହ ଜାଲ ଜାଲୁଆ ଆଖି ଆଗରେ ଏତେ ଲୋକ ଘେରି ପଡ଼ି ଶାନ୍ତ୍ୱନା ଦେଉଥିଲେ...... ଯୋଉଦିନ ବିରାଟ ପଟୁଆରରେ ଧନୀ ମାନୀ ଲୋକର ଶବ ଭଳି ତା’ ସ୍ୱାମୀର ମୁର୍ଦ୍ଦାରକୁ ବୋହି ନେଇଥିଲେ ଅଚିହ୍ନା ଅନାତ୍ମୀୟ ଲୋକମାନେ...... ଯୋଉଦିନ ଅଣ୍ଟାରୁ ପଇସା କାଢ଼ି ତା’ର ଦି’ଦିନର ଅନାହାରୀ ଛୁଆଟିକି ସେମାନେ ଦେଇଥିଲେ ପେଟପୁରା ଆହାର ।

 

ସେଦିନ ଗୌରୀର ମନେ ହୋଇ ଥିଲା ଏ ସଂସାର କେଡ଼େ ବିଶାଳ କେଡ଼େ ଉଦାର...... ଏ ଜୀବନ କେଡ଼େ ବ୍ୟାପ୍ତ କେତେ ଆକର୍ଷଣୀୟ......ୟା’ର ମମତା କେଡ଼େ ନିବିଡ଼ କେତେ ମଧୁର.....

 

ସହସ୍ର ବିଚ୍ଛେଦ ସତ୍ୱେ ଶତ ଶତ ନିଦାରୁଣ ଆଘାତ ପରେ ମଧ୍ୟ.....

 

ଏଠି କିଛି ସରିଗଲେ ଭରିଦେଇ ହେବ... ଏଠି କିଛି ହଜିଗଲେ ଖୋଜି ନେଇହବ ।

 

ମଣିଷ ମଣିଷକୁ ବିଶ୍ୱାସ କରିବାରେ ବାଧା ନାହିଁ, ହତ୍ୟାପରେ, ରକ୍ତପାତ ପରେ ମଧ୍ୟ । ସେଇଥି ପାଇଁ ଗୌରୀ ନିଜେ ନିଜର ଲୁହ ପୋଛି ଦେଲା.........ନିଜେ ନିଜର କୋହ ଶାନ୍ତ କଲା.....

 

ମଦନ......ରିକ୍‌ସା ଭଡ଼ା ମାଗିବାରୁ.....ନପାଇ ନିର୍ଜନ ରାତିର ଅନ୍ଧାରରେ କେଉଁ ଏକ ମଦ୍ୟପ ଦୁର୍ବୃତ୍ତ ଗୁଣ୍ଡାଠାରୁ ପାଇଲା ମୁଣ୍ଡରେ ଶକ୍ତ ଏକ ପାହାର ।

 

ଯନ୍ତ୍ରଣାରେ ପ୍ରତିବାଦ କରିବାକୁ ଯାଇ ତା’ ପାଟି... ଆଁ... ହୋଇ ଗଲା... ତା’ ପ୍ରତିବାଦ... କିନ୍ତୁ... ରହିଗଲା ସବୁଦିନ ପାଇଁ ଅନୁଚ୍ଚାରିତ ।

 

ଚିତାରେ ଶୁଆଇ ଦେଲାବେଳେ ମଧ୍ୟ ତା’ ହାଁ ମେଲା ପାଟିରେ ସେଇ ନୀରବ ପ୍ରଶ୍ନ । ବଞ୍ଚିବାର ଅଧିକାରରୁ ଅକାରଣେ ବଞ୍ଚିତ କରିବାର ପ୍ରଶ୍ନ ହାଉ ହାଉ ନିଆଁ ଜଳିବାରେ ହାଉଁ ହାଉଁ ହେଉଥିଲା......

 

ଗୌରୀ କ’ଣ ଦେଖି ନାହିଁ ? ତଥାପି ସେ ପ୍ରଶ୍ନ ନିଜେ ସେ କାହାକୁ ପଚାରି ନାହିଁ ।

 

ମଣିଷକୁ ନୁହେଁ କି ଭାଗ୍ୟକୁ ନୁହେଁ.....

 

ଉଭୟଙ୍କୁ ସେ କ୍ଷମା କରିଦେଲା ଭାଗ୍ୟଠାରୁ ବଳି ଅନ୍ଧ ନାହିଁ... ମଣିଷ ଠାରୁ ବଳି... ବିଚିତ୍ର କିଛି ନାହିଁ ମଣିଷରୁ ବଳି... ବଡ଼ ବି କେହି ନାହିଁ ।

 

କେଡ଼େ ବଡ଼ ବଡ଼ ଲୋକମାନେ ତା’ ବିପଦକୁ ଛାତି ପତେଇ ଦେଇଛନ୍ତି, ତା’ ଦୁଆରେ ଆସି ଛିଡ଼ା ହୋଇଛନ୍ତି ।

 

ଯେତେବେଳେ ରେଜା ପାହି ପଇସା କରି ଆଦାୟ କରିଥିବା ପାଞ୍ଚଶ ଟଙ୍କା ସେମାନେ ତା’ ଆଞ୍ଜୁଳାରେ ଅଜାଡ଼ି ଦେଲେ.....ସେ କୃତ୍ୟ କୃତ୍ୟ ହୋଇଗଲା... କ୍ଷଣକ ପାଇଁ ସତକୁ ସତ ସବୁ କିଛି ଭୁଲିଗଲା.....

 

ଯୋଉ ମଦନ ରିକ୍‌ସା ବୋହି ଦିନ ମାନରେ କେଇଟା ଟଙ୍କା ଆଣିଲେ, ଚୁଲି ଉପରେ ହାଣ୍ଡି ବସେ... ସେ ମରିଗଲା ଉତ୍ତାରେ ଆଉ ଦିଇଟା ଜୀବ କେମିତି ରହିବ.....

 

ସେଇତକ ଥିଲା ପ୍ରକୃତରେ ଅସଲଚିନ୍ତା ଏକା ପାହାରକେ ଯାଣ ତିନିଟା ପ୍ରାଣୀ ସେ ମାରିଚି ।

 

ମଫସଲ ଗାଆଁର କୁଳଭୁଆଷୁଣୀ ଗଉରୀ ମଦନର ହାତ ଧରି ତାଆରି ବାହାକୁ ଆଶ୍ରା କରି ଗାଆଁରୁ ଗୋଡ଼ କାଢ଼ି ଥିଲା......

 

ତିନି କୁଳରେ ଆଉ ତା’ର କେହି ନାହାନ୍ତି ଘରଢ଼ିଅ ଖଣ୍ଡକ ବନ୍ଧା ଦେଇ, ବାଟ ଖର୍ଚ୍ଚ ଯୋଗାଡ଼ କରି ସେମାନେ ଏ ସହରକୁ ଆସିଥିଲେ ।

 

ଜୀବନ ବଞ୍ଚେଇବାକୁ ଆସି ଜୀବନ ଦବାକୁ ହେଲା......

 

ମଦନ ମାଡ଼ ଖାଇ ମଲା.... ଏ ଦି’ଜଣ ଭୋକ ଉପାସରେ ସୁଖି ସୁଖି ମରିବେ ।

 

ବିରହ ବିଚ୍ଛେଦର ଅଶ୍ରୁ ଭିତରେ ଏଇତକ ଥିଲା... ସବୁଠାରୁ ଗୋପନତମ ଚିନ୍ତା ଗୋପନ ତମ ବ୍ୟଥା......

 

ଏ ସଂସାର ସତକୁ ସତ ହିଁ ଧୋକାର ତାଟି.....

 

କେହି ଏଠି କାହାର ନୁହେଁ ସ୍ୱାମୀଠାରୁ, ସ୍ୱାମୀର ବିଭତ୍ସ କରୁଣ ନିଦାରୁଣ ମୃତ୍ୟୁଠାରୁ ଗୌରୀ ପାଖରେ ସେଦିନ ବଡ଼ ହୋଇଥିଲା ନିଜର ଚିନ୍ତା... ନିଜ ଜୀବନ ବଞ୍ଚେଇବାର ଚିନ୍ତା......

 

ଏତେ ଆଶ୍ୱାସ ଏତେ ଦରଦ ଏତେ ସହାନୁଭୂତି ତାକୁ ଦମ୍ଭ ଦେଲା... ତା’ପରେ ଆସିଲା ଏତେ ଗୁଡ଼ାଏ ଟଙ୍କା... ଯାହା ସେ ଜୀବନରେ ଦେଖି ନଥିଲା......

 

ଗୌରୀ ଭାଗ୍ୟକୁ କ୍ଷମା କଲା... ଗୌରୀ ମଣିଷକୁ କ୍ଷମା କଲା... ବିଶ୍ୱାସ କଲା ମଧ୍ୟ......-

 

ସେ ଆଉ କେମିତି ଜାଣିଥାନ୍ତା ଯେ ମଣିଷ ଏକ ଏକକ ସତ୍ତା ନୁହେଁ ବିଭିନ୍ନ ସତ୍ତା ବିଭିନ୍ନ ଗାଣିତିକ ଜଟିଳ ସୂତ୍ରର ସମାବେଶ ।

 

ସେ କେମିତି ବୁଝି ପାରିଥାନ୍ତା ଯେ ଆକାଶ ପାତାଳର ଏକ ମଧ୍ୟ ସଂକୀର୍ଣ୍ଣ ସେତୁରେ ମଣିଷ ଦୋଦୁଲ୍ୟମାନ ଦୁର୍ବଳଟିଏ ।

 

ଯିଏ ଅନ୍ଧାର ହାତରୁ ଖସିଯାଇ ପାରୁନାହିଁ କି ଆଲୁଅ ହାତରେ ଆତ୍ମସମର୍ପଣ କରି ପାରୁନାହିଁ... ତା’ର କ’ଣ ଏତେ ବୁଦ୍ଧି ଅଛି... ଯେ ଏସବୁ ବୁଝି ପାରିବ...... ।

ସେ’ତ ଏଇ ଆଞ୍ଜୁଳାକ ଟଙ୍କାରେ କେତେ ଆଞ୍ଜୁଳା, ସୁଖ କେତେ ନିର୍ଭରତା, କେତେ ବେଶି ନିରାପତ୍ତା କିଣି ହେବ ଦୀର୍ଘ ଏକୁଟିଆ ଜୀବନରେ କେତେ ପାଥେୟ ସଞ୍ଚହେବ...... କେବଳ ସେଇକଥା ଭାବୁଥିଲା...... ସେଇ ଚିନ୍ତା କରୁଥିଲ.....

କିନ୍ତୁ.......ଏଡ଼େ ଚଞ୍ଚଳ ସେ ଚିନ୍ତାର ଖିଅ ଅଡ଼ୁଆ ତଡ଼ୁଆ ହୋଇଯିବ । ଭାବନା ଗୋଳମାଳ ହୋଇଯିବ, ଏଡ଼େ ତ୍ୱରାନ୍ୱୀତଭାବେ ପଟ୍ଟପରିବର୍ତ୍ତନ ହୋଇଯିବ ସେକଥା ଗୌରୀ ଆଶା କରି ନଥିଲେ......

ଅଶୌଚ ଦିନ କେତେଟା ମାତ୍ର ବିତୁ ନ ବିତୁଣୁ ଚକିତ ହୋଇ ଦେଖିଲା ଦୁନିଆର ଆଉ ଗୋଟାଏ ରୂପ ।

ସତେ କି ମୂଖାଟା ଖସି ପଡ଼ିଲା ସତେକି ପୁରୁଣା କାନ୍ଥରୁ ଛାଡ଼ି ପଡ଼ିଲା, ନୂଆ ଚୂନ ପଲସ୍ତରା ।

ଅବା ରମଣର ଠିକ୍‌ ପୂର୍ବ କ୍ଷଣରେ ଆଖିରେ ପଡ଼ିଲା ପଳିତ ନଗ୍ନ ଜରା ବିକଳ ଅନାବରିତ ଶୀର୍ଣ୍ଣ ଦେହଟାଏ...

ଗୌରୀକି ସମସ୍ତେ (ମୁମୂର୍ଷୁ ଚାରିକାତ ଲମ୍ବେଇ ପଡ଼ିଥିବା ହଡ଼ା ବଳଦକୁ ଶାଗୁଣା ବେଢ଼ିଲାପରି) ବେଢ଼ିଗଲେ ।

ତାକୁ ପୁଳା ପୁଳା କରି ଖୁମ୍ପି ପକେଇଲେ । ତାକୁ ଚୋଟ ଚୋଟ କରି ହାଣି ପକେଇଲେ-

ଦେ ଦେ ବାହାର କର ଟଙ୍କା । ମଦନର ଶୁଦ୍ଧଘରଦିନ, ଭୂରୀ ଭୋଜନରେ ଆପ୍‌ପାୟୀତ କରିବାକୁ ପଡ଼ିବ ସମସ୍ତଙ୍କୁ । ଗଙ୍ଗାରେ ହାଡ଼ ପକେଇ ଆସିବାକୁ ଦି’ଜଣ ଯିବେ । କ’ଣ ଖେଳ କଥା ପଡ଼ିଚି । ଅପଘାତ ମୃତ୍ୟୁଟି.... । ଯୋଉ ପାଞ୍ଚଜଣ ଖିଆପିଆ, ପିଲା କୁଟୁମ୍ବ ଭୁଲି ଦିନରାତି ଏ କାମରେ ଲାଗିଛନ୍ତି, ତାଙ୍କୁ ତ ଦବୁ କିଛି......

ଗୌରୀ ଜଣ ଜଣ କରି ଭୟ କାତର ଦୃଷ୍ଟିରେ ସମସ୍ତଙ୍କ ମୁହଁକୁ ଚାହିଁଲା ଏ ମୁହଁ ଆଉ ସେ ମୁହଁ ନୁହେଁ ଏମାନେ ସମସ୍ତେ ଲୋଲୁପ ହିଂସ୍ର ମାଂସାଶୀ । ଶେଷକୁ ସେଇ ଦୂରଦର୍ଶୀ ଭୀରୁ ବିକଳ ପକ୍ଷୀଟିପରି ଟଙ୍କାତକ ସେମାନଙ୍କ ହାତକୁ ବଢ଼େଇ ଦେଇ ସେ ନିଶ୍ଚିତ ହୋଇଗଲା...... ।

ସବୁ ଝାମେଲା ତୁଟିଯିବା ଉତ୍ତାରେ, ମଦନର ଶୁଦ୍ଧଘର ଆଡ଼ମ୍ବର ଶେଷ ହୋଇଯିବା ପରେ, କୋଳାହଳ ଶାନ୍ତ ହେଲା ଉତ୍ତାରେ, ଗୌରୀ ପୁଣି ଥରେ ଶୀତ ସାଳର ଉଷୁମ ଖରାରୁ ଜୀବନର ଉତ୍ତାପ ସଂଗ୍ରହ କରିବାକୁ ଚାହିଁଲା...

ସେ ଏକୁଟିଆ ନୁହଁ, ଛୁଆଟାଏ ପାଦର ବେଢ଼ି, ହାତର ଶିକୁଳୀପରି ତାକୁ ପୃଥିବୀ ସଙ୍ଗେ ଛନ୍ଦି ରଖିଚି... ମଣିଷ ମରିବାକୁ ଚାହେଁ ନାହିଁ । ଚାହେଁ ବଞ୍ଚିବାକୁ... ସେଥିପାଇଁ ଦୁଃଖବେଳେ ଆଶାଶୂନ୍ୟ ହେଲା ବେଳେ ସେ ବାହାନା ଖୋଜେ... ଖୋଜେ, ଅବଲମ୍ବନ......

ଦେଖାଯାଉ ସଂସାରର ଏ ଯୁଦ୍ଧ କ୍ଷେତ୍ରରେ ଯୁଝୁ ଯୁଝୁ କୋଉଯାଏ ଯିବ । ଗୌରୀ ଆଉ ଦିଇଟା ବାବୁଘରେ ବାସନ ମାଜିବାକୁ ଯବାବ ଦେଇଦେଲା.......

କଥା ଏଇଠି ସରିଥିଲେ ଭଲ ହୋଇଥାଆନ୍ତା ଯିଏ ଆଜନ୍ମ ଦୁଃଖୀ, ଦୁଃଖର କିଞ୍ଚିତ କ୍ଷୟ ବୃଦ୍ଧିରେ ତା’ର ସେମିତି କିଛି ଯାଏଆସେ ନାହିଁ । ଭୋକ ଉପାସକୁ ସହି ନେବାକୁ, ହାଡ଼ଭଙ୍ଗା ପରିଶ୍ରମ କରିବାକୁ ଗୌରୀ ଡରୁ ନଥିଲା, ସେଥିରେ ସେ ପ୍ରାୟ ଆଗହୁଁ ଅଭ୍ୟସ୍ତ ।

 

ମଦନ ପାଇଁ ରାତି ଅଧରେ କି ଖରାବେଳେ ଘଡ଼ିଏ ଅଧେ କାନ୍ଦୁଥିଲା......ଆପେ ବାହୁନା ପକେଇ ଆପେ....... ତୁନି....... ହେଉଥିଲା...... ସେ ଦୁଃଖ ବି ସହି ହୋଇ ଆସୁଥିଲା.......

 

ସହି ହେଲା ନାହିଁ ଯେଉଁଦିନ ରାତିରେ କ୍ରମାଗତ ଭାବେ କେଇଟା ମଦୁଆ ରିକ୍‌ସାବାଲା ତା’ ଭଙ୍ଗା କବାଟରେ ଟିପା ମାଇଲେ ।

 

ସହିହେଲା ନାହିଁ ଯେତେବେଳେ ନିଛାଟିଆ ଖରା ବେଳର ସୁଯୋଗ ଉଣ୍ଡି ନଳିପେଣ୍ଟ ପିନ୍ଧା ଟୋକା କେଇଟା ତାକୁ ଗାର୍‌ଡ଼େଇ ଗାର୍‌ଡ଼େଇ ଅନେଇଲେ...... ଶୁଶୁରୀ ବଜେଇ ଗଳା ଖଙ୍କାର ମାଇଲେ ।

 

ଗୌରୀ ବୁଝିଲା....... ସେ ଏକାବେଳେକେ ନିଃସ୍ୱନୁହେଁ, ନୀରସ ନୁହେଁ, ତା’ଠାରୁ ରସ ଚିପୁଡ଼ି ନେବାକୁ, ତା’ ମାଉଁସ ଝୁଣି ଖାଇବାକୁ, ସତକୁ ସତ ଶାଗୁଣା ପଞ୍ଝାଏ ଟାକି ବସିଛନ୍ତି ।

 

କୋଉଠି ସେ ନିଜକୁ ଲୁଚେଇବ । ତା’ ପାଇଁ କୋଉଠି ଠାବ ଅଛି ।

 

ଯୋଉ ଦାବୁଙ୍କ ଘରେ ବାସନ ମାଜେ କୁହା ବୋଲା କରି କେଇଟା ଦିନ ତାଙ୍କ ଦାଣ୍ଡଘରେ ଶୋଇଲା......

 

ରାତିର ଅନ୍ଧାରରେ ଯେଉଁଦିନ ଛାଇଟାଏ ଚାଲିଲା ଚାଲିଲା ହେଇ ତା’ ଆଡ଼କୁ ମାଡ଼ି ଆସିଲା... ଅଧାଶୁଆ ଅଧାଚିଆଁରେ ଚିର୍‌ ଚିରେଇ ଉଠିଲା ଗୌରୀ......

 

ବାବୁଆଣୀ ସେଘରୁ ଉଠି ଆସିଲେ । ହାଲ୍ଲୋଳ କରି ଲାଇଟ୍‌ ଜଳେଇଲେ । ଗୌରୀର ଭୟ ତୁର ମୁହଁ, ଥର ଥର ଦେହକୁ ଘଡ଼ିଏ ଅନେଇଲେ...... କ’ଣ ବୁଝିଲେ କେଜାଣି ତାପରଦିନଠାର କାମ କରିବାକୁ ବି ମନା କରିଦେଲେ ।

 

ଏଥର ସେ କରିବ କ’ଣ ? ତା’ର ସବୁ ହୃଦୟ ବୃତ୍ତି ପୂରାପୂରି ଲୋପ ପାଇଲାଣି... ଖାଲି ଭୂତଭଳି, ଭୟ, ଦିନରାତି ଚବିଶ ଘଣ୍ଟା ତା’ ଉପରେ ସଓ୍ୱାର ହୋଇଚି......

 

ବିନା ଟିକେଟରେ ଲୁଚି ଛପି ହେଉ କି ମାଗିଯାଚି ପଇସା ଦେଇ ହଉ ଗାଆଁକୁ ଫେରି ଯିବାକୁ ଇଚ୍ଛା ହେଉଛି......

 

ଯିବ କେମିତି ?

 

ଏକୁଟିଆ ରେଳ ଡବାରେ ଯିବାକୁ ତା’ର ଭୀଷଣ ଭୟ...... ।

 

ରାତି ହେଲେ ତା’ର କାଳ ହେଲା ସେଇ ଭଙ୍ଗା କବାଟ ଖଣ୍ଡ । ଯେତେ ନିବୁଜ କରି କିଳିଲେ କି କୁହୁଣ୍ଡାରେ ଯେତେ କାଠି ଗୁଞ୍ଜିଲେ ବି ତା’ ମନ ମାନେ ନାହିଁ... ଅନ୍ଧାରରେ ତା’ର ଯେତିକି ଭୟ ଆଲୁଅରେ ତହୁଁ ଅଧିକ...

 

କାନ୍ଥର ଛାଇ ଗୁଡ଼ାକ ତାକୁ ଜୀଅନ୍ତା ମଣିଷ ପରି ଦିଶନ୍ତି... । ରାତିସାରା ବି ଆଲୁଅ ଜଳେଇ ରଖିବାକୁ ତା’ର ପଇସା କାହିଁ ?

 

କୋଳର ଶୋଇଲା ଛୁଆଟାକୁ କୋଳରେ ନିବିଡ଼ ଭାବରେ ଯାକି ଧରି ଅଧା ଚିଆଁ ଅଧା ଶୁଆ ଭାବରେ ସେ ବିଚାରୀ ପଡ଼ିଥାଏ......

 

ଭଙ୍ଗା ଉଜୁଡ଼ା ଝାଟିମାଟି ଘରେ ତା’ର ସାପ ବିଛାଙ୍କୁ ଭୟ ନାହିଁ । ରାତିର ଅନ୍ଧାରରେ ତା’ର ଭୂତ ପ୍ରେତଙ୍କୁ ଡର ନାହିଁ ।

 

ମଦନର ଭୂତ ଦେଖି ଚମକିପଡ଼ି ମରିଯିବ ବୋଲି ଗୌରୀ ଭାବୁ ନାହିଁ । ମୃତ୍ୟୁକୁ ତା’ର ଭୟ ନାହିଁ ।

 

ତା’ର ଆପ୍ରାଣ ଭୟ ମଣିଷକୁ, ଚାଲ ବୁଲ କରୁଥିବା ସଭ୍ୟ ଶିକ୍ଷିତ ବୋଲାଉଥିବା ଜୀଅଁନ୍ତା ମଣିଷକୁ ।

 

ସେ ଦିନର ରାତି ଥିଲା ଝିପି ଝିପ ବର୍ଷା ସିଞ୍ଚିତ ଚକିତ ବିଦ୍ୟୁତ୍‌ ଚମକିତ ଘୋର...... ଅନ୍ଧାର ରାତ୍ରୀ......

 

ପବନର ରହି ରହି ଦମ୍‌କା ଆଓ୍ୱାଜ...... ଘଡ଼ି ଘଡ଼ିର ଗୁରୁ ଗୁରୁ ଗର୍ଜନ, ଅଣ୍ଡିରା ବିଲୁଆର ବୋବାଳି ରାତିଟାକୁ ଆହୁରି ଭୟଙ୍କର କରି ଦେଇଥିଲା...... । ବତାସରେ ବିଦ୍ୟୁତ୍‌ ତାର ସବୁ ଛିଡ଼ି ଯାଇଥିଲା ।

 

ସବୁ ଆଲୁଅ ଲିଭିଯାଇ ଥିଲା– ମଧ୍ୟେ ମଧ୍ୟେ ଚମକୁ ଥିବା ବିଜୁଳୀ ଆଲୁଅ ଛଡ଼ା...... । ସବୁ ଶବ୍ଦ ହଜି ଯାଇଥିଲା ସୁ ସୁ ପବନର ଶବ୍ଦ ଭିତରେ... ।

 

ଗୌରୀର ଭୟ ଧରିଥିଲା ଗୁଡ଼ାଏ ଉନ୍ମତ କାମୁକ ଦେହ ଲୋଭୀ ମଣିଷ ଆକୃତି । ସେଇ କୁଡ଼ିଆ ଖଣ୍ଡକର ଭଙ୍ଗା ପୋରିହା କବାଟଟି ଏକା ଗୋଇଠାକେ ଝାଟି ମାଟି କାନ୍ଥକୁ ଆଉଜି ପଡ଼ିଥିଲା......

 

ସେଇ ଶବ୍ଦରେ ଉଠି ବସି ଚିତ୍‌କାର କରିବା ପୂର୍ବରୁ ଗୌରୀର ଦେହ ଉପରେ କିଏ ସବୁ ଝାମ୍ପି ପଡ଼ିଲେ...... ।

 

ତା’ର ବସନ, ତା’ର ଯୌବନ, ତା’ର ଲଜ୍ଜ୍ୟା ଘୃଣା, ଭୟ, ସବୁ କୁଆଡ଼େ ନିଃଶେଷ ହୋଇଗଲା...... ନାକ ପାଟି ମିଶା କରି ଯାବୁଡ଼ି ଧରି ଥିଲା, କଲରା ପତରିଆ, ଥବାପରି, ଗୋଟାଏ ଶକ୍ତ ପାପୁଲି...... ।

 

ସଂପୂର୍ଣ୍ଣ ଅଚେତନ ହେବାଯାଏ ଅନ୍ଧାର ଭିତରେ, ଏ ପୃଥିବୀକି, ପୂର୍ଣ୍ଣଭାବେ, ହରେଇଲା ଯାଏ ! ନିଃଷାଡ଼ ମନ ଭିତରେ ଗୋଟାଏ ମାତ୍ର ଶବ୍ଦ ଧ୍ୱନିତ ହଉଥିଲା ।

 

ମୋ ଛୁଆ ମୋ ଛୁଆ...... ଆଉ କିଛି-ନାହିଁ, । ଆଉ ରୋକିବାକୁ, ରଖିବାକୁ, ପ୍ରଯତ୍ନନାହିଁ, ଆଉ ବଞ୍ଚିବାକୁ ପ୍ରଚେଷ୍ଟା ନାହିଁ, ପ୍ରତିରୋଧ ନାହିଁ... ।

 

ସବୁ ଲୁଟ୍‍ ହଉଛି ତ ହଉ…..। ସେମାନେ ତାକୁ ଛିଣ୍ଡେଇ, କାମୁଡ଼ି, ଝୁଣି ଖାଉଛନ୍ତି ତ ଖାଆନ୍ତୁ....... । ବିକଳ ବିଭତ୍ସ ଅସହାୟ ଭାବେ ତିଳ ତିଳ ହୋଇ ମରୁଚି......ତ, ମରୁ ।

 

ସରିଲା...... ତ ସବୁ..... ସରିଲା... । ହେଲେ ଶେଷ ଡୋରଟି, ଶେଷ ଗଣ୍ଠିଟି, ଏଇ ନିର୍ଲ୍ଲଜ, ନିଷ୍କରୁଣ ପୃଥିବୀ ସଙ୍ଗେ, ଶେଷ ବନ୍ଧନଟି, ଛିଣ୍ଡୁ ନାହିଁ......

 

ମୋ ଛୁଆ ମୋ ଛୁଆ...... । ଛୁଆଟା ମସ୍ତ ଅଡ଼ୁଆ...... । ସେଇଟା ଭେରେଣ୍ଡା ଭଳି ରଡ଼ି କଲାରୁ ଗୋଟାଏ ଶକତ ନାତ ଖାଇ, ସେ କଣରେ ଛିଟିକି, ପଡ଼ିଚି...... । ଏକା ଥରେ ଚୁପ୍‌, କାଠ ଗଣ୍ଡି ଭଳିଆ ଚୁପ୍‌ ହେଇ ପଡ଼ିଚି... ପଡ଼ିଥାଉ, ସିଆଡ଼େ ନଜରଦବାକୁ ଫୁରୁସତ୍‌ କାହିଁ ।

 

ପବନ ସୁ ସୁ ବହିଲା...... ବିଜୁଳି ଚକ୍‌ ଚକ୍‌ ମାଇଲା ସେଥିସଙ୍ଗେ ତାଳ ଦେଇ, ଗୋଟାଏ ଅନାବରିତ, ପ୍ରତିରୋଧ ରହିତ, ଅଚେତନ, ନଗ୍ନ ନାରୀ ଦେହ ଉପରେ, ଉନ୍ମତ୍ତ ପାଶବିକ, ସଂଭୋଗ କ୍ରିୟାର ପୁନଃ ପୁନଃ ପୁନରାବୃତ୍ତି ଘଟି ଚାଲିଲା...... ।

 

କେତେବେଳେ ସେ ଦେହଟାରୁ ସମସ୍ତ ଉତ୍ତାପ ସମ୍ପୂର୍ଣ୍ଣ ରୂପେ ନିଃଶେଷ ହୋଇ ସେଇଟା ହିମ ଶୀତଳ ହୋଇ ସାରିଥିଲା... । କେତେବେଳେ ଆଖିର ଡୋଳା ଦିଇଟା ପାଟି ଉପରକୁ ଠେଲି ଆସିଥିଲା... । ଜିଭ ପଦାକୁ ବାହାରି ପଡ଼ିଥିଲା ସେଥିପ୍ରତି କାହାରି ଖିଆଲ ନାହିଁ...... ।

 

ନିଷ୍ପ୍ରାଣ ସକାଳର ସାଦା କଫିନ ଭଳି ଫିକା ଆଲୁଅରେ ପ୍ରଥମେ ଉନ୍‌ମୋଚିତ ହେଲା ବିଭତ୍ସ ଏକ ଶବ ଦେହ ।

 

ମଦନ ଭଳି ସେ ଖାଲି ପାଟି ଆଁ କରି ପଚାରୁ ନାହିଁ । ତା’ର ଅନାଚରିତ ସର୍ବାଙ୍ଗ ଖୋଲା ଆକାଶକୁ ଅନେଇ, ଲଜ୍ଜାନତା ପୃଥିବୀକି ଅନେଇ ପଚାରୁଚି ମତେ କାହିଁକି ବଞ୍ଚିବାକୁ ଦେଲ ନାହିଁ କାହିଁକି ? କାହିଁକି ??

 

ନିଜ ଛାଇରେ ଆଲୁଅ ଢାଙ୍କି ହୋଇ ଯାଇଚି...... ନିଷ୍ପ୍ରଭ ମଳିନ ହୋଇ...... ।

 

ଏଡ଼େ ବଡ଼ ସହରରେ ଏମିତି ଘଟଣା ଘଟିଲା ପରେ, କ’ଣ ହେଲା, କ’ଣ ନହେଲା, ସେ କଥା, ୟା’ର ଲାଞ୍ଛୀତା ଭାର ଗ୍ରସ୍ତା ମାଟି ଲଜ୍ଜାନତ ଆକାଶ, ପୂତି ଗନ୍ଧମୟ ପବନ କହୁ...... ।

Image

 

Unknown

ସୀତା ନାନୀର ସଂସାର

 

ଏଠାକୁ ଆସିଲା ପରେ ସେଇ ଗୋଟିଏ ମୁହଁ ମୋର ବାର ବାର ମନେପଡ଼େ । ଛଅବର୍ଷ ତଳେ ଲୁହ ଧାରରେ ତିନ୍ତି ତିନ୍ତି ଯେଉଁ ମୁହଁଟି ଅସ୍ତ-କାଳୀନ ଚନ୍ଦ୍ରଭଳି, ଆଖି ଆଗରୁ ଲୁଚିଯାଇଥିଲା- ସୀତା ନାନୀର ମୁହଁ......

 

କେଡ଼େ ଆପଣାର, କେଡ଼େ ଆଶ୍ୱାସନାଦାୟୀ ମନେ ହୁଏ ସତେ ?

 

ମୁଁ ଅଝଟ କଲେ କି ଅବୁଝା ହେଲେ, ପିଲାଟି ବେଳୁ ସେଇ ମତେ କୋଳେଇ କାଖେଇ ବୁଝେଇ ସୁଝେଇ ଥୟ କରେ । ମୁଁ ବି ଦେଖେଁ–ଗାଁଟାଯାକର ଭଲରେ ମନ୍ଦରେ, ସୁଖରେ ଦୁଃଖରେ ବେଳ ଅବେଳରେ ସମସ୍ତଙ୍କ ପାଖରେ ଛିଡ଼ା ହୁଏ ସୀତା ନାନୀ ।

 

କିଏ ରୋଗରେ ପଡ଼ିଛି ତ ନାନୀ ତା’ ଗୋଡ଼ପାଖେ ଜଗି ବସିଛି, କିଏ ଓଷା ପରବର କାମ ଭିଡ଼ରେ ନାକ ନିଃଶ୍ୱାସ ପକେଇବାକୁ ଫୁରୁସତ୍‌ ପାଉନାହିଁ ତ ନାନୀକି ନ ଡାକୁଣୁ ବଳେ ଯାଇ ପାଇଟି କରି ଦେଇଛି ।

 

ତା’ ଦେହର ଗଢ଼ଣଟି କେଡ଼େ ନିଖୁଣ, ରଙ୍ଗଟି ତୋଫା ଗୋରା । ପାନ ପତର ପରି ମହଁ, ଶୁଆ ଥଣ୍ଟିଆ ନାକ, କମଳା ଚିରୁଡ଼ା ପରି ପାତଳ ଗୋଲାପି ଓଠ ଦିଫାଳ, ଆମ ଗାଆଁର କୋଉ ଝିଅ ବୋହୂ ଭଲା ତା’ ପାସଙ୍ଗରେ ପଡ଼ିବେ ?

 

ଏଡ଼େ ସୁନ୍ଦରୀ ସୀତା ନାନୀ ମୋର ପିନ୍ଧେ ଖଣ୍ଡେ ଧଡ଼ି ବିହିନ ଧଳା ଥାନ ଲୁଗା । ତା’ ନିଟୋଳ ଶୁଭ୍ର ନିରାଭରଣ ହାତ ଦି’ଟାକୁ ଅନେଇ ଦେଲେ, ଦୁନିଆର ସକଳ ଐଶ୍ୱର୍ଯ୍ୟ ପ୍ରତି ବିତୃଷ୍ଣା ଆସେ ।

 

କ’ଣ ହେବ ଏତେ ଅଳଙ୍କାର, ଏତେ ପ୍ରସାଧାନ ସାମଗ୍ରୀ ଥାଇ, ସୀତା ନାନୀ ଭଳିଆ ଝିଅ, ଯେବେ ଅନାଭରଣା ଅନାଦୃତା ହୋଇ ବୁଲିଲା ?

 

ତା’ ଭାଉଜମାନଙ୍କ କଥା ଛାଡ଼ । ଜନ୍ମ କଲା ମାଆ, ପାଚିଲା ବାଳକୁ ପାତିଆ ପରି କୁଣ୍ଡେଇଁ, ମୋଟା ସିନ୍ଦୁର ଗାର ଟାଣି ଦେଉଛି । ସୁନା, ରୁପା ଗହଣାରେ ମଣ୍ଡି ହୋଇଛି ଦେହ ଯାକ, ଆଉ ସୀତା ନାନୀ ?

 

ସମସ୍ତେ ଭୂରି ଭୋଜନରେ ପରିତୃପ୍ତିର ହାକୁଟି ମାଇଲା ବେଳେ, ବୁଲା କାଙ୍ଗାଳି କୁତୀଟିଏ ଭଳି ଚାହିଁ ରହିଛି.....

 

ଆହା ବିଚାରି...... କେଡ଼େ ଦୋଷକୁ ଏଡ଼େ ଶାସ୍ତି ?

 

ଏ ପ୍ରଶ୍ନର ଉତ୍ତର ପାଇଥିଲି ଅନେକ ପରେ......

 

ଭାଗ୍ୟ...... ସତୀ ନାନୀର ଭାଗ୍ୟ ତାକୁ ଦେଇଛି ଏଇ ଗୁରୁ-ଦଣ୍ଡ । କେଜାଣି କୋଉ ଜନ୍ମ ଜନ୍ମାନ୍ତରର ପାପ ପାଇଁ ।

 

ଅଷ୍ଟମଙ୍ଗଳା ବାସୀ ହଇଜାରେ ତା’ବର ଆଖି ବୁଜି ଦେଲା, କିନ୍ତୁ ଅନେଇ ରହିଥିବା ସୀତା ନାନୀ ପାଇଁ ସଂସାରର ସ୍ୱରୂପ ସେହି ମୁହୂର୍ତ୍ତରେ ବଦଳି ଗଲା...... ।

 

ତା’ ପାଇଁ ଫୁଲରେ ବାସନା ରହିଲା ନାହିଁ- ଘାସରେ ସବୁଜିମା ରହିଲା ନାହିଁ–ସଙ୍ଗୀତରେ ମୂର୍ଚ୍ଛତା ରହିଲା ନାହିଁ । ଶାଶୁଘରେ ତ ତା’ର ସ୍ଥାନ ନଥିଲା, ବାପ ଘରେ ଆଶ୍ରୟଟିକି ଭିତରେ ବା ଥିଲା କେଉଁ ଆଶ୍ୱାସ କେଉଁ ସାନ୍ତ୍ୱନା, କେଉଁ ଭରସା ?

 

ସୀତା ନାନୀ ଭାଇ, ଭାଉଜ ଆତ୍ମୀୟ ସ୍ୱଜନଙ୍କର ଏକ ଅନାକାଂକ୍ଷିତ ଭାରି ବୋଝ ହୋଇ ସମସ୍ତଙ୍କୁ ଯେପରି ଅଣନିଃଶ୍ୱାସୀ କରିପକାଉଥିଲା ।

 

ଥରେ ମାତ୍ର ନାନୀର ଜଣେ ଦୂର ସଂପର୍କୀୟ କକେଇ ନାନୀ ପାଇଁ ଆଉଥରେ ବିବାହର ପ୍ରସ୍ତାବ ଉଠାଇଥିଲେ ।

 

ଆଉ କେହି ନୁହେଁ–ଖୋଦ୍‌ ନାନୀର ଜନ୍ମଦାତା ରଘୁ ମିଶ୍ରେ ପ୍ରବଳ କ୍ଷୋଭରେ ହାତ ହଲେଇ ମୁଣ୍ଡ ଝାଙ୍କି ଉତ୍ତର ଦେଲେ, ବଞ୍ଚି ଥାଉଁ ଥାଉଁ ଏ କଥା କାନ ଶୁଣିଲା ! ଆଉ ଯେଉଁଠି ହେଉ, ବାରେ ନୁହେଁ ହଜାର ବାର ହେଉ, ତା’ ବୋଲି ମିଶ୍ର କୁଳରେ ଏଡ଼େ ଅନାଚାର ପଶିବ ?

 

ଆଗେ ତ ପୁଣି ବାଳୁତ ବିଧବା ଧର୍ମକୁ ଚାହିଁ ବେଳ କାଟୁଥିଲେ ।

 

ଦାନ ସିନା ଥରେ କରାଯାଏ ? ମିଶ୍ରେ କିମିତି ବୁଝିବେ ମଣିଷ ସୁନା, ରୁପା, ପାଟ ଛିଟ କି ବାସନକୁଶନ ନୁହେଁ–ଅଚଳନ୍ତି, ନିର୍ଜୀବ, ଜଡ଼ ବସ୍ତୁ ନୁହେଁ – ତା’ର ଦେହ ଅଛି, ମନ ଅଛି ଆତ୍‌ମା ଅଛି ! ଆଉ ଅଛି ଏକ ପ୍ରଚଣ୍ଡ ନିଃସଙ୍ଗତା ଭିତରେ ଦେହ ପ୍ରାଣ ମନର ଜ୍ୱାଳା ! ଦେହର କ୍ଷୁଧା, ମନର କାମନା, ଆତ୍ମାର ଆଲୋକ ତାକୁ ସ୍ପନ୍ଦିତ ପ୍ରସାରିତ କରୁଛି !

 

ସୀତା ନାନୀ ପାଇଁ ସଂସାରଟା ଯେମିତି ଆଉରି ନୀରସ, ଶୁଷ୍କ ଓ ଆକର୍ଷଣହୀନ ହୋଇ ଉଠିଲା...... ତା’ ଚାରିପାଖରେ ଖାଲି, ଆଚାର ଆଚରଣ, ଶୁଚି ଶୁଦ୍ଧତାର କଣ୍ଟାବାଡ଼ । ହବିଷ ଏକାଦଶୀ ଏବଂ ପରକାଳର ଛଳନା ।

 

ଇହ କାଳଟା ତା’ ପାଇଁ ସୁଖ, ଜଗତଟା ମିଥ୍ୟା...... ଛାଇ ।

 

ଏତେ ଛନ୍ଦା ବନ୍ଧା ଭିତରେ ମନ ସିନା ମାନିଲେ ହୁଏ ? ତା’ର ଶୂନ୍ୟ ଆକୁଳ ହୃଦୟ ଇରି ହେବାପାଇଁ ଭରି ଦେବା ପାଇଁ ଚାହୁଁଛି । ବଢ଼ନ୍ତା ମୂକୁଳିତ ଯୌବନ ରସାଣିତ ହେବ ତା’ର ନୂତନ ସୃଷ୍ଟି ପାଇଁ ଉନ୍‌ମୁଖ ।

 

ସେ କେମିତି ରୋକି ହୋଇ ରହି ପାରନ୍ତା ? କେମିତି ଭଲା ରହନ୍ତା ?

 

ମୁଁ ସେତେବେଳେ କିଶୋର ଛାତ୍ରଟିଏ । ଦୁନିଆଟା ମୋ ପାଇଁ ଅଧା ବୁଜା ଅନେକ ଅବୁଝା ହୋଇ ଏକ ଅପୂର୍ବ ଆକର୍ଷଣରେ ଭରି ରହିଥାଏ ।

 

ଏକଜିଦିଆ ଦୁଃସାହସୀ ଧୈର୍ଯ୍ୟଶୀଳ ବୁଡ଼ାଳିଟିଏ ଭଳି ମୁଁ ବୁଡ଼ି ଯାଉଥାଏ ଆହୁରି ଆହୁରି ଗଭୀରକୁ ।

 

ଦିନେ ଶୁଣିଲି–ବୋଉ, ଖୁଡ଼ୀ ଆଉ ଦଳେ ସମବୟସୀ ମାଇପି ମହଲରେ ବେଶ୍‌ ଉତ୍ତେଜିତ ରସାଣିତ କର୍ଣ୍ଣ-ରୋଚକ ଭାବରେ ଆସର ଜମାଇ ଚାଲିଛି ସୀତା ନାନୀର ଚର୍ଚ୍ଚା ।

 

ସେ ଟୋକା ଖଣ୍ଡ ସୀତାକୁ ଭଲ ପାଉଛି ବା ? ସେଇଥିପାଇଁ ଏ ଗାଆଁକୁ ପାଣିବାଟ କରିଛି । ଦେଖୁନ ତା’ ଛାଇ ! ଗାଳି ଖାଇବା ଭୟରେ ବୋଉ ଆଖି ଆଢ଼ୁଆଳରେ ଧୀରେ ଅପସରି ଗଲି ।

 

ମନେ ମନେ କିନ୍ତୁ ସେଇ କଥା ପଦକ ଗୁଣି ହୋଇ ଖୁବ୍ ଆମୋଦିତ ହେଲି......

 

ସୀତା ନାନୀ ସମସ୍ତଙ୍କର ଏତେ ମର୍ଜି ଜଗି ଆଜ୍ଞାକୁ ଅବଜ୍ଞା ନକରି କାକୁସ୍ତ ହୋଇ ଚଳେ । ତଥାପି ଭଲା କେହି ତା’ମନ କଥା ବୁଝେ ? ତା’ ଶୁଖିଲା ନିରିମାଖି ମୁହଁକୁ ଟିକେ ଚାହେଁ-??

 

ସମସ୍ତେ କହନ୍ତି ସେ ଅଲକ୍ଷଣୀ ଅମଙ୍ଗଳୀ କାଳିକାନୀ ହିନି କପାଳୀ ଟାଏ... ତା’ଛାଇ ପଡ଼ିଲେ ଅସୁଭ ।

 

ମୁଁ କିନ୍ତୁ ଛାତିରେ ହାତଦେଇ କହିପାରେ, ସୀତା ନାନୀ ମୋର.......ଲକ୍ଷ୍ମୀମନ୍ତୀ । ସେ ଭାଗ୍ୟବତୀ, ସୀମନ୍ତିନୀ ହେଲା ଭଳି ନାରୀଟିଏ । ତାକୁ ଯେ ଭଲପାଇଛି, ସେ ଏକା ଭଲପାଇ ଜାଣେ । ଭଲପାଇବାର ସ୍ୱାଦ ଚାଖି ଜାଣେ...... ଘେନିପାରେ ଘେନାଇ ପାରେ ।

 

କ’ଣ ଭାସିଗଲା.......କି ପାପ ଲାଗିଗଲା କେ କାହାକୁ ଭଲପାଇଲେ ? ଯିଏ ଦୁନିଆରେ କାହାରିକି ହେଲେ ଭଲପାଇ ନାହିଁ ସେ ଯେତିକି ହତଭାଗ୍ୟ, ଯିଏ ଏ ମାଟିର ଆବର୍ଜନାର ଘାସ ଫୁଲଟିକି ଭଲପାଇ ବସିଛି ସେ ସେତିକି ଭାଗ୍ୟବାନ ସିନା !

 

ଆଜି ବୁଝୁଚି ସେ ସବୁ ମୋର ନୂଆ କିଶୋର ମନର ବହି ପଢ଼ା କଥାର ଛାଇ । ଭଲପାଇବା ବୁଝିବା ବୁଝାଇବା, ଘେନିବା ସତେ ବଣ ଏଡ଼େ ସହଜ ?

 

ସେ ଯାହା ହେଉ ଯେଉଁ ଟୋକାଟି ଆମ ଗାଆଁକୁ ବାର ବାର କୁଣିଆ ଘର କରି ଆସି ନାନୀ ସାଙ୍ଗରେ ଭଲପାଇବାର ଖେଳ ଖେଳୁଥିଲା; ଧମକ, ଚମକ, ନିନ୍ଦା ଅପନିନ୍ଦା, ଝଡ଼ରେ ଶୁଖିଲା ପତ୍ର ଭଳି ସେ କୁଆଡ଼େ ଉଡ଼ିଗଲା ।

 

ତା’ପରେ ଆସିଲେ ଆଉଜଣେ ଶିକ୍ଷିତ ସୁନ୍ଦର ମାର୍ଜିତ ଭଦ୍ର । ସମାଜ ସଂସ୍କାରର ଭୀଷଣ ଝୁଙ୍କି । ଆମ ହା:ଇ: ସ୍କୁଲର ଜଣେ ଶିକ୍ଷକ । ସବୁବେଳେ ଗୋଟାଏ କିଛି ଆଦର୍ଶ କରି ଦେଖାଇବାକୁ ଗୋଟାଏ ଚମକଖେଳେଇ ଦେବାକୁ ଚାହାନ୍ତି । ଦିନେ ମୁଁ ତାଙ୍କୁ କହିଥିଲି ମୋ ସୀତା ନାନୀର କଥା । ସେ ତାକୁ ଦେଖିଲେ, ମୋଅରି ମଧ୍ୟସ୍ଥତାରେ କଥାବାର୍ତ୍ତା ଖଣ୍ଡେ ଦିଖଣ୍ଡ ପତ୍ର ବିନିମୟ ପର୍ଯ୍ୟନ୍ତ ହେଲା...... ।

 

ବଡ଼ ଭରସା ଦେଲେ–ନାନୀକି ସେ ବାହାହେବେ...... ପର୍ବତ ଟଳିବ କିନ୍ତୁ ବଚନ ଟଳିବ ନାହିଁ ।

 

ସେତିକିବେଳେ ସୀତା ନାନୀ ମୁହଁରେ ମୁଁ ଦେଖିଥିଲି ଏକ ସାର୍ଥକ ଦୀପ୍ତ, ସମର୍ପଣ ପୂର୍ବର ମୁଗ୍‌ଧଭାବ ।

 

ଭାଗ୍ୟ ଠକିଲେ ଏଇଭଳି ବୋଧେ ଠକେ । ଥରେ ଗାଆଁକୁ ଯାଇ ବିଭାଚୋରା ବଢ଼ାଇ ସେ ଫେରିଲେ ନାନୀକି ସୁସମ୍ବାଦ ଦେବାକୁ ।

 

କିନ୍ତୁ କି ଧାତୁରେ ଗଢ଼ା କେଜାଣି, ଏଇ ସୀତା ନାନୀ ଥରକୁ ଥର ହାରି କୋଉଠୁ ସେ ସଂଗ୍ରହ କରୁଥିଲା ଯୁଦ୍ଧ କରି ଯିବାର ସାହସ ଆଉ ବଳ ।

 

ତାଙ୍କ ଘରେ ତ ତା’ ପାଇଁ ନିର୍ଯ୍ୟାତନାର ସୀମା ନଥିଲା । ଗାଆଁଯାକ ଛି ଛିକାର ପଡ଼ି ଯାଇଥିଲା ।

 

ନାନୀ ଘେନି ସାରିଥିଲା–କୁଳଟାର ଅପବାଦ ।

 

ଏମିତିକି ଆମେ ସବୁ ତା’ ପାଖକୁ ଟିକେ ବେଶି ଗଲେ ଆସିଲେ ବୋଉ ଏଡ଼େ ଏଡ଼େ ଆଖିରେ ଶାସନ କରୁଥିଲା ।

 

ଶେଷକୁ ଆସିଲା ଜଣେ ଅର୍ଦ୍ଧଶିକ୍ଷିତ ମିସ୍ତ୍ରୀ ଟୋକା......

 

ନାନୀଙ୍କ ଦାଣ୍ଡ ପିଣ୍ଡା, ଚଉରା, ଅଗଣା, ସିମେଟ ହେଉଥାଏ...... ତା’ପରେ ଠାକୁର ଚଉପାଢ଼ି, ଦୋଳବେଦୀ ବି ହେଲା । ବେଶ୍ କିଛିଦିନ କାମ ଚାଲିଲା । ବଡ଼ ବୁଢ଼ା ମିସ୍ତ୍ରୀର, ଏ ଟୋକାଟି ସହକାରୀ । ଲମ୍ବାଳିୟା ଚେହେରା । ମୋଟା ନୁହେଁ କି ପତଳା ନୁହେଁ । ଧାରୁଆ ମୁହଁ । ଖୋଜିଲା ଖୋଜିଲା ଆଖି ।

 

ମୁଁ ଅବଶ୍ୟ ଆଶା କରି ନଥିଲି ଏମିତି ଗୋଟାଏ ଅଜଣା ଅଶୁଣା ମିସ୍ତ୍ରୀ ଟୋକାକୁ ଜଡ଼ାଇ ନାନୀ ନା’ରେ ଗୁଜ୍ଜବ ରଟିବ ବୋଲି ।

 

ଏଥର ମତେ ଯେତିକି ଦୁଃଖ ଲାଗିଲା, ରାଗ ବି ହେଲା ତା’ର ଦ୍ୱିଗୁଣିତ । କରୁଣାରେ ମନ ମୋର ‘‘ଆହା’’ ‘‘ଆହା’’ କରି ଉଠିଲା । ବିଚାରି ନାନୀଟି କଣ୍ଟା ଅରଣ୍ୟରେ ଫୁଟିଥିବା ଫୁଲଟିଏ ଭଳି କେତେ ଯଚେଇ କରୁ ନାହିଁ ନିଜକୁ, କେତେ ଆକୁଳ ବିକଳ ହୋଇ ହାତ ବଢ଼ାଉ ନାହିଁ ଆଶ୍ରୟ ପାଇଁ । ବାରମ୍ବାର ଅସହାୟ ହାତ ତା’ର ଅନନ୍ତ ଶୂନ୍ୟତାରେ ଆନ୍ଦୋଳିତ ହୋଇ ଭାଙ୍ଗି ପଡ଼ୁଛି ।

 

କିଏ’ ତା’ ରୂପର ଜ୍ୱଳା ଶୂନ୍ୟ ମନର ହା’ ହା’କାର ବିନିଦ୍ର ରାତ୍ରୀର ବ୍ୟଥା ବୁଝିବ ? ତା’ର ମୂଲ୍ୟ କଳିବ ।

 

ଏ ଜଗତରେ ଭଲା କାହାର, କିଛିର, ମୂଲ୍ୟ ଅଛି ?

 

ସେଦିନ ସଞ୍ଜବେଳେ ଲୁଚି ଲୁଚି ନାନୀ ମୋ ପାଖକୁ ଆସିଲା । କାନ୍ଦି, କାନ୍ଦି, ମୋ ହାତ ଦିଓଟି ଚାପି ଧରିଲା । କ’ଣ କହିବ କହିବ ହୋଇ କିଛି ବି କହି ପାରିଲା ନାହିଁ । ତା’ ପରଦିନ ସକାଳେ ମୁଁ ଶୁଣିଲି ସୀତା ନାନୀ ସେ ମିସ୍ତ୍ରୀ ସାଙ୍ଗରେ ଘର ଛାଡ଼ିଛି, କୁଳ ଛାଡ଼ିଛି । ନିଜ ହାତରେ ପୋଛି ନିଶ୍ଚିହ୍ନ କରି ଦେଇ ଯାଇଛି- ନିଜର ଅତୀତଟାକୁ ।

 

ପରେ ପରେ ଅନେକ କଥା ଶୁଣା ଯାଇଥିଲା......ସୀତା ନାନୀ ସେ ଟୋକା ସାଙ୍ଗରେ ଘର ସଂସାର ବାନ୍ଧି ଭୁବନେଶ୍ୱରରେ ଅଛି । ସେ ଟୋକା କୋଉ ଗୋଟାଏ ଅଫିସ୍‌ରେ ଚାକିରି ବାକିରି କରି ଭଲ ଟଙ୍କା କମାଉଛି ।

 

ସେଠାରେ ସମସ୍ତେ ଜାଣନ୍ତି ଦିହେଁ ବାହା ହେଲା ସ୍ୱାମୀ ସ୍ତ୍ରୀ ବୋଲି ।

 

ସୀତା ନାନୀ ଭଲରେ ଅଛି, ସୁଖରେ ଅଛି ଶୁଣି ମୁଁ ଖୁସି ହେଲି । ତେବେ ବି ରହିଗଲା ଟିକିଏ କିନ୍ତୁ... ଭାବ । ଏ ଜଗତରେ କ’ଣ ପ୍ରେମ ସଙ୍ଗେ ସଙ୍ଗେ ସମସ୍ତେ ସମସ୍ତଙ୍କୁ ଈର୍ଷା କରନ୍ତି ?

 

ସେହି ସମୟରେ ବେଳେ ବେଳେ ମନେ ହେଉଥିଲା ସ୍ୱଚକ୍ଷୁରେ ଦେଖି ଆସନ୍ତି ସୀତା ନାନୀର ସଂସାର ।

 

X X X

 

ଏବେ, ଏତେ ଦିନ ପରେ... ଏଇ ମାଳ ମାଳ କୋଠା ଭିତରେ । (ଭିତରେ ଯାହା ଥାଉ ବାହାରକୁ ସବୁ ଏକା ପରି ଦିଶେ) ଏତେ ଲୋକ, ଏତେ ଆଡ଼ମ୍ବର ଐଶ୍ୱର୍ଯ୍ୟ ଭିତରେ ବି ଠାଏ ଠାଏ ଛପି ରହିଛି ଝାଟିମାଟି ଚାଳିଆ, ନାଳ, ନର୍ଦ୍ଦମା । ଫୁଲର ସୁଗନ୍ଧ ସାଙ୍ଗରେ ଗୋଳି ହୋଇ ଯାଉଛି ନର୍ଦ୍ଦମାର ଦୁର୍ଗନ୍ଧ ।

 

କୋଉଠି ଖୋଜିବି ମୋ ସୀତା ନାନୀକି ?

 

ଆଲୁଅରେ ସୂର୍ଯ୍ୟମୂଖୀ ଭଳି ଝଟକୁ ଥିବ କି ଗଙ୍ଗଶିଉଳୀ ଭଳି ଝରୁଥିବ, କିଏ ଜାଣେ-? କୋଉଠି ସେ ମୋ ଆଖିରେ, କି ମୁଁ ତା’ ଆଖିରେ ପଡ଼ିଗଲେ ହୁଅନ୍ତା ନାହିଁ ? ଏ ଦୁନିଆରେ କ’ଣ ହୁଏ, ପୁଣି କ’ଣ ବା ନ ହୁଏ ?

 

ଖଣ୍ଡଗିରି ଆଡ଼ୁ ଷ୍ଟୁଆର୍ଟ ସ୍କୁଲ କଡ଼ ଦେଇ ପଙ୍କ୍‌ ଚରଡ଼ ସାଇକେଲଟି ଗଡ଼ାଇ ଗଡ଼ାଇ ମୁଁ ଆସୁଛି । ରାସ୍ତାକଡ଼ ପାଣିକଳ ଚଉତରାରେ ବସ୍ତିର ସ୍ତ୍ରୀ ପୁରୁଷଙ୍କ ଭିଡ଼, ପାଟିତୁଣ୍ଡ, ଗାଳି ଗୁଲଜ, ଥଟା ତାମସା ।

 

ସେଇମାନଙ୍କ ଭିତରେ ସନ୍ଧ୍ୟାର କ୍ଷୀଣାୟୁ ମଳିନ ଆଲୋକରେ ମୋ ସୀତାନାନୀକି ମୁଁ ବେଶ୍ ଚିହ୍ନି ପାରିଲି । ଛ’ମାସର ମଳୁ ପରି ଘୋସାରି ହୋଇ ହାତରେ ପାଣି ବାଲ୍‍ଟିଏ ଧରି ସେ ରାସ୍ତାକୁ ଉଠୁଥିଲା ।

 

ମୁହାଁ ମୁହିଁ ହୋଇଗଲୁ - କେହିଁ କାହାକୁ ନ ଚିହ୍ନିବାର ହୁଏତ ଛଳନା କଲୁ ।

 

ମନୁ ବାବୁ ନାଁ ହେ ?

 

ମୋ କଡ଼ ପଟରେ ସେଇ ମିସ୍ତ୍ରୀଟି ଆସି ଛିଡ଼ା ହୋଇଗଲାଣି । ଯାହା ପାଇଁ ସୀତା ନାନୀ ମତେ ଏବଂ ମୋ ଗାଁ ଭୂଇଁକି ପର କରି ଦେଇଛି ।

 

ଆସ, ଆସ, ଆମ ଘର ଏଇ ପାଖରେ । ଲୋକଟା ମୋ ହାତ ଧରି ଟାଣି ନେଲା ।

 

ପ୍ରଥମ କ୍ଷଣରୁ ହିଁ ମୁଁ ଜାଣି ନେଲି ସେ ମଦ ଖାଏ । ଟଳଟଳ ଅବସ୍ଥାରେ ତା’ ନାଲି ଚହ ଚହ ଆଖିରେ ଅବାଗିଆ ଡୋଳା, ହଳଦିଆ ଦାନ୍ତ, ମୁହଁରେ କୁଟିଳ ଭ୍ରୁକୁଟି, ହିଁ ହିଁ ହସ ମତେ ସବୁ ଜଣାଇ ଦେଇଥିଲା । ସେତେବେଳେ ବି, ହୁଏତ କ୍ଷାଣ ଏକ ଦୁର୍ଗନ୍ଧ ତା’ପାଟିରୁ ବାହାରୁ ଥଲା ।

 

ଯେମିତି ଅବସ୍ଥାରେ ନାନୀକି ଦେଖିଲି ସେ’ବା ମୋର କି ଚର୍ଚ୍ଚା କରନ୍ତା ? ମୁଁ ବା ତା’ର କି ଉପକାର କରନ୍ତି !

 

ସନ୍ତ ସନ୍ତିଆ ଅନ୍ଧାରିଆ ଘରେ, ଛିଣ୍ଡା କନ୍ଥାରେ ପଡ଼ି କାଠି ସରୁ ଛୁଆଟିଏ ଧକେଇ ଧକେଇ କାନ୍ଦୁଥିଲା ।

 

ମୁଁ ସେଦିନ ପଳେଇ ଆସିଲି ସିନା, ଆବର୍ଜନାରେ ପଡ଼ିଥିବା ମଉଳା ଫୁଲର ଅବଶେଷ ବାସନାଟିକ ଭଳି ସୀତା ନାନୀ ମୋତେ ବାରମ୍ବାର ଆକର୍ଷଣ କରୁଥିଲା–ଆକୁଳିତ କରୁଥିଲା ।

 

ଦେଖା ହେଲେ ନୋହିଥାନ୍ତା । ମଣିଷ ଯାହା ଚାହେଁ ପାଇଲା ବେଳକୁ ତାକୁ ବୋହିପାରେ ନାହିଁ । ଥରକୁ ଥର ଯାଏ, ତା’ର ଲୁହ ଧୂଆଁ ମୁହଁକୁ ଅନାଏ । ତା’ ବରର ମାଡ଼ ଚିହ୍ନବି ଦେଖେ– ମଦୁଆର ନିଶାରେ ହୋସ ନଥାଏ ।

 

ପଚାରି ଦେବିକି କାହିଁକି ଏମିତି କଲୁ ? କାହିଁକି ଏମିତି ହେଲୁ ? କେହି ଦେଇ ପାରେ ୟାର ସଠିକ୍‌ ଉତ୍ତର ? କିଏ ଦେବ ?

 

ସମସ୍ତେ ତ ସୁତାଲଗା ସଖୀ କଣ୍ଢେଇ । ଭଗବାନଙ୍କ ହାତରେ ହେଉ କି ନିଜର ପ୍ରବୃତ୍ତି ହାତରେ ହେଉ, କି ସମାଜ ହାତରେ ହେଉ ।

 

ସେଦିନ ମନଟା ଭାରି ଘାଣ୍ଟି ଚକଟି ହେଲା । କୋଉଠି କିଏ ଅଥଳ ଜଳରେ ବୁଡ଼ି ଯାଉ ଯାଉ ଯେପରି ମୋ ନାଁ ଧରି ଆର୍ତ୍ତ ସ୍ୱରରେ ଡାକ ପକାଉଛି !

 

ମୋତେ ଘେରି କେତେ ଦେହ କେତେ ମନ, ଆତ୍ମୀୟ ପରିଜନ, ସାଙ୍ଗ ସାଥି, ପରିଚିତ ଜଣାଶୁଣା କେତେ ଅଛନ୍ତି ।

 

କାହାରି ମୁହଁ ତ ଆଖିରେ ନାଚିଲା ନାହିଁ । ସ୍ୱପ୍ନାବିଷ୍ଟ ଭଳି ସାଇକେଲଟା ଗଡ଼େଇ କାହିଁକି ମୁଁ ପହଞ୍ଚିଲି ସୀତା ନାନୀ ଦୁଆରେ ?

 

ରୋଗୀଣା ହିକ୍‌କା ଉଠା ଛୁଆଟାକୁ କୋଳରେ ଯାକି ସେ ବସିଥିଲା । ଛିଣ୍ଡା ଅଖା ଖଣ୍ଡେ ମୋ ଆଡ଼କୁ ଘୁଞ୍ଚେଇ ଦେଇ କହିଲା, ବସିବୁକି ?

 

କେତେଥର ଆସି ଠିଆ ଠିଆ ମେଲାଣି ନେଇଛି ମୁଁ, ପଦେ ଦିପଦ ମାମୁଲି କଥା ଭାଷାରେ । ନାନୀ କେବେ ବସିବାକୁ କହିନାହିଁ ।

 

ଆଜି ତା’ର ଠୋସ କଥା, ଶୁଖିଲା ଜଳ ଶୂନ୍ୟ ଆଖି ମୋତେ କାକୁସ୍ଥ ଆଉ ଶଙ୍କିତ କରି ପକାଇଲା । ମନେ ହେଲା ନିଆଁ ଧରି ଗଲାଣି । ବାରୁଦ ଗଦା ଏଇକ୍ଷଣି ହାଉ ହାଉ ହେଇ ହୁ, ହୁ କରି ବିସ୍ଫୋରଣ ଘଟାଇବ ।

 

ନାନୀ କହିଲା, “ଜାଣିଲୁ ଅତି ବେଶି ସୁଖ ଶାନ୍ତିରେ ରହିବି ବୋଲି ମୁଁ ଆଶା କରି ନ ଥିଲି । ଯାହା କପାଳରେ ସୁଖ, ଆରାମ, ଆନନ୍ଦ ଲେଖାଥାଏ–ଭାଗ୍ୟଠାରୁ ମଣିଷ ଯାଏ, ତା’ର ଏମିତି କେହି ବିପକ୍ଷ ହୋଇ ଛିଡ଼ା ହୁଅନ୍ତି ନାହିଁ ।’’

 

ପିଲାଟି ବେଳୁ ସମସ୍ତେ ମୋତେ ଦେଖି କହୁଥିଲେ ଝିଅଟିର ନିଆଁ ଧାସ ଭଳିଆ ରୂପ । ସେମାନେ ହୁଏତ ଯାଣି ନ ଥିଲେ ମୋ ମନରେ ମୂଳରୁ ବି ଟିକିଏ ନିଆଁ ଥିଲା ।

 

ସେଇଥିପାଇଁ ପ୍ରଚଳିତ ସମାଜ ଚଳଣି, ନିନ୍ଦା କଳଙ୍କ, ଅଦେଖା ଭାଗ୍ୟ, ସାଧାରଣ ଦୃଷ୍ଟିର ମାନ ସମ୍ମାନକୁ ପୋଡ଼ି ବିଭୂତି କରି ବୋଳି ହେବାକୁ ମୋର ସାହସ ହେଲା ।

 

ଏଥିରେ ଯେତେ ଜ୍ୱାଳା ଯେତେ ଯନ୍ତ୍ରଣା ସବୁ ଆଖି ବୁଜି ସହି ନେଉଥିଲି ଖାଲି ହାଡ଼ ଚମର ଜୀଅନ୍ତା ପୁତୁଳୀଟିଏ ପାଇଁ ।

 

ସଂସାରଟିଏ ହେବ । ମୋ ନିଜର ସଂସାର ମୋଅରି ସୁଖ ଦୁଃଖରେ ଜୁଡ଼ୁ ବୁଡ଼ୁ । ମୋ ଆଶା ଆକାଂକ୍ଷାରେ ଭରପୁର, ମୋ ସ୍ୱପ୍ନରେ ରଙ୍ଗୀନ - ମୋ କଳ୍ପନାରେ ପ୍ରସାରିତ ସେଇ ବୃତ୍ତର କେନ୍ଦ୍ର ବିନ୍ଦୁ ହୋଇଥିବ ହସିଲା କୁନି ମୁହଁଟିଏ ।

 

ମୋଅରି ଦେହରୁ ଉଦ୍‌ଭୂତ୍‌ ମୋଅରି ରକ୍ତରୁ ଗଢ଼ା–

 

ସେ ଚୁପ୍‌ ହୋଇ କ’ଣ ଯେମିତି ଚିନ୍ତା କଲା.......

 

ଛିଣ୍ଡା ସୂତାର ଝିଅ ଯୋଡ଼ିଲା ପରି ପୁଣି କହି ଚାଲିଲା–

 

ଜଣ ଜଣ କରି ତିନି ଜଣ ମତେ ଧୋକ୍‌କା ଦେଲେ ।

 

ବାହା ହେଲା ବରର ଘର କରି ପାରିଲି ନାହିଁ । ଏ ଦି’ ଜଣଙ୍କ ଆଶ୍ରା ବି ଧରି ପାରିଲି ନାହିଁ ।

 

ତୁ’ତ ଅତି ପିଲା ନଥିଲୁ ସବୁ ଦେଖିଛୁ–ସବୁ ଶୁଣିଛୁ ।

 

ପିତଳ ହାଣ୍ଡି ଧୋଇଧାଇ ଦେଲେ ସୁଦ୍ଧ, ମାଟି ହାଣ୍ଡି ପରି କେବଳ ପଡ଼ି ରହିଲା ଅଯୋଗା ଅଶୁଚି ହୋଇ ।

 

ଯିଏ ପାଠ ଶାଠ ପଢ଼ି ଭଦରଲୋକ ହେଲେଣି ଯିଏ ଦିନର ଆଲୁଅ ରାତିର ଅନ୍ଧାର ଭିତରେ ବେଶ ବଦଳେଇବାର କୌଶଳ ହାସଲ କଲେଣି, ମୁଁ ବେଶ୍ ବୁଝି ପାରିଲି ତାଙ୍କ ଦ୍ୱାରା କିଛି ହୋଇ ପାରିବ ନାହିଁ । କହିଲୁ, ମୋର ଏ ପନ୍ଥା ବାଛି ନେବା ଛଡ଼ା ଆଉ କି ଉପାୟ ଥିଲା ? ତେବେ ଲୋକଟା ଅତି ବେଶି ମନ୍ଦ ନଥିଲା । ତା’ର ହୃଦୟ ବୋଲି କିଛି......ଥିଲା । ସେ ମତେ ସତରେ ଭଲପାଉଥିଲା ।

 

ଭଲପାଇବାର ଧ୍ୱନି ନିଶ୍ଚିତ ଭାବେ ପ୍ରତିଧ୍ୱନି ସୃଷ୍ଟି କରେ ବୋଲି ମୋର ବିଶ୍ୱାସ ।

 

ଛୋଟ ହେଉ କି ନଗଣ୍ୟ ହେଉ ସୁଖର ସଂସାରଟିଏ ମୁଁ ଗଢ଼ି ପାରି ଥିଲି ।

 

ସେ ଅଫିସ୍‌ରେ ପିଅନ ଚାକିରିଟିଏ ଜୁଟେଇ ଦେଇଥିଲେ । ଆମେ ବଖୂରିକିଆ ଘରଟିଏ ବି ପାଇଥିଲୁ ।

 

ଫୁରୁସତ୍‌ ବେଳେ ଠିକାରେ ମିସ୍ତ୍ରୀ କାମ ବି ମିଳୁଥିଲା ।

 

ମୋର ଏଇ ପୁଅଟି କୋଳକୁ ଆସିଲା......ପାନ ଦୋକାନଟିଏ କରିବାକୁ ସେ ବିଚାରୁ ଥିଲେ । ମୁଁ ଆଖି ବୁଜି ଅନେକ ସୁଖ ସ୍ୱପ୍ନ ଦେଖୁଥିଲି........

 

ପିଅନ ହାତରେ ବାବୁ ମଗାନ୍ତି ମଦ । ବଡ଼ ଦୋକାନରୁ, ବୋତଲା ଭରା ବିଦେଶୀ ମଦ-

 

ବାବୁଙ୍କର ୟେ ବଡ଼ ନିଶ୍ୱାସୀ । ଭାରି ସଚ୍ଚା ଅନୁଗତ ଲୋକ । ଟେବୁଲ ଉପରୁ ଖାଲି ବୋତଲ ଆଣିଲା ବେଳେ କେମିତି କିଛି ବଳିଥାଏ ।

 

ମଣିଷ ମନ ତ ?

 

ଲୁଚେଇ ଚୋରେଇ ସୁବିଧା ଉଣ୍ଡି ଟିକିଏ ଚାଖୁ ଚାଖୁ ଆଣିଲା ବେଳେ ବୋତଲଟାଏ ଲୁଚେଇ ଦିଅନ୍ତି, ପଇସା ହିସାବରେ ହେର୍‌ ଫେର୍‌ କରି ଚଳେଇ ନିଅନ୍ତି । ବାବୁଙ୍କୁ ନିଶା ଚଢ଼ିଥାଏ ଧରି ବି ଧରି ପାରନ୍ତି ନାହିଁ । ବୁଝି ବି ବୁଝନ୍ତି ନାହିଁ ।

 

ଅଫିସିର ଆଉ ପାଞ୍ଚଜଣ ପିୟନ ଦପ୍ତରି ତ ବୁଝନ୍ତି । ଏଡ଼େ ଆଡ଼୍‌ଡ଼ାରେ ଅଛି ମଣିଷଟା-। ସୁନ୍ଦରୀ ସ୍ତ୍ରୀ, ପୁଅ, ବାହାରର ରୋଜଗାର ।

 

ଏତେ ଅଛିର ହିସାବ କରି କରି ସେମାନେ ଅସହିଷ୍ଣୁ ହୋଇ ଉଠୁଥିଲେ ।

 

ସୁଯୋଗ ଖୋଜୁଥିଲେ ନାହିଁଟାଏ ବସେଇ ଦବାକୁ । କଥା ଅଛି ଚୁଗୁଲିରେ ଚତୁର୍ମୁଖ ବ୍ରହ୍ମା ମଧ୍ୟ ଟଳିଯାନ୍ତି ।

 

ଦିନେ ସମସ୍ତେ ଶୁଣିଲେ–ମୁଁ ବି ଶୁଣିଲି–ୟାଙ୍କର ଚାକିରି ନାହିଁ ।

 

ନାହିଁର ତାଲିକା ବଢ଼ି ଚାଲିଲା । ଘର ନାହିଁ, ସମ୍ବଳ ନାହିଁ, ଖାଦ୍ୟ, ବସ୍ତ୍ର, ଆଶ୍ରୟ, ଆଶ୍ୱାସ ଲଜ୍ୟାସରମ କିଛି ନାହିଁ । ସବୁଗଲା । .....ଗଲା ନାହିଁ ତାଙ୍କ ମଦଖିଆ ଅଭ୍ୟାସ....... ବେଶି ବେଶି ବରଂ ବଢ଼ି ଚାଲିଲା ।

 

ଦେଶି, ଚାଉଳି, ତାଡ଼ି ଯାହା ପାଇଲେ ଆକଣ୍ଠ ପିଇ ମତେ ମାରି ନୟାନ୍ତ କଲେ । ମଣିଷ ରୂପରେ ରହିଲେ । ମଣିଷ ପଣରେ ରହିଲେ ନାହିଁ । କେଉଁଠୁ ମୁଁ ତାଙ୍କୁ ପଇସା ଯୋଗେଇବି ? ପେଟ ବିକଳରେ ଅଇଁଠା ବାସନ ବାବୁଘରେ ମାଜିଲି । ଆଗତୁରା ଟଙ୍କା ମାଗି ବସିଲେ ମତେ କେହି ରଖିବାକୁ ରାଜି ହେଲେ ନାହିଁ । ଠାଆକୁ ଠାଆ ବଦନାମ ।

 

ଏଭଳି ବସ୍ତିରେ ବଞ୍ଚିବା ପାଇଁ ଦେହର ବେଉସା ଚଳେ, ଏକଥା ମତେ ଜଣା ଅଛି ।

 

ମାଡ଼ ଖାଇ ଖାଇ କୁରୁମ ହୋଇ ଏ ଛୁଆଟା ପାଇଁ ବଞ୍ଚି ରହିଛି । ହେଲେ ସେତକ କରି ପାରୁନାହିଁ ।

 

ଓଷଦ ନାହିଁ, ବାର୍ଲିପାଣି ଟୋପାଏ ବି ନାହିଁ । କେମିତି ଆଉ ବଞ୍ଚିବ ଏ ଛୁଆ ? ୟେ ଗଲେ ମୋର ବି କଣ୍ଟା ଯିବ, ମୁଁ ଛୁଟି ପାଇଯିବି । ବାବୁମାନେ ମଦ ଖାଇଲେ ତାଙ୍କ ସଂସାର କୋଉଠି ଟିକେ ଦୋହଲୁ ଥିବ କି କ’ଣ ? ମୋ ସଂସାରରେ କିନ୍ତୁ ଭୂମିକମ୍ପ ହୋଇଗଲା । ସୀତା ନାନୀର ନିର୍ଦ୍ଦିଷ୍ଟ କିଛି ଅଭିଯୋଗ କାହା ବିରୁଦ୍ଧରେ ନଥିଲା । ତଥାପି ମୁଁ ସମସ୍ତ ଅଭିଯୁକ୍ତ ଆସାମୀଙ୍କ ପ୍ରତିନିଧି ଭଳି ତା’ ଆଖି ସାମ୍ନାରେ ସଙ୍କୁଚିତ ଜଡ଼ ସଡ଼ ହୋଇ ଯାଉଥିଲି ।

 

ପ୍ରାୟଶ୍ଚିତ୍ତ ବ୍ୟବସ୍ଥା ମାଗିଲା ଭଳି ପଚାରିଲି । ‘‘ମତେ କ’ଣ କହୁଚୁ କହ’’ ?

 

ତତେ ଆଉ କ’ଣ କହିବି ! ଯଦି ତୋ ପାଖରେ ରେଜା ପଇସା ଅଛି କିଛି ହେଲେ ଦେଇଯା । କାହାକୁ ନେହୁରା ହେଲେ ବାଲି କି ସାଗୁ ଟିକିଏ ଆଣିଦବ । ଜୀବ ଥିବା ଯାଏ ତ ଲୋଭ ଅଛି ।

 

ବାପା ସେଇ ଦିନ ସକାଳେ ମୋ ପାଖକୁ ଟଙ୍କା ପଠାଇ ଥାନ୍ତି । ମୋ ପକେଟରେ ଥାଏ ଦିଖଣ୍ଡ ଦଶ ଟଙ୍କିଆ ନୋଟ । ରେଜାବି ଥିଲେ ଥିବ । ମୁଁ କିନ୍ତୁ ଖଣ୍ଡେ ନୋଟ ନାନୀ ହାତରେ ଧରାଇ ଦେଲି ।

 

ମୋ ସୀତା ନାନୀକି ଏଇ ମୋର ପ୍ରଥମ ଦବା ।

 

ଭୂତ ଦେଖିଲା ଭଳିଆ ଚମକି ଉଠିଲା ନାନୀ । ଏତେ ଟଙ୍କା କ’ଣ ହବ ? ମଦୁଆ ନିଶାରୀ ମାଇପ ପାଖରେ କ’ଣ ଟଙ୍କା ରହେ ?

 

ମୁଁ କିଛି ନଶୁଣି ସାଇକେଲରେ ଚଢ଼ି ପଳାଇ ଆସିଲି ।

 

ସେଦିନ ଯେବେ ଶୁଣିଥାନ୍ତି ତା’ ଡାକ, ବୁଝିଥାନ୍ତି ତା’ କଥାର ଅର୍ଥ.... ।

 

ମଣିଷ ସବୁ ବୁଝି ପାରିବାର ବଡ଼େଇ କରେ..... ଅଥଚ ଅନେକ କିଛି ବୁଝିପାରେ ନାହିଁ-

 

ମୁଁ ତ ନାନୀକି କିଛି ଦେଇ ପାରିଛି, ତା’ ପାଇଁ କିଛି କରି ପାରିଛି ବୋଲି ପବନ ପୁରା ବେଲୁନ୍‌ ଭଳି ଫୁଲି ଉଠୁଥିଲି ।

 

ତା’ ପ୍ରତି ଘଟିଥିବା ସମଗ୍ର ଅବିଚାରର ପରିଶୋଧ ଯେମିତି ମୁଁଇ ଏକୁଟିଆ ଏଇ ଦଶଟା ଟଙ୍କାରେ କରି ଦେଇ ଆସିଛି ।

 

ଦି’ ଦିନ ପରେ ଖବରକାଗଜରୁ ଘଟଣାଟା ପଢ଼ିଲି ।

 

ଏକଦା ପିଅନ ଚାକିରି କରୁଥିବା ଜଣେ ବ୍ୟକ୍ତି, ମାତ୍ର ଦଶଟଙ୍କା ପାଇଁ ନିଜ ସ୍ତ୍ରୀ’ କି ବାଡ଼େଇ ଦରମରା ଅବସ୍ଥାରେ ପକେଇ ଦେଇ, ରୋଗିଣା ଛୁଆର ବିଛଣା ସମେତ ରାସ୍ତା କଢ଼କୁ ଫିଙ୍ଗିଦେଇ, ଟଙ୍କା ନେଇ ମଦ ପିଇଛି ।

 

ବିଷାକ୍ତ ମଦ୍ୟପାନ ଫଳରେ ଡାକ୍ତରଖାନାରେ ଏ ବ୍ୟକ୍ତିର ଶୋଚନୀୟ ମୁତ୍ୟୁ ଘଟିଚି । ପିଲାଟି ସକାଳୁ ମରି କାଠ ହୋଇ ଯାଇଥିଲା । ଅଚେତନ ରକ୍ତାକ୍ତ ସ୍ତ୍ରୀ ଲୋକଟିର ଅବସ୍ଥା ଅତ୍ୟନ୍ତ ଉଦ୍‌ବେଗଜନକ ।

 

ସମ୍ବାଦ କଡ଼ରେ ମୂର୍ଚ୍ଛିତା ସୀତାନାନୀ ଓ ତା’ର ମୃତ ସନ୍ତାନ - ର ଗୋଟିଏ ଅସ୍ପଷ୍ଟ ଫଟୋ ।

 

ଠିକ୍ ତଳକୁ ଲେଖା ଅଛି–‘‘ସମାଜର ଚେତନା ହେଉ । ନିଶାନିବାରଣ ଆନ୍ଦୋଳନ ଆହୁରି ତୀବ୍ରତର ହେଉ ।”

 

ମୁଁ କିନ୍ତୁ ଧୀରେ ଧୀରେ ଅଚେତନ ହୋଇ ଆସୁଥିଲି ।

Image

 

ଧନୀ ମାଉସୀ

 

ଆମ ଗାଁ ଧନୀ ମାଉସୀକି ଅନେକ ଲୋକ ଚିହ୍ନି ନଥିବେ ।

 

ଚିହ୍ନିବା ସମ୍ଭବ ନୁହେଁ.......

 

ହୁଏତ ଦେଖିଥିବେ କେହି କେହି.......ଧନୀ ମାଉସୀ ସାବନ ବର୍ଣ୍ଣର ଚେକି ଚାକି ମାଇପିଟିଏ । ଗେଡ଼ି ବୋଲି କହି ହବ ନାହିଁ କି ଡେଙ୍ଗେଇ ବୋଲି ଅପବାଦ ଦେଇ ହବ ନାହିଁ ।

 

ତା’ ଆଖି, ନାକ, ଭୃଲତା, କପାଳ, ଚିବୁକ କଣ୍ଠ ଏମିତି ସବୁଯାକ ପ୍ରତ୍ୟଙ୍ଗ ଗୋଟି ଗୋଟି କରି ଫେଡ଼ି ଦେଖିଲେ, କୋଉ ଗୋଟାକ ସେମିତି କିଛି, କାବ୍ୟିକ ଉପମାରେ ଅପୂର୍ବ ସୁନ୍ଦର ନୁହେଁ । କିନ୍ତୁ ମଣିଷଟିକି ଚାହିଁଦେଲେ ପେଟପୁରି ଉଠେ । ମନ ଭରିଯାଏ । ଭାରି ଆପଣାର ଆପଣାର ଲାଗେ ।

 

ତା’ ଚେହେରା ତା’ ଠାଣି ମାଣିରେ କି ଏକ ପୂରନ୍ତା ପଣ, ଅପୂର୍ବ ମାଧୁର୍ଯ୍ୟ ସଙ୍ଗେ ଅନୁପମ କାରୁଣ୍ୟ ରସ ଫେଣ୍ଟି ହୋଇ ଉଛୁଳି ଉଠୁଥାଏ ଯେମିତି ।

 

ଧନୀ ମାଉସୀ ଗୁଡ଼ାଏ ଗହଣା ଗାଣ୍ଠି ଲଗେଇବା, କି ଚକ୍‌ ମକ୍‌ ଶାଢ଼ି ପିନ୍ଧିବା, ମୁଁ କେବେ ବି ଦେଖିନାହିଁ ।

 

ସେ ସବୁ ସେ ପାଇବ କେଉଠୁ ? ଧଳା, ନାଲି ପାହାଡ଼ି ଲୁଗା ଖଣ୍ଡିଏ, ପ୍ରାୟ ସେ ପିନ୍ଧେ-। ସେ ପୁଣି ସେମିତି ଧୋବ ଫର ଫର ନୁହେଁ । ଗାଁ’ର ଖାରକଚା ଅଧା ମଇଳା ଶାଢ଼ି ଖଣ୍ଡିଏ-

 

ହାତରେ ସରୁ ସରୁ ରୁପାବାଲା ହଳିଏ, ଦି ପଟି କି ତିନି ପଟି ପାଣି କାଚ ।

 

ତା’ର ଶାଶୁ ଶଶୁର ଦିଅର ଦେଢ଼ସୁର, କି ବାପ ଭାଇ, କେହି ହେଲେ ନାହାନ୍ତି ।

 

ଗେରସ୍ତ କାହିଁ । କୋଉ କାଳୁ କଲିକତା କି କାଳିମାଟି ଯାଇଚି.....

 

ଯାଇଛି ଯେ ଯାଇଛି ।

 

ଆମେ ଖାଲି ଏତିକି ମାତ୍ର ଶୁଣିଛୁ ।

 

ଧନୀ ମାଉସୀର ବର ଅଛି, ବା’ ଥିବା ସମ୍ଭବ ଏ କଥା ଆମେ ତଳେଇ କରି ଭାବି ଦେଖିନାହୁଁ ।

 

ଭାବିବାକୁ ମନ କୌତୂହଳ ହୁଏ ନାହିଁ । ଯଶୋଦାଙ୍କ ଛବିଟିଏ ଦେଖିଲେ ଯେମିତି ବାଳ ଗୋପାଳଙ୍କୁ ଆଖି ଆପଣା ଛାଏଁ ଖୋଜେ ବା ଯଶୋଦାଙ୍କ କାନି ଧରି ଗୋପାଳ ଆଢ଼ୁଆଳରୁ ହସୁଥାଏ ସେମିତି ମାଉସୀକି ଦେଖିଲେ ପିଲାଙ୍କ ମୁହଁ ମନେ ପଡ଼େ ଅଥବା କେହି ପିଲା ତା’ ସାଙ୍ଗରେ ଥାଆନ୍ତି ।

 

ଯେଡ଼େ ଅଣ୍ଟାଭଙ୍ଗା ବୁଢ଼ା, ଯେଡ଼େ ଗଜା ଭେଣ୍ଡିଆ ହେଉ ପଛକେ, ମାଉସୀକି ଚାହିଁ ଦେଲେ ସେ ଭିତରେ ଭିତରେ ପାଞ୍ଚ ବର୍ଷିଆ ଛୁଆଟିଏ ପାଲଟି ଯାଏ ।

 

ମୁଁ ତ ବେଳେ ବେଳେ ଭାବେ ଯଦି ଧନୀ ମାଉସୀ ଗେରସ୍ତ କୋଉ ତାଲୁକ ମୁଲକ ବୁଲି ବୁଲି ଏବେ ବି ଆସି ଗାଁ’ରେ ପହଞ୍ଚନ୍ତି..... ।

 

ବିଚରା ବାଳୁତ ବାଳ ଗୋପାଳଟିଏ ପାଲଟି ଯାଇ ଧନୀ ମାଉସୀକି ମାଉସୀ ମାଉସୀ ହୁରି ପକାନ୍ତା କି କାନି ଧରି ଆଇନି କରନ୍ତା ।

 

ମାଉସୀ ବି ତା’ ବହୁଦିନ ପରବାସି ଗେରସ୍ତ ଭିତରେ ଠୁକୁ ଠୁକୁ ଚାଲି ରୁଣୁ ଝୁଣୁ ନୂପୂର ପିନ୍ଧା ଗୋପାଳଟିଏ ଛଡ଼ା ଆଉ କିଛି ଦେଖି ପାରନ୍ତା ନାହିଁ ।

 

ତା’ର ସେ ବର୍ଷୁକ ମେଘସମ କାରୁଣ୍ୟ ସକଳ ଆତୁର ଦୃଷ୍ଟିରେ ଆଉ କିଛିର ଛାଇ ପଡ଼ୁଥିବ ତା’ର ସେ ଛୁଆ ରଙ୍କୁଣୀ ମନ ଆଉ କିଛି ଖୋଜୁଥିବ ବୋଲି ମୋର ଅତ୍ୟନ୍ତ ବିଶ୍ୱାସ ନୁହେଁ ।

 

ଗାଁ’ର ସମସ୍ତେ କିନ୍ତୁ କହନ୍ତି ଧନୀ ମାଉସୀ ବାଂଝ । ଛୁଆ ତ ପେଟରେ ଧରି ନାହିଁ–

 

ଜନ୍ମ ଯନ୍ତ୍ରଣା କାହୁଁ ଅଙ୍ଗେ ନିଭେଇବ ।

 

ତା’ ଦଶଶିର ଅନ୍ତ ନାଡ଼ି ଠିକ୍‌ ଖାପ୍‌ ଖାଇ ଅଛି ।

 

ଆମେ ପିଲାମାନେ ଏସବୁ କିଛି ବୁଝୁ ନଥିଲୁ ବୁଝିଥିଲେ ଏକ ମତ ହୋଇ ନଥା’ନ୍ତୁ ।

 

ଏବେ ବି ମୁଁ ଏଥିରେ ଏକ ମତ ନୁହେଁ ଆହା ଘର ବାହାର ହୋଇ । ଛାଈକି ଚାହିଁ ଚାହିଁ ବେଳ କଟେ ନନ୍ଦରାଣୀର କାହ୍ନୁରେ ବୋଲି ଡାକିଦେଲେ ଆଖିରୁ ଲୁହ ଝରେ, ସ୍ତନରୁ କ୍ଷୀର ଝରେ-। ଆଉ କୋଉ ମାଆଟା ସଂସାରରେ ଭଲା ସେ ପାଦ ନଖ ଧୂଳି କି ସରିହବ ।

 

ଧନୀ ମାଉସୀର ପୁଞ୍ଜାଏ କି ପାଞ୍ଚଟା ପୁଅ ଝୁଅ ହେଇଥିଲେ ଅଧିକା କ’ଣ ହୋଇଥା’ନ୍ତା ମତେ ଗୋଚର ନାହିଁ ।

 

ଘର ବୋଲି ତା’ର ଝାଟିମାଟି ବରଡ଼ା ତାଟି ଛପର କୁଡ଼ିଆ ଖଣ୍ଡେ । ସେଥିରେ ଦିନରେ ଖରା ରାତିରେ ତରା ଦିଶେ ।

 

ଚାରି କ’ଣ ଓଳେଇ ଆଣିଲେ ଖୁଦଗଣ୍ଡିଏ ମିଳିବା ସପନ ।

 

ହେଲେ ସେଇ ଚାଳରୁ ଓହଳି ଥାଏ ଗୋଟାଏ ଶିକା । ସେଥିରେ ହାଣ୍ଡିଟିରେ ପଲମ ଘୋଡ଼ା ହୋଇ ମୁଢ଼ି କି ଉଖୁଡ଼ା କିଛି ନ ହେଲେ ତୁଚ୍ଛା ଚାଉଳ ଭଜା ଖଣ୍ଡିଏ ନିଶ୍ଚେ ପଡ଼ିଥିବ ।

 

ବାଡ଼ି ପିଜୁଳି ଗଛରେ ଫୁଲକସି ନଦି ହେଇଥିବ ଆଠକାଳି ବାରମାସୀ ।

 

ଗାଁ’ର କୋଉ ପିଲା ଭଲା ତା’ ପିଜୁଳି ଗଛରୁ ଡାଳ ନଭାଙ୍ଗି ଫୁଲକସି ତଳେ ନଝଡ଼ାଏ, ପୁଣି ଗଛରୁ ତଳକୁ ଗଳି ପଡ଼ି ଭେମାରଡ଼ି ନଛାଡ଼େ ?

 

କାହାକୁ ଭଲା ମାଉସୀ କାଖ ନକରି ଧୂଳି ନ ଝାଡ଼ି ଥୟ ହୁଏ ? ହାତରେ ମୁଢ଼ି ଉଖୁଡ଼ା ଗଣ୍ଡିଏ ଧରେଇ ବୋକ ନଦିଏ ।

 

ଖାଲି ପିଲା ନୁହଁନ୍ତି ସମସ୍ତେ ତା’ ଆଖିରେ, ତା’ ପାଖରେ ପିଲା ।

 

ଭିକାରିଟିଏ ଗାଁ’ର ସବୁ ଦୁଆରୁ ନିରାଶ ହେଲେ ତା’ରି ଓଳିତଳେ ଡକାପାରେ ।

 

ଗାଁର ଦୁଃଖୀ ନିଆଶ୍ରୀ ଭଲ ମନ୍ଦରେ ତା’ ପାଖରେ ଠିଆ ହୁଅନ୍ତି ତା’ ମୁହଁକୁ ଚାହାଁନ୍ତି ।

 

ଧନୀ ମାଉସୀ କ’ଣ ନଥିଲା ସତେ ? ତା’ କଥା ମୁଁ ଯେତେ କହୁଚି ଆଉରି ସେତିକି ସେତିକି ଗପିବାକୁ ମନ ହେଉଛି ।

 

ଧନୀ ମାଉସୀ ଆଉ ମୋ ପିଲାଦିନ ଅତି ନିବିଡ଼ ଅତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।

 

ତାକୁ ବାଦ ଦେଇ ମୋ ପିଲାଦିନ କଥା ମୁଁ ଭାବି ପାରିବି ନାହିଁ । କଥାରେ କଥାରେ କହିବା ତ କେତେ ଦୂରର କଥା ।

 

ମୋ ପିଲାଦିନ ଛବି ଗୁଡ଼ିକର ସେ ଯେମିତି ମସୃଣ ବିଶାଳ ପଟ୍ଟଭୂମି ।

 

ମୁଁ ପିଲାଦିନେ ତାକୁ କମ୍‌ ରାମ୍ପୁଡ଼ିଛି କୋଡ଼ି କଚାଡ଼ି ଅଳି ଅଝଟ କରିଚି ।

 

ଗାଧୋଇ ଦବ ସେଇ, ଖୁଆଇ ଦେବ ସେଇ, ତି’ତି, ପାତି, କରି କଳା ଲଗେଇ ଲାଞ୍ଜ ଟାଣି ଦବ ସେଇ, ପୁଣି କାନ୍ଧରେ ପକେଇ ଥାପୁଡ଼େଇ ଗୀତ ଗାଇ ଶୁଆଇବ ସେଇ ।

 

ଏକା ମୋର ନୁହେଁ, ମୋର ସବୁ ଭା’ଈ ଭଉଣୀଙ୍କର । ଗାଁ’ର ଆଉସବୁ ପିଲାଙ୍କର ଅଳି ଅର୍ଦଳୀ ସହିବାକୁ ସେ ଯେମିତି ଛାତି ପତେଇ ଦେଇଥିଲା ।

 

ବିରାଟ, ଉସ୍ମ, ସ୍ନେହ ମେଦୁର ଶୀତଳ ଛାତି......ବର୍ଷା ଦିନର ନରମ କୋମଳ ଦୁରବିଛା ପୃଥିବୀ ପରି.......

 

ସବୁ ପିଲାଏ ତାକୁ ଏକାନ୍ତ ଆପଣାର ଭାବୁଥିଲୁ, କିନ୍ତୁ ଏକୁଟିଆ ସତ୍ୱ କରି ନବାକୁ କେହି କଳି–କଜିଆ କରୁ ନଥିଲୁ ।

 

ଏହାହିଁ ଥିଲା ଆଶ୍ଚର୍ଯ୍ୟର ବିଷୟ ।

 

ଧନୀ ମାଉସୀ ଉପସ୍ଥିତିରେ ଆମେ ପଂଝାଏ ପିଲା ଯେମିତି ଗୋଟିଏ ହୋଇ ଯାଉଥିଲୁ-! ଗୋଟିଏ ବିରାଟ ରୂପ ଧାରଣ କରି ସହସ୍ର ମୁହଁରେ ସହସ୍ର ହାତରେ ତା’ଠାରୁ ଖାଉଥିଲୁ । ତା’ଠାରୁ ଭାବ ଘେନୁଥିଲୁ । ତାକୁ ଘେନାଉ ଥିଲୁ ।

 

ସେ’ବି ବୋଧେ ହୋଇ ଯାଉଥିଲା ବିରାଟ ରୂପା ସହସ୍ର ଭୂଜା ।

 

ଶୁଣି ଶୁଣି ଏକଥା କାହାକୁ ଚିଟା ଲାଗି ପାରେ ମତେ କିନ୍ତୁ କହିବାକୁ ଚିଟା ଲାଗୁନାହିଁ ।

 

ଆହା ! କି ମିଠା ଥିଲା ଧନୀ ମାଉସୀ ଭିତରେ........

 

ତା’ ହାତ ବାଜିଲେ ସବୁ ସୁଆଦ ଲାଗେ.......ତା’ କଥା ଶୁଣିଲେ ଆଖିରେ ନିଦ ଜମି ଆସେ.......ତା’ ଛାତିରେ ମୁଣ୍ଡ ରଖିଲେ ଦୁନିଆର କିଛି ବିପଦ-ଆପଦକୁ ଖାତିର୍‌ ନଥାଏ ।

 

ବର୍ଷକେ ଥରେ ମାଉସୀ ଗାଁରେ ଅନୁପସ୍ଥିତ ରହୁଥିଲା ଚାରି କି ଛଅଟି ଦିନ ପାଇଁ ।

 

ସେ ସମୟଟା ହେଉଛି ଆଷାଢ଼ମାସ ରଥଯାତ୍ରା ବେଳ ।

 

ପ୍ରତି ବର୍ଷ ଶ୍ରୀକ୍ଷେତ୍ରକୁ ସେ ରଥ ଦେଖି ଯିବଇ ଯିବ ।

 

ଯିବ ପୁଣି ପାଦରେ ଚାଲି ଚାଲି । ତାକୁ କ’ଣ ବାଟ ଖର୍ଚ୍ଚ ପାଇଁ ଟଙ୍କା କେଇଟା ଯୁଟେ ନାହିଁ ଭାବିଚ !

 

ମାଉସୀ ଭଳିଆ ମଣିଷକୁ ଟଙ୍କାଏ ଆଠଣା ତୀର୍ଥ ଖର୍ଚ୍ଚ ଦବାକୁ ଗାଁ’ରେ ଲୋକ ନଥିଲେ-?

 

ସେକଥା ନୁହେଁ ? ମାଉସୀ ହସି ଦେଇ ମୁଣ୍ଡ ହଲେଇ ଦବ । ଗୋଡ଼ କ’ଣ ହେଇଚି, ଥୁଣ୍ଟା ତାଳଗଛ ହେଇ ରହିବ ବୋଲି ତୀର୍ଥ ଦରଶନ ଫଳ ଯଦି ପ୍ରାପତ ନହେଲା ତା’ ଦେଈ ! ଫି ଥର ତାକୁ ସାଙ୍ଗ ଯାତ୍ରୀ ବି ଯୁଟି ଯାଆନ୍ତି ।

 

ଏ ଗାଁ’ରେ ନହେଲେ ଆର ଗାଁ’ କି ତା’ ଆର ଗାଁ’ର ମଣିଷ ହୁଅନ୍ତୁ ପଛକେ ଚିହ୍ନା ପରିଚୟ ଭାବ ଆଳାପ ଜମେଇବାକୁ ମାଉସୀ ଭଳିଆ ମଣିଷକୁ କେତେକ୍ଷଣ ଲାଗେ ।

 

ତେଣିକି ସମସ୍ତେ ତା’ର ଅନୁଗତ ତା’ର ଆପଣାର ବଶମ୍ବଦ ବ୍ୟକ୍ତି ।

 

ଭାଗବତ ଦଶମ ଗୋପଲୀଳା ମାଉସୀର ମୁହେଁ ମୁହେଁ ମୁଖସ୍ଥ ।

 

ନିଶୀ ଅବକାଶେ ଯଶୋଦା ରାଣୀ ଗୀତଟି କେଡ଼େ ସୁନ୍ଦର କେଡ଼େ ମିଠା ସୁରରେ ଗାଏ ସେ ।

 

ଯୋଉଠି ଦଳଟି ରହଣି କରନ୍ତି ସମସ୍ତଙ୍କ ଖାଇବା ସମସ୍ତଙ୍କ ପାଇଁ ରନ୍ଧାବଢ଼ାର ଭାର ଯେମିତି ଆପେ ଆପେ ମାଉସୀ ମୁଣ୍ଡରେ ନଦି ହୋଇଯାଏ ।

 

ତା’ ଆଖିକୁ ଦିଶେ ସମସ୍ତଙ୍କ ଅନ୍ତନାଡ଼ି ଦୁହିଁ ହୋଇ ଯାଇଛି । ପେଟ ଯାଇ ପିଠିରେ ଲାଗିଲାଣି ।

 

ତେଣିକି ତାକୁ ଠାଏ ଥୟ କରି ରଖେ କିଏ ?

 

ଗଉଡ଼ଘର ଝିଅ ତ ! ଜଳସ୍ପୃର୍ଶ୍ୟ ଜାତି ଚୁଲି ଲଗା, ପାଣି ଅଣା, ଚାଉଳ ଧୁଆ, ପରିବା କଟା ସବୁଠାରୁ ସବୁ ଦଣ୍ଡକେ କରି ଥୁଏ ସେ ।

 

ଏଣେ ମାଉସୀ କି ଦେଖି ମନେହୁଏ.....ବୃନ୍ଦାବନ ବିପିନର ଯଜ୍ଞସ୍ଥଳର ବ୍ରାହ୍ମଣୀ ପରି ।

 

କାଖରେ ଅନ୍ନଥାଳି ଧରି ଶତ ବାଧା ବନ୍ଧନକୁ ଏଡ଼ିଦେଇ ଆଗୁସାର ହେଉଛି ନବ ନଟବର ଗୋପାଳଙ୍କୁ ଅନ୍ନ ଭୁଞ୍ଜାଇବା ପାଇଁ ।

 

ସେ ଅନ୍ନରେ ପିଣ୍ଡର କାରଣ– ଆତ୍ମାକୁ ମୋକ୍ଷ ଯୋଗ.....

 

ଭାଗ୍ୟରେ ଥିଲେ ମିଳେ ସିନା ପୁରୀ ଫେରନ୍ତି ମାଉସୀର ଖାଲି ସେଇ ଗପ । ଖିଆ ପିଆରେ, କାହାର କ’ଣ ଅସୁବିଧା ହେଲା, ଆଉ ଟିକିଏ ନିଘା ଟିକିଏ ଯତ୍ନ ସେ କରିଥିଲେ ସେ ଲୋକଟି ସୁସ୍ଥରେ ଦିଓଟି ଖାଇ ଥାଆନ୍ତି ।

 

ମାଉସୀ ମଣେ ନାହିଁ ସିଏ କୋଉ ଗାଁ’ର କ୍ଷଣିକ ପରିଚୟର ସାତ ପର ମଣିଷ । ତା’ଠାରୁ ପାହୁଲାକର ପ୍ରତ୍ୟାଶା କରାଯାଏନା.....

 

ସେ ଭଲା କାହାରିଠାରୁ କିଛି ପ୍ରତ୍ୟାଶା କରିଚି ! ମଲାଯାଏ ଭଲ ବୁଝିଚି ଏଇଟା, ଦିଆ ନିଆର, ଦି’ଦିନ କାରବାରି ହାଟ ବୋଲି । କେମିତି ବା ବୁଝନ୍ତା ? ସେ ସିନା ବେପାରୀ, ହିସାବୀ, ମଣିଷ ହୋଇଥିଲେ ବୁଝି ଥାଆନ୍ତା ।

 

ବାଣ୍ଟିବାକୁ ଯିଏ ଆସେ ସେ କାରବାରର କଦର ବୁଝେ ନାହିଁ । ହସି ହସି ପାନ ଖିଆ ଓଠରୁ ହସ ବିଞ୍ଚି ବିଞ୍ଚି– ମାଉସୀ ଆଉରି ଗପେ କାଳିଆ ବଳିଆଙ୍କ କଥା ।

 

କେଡ଼େ ବିରାଟ ଅଥଚ କେଡ଼େ ସୁକୁମାର ବପୁ ସେ......

 

ତାକୁ ହଲାଇ ଦୋହଲାଇ ଛେଚି କଚାଡ଼ି ଆଣିଲା ବେଳେ ଦୋହଲି ଦୋହଲି ହାତଠାରି ଡାକିଲା ଭଳି ଶୋଭା ପାଉଥାଏ ଯୋଉ ଫୁଲ ଟାହିୟା ।

 

ଆଖି ପିଛଡ଼ାକେ କିଏ କୁଆଡ଼େ ଝାମ୍ପି ନେଲେଣି....କେଡ଼େ ବିକଳ ଦିଶେ କେଡ଼େ କରୁଣ ଦିଶେ ।

 

ମଣିଷ ଝାମ୍ପୁଡ଼ା ଆମ୍ପୁଡ଼ା ଖାଇ ଜୀବନ ଯାକ ଯୋଉ କଦର୍ଥନା ଭୋଗେ ସେଥିରୁ ତାକୁ ବି ଚଖେଇ ଦିଏ କିଛି.....

 

ଆହା ଖାଇ ହାତ ଧୋଉଣୁ ପୁଣି ଭୋଗ ଭୁଞ୍ଜୁଥିବା ଜଗା ବଳିଆଙ୍କୁ ବାଟରେ ପଣା ଟିକେ, ପିଠା ଖଣ୍ଡେ ଖୋଇ ଦଇତାପତିଏ ଯୋଉ ଦହଗଞ୍ଜ କରନ୍ତି....

 

ଧନୀ ମାଉସୀ ଆଖି ଓଦାହୋଇ ଆସେ । ଜଗତ୍‌ନାଥ ଜଗନ୍ନାଥଙ୍କୁ ସେ କରିଦିଏ ଉତ୍ତାଣି ଆଣ୍ଠୁଆ ଗୋପାଳଟିଏ ।

 

ବରଷକ ଯାକ ସେଇ କଥାକୁ ମନେ ମନେ ମାଜି ହେଉଥାଏ ସେଇ ଭାବକୁ ହେଜି ହେଉଥାଏ । ଥରକୁ ଥର ସେଇଥିରେ ମଜ୍ଜୁଥାଏ ।

 

ନିତ୍ୟ ବିଚ୍ଛେଦ ପୁଣି ନିତ୍ୟ ମିଳନରେ ଆଦ୍ର ମେଦୂର ଧନୀ ମାଉସୀର ଚିତ୍ତ ଭୂମି ବଡ଼ ବିଚିତ୍ର ବଡ଼ ରସାଳ ।

 

ଆହା.......ସେତେବେଳେ କ’ଣ ମୁଁ ଏତେ କଥା ବୁଝିଥିଲି ।

 

ଧନୀ ମାଉସୀ ଥିଲାବେଳେ, ବଞ୍ଚିଥିଲା ବେଳେ ବୁଝି ପାରିଥିଲେ ତାକୁ କାଣିଚାଏ ହେଲେ.......

 

ଏବେ ଯେ ଗାଟାସରା ବୁଝି ଗଲିଣି ଏଡ଼େ ଅଳିକ ଅହଂକାର କରିବି ନାହିଁ କିନ୍ତୁ ଏବେ ତାକୁ ମନେ ପକାଉଛି...ତା’ କଥା ହେଜୁଚି..... ।

 

ଲୁଣର ପିତୁଳା ସାଗର ମାପି ପାରେନା ପରା ?

 

ବୁଝେ କି ନ ବୁଝେ ମାଉସୀ ପାଇଁ କିଛି କରି ପକେଇବାକୁ ମାଉସୀ କି କିଛି ଟିକିଏ ଦେଇ ଦେବାକୁ ମନଟା ଭାରି ଝଗଡ଼ି ହୁଏ ।

 

କେମିତି କୋଉବାଟେ ହେଲେ ମୁଁ ଟିକେ ମାଉସୀ ଦରକାରରେ ଆସି ଯାଆନ୍ତି । ତା’ ପାଇଁ କିଛି ହେଲେ କରି ଦେଇ ଧନ୍ୟ ହେଇ ଯାଆନ୍ତି; ସାର୍ଥକ ହେଇ ଯାଆନ୍ତି ।

 

ଅସୁଝା ମାତୃଋଣ, ସୁଝି ହେଇ ଯାଆନ୍ତା କିଛି ହେଲେ ।

 

ଧନୀମାଉସୀକି କିଏ ଫେର କ’ଣ ଦବ ? ତା’ ଶୂନ କୁଟୀରରେ ଶୂନ୍ୟତା ଥିଲେ ସିନା.....ଏ ସଂସାରରେ କେତେ ବିତ୍ତଶାଳୀ ବିଭବପୂର୍ଣ୍ଣ ପ୍ରାସାଦ ଶୂନ୍ୟତାରେ ଖାଁ ଖାଁ କରୁଚି....ଯୁଆଡ଼େ ଶୁଣିବ ଦେହି ଦେହି ଡାକ ଶୁଭୁଚି....

 

ଖାଲି ମାଉସୀ ତା’ ତାଳ ବରଡ଼ା କୁଡ଼ିଆ ଖଣ୍ଡକରେ ଛିଡ଼ା ହୋଇ ହସି ଦେଉଚି ।

 

ଯୋଉ ଇଙ୍ଗିତ ମୟ ହସ ସୂଚାଇ ଦିଏ ଏଠି ସବୁ ଭରପୁର୍....ଏଠି ସବୁ ଟଳ ମଟଳ ଉଚ୍ଛଳି ପଡ଼ୁଛି ।

 

ଆର୍ଶ୍ଚର୍ଯ୍ୟ ....ସବୁଠାରୁ ଆଶ୍ଚର୍ଯ୍ୟ ମଣିଷ.....ଆଉ ତା’ ମନ....ଗାଁ ଛାଡ଼ି ଘର ଦୁଆର ଛାଡ଼ି ସହରକୁ ଗଲି ଦୂରକୁ ଗଲି । ମୁଁ ଲାଗିଲି ମତେ ଗଢ଼ିବାରେ ମୁଁ ଲାଗିଲି ମୋରି ଠେଇଁ ଅଠା ଭଳି ।

 

ମାଉସୀ କଦବା କେମିତି ମନେ ପଡ଼େ ଗାଁ....କୁ ଆସିଲେ ଦେଖା ବି ହୁଏ ।

 

ବୟସ ବଢ଼ିଲା...ଦିନ ଗଡ଼ିଲା.... ମନ ବଦଳିଲା....ପୃଥିବୀ ବଦଳିଲା....

 

ନୂଆ କରି ଚାକିରି କରିଥାଏ.....ଦର୍ଶନର ଅଧ୍ୟାପକ.....

 

ବିରାଟ ବିରାଟ ବହି ପଢ଼ି ମୋ ମତରେ ମୁଁ ଜ୍ଞାନର ସାଗର ହେଇ ସାରି ଥାଏ ।

 

ମୋ ପାଇଁ ମୁଁ ଏତକକୁ ମଣୁଥାଏ, କେଡ଼େ ସୌଭାଗ୍ୟ କେଡ଼େ ପର୍ଯ୍ୟାପ୍ତ ବୋଲି ।

 

ମୋ ବଡ଼େଇ, ମୋ ପାରିବାର ପଣିଆ, ଫୁଲ ଫାମ୍ପି, ଉଚ୍ଛୁଳି ପଡ଼ୁଥାଏ । ଦାତାପଣିଆ ଦେଖେଇ ହବାକୁ ବି ଭାରି ହାଇଁ ପାଇଁ ହଉଥାଏ ମନଟା ।

 

ଆଣ୍ଠିକ ପାଣିରେ ଦଣ୍ଡିଖିରିମାଛ ଫୁକୁ ଫୁକୁ ହେଲା ପରି ।

 

ଘରକୁ ଆସିଲି । ସମସ୍ତଙ୍କ ପାଇଁ ରୋଗଗାରିଆ ପୁଅ ହିସାବରେ କିଛି ନା କିଛି ଆଣିଥାଏ ବି ।

 

ଉପରଓଳି ବୋଉ କହିଲା ଧନୀ ମାଉସୀ ଦେହ ଭଲ ନାହିଁ । ସେଇଥିରେ ସେ ପୁରୀ ଯିବାକୁ ବାହାରିଛି । ତା’ହାତରେ ପଇସା ଦେଲେ ମୋ ପାଇଁ ତିଳକ ଖଣ୍ଡେ ଆଣନ୍ତା ।

 

ରଥଯାତ କଥା ମୋର ମନେ ପଡ଼ିଗଲା ଚାଇଁକରି ଚେତନାରେ ଚମକି ଗଲା ଚକା ଚକା ଆଖି ଦିଓଟି.....ସବୁ ଦେଖୁଚି.......

 

ଧନୀ ମାଉସୀ କେତେ ଝଡ଼ି ଗଲାଣି । ପାଏରିୟା ରୋଗରେ ପାଟି ଗନ୍ଧାଉଛି .....କଥା କହିଲେ ରହିହେବ ନାହିଁ । ସବୁବେଳେ ଦିହେ ଦିହେ ଜର ।

 

ଆଉ ସେ ପାଦରେ ଚାଲି ଚାଲି ଯାଇ ପାରିବ ନାହିଁ । ତା’ର ଟଙ୍କା ଲୋଡ଼ା ।

 

ପାଞ୍ଚଖଣ୍ଡ ଅରଖ ଦଶ ଟଙ୍କିଆ ନୋଟ ମୋ ପକେଟ ଭିତରେ ଖସ୍‌ ଖସ୍ ହେଇ ଉଠିଲା-

 

ଏତେ ଟଙ୍କା ମାଉସୀ ତା’ ଜୀବନରେ ଦେଖି ନଥିବ, ଏତେ ଦାନ କେବେ ପାଇ ନଥିବ କାହାଠାରୁ । ଟଙ୍କା ଗୁଡ଼ା ହାତରେ ଛୁଇଁ ଦେଖିଲି ।

 

ପାଞ୍ଚଖଣ୍ଡ ନୋଟ.......ପଚାଶ ଟଙ୍କା.......ଟଙ୍କାକୁ ଛୁଇଁ ଦେଇ ମୁଁ ଭିନେ ମଣିଷ ପାଲଟି ଗଲି....ଯୋଉ ମାଉସୀର କୁଡ଼ିଆ ଘର ଥିଲା ମୋ ପିଲା ଦିନର ଖେଳଘର । ସେଘର ମତେ ଅନ୍ଧାରୁଆ ଲାଗିଲା.....ସପ ମଶିଣା କନ୍ଥା ସବୁ ଗନ୍ଧ ଭଣ ଭଣ ମନେ ହେଲା ତଥାପି ଆଡ଼େଇ ହେଇ ମୁଁ ମଶିଣା ଦାଢ଼ରେ ବସିଲି । ଟଙ୍କାଯାକ କାଢ଼ି ତଳେ ଥୋଇଲି ।

 

ଏତେ ଟଙ୍କା ଦେଖି ମାଉସୀ ହସିଲା....ତା’ର ସ୍ୱାଭାବିକ ମନଛୁଆ ଆପଣାର ଢଙ୍ଗରେ ମୁରୁକେଇ ମୁରୁକେଇ, କଣିୟାଇ କରି ।

 

ତା’ପରେ ଆସ୍ତେ କିନା ପଚାରିଲା । ଏ ବାୟିଆ ବାତୁଳ ବୁଦ୍ଧି କୋଉ କାଳେ ଯିବ କିରେ !

 

ମୁଁ ଭାବିଲି ଏଇଟା ମାମୁଲି, କଥାର ଲଥା....ଅନିଚ୍ଛାର ମିଥ୍ୟା ଆଳ ମାତ୍ର ।

 

ମାଉସୀ ମତେ ଦେଖି ପାରୁଥିଲା......ସେ ମୁଣ୍ଡ ହଲେଇ କହିଲା ।

 

ମୁଁ ସତ କହୁଚି ବା .....ଏତେ ଟଙ୍କା ମୋ’ର କ’ଣ ହେବ !

 

ତୁ ପରା ପୁରୀ ଯିବୁ । ହଁ ଯିବି ତ......ତେବେ କେମିତି ଯାଉଚି କିଏ ଯାଣେ ? ଆତ୍ମଗତ ଭାବରେ ଉତ୍ତର ଦେଲା ସେ । ମୁଁ ଆଶ୍ଚର୍ଯ୍ୟ ହେଇ ଅନେଇ ରହିଲି.....

 

ଏବେ ବି କ’ଣ ୟା’ର ପାଦରେ ଚାଲି ଯିବାକୁ ସାହସ ଅଛି ।

 

କଥାର ଖିଅ ଧରି ମାଉସୀ କହିଲା ଖଟିଚି ଖାଇଚି...ତାଆରି ଖଟିଚି.... ତାଆରି ବି ଖାଇଚି....କିଛି ନବା ଦରକାର ପଡ଼ିନି, କୋଉଠୁ ।

 

ଏଥର ସେ ଜାଣିଲା, ରଥ ରହିଲାଣି....ଆଉ ହଡ଼ା ଉଠିବ ନାଁ ଘାସ ଖାଇବ ।

 

ତତେ ପଠେଇ ଦେଇଚି....ତୋ ହାତରେ ଦେଇଚି....କେମିତି ଫେରେଇଁ ଦେବି କହ ?

 

ଏତେ ଅବଲୟ ନକରି ଟଙ୍କା ରଖିଲେ ମୁଁ ତ୍ରାହି ପାଆନ୍ତି ଏତିକିରେ ତା’ ପାଟିର ଗନ୍ଧ ମତେ ଅସ୍ଥିର କଲାଣି ।

 

ମୁଣ୍ଡ ହଲେଇ ହଲେଇ ଫେର୍‌ ସେ କହିଲା......ଏତେ ତ ରଖି ହବ ନେଇ । ପରଖୁଚି.....ଲାଜ ନାହିଁ ମତେ ପରଖୁଚି......

 

ଦବୁ ଯଦି ଦେଇଥା ଦଶଟା ଟଙ୍କା ଯଦି ରେଳ ମଟରରେ ଯିବା ଦରକାର ପଡ଼େ ଗାଡ଼ି ତ ଭଡ଼ାନବ..... । ନହେଲେ ଯଦି ଏ ପିଞ୍ଜରା ଭାଙ୍ଗି....ଶୁକପକ୍ଷୀ ଉଡ଼ିଯାଏ.....ଟଙ୍କା ପଡ଼ି ରହିଥିବ, ପଞ୍ଜୁରୀ ସାଙ୍ଗେ.....

 

କାହିଁକି ତା’ର ଅପମାନ ହବ ତୋର ମନ ଦୁଃଖ ....ହବ ।

 

ମୋ ମନ ଦୁଃଖଟା ଆଉ କୋଉ ବାକି ଥିଲା.....ଟଙ୍କା ଗୁଡ଼ା ମୋ ଆଖିକି ଦିଶୁଥିଲେ ଅର୍ଥହୀନ ଚିତ୍ର ବିଚିତ୍ର ବାଜେ କାଗଜ ଭଳି ।

 

ମୋ ଚାକିରି ମୋ ପାରିବାରପଣ ମୋର ଏ ଯାଏ ଲାଭ କରିଥିବା ତଥାକଥିତ ସ୍ୱାର୍ଥ କ’ଣ ସବୁ ମନେ ହେଉଥିଲେ କେବଳ ବାଜେ– ଅଳିଆ ଗୁଡ଼ାଏ ପରି ।

 

ହଠାତ ମୋର ପ୍ରଚଣ୍ଡ ରାଗ ହେଲା । ଯାହାକୁ ଓଳିକର ଆହାର ଯୁଟିବା କଷ୍ଟ ତା’ଚାତର ଦେଖ ।

 

ଭରା ମାଠିଆର ନିଃଶବ୍ଦତା ଆଗରେ ଫମ୍ପା ମାଠିଆର ଆଓ୍ୱାଜ୍ ଶୁଭିଲା ଭାରି ବଡ଼ ହେଇ ।

 

ମୁଁ କହିଲି ତୁ ଏ ଟଙ୍କା ଯାକ ରଖ ଓଷଧ ପତ୍ର ଖାଆ...ପୁରୀ ନଗଲେ ଚଳିବ....ଭଗବାନ ଭଗବାନ, ହେଉଚୁ ଯେ ଭଗବାନଙ୍କୁ ଦେଖିଚୁ ଭଲା ?

 

ମାଉସୀ ମୁଣ୍ଡ ଉପର ଲୁଗାକୁ ଟିକେ ଟାଣି ଦେଇ ସଲ୍ଲଜ ହସ ହସିଲା.....

 

ଯୋଉ କଥା ତା’ ମନକୁ ନପାଏ ସେ ଏମିତି ହସେ ।

 

ତୋର ଯୋଉ କଥା .....ମୁଁ ଖାଲି ତାକୁ ଦେଖୁଚି...... ସିଏ ମତେ ଦେଖୁ ନାହିଁ ? ମୋରି ଭଳିଆ ଲକ୍ଷେ ଦୁଃଖୀ ଆର୍ତ୍ତ ଅନାଥଙ୍କୁ ଦେଖିବ ବୋଲିତ ଚକା ଆଖି ମେଲେଇ ନନ୍ଦୀଘୋଷରେ ଅନେଇ ବସିଥିବ ।

 

ମୁଁ ତାକୁ ଦେଖିବି ସିଏ ମତେ ଦେଖିବ । ସେଇ ଦେଖା ଦେଖିକି ଘିନି ମୁଁ ଗାଆଁକୁ ଆସେ । ତାକୁ ମନେ ପକାଏ, ତାକୁ ତୋ ଭିତରେ ଦେଖେ ମୋ ଭିତରେ ଦେଖେ । ଆଖି ବୁଜିଲେ ଦେଖେ ଆଖି ଫିଟେଇଲେ ଦେଖେ..... ।

 

ଫେର ଯାଇ ବରଷେ ଉତ୍ତାରେ ସେଇ ଦେଖା.... ।

 

ଭାଗବତରେ ଶୁଣିନାହୁଁ ନନ୍ଦରାଣୀ ଯଶୋଦା, ଯମୁନାକୁ ଅନେଇଲେ, କଦମ୍ବ ତଳକୁ ଅନେଇଲେ, ଗୋପଦାଣ୍ଡକୁ ଚାହିଁଲେ ଗୋପାଳ ଦିଶେ । ଦେଖା ହେଲା ଯାଇ ସେଇ ପ୍ରଭାସ– ଯଜ୍ଞରେ ।

 

ହେଇଟି......ମାଉସୀ......

 

ଜଗନ୍ନାଥ ତ କାଠ...ମୋ ସ୍ୱର ମତେ ଫିସ୍‌ ଫିସ୍‌ ଦୁର୍ବଳିୟା ଶୁଭୁଥିଲା । ତଣ୍ଟି ରୁନ୍ଧି ହେଇଗଲା ପରି ଲାଗୁଥିଲା ।

 

ମାଉସୀ ଓଠରୁ ହସ ବୋହି ପଡ଼ିଲା, ଆଖିରୁ ଲୁହ ବୋହି ପଡ଼ିଲା.......

 

କେଡ଼େ ବଗୁଲିଆ ଟୋକା କିରେ ତୁ ପାଠପଢ଼ି ଜାଣି ଶିଆଣା ହଉଚୁ କିରେ ?

 

ସିଏ କ’ଣ ଯେ ସେ କାଠ ?

 

ପକ୍ଷୀ ବସି ନଥିବ,

 

ନାଗସର୍ପ ଜଗି ଥିବ,

 

ଦେହରେ ଥିବ ଶଂଖ ଚକ୍ର ଚିହ୍ନ

 

ସେ ଦାରୁକୁ ଦହୀଲା ପରା କଳାପାହାଡ଼........

 

ଦହୀ ହେଲା କି..... ?

 

ସବୁଥିରେ ସେ ଥାଏ......

 

ଦହୀ ହୁଏ ନାହିଁ ।

 

ପୋଡ଼େ ନାହିଁକି ବୁଡ଼େ ନାହିଁ ।

 

ଛିଡ଼େ ନାହିଁକି ସୁଖେ ନାହିଁ ।

 

ବୋଇଲା.......

 

କାଷ୍ଠ ପାଷାଣ ତରୁ ତୃଣ

 

ସର୍ବେ ବସନ୍ତି ନାରାୟଣ ।

 

ସିଏ ଥିଲେ, ତୁ ଅଛୁ, ମୁଁ ଅଛି, ସଂସାର ଅଛି । ତୁ ନାହୁଁ, ମୁଁ ନାହିଁ, ସଂସାର ନାହିଁ ।

 

ହେଲେ ସିଏ ଅଛି ।

 

ତା’ପରେ ଆସ୍ତେ ଅତି ଗୋପନୀୟ ତଥ୍ୟ କହିଲା ପରି ମାଉସୀ କହିଲା–

 

କଥା କ’ଣ ଜାଣିଛୁ ପୁଅ !

 

ଏଥର ଆଉ ଆସିବାକୁ ମନ ହଉ ନାହିଁ । ଦେଖୁନୁ ଦିହଟା କେଡ଼େ ଗନ୍ଧେଇଲାଣି । ୟା’କାସ ସରିଲା ବୋଲି ଜାଣ । ଏଥର ସେ ଯୋଉଥିରୁ ଆସିଥିଲା ସିଥିକି ଯାଉ । ମୋ ମନ କହୁଛି ମୁଁ ବାସ ଚନ୍ଦନ ପରି ତା’ଦିହରେ ଗୋଳି, ବୋଳି ହେଇ ଯିବିକି ଆଉ । ନାଖି ଯିବି.....ମିଶିଯିବି....

 

ସେଇ ଯୋଗେ ଟଙ୍କା କଥାରେ ମଙ୍ଗୁ ନଥିଲି । ତୁ ଖାଲି ଦଉଚୁ ସିନା..... ।

 

ମତେ ଭାରି କାନ୍ଦ ମାଡ଼ୁଥିଲା...... । ମୋର ସବୁଯାକ ପାରିବାର ପଣିଆ ସବୁ ପୋଷାକ ପତ୍ର ଖସି ପଡ଼ି ମୁଁ ସେଇଦିନର ଲଙ୍ଗଳା ଛୁଆଟିଏ ହେଇ ସାରିଥିଲି ।

 

ସଦ୍ୟ ମା’ ଛେଉଣ୍ଡ ଛୁଆ ପରି–ଭେମା ରଡ଼ି ପକେଇ କାନ୍ଦିବାକୁ ମୋର ମନ ହେଉଥିଲା । ମାତ୍ର, ମୁଁ ତଥାପି ବୁଝୁଥିଲି, ମାଉସୀ ଆଉ ଆମ କାନ୍ଦରେ ନାହିଁକି ହସରେ ନାହିଁ ।

Image

 

ପଥର

 

ବେଳେ ବେଳେ ଖୁବ୍‌ ଗୋଟାଏ ଅଖାଡ଼ୁଆ ପରିସ୍ଥିତି ଉପୁଜେ ।

 

ଆଉ ବଡ଼ ଅପ୍ରସ୍ତୁତ ହେବାକୁ ପଡ଼େ ।

 

ଏକବାରେ ଅଚିହ୍ନା ଯାଗା, ଅପରିଚିତ ପରିବେଶ ଭିତରେ ହଠାତ୍‌ କାହା କଣ୍ଠରେ ଯଦି ଅତ୍ମୀୟତାର ଅନୁଯୋଗଭରା ସୁର୍‌ ବାଜି ଉଠେ ତମକୁ ଲକ୍ଷ୍ୟ କରି ।

 

‘‘ହଁ....କାହିଁକି ଆଉ ଚିହ୍ନିବ ? ଆଖି ବଡ଼ ବଡ଼ ହେଇ ଗଲାଣି, ବଡ଼ ଲୋକ ହେଲଣି ଏବେ.... ।’’

 

ଭାରି ଦୋଷୀ ଦୋଷୀ ମନେହୁଏ ନିଜକୁ । ନିଜର ଭୂଲା ମନ, ନିଜର ନିର୍ବୋଧତା ପାଇଁ ଭୟଙ୍କର ରାଗ ବି ହୁଏ ନିଜ ଉପରେ ଯଦିଓ ନିଜେ ଆମେ ସେ ସବୁପାଇଁ ଦାୟୀ ନ ଥାଉ ।

 

ସମୟର ଅନ୍ତହୀନ ସୁଅରେ କେତେ ବୁଦ୍ ବୁଦ୍‌ ଉଠି ମିଳେଇ ଯାଉଛି । କେତେ କାଠି କୁଟା ଭାସି ଯାଉଛି । ହସ, କାନ୍ଦ, ସୁଖ, ଦୁଃଖର ଛୁଆଁ ଟିକିଏ ଦେଇ କେତେ ଘଟଣା ଘଟିଯାଉଛି । ଛବିଭଳି କେତେ କିଏ ଆସୁଛନ୍ତି, ପୁଣି ଯାଉଛନ୍ତି । ଏକ ସମୟରେ ତାହା ମନେ ହୋଇଛି ଏକାନ୍ତ ଅପରିହାର୍ଯ୍ୟ । ସାଇତି ରଖିବା ଭଳି ବହୁ ମୂଲ୍ୟବାନ କିଛି....ପରିବର୍ତ୍ତନର ପଟ୍ଟ ଭୂମିରେ, ଅଜଣାରେ କେତେବେଳେ କୋଉଠି ସେ ହଜି ଯାଇଛି । ନୀରବରେ ଆସ୍ତେ ଖସି ପଡ଼ିଚି ।

 

ଏକଥା ତ କିନ୍ତୁ ବୁଝେଇ ହୁଏନା....ବଖାଣି କରି କହି ହୁଏନାଁ....କେବଳ ଅନୁଭବରେ ଘେନି ହୁଏ ।

 

ଅନୁଭବଟା କିନ୍ତୁ ସମସ୍ତଙ୍କର–ସମ-ସ୍ତର, ସମ-ଗଭୀର କି ସମ-ରୂପର ନୁହେଁ । ସେ ଅଲଗା ଅଲଗା ଆରସି, ଯେଝା ମାପରେ, ଯେଝା ମୁହଁ ଦେଖିଲା ଭଳି ।

 

ଛାଡ଼ନ୍ତୁ ସେକଥା....ମତେ କିନ୍ତୁ ଭାରି ଅସହାୟ, ଏକୁଟିଆ ଲାଗିଲା । ଟିକିଏ ଲାଜ ବି ମାଡ଼ିଲା ଏମିତି ଏକ ପରିସ୍ଥିତିରେ ପଡ଼ି ।

 

ମତେ ମୋ ଘରୋଇ ଡାକ ନାଁ’ରେ ସମ୍ବୋଧନ କରି ଯିଏ ଅନୁଯୋଗ ବଢ଼ି ପାରୁଚି......ସେ ମୋର ଏକଦା ଅନ୍ତରଙ୍ଗ ଗୋଷ୍ଠୀର ନିଶ୍ଚୟ । ମୁଁ ପ୍ରାଣପଣେ ଚେଷ୍ଟା କରି, ଅତୀତର ଅନେକ ମୁହଁ, ଅନେକ ସ୍ୱରକୁ ମନେ ପକେଇଲିଣି । ଏ ସ୍ୱର, ଏ ମୁହଁ, କାହା ସହିତ ଖାପ୍‌ ଖାଉ ନାହିଁ । ୟେତ ବଡ଼ ବିଚିତ୍ର କଥା ! ଅଗତ୍ୟା ବୋକାଙ୍କ ଭଳି ତା’ ଆଡ଼କୁ ବଡ଼ ବଡ଼ ଆଖିରେ ଚାହିଁବା ଛଡ଼ା ମୋର ଗତ୍ୟନ୍ତର ନଥିଲା ।

 

ଏଥର ତା’ର ଲମ୍ବା ଓଢ଼ଣା ଟିକିଏ କମ୍ ହେଲା । ଆଉ ଟିକିଏ ହଲଚଲ ହେଲା ସେ । ବଡ଼ ବିବ୍ରତ, ବଡ଼ ଅପ୍ରସ୍ତୁତ ହୋଇ ବସି ପଡ଼ିଲା ମୋ ସାମ୍ନାରେ ।

 

ଯେମିତି ତା’ର ଦୃଷ୍ଟି......କେଉଁ ସୁଦୂରର ସୀମାକୁ ସ୍ପର୍ଶ କଲା.... । ତା’ର ସ୍ୱର ଭାସି ଆସିଲା କେଉଁ ଅତଳତଳ ଗଭୀରତା ମଧ୍ୟରୁ । କେଉଁ ଦୂରାନ୍ତରରୁ.... ।

 

କାନକୁ ଶୁଭିଲା ଓଦା ଓଦା.... ତିନୋଟି ଅକ୍ଷରର ଧୀର ତୀକ୍ଷ୍‌ଣ ଉଚ୍ଚାରଣ... ମୁଁ ମୀରା.... ।

 

ବିଜୁଳି ସକ୍‌ ଲାଗି ଥରି ଥରି ଅସ୍ପଷ୍ଟ ଆର୍ତ୍ତ ଚିତ୍କାର କଲାପରି ମୁଁ ସ୍ୱର୍ଗତୋକ୍ତି କଲି... ‘‘ମୀରା......’’

 

ମୋ ଆଖି ଆଗରୁ ମୋଟା କଳା ପରଦାଟାଏ ଆଡ଼େଇ ଗଲା.... ।

 

ନିମିଷକେ ଛାଇଭଳି, ହସି ହସି, ଦୌଡ଼ି ପଳେଇଲା ଦଶ, ଏଗାର ବର୍ଷର ଝିଅଟିଏ.... ।

 

ଖାଲି ଦେହ, ଖାଲି ହାତ, କୌପିନ ମାରିଲା ପରି, ଅଣ୍ଟା ପାଖରେ ଖଣ୍ଡେ ପ୍ୟାଣ୍ଟ । ମୁଣ୍ଡର ନୁଖୁରା ବାଳ ଫୁରୁ ଫୁରୁ ଉଡ଼ୁଚି । ନାଁ, ସୁନ୍ଦର ହବା ପାଇଁ କୌଣସି କୃତ୍ରିମ ଉପାୟ ସେ କରି ନାହିଁ, ସେଥିପ୍ରତି ତା’ର ଖିୟାଲ ବି ନାହିଁ.... ।

 

ଆକାଶ କ’ଣ ନିଜ ଦେହରେ ପାଉଡ଼ର ମାଖେ ?

 

ସକାଳର ଉଲ୍ଲସିତ ଛୋଟ ଚଢ଼େଇଟି କ’ଣ ତା’ ପରଯାକ ଗହଣା ଖଞ୍ଜେ ? ଆସ୍ତେ ଆସ୍ତେ ପାଖୁଡ଼ା ମେଲୁଥିବା ଦରଫୁଟା କଢ଼ିଟି କ’ଣ ପୋଷାକ ପିନ୍ଧେ ? ମୀରା ଥିଲା ଆକାଶ ଭଳି ନିର୍ମଳ । ସକାଳର ଛୋଟ ଚଢ଼େଇଟି ଭଳି ବନ୍ଧନହୀନ । ଜୀବନର ପ୍ରାଚୁର୍ଯ୍ୟରେ, ସୌନ୍ଦର୍ଯ୍ୟରେ ସମ୍ଭାବନାରେ, ମାଧୁର୍ଯ୍ୟରେ ଟୁଳୁ ଟୁଳୁ ଦରଫୁଟିଲା କଢ଼ିଟିଏ । ସବୁ କଢ଼ି ଫୁଟିବାର ସୌଭାଗ୍ୟ ଲଭନ୍ତି ନାହିଁ ହୁଏତ । ନଫୁଟିବା ଠାରୁ ବିକଳାଙ୍ଗ ମୁରୁକୁଟିଆ, ପ୍ରାଣହୀନ ହୋଇ ଫୁଟିବାର ଛଳନା ବଡ଼ କରୁଣ, ବଡ଼ ମର୍ମନ୍ତୁଦ ।

 

ଆମ ଗାଁର ହରି ବଡ଼’ପାଙ୍କର ଏକମାତ୍ର ଅଲିଅଳି ଝିଅ ଏଇ ମୀରା ।

 

ମୀରାର ଚପଲ ପଣ, ଦୁଷ୍ଟାମୀ, ମାନ, ଅଭିମାନ, ହସ କାନ୍ଦ ସବୁ ଥିଲା ଏକଦା ମୋ ପାଖରେ ଖୁବ୍ ପ୍ରିୟ, ଖୁବ୍‌ ଆମୋଦକର ।

 

.......ଏଇ ମିରାକୁ ଉଚ୍ଚ ଆକାଶଛୁଆଁ ଡାଳରୁ ପିଜୁଳି ପାରିଦବାରେ ଯେମିତି ଆନନ୍ଦ, ତା’ର ରେଶମୀ କୁଞ୍ଚୁ କୁଞ୍ଚୁ ବାଳ କେରାକ ପଛଆଡ଼ୁ ଝିଙ୍କି ଦେଇ ତାକୁ ଟିକିଏ ନାକରେ କନ୍ଦେଇ ଦବାରେ ସେମିତି ଆମୋଦ ।

 

ଆମ ଗାଁରେ ଯାତ୍ରା କି ପାଲା ହେଲେ ରାତି ରାତି ଅନିଦ୍ରା ହୋଇ ଆଗରେ ଆସର ମାଡ଼ି ବସିବାରେ ମୀରାର ଯୋଡ଼ି ନ ଥିଲା ।

 

ଭାଗବତ ପଢ଼ାବେଳେ ସାତଦିନ ଯାକ ଏକନିଷ୍ଠ ଶ୍ରୋତାଭଳି ଧୀର ସ୍ଥିର ଭାବେ ପୁରାଣ ଶୁଣିବ । ଶେଷ ଦିନ ଦୁଷ୍ଟାମୀ କରି ଥରକୁ ଥର ଭୋଗ ଖାଇବ । କେତେବେଳେ ନିଜ ପ୍ୟାଣ୍ଟରେ ତ କେତେବେଳେ କୋଉ ସାଙ୍ଗ ପିଲା ମୁଣ୍ଡରେ ହାତ ପୋଛିଦେଇ ଧାଇଁ ପଳେଇବ ।

 

ସମସ୍ତଙ୍କୁ ସେ ଭଲ ପାଇପାରୁଥିଲା ଅଦ୍ଭୁତ ଭାବେ, ଡରୁ ନଥିଲା କାହାକୁ ।

 

ମୀରା ପାଇଁ ଗାଆଁର ଆକାଶ ବତାସ, ମାଟି ଗୋଡ଼ି, ଗଛ ପତ୍ର, ସବୁଥିରେ ଆନନ୍ଦର ଝରଣା ଛୁଟୁଥିଲା । ଗାଁ’ର ଭାବମୂର୍ତ୍ତି ଲାସ୍ୟମୟୀ କେଳିଚପଳା ହୋଇ ଉଠୁଥିଲା ।

 

ମୀରାଥିଲା ଆମ ଗାଁ’ର ନିର୍ମଳ ସୁନ୍ଦର ସ୍ମିତ ହସରୁ ଧାରେ ।

 

ସେଇ ୟେ ମୀରା ? ନିଜର ଆଖି, ନିଜର ଚେତନା, ନିଜର ସିଦ୍ଧାନ୍ତକୁ ମୁଁ ଆଦୌ ବିଶ୍ୱାସ କରି ପାରୁ ନଥିଲି । ମୋ ଆଗରେ ବସିଥିବା ବୋହୂଟି ମତେ ନିର୍ବାକ, ନିଶ୍ଚଳ, ଦେଖି ସକରୁଣ ଭାବେ ପଚାରିଲା.....

 

ମନେ ପଡ଼ୁ ନାହିଁ.... ନାଁ ? ଟାଣି ଓଟାରି ହେଇ ଟିକିଏ ହସିଲି......

 

କହିଲି, ‘‘ମନେ ପଡ଼ିବ ନାହିଁ କାହିଁକି ? ତୁ କ’ଣ ଭୂଲିହବା ଭଳିଆ ଝିଅ ।’’

 

ମୀରା ଉଦାସ ହୋଇଗଲା....... । ଉତ୍ତର ଦେଲା, ‘‘ପଛ ଦିନ ଗୁଡ଼ାକ ଯଦି ଫେରି ପାରିବ ନାହିଁ, ତେବେ ପଛ କଥା ପୋଛି ହୋଇ ଯିବା ଭଲ । କିନ୍ତୁ ତା’ ହୁଏନା...... ।’’

 

ମୁଁ ଏଥିର ପ୍ରତ୍ୟୁତ୍ତର ନ ଦେଇ ତାକୁ ଭଲ କରି ନିରୀକ୍ଷଣ କରି ଦେଖିଲି ।

 

ବେକରେ, ନାକରେ, କାନରେ, ହାତରେ ସବୁଆଡ଼େ ସୁନା ଗହଣା ଛାଇ ହୋଇଚି । ପିନ୍ଧିଚି ବି ଖଣ୍ଡେ ଦାମୀ ଶାଢ଼ୀ । ଏତେ ଝଲମଲ ଝଲକରେ ମୋ ଆଖି କିନ୍ତୁ ଜଳକା ହୋଇଗଲା ନାହିଁ । ହାଡ଼ ମାଳ, କାଳିମଖା ଶୁଖିଲା ଚେହେରା, ଜୀବନ ପ୍ରତି ମୀରାର ଉଦାସୀନତା ମୁଁ ସ୍ପଷ୍ଟ ବାରି ପାରିଲି ।

 

ନିର୍ଜୀବ କଳ କଣ୍ଢେଇକୁ ସଜବାଜ କରି ପ୍ରଦର୍ଶନୀରେ ଥାପିଲାଭଳି ମୀରାକୁ ଏ ସଂସାରରେ ଥପା ଯାଇଛି ।

 

ମୋ ମନ ବିକଳ ହୋଇ ଉଠିଲା । ଆଖିରେ ନାଚିଲା ମୀରାର ପିଲାଦିନ । ସେଇ ଝାମ୍ପୁରୀ ମୁଣ୍ଡିକି ମୁଁ ଝୁରିହେଲି । ଆଉ ବସିବାକୁ ଇଚ୍ଛା ହେଉ ନଥାଏ । ତଥାପି ତ ବସି ରହିବାକୁ ପଡ଼ିବ । ସମୟ ବିତେଇବାକୁ ପଡ଼ିବ ।

 

ଖାପଛଡ଼ା ଭାବେ ପଚାରିଲି–

 

ଭଲ ଅଛୁ ତ ?

 

ଦେଖି ବୁଝି ପାରୁନାଁ

 

ମୀରାର ସ୍ୱରରେ ମୋ ପ୍ରତି, ଅଥବା ତା’ ନିଜ ପ୍ରତି ଟିକିଏ ବିଦ୍ରୂପ ମିଶି ରହିଥିଲା । ନିଜ ଭାଗ୍ୟକୁ ନିଜେ ବିଦ୍ରୂପ କରି ଏକ ପ୍ରକାର ଆନନ୍ଦ ପାଉଥିଲା ସେ । କଥାର ଖିଅକୁ ଲମ୍ବେଇ ରଖିବାକୁ ମୁଁ କହିଲି–

 

ତୁ ଏଠି, ଏତେ ଦୂରରେ ବାହାହେଇଚୁ ବୋଲି ମୋର ଧାରଣା ନଥିଲା । ଦାଦା ଭଲ ଘର ବର ଦେଖି ଦେଇଛନ୍ତି ବୋଲି ଶୁଣିଥିଲି । ପିଲା ଛୁଆ କେତୋଟି ?

 

ସେ କହିଲା– ଚାରିଟା......

 

ସେଇ ପଦକ ଝଣ ଝଣ ହେଇ ମୋ ଚାରି ପାଖରେ ବାଜି ଉଠିଲା । ମୁଁ ଚାପୁଡ଼ା ଖାଇଲା ପରି ଚୁପ୍ ହୋଇଗଲି ।

 

କିଛି ସମୟ ପରେ ପୁଣି ପାଟି ଫିଟିଲା । ଭିତରେ ଭିତରେ ମୋର ଯେ କଥାର ଖଇ ଫୁଟୁଥିଲା । ଏତେଦିନ ପରେ ମୀରାକୁ ଏମିତି ଦେଖି ତା’ ଉଦାସ ବିଷଣ୍ଣତାର ଅସଲ ମର୍ମ ଆବିଷ୍କାର କରିବାକୁ ମୁଁ ଚଞ୍ଚଳ ହୋଇ ଉଠିଥିଲି । ଯଦିଓ ମୂଳରୁ ବୁଝିଥିଲି ମୀରା ସାଧାରଣ ମାପର, ସାଧାରଣ ଛାଞ୍ଚର ବରାଦି କଣ୍ଢେଇ ନୁହେଁ, ସେ ଶିଳ୍ପୀର ଏକ ସ୍ୱତନ୍ତ୍ର କଳା ନୈପୁଣ୍ୟ ।

 

ଫେର ପଚାରିଲି–

 

ତୋ ବରଟି କେମିତିଲୋ ?

 

କଣ୍ଠରେ ଯୋର କରି ପରିହାସର ତରଳତା ମିଶେଇ ଦେଇଥିଲି ।

 

ଭଲ ।

 

ବଦରାଗୀ ନୁହେଁ ତ ?

 

ନାଁ ନାଁ ।

 

ତୋର ଶାଶୁ, ନଣନ୍ଦ, ଯାଆ ଇତ୍ୟାଦି କେମିତି ?

 

ସଂସାରରେ ସମସ୍ତଙ୍କର ଯେମିତି ମୋର ବି ସେମିତି ।

 

ମୁଁ ଆସ୍ତେ ଆସ୍ତେ ତା’ ପିଠିରେ ହାତ ବୁଲାଇଲି । ବାପା ମାଆଙ୍କର ଗୋଟିଏ ବୋଲି ଝିଅ ସେ । ଭାଇ ନଥିଲା କି ଭଉଣୀ ନଥିଲା । ସେଇଥିପାଇଁ ମୀରା ଆମ ସମସ୍ତଙ୍କୁ ତା’ର ନିଜର ମଣୁଥିଲା । ସହୋଦର ଭାବୁଥିଲା । ସେଇ ମମତାର କ୍ଷୀଣ ଅନ୍ତଃସଲିଳା ଧାରଟିଏ ଏବେ ବି ତାକୁ ମୋ ପ୍ରତି ଏଡ଼େ ଉନ୍‌ମୁଖ, ଏତେ ନିର୍ଭରଶୀଳ କରି ରଖିଚି ।

 

ମତେ ଦେଖିଲାକ୍ଷଣି ସେ ଚିହ୍ନି ପାରି ଦଉଡ଼ି ଆସିଛି...... ମୁଁ କିନ୍ତୁ ତାକୁ ମନେ ରଖି ନାହିଁ...... ।

 

ମୋର ଏଇ ଟିକିଏ ପିଠି ଆଉଁଷା; ସାମାନ୍ୟ ସ୍ନେହ ସ୍ପର୍ଶରେ ମୀରାର ଆଖି ଦିଓଟି ଛଳ ଛଳ ହୋଇଗଲା ।

 

ସେ କହିଲା.....

 

‘‘ଖୋକା ଭାଇ, ବାପା ବୋଉ ମଲା ଦିନୁ ଆମ ଗାଁ ସହିତ ମୋର ସମ୍ପର୍କ ତୁଟିଛି । ଆଉ ଥରେ ଫେରିଯାଇ, ସେଇ ଧୂଳିମାଟି, ପାଣି ପବନ, ସେଇ ଖୋଲା ମେଲା ଜୀବନକୁ ଫେରି ପାଇବାର ସୁଖ ମୋ କପାଳରେ ନାହିଁ । ଏଇଠି ଏଇ ଚାରିକାନ୍ଥ ଭିତରେ ବାନ୍ଧି ହୋଇ, ଚାପି ହୋଇ ମୋ ପିଣ୍ଡରୁ ପ୍ରାଣ ଛାଡ଼ିଗଲା ପରି ଲାଗୁଛି । ଘଡ଼ିକି ଘଡ଼ି ମୁଁ ଅଣନିଶ୍ୱାସୀ ହୋଇ ଯାଉଛି । ପାଣିରେ ବୁଡ଼ିଗଲା ବେଳେ ଅସହାୟ ହୋଇ କୁଟାଖିଅକୁ ହାତ ବଢ଼େଇଲା ପରି ଚାରି ଆଡ଼କୁ ଅଣ୍ଡାଳୁଚି । କୁଆଡ଼େ କିଛି ହେଲେ ରାହା ପାଉ ନାହିଁ । କିଛି ଆଶ୍ରା ପାଉ ନାହିଁ ।

 

ଘର ଦୁଆର, ସ୍ଵାମୀ ପୁଅ, ଶାଢ଼ୀ ଗହଣା, ଏ ସଂସାରର ସେଇ ଘସରା ଅଚଳ । ଅଧୁଲି ପରି ସୁଖ ଦୁଃଖ, ହସ କାନ୍ଦ ଆଉ ମୋ ଆତ୍ମାକୁ ରୁଚୁ ନାହିଁ ।

 

ଫୁଲଟିଏ ଭଳି ସବୁଯାକ ପାଖୁଡ଼ା ମେଲି ଫୁଟି ଉଠିବାକୁ, ପରଲଗା ଚଢ଼େଇଟିଏ ଭଳି କେଉଁ ଦୂର ଆକାଶରେ ଉଡ଼ି ଯିବାକୁ, ଭିତରେ ଯେମିତି କିଏ ବାଡ଼େଇ ପିଟି ହେଉଛି, ଛଟପଟ ହେଉଛି ।

 

ଏଣେ ସଂସାର ଷୋଳ ମହଣ ପଥର ବୋଝ ହୋଇ ବେଳୁବେଳ ମତେ ମାଡ଼ି ବସୁଚି । ମତେ ଭାରି ଡର ମାଡ଼ୁଛି । ଏଇ ଚାପରେ, ଏଇ ଚାରି କାନ୍ଥର ବନ୍ଦୀଶାଳା ଭିତରେ, ଦିନେ ମୁଁ ବି ଗୋଟିଯାକ ପଥର ପାଲଟିଯିବି । ଉଡ଼ିବାକୁ, ଫୁଟିବାକୁ, ଆଉ ମୋ ଭିତରେ କିଛି ବି ଅବଶେଷ ନଥିବ । ପଥରରେ ମୁଁଣ୍ଡ ପିଟିଲେ ମୁଣ୍ଡ ସିନା ଫାଟେ ପଥର ଫୋଟେ ନାହିଁ ।

 

ତାକୁ ଆଉଁଷୁ ଆଉଁଷୁ ମୋ ହାତ କେତେବେଳୁ ରହିଯାଇଥିଲା । ଗୋଟାଏ ଅକୁହା ବେଦନାର ଅବ୍ୟକ୍ତ କୋହରେ ଛାତି ଭିତରେ ଚକଟି ମନ୍ଥି ହେଉଥିଲା ଅଥଚ ତୁଣ୍ଡ ଫିଟୁ ନଥିଲା ।

 

ମୀରା ସଂସାରରେ ଚିହ୍ନା ଦୁଃଖ କିଛି ନାହିଁ । କ’ଣ କହି ତାକୁ ବୁଝେଇବି ?

 

କଥାର ଖିଅଯୋଡ଼ି ମୀରା ପୁଣି ଆରମ୍ଭକଲା–ଭାଗବତ ଶୁଣିବାକୁ ମୁଁ କେମିତି ରଙ୍କ ସରସର ହୁଏ ସେ କଥା ତମେ ଜାଣ । ବୁଝେ କି ନ ବୁଝେ ମୋ’ମନ ଗୋଟାଏ ଚିହ୍ନା ଗଣ୍ଡି ଭିତରୁ, ଗୋଟାଏ ସବୁଦିନିଆ ଘୋଷା ଭିତରୁ ମୁକ୍ତି ପାଏ । ସେତିକି ତ ଲାଭ । ଆଜିକି ସାତଦିନ ହେଲା ଏ ଗାଆଁରେ ଭାଗବତ ସପ୍ତା ବସିଛି । ସଭା ହେଉଚି । ବିଲେଇ ଛୁଆଟିଏ ବି ଯାଉଛି ସେଠିକି । ଅଇଁଠା ପତର ଚାଟିବାକୁ ଗାଁର କୁକୁରଗୁଡ଼ା ବି ସେଇଠି ରୁଣ୍ଡ ହେଉଛନ୍ତି ।

 

ମଣିଷ ଜୀବନ କ’ଣ ବିଲେଇ କୁକୁରଠାରୁ ବି ହୀନ ?

 

ମୁଁ ତାକୁ ଭରସା ଦେଇ କହିଲି- ଆଜି ମୁଁ ତୋତେ ସାଙ୍ଗରେ ନେଇ ଯିବି ସଭାକୁ , ତୋ ସ୍ୱାମୀଙ୍କୁ କହି ।

 

ସେ ଶୁଖିଲା ହସ ଟିକିଏ ହସି ଦେଲା.....ତାଙ୍କ ହାତରେ ତ ମଲା କଙ୍କଡ଼ା ଲେଉଟିବ ନାହିଁ, ତାଙ୍କୁ କହି କି ଲାଭ ! ତୋ ଶାଶୁଙ୍କୁ କହିବି ? ରାଜି ହେଲା ଭଳି ଲାଗୁନାହିଁ ତ । ଏ ଘରୁ ଗୋଡ଼ କାଢ଼ି ବାହାରକୁ ଗଲେ ଖୋଲା ପବନରେ କାଳେ ନୂଆବୋହୂ ଗନ୍ଧ ମୋ ଦେହରୁ ଉଡ଼ିଯିବ, ସେଥିପାଇଁ ତାଙ୍କର ପ୍ରାଣେ ଭୟ । ବଡ଼ ଯାଆ କେଡ଼େ ସହଜରେ ପଞ୍ଜୁରୀକୁ ଆଦରି ନେଲେ । ଘୋଷା ପାଠ ଘୋଷି ନେଲେ । ମୁଇଁ କେବଳ ଝୁରି ମରୁଚି.... ।

 

ପିଲାଦିନର ଭାଗବତ ପଦ ସବୁ ମନେପଡ଼ି ଯାଉଛି....ଚୁଲିରେ ପାଣିହାଣ୍ଡି ବସେଇ ଦେଇ ମୁଁ ସେଇଆକୁ ଗୁଣୁ ଗୁଣୁ ହେଉ ହେଉ ପାଣି ମରି ହାଣ୍ଡି ପୋଡ଼ି ଯାଉଛି । ଚାଉଳ ପକେଇବାକୁ ମନେ ପଡ଼ୁନାହିଁ । ତମେ ଆଜି ମତେ ଯେମିତି ହେଲେ ନିଅ ଖୋକା ଭାଇ । ତମେ କହିବ, ମୁଁ ଶୁଣିବି । ଏ ହିନସ୍ତା ମାଇପୀ ଜନମରୁ ହେଲେ ମୁକ୍ତି ପାଇଯିବି । ଆରଜନ୍ମକୁ କାଉ କୋଇଲି, ପୋକଯୋକ ହୁଏ ପଛେ ଆଉ ଏ ଦହଗଞ୍ଜ, ଜୀବନ ନପାଏ । ମାଇପୀ ଜନ୍ମ ନ ପାଏ ।

ଦୁଆର ସେ ପାଖରୁ ଶୁଭିଲା– ତୁ ଦାମବାବୁଙ୍କ କଥା କହିବୁ କି ଶାମ ବାବୁଙ୍କ କଥା କହିବୁ, ତୁ ଜାଣୁରେ ପୁଅ । ଆମ ବୋହୂ ସାଆନ୍ତାଣୀଙ୍କ ଚୁପ୍‌ ଚୁପ୍‌, ଫୁସ୍‌ ଫୁସ୍‌ ଗପ ସରିଲେ ସିନା..... ।

ସେଇ କଥା ପଦକରେ ଯେଉଁ ଇତର ଇଙ୍ଗିତ ଥିଲା, ସେ ନର୍ଦ୍ଦମାର ମଇଳା ପରି ମୋ ଦେହରେ ଲେସି ହୋଇଗଲା । ତଥାପି ମୁଁ ଉଠି ବାହାରକୁ ଆସିଲି ଓ ମୀରା ଶାଶୁଙ୍କୁ ନମସ୍କାର କଳି । ତାଙ୍କ ପାଖରେ ଛିଡ଼ା ହୋଇଥିବା ବରଗୁଡ଼ିମୁହାଁ ଦରବୁଢ଼ା ଜଣେ ମତେ ଟାଣିନେଇ ଛାମୁଦାନ୍ତ ଦେଖାଇ କହିଲା–

ଚାଲନ୍ତୁ ଆଜ୍ଞା, ବେଳ ହୋଇଗଲା । ତେଣେ ସଭା ସ୍ଥଳରେ ଦାମବାବୁ ଆପଣଙ୍କୁ ଅପେକ୍ଷା କରି ବସିଛନ୍ତି । ସେଇ ଆଜ୍ଞା ଏ ସବୁର ଅସଲି ଯୋଗାଡ଼ି । ଭାରି ଧର୍ମପରାୟଣ । ଆଗକୁ ଆଜ୍ଞା ନିର୍ବାଚନରେ ଛିଡ଼ା ହବାର ମସୁଧା ଅଛି । ଆଜି ଭାଗବତ ମଝିରେ ତାଙ୍କ କଥା କହିବେ ପଦେ ଅଧେ । ନହେଲେ ଆଜ୍ଞା କଥାଟା ସୁନ୍ଦର ହବ ନାହିଁ ।

ଆପଣମାନଙ୍କ ଖିଆପିଆ, ନିଆ ଅଣାର ବନ୍ଦୋବସ୍ତ ସେଇ ତ କରିଛନ୍ତି ଆଜ୍ଞା । ଗାଁ ବାଲାଏ ଚାନ୍ଦା ଦେଇ ଖଲାସ୍‌ । ଅସଲ କଲାବାଲା ହେଲେ ଦାମବାବୁ । ସେ ଲୋକଟାର କଥା କାନରେ ନ ପୂରେଇ ବଡ଼ ବିନୀତ ବଶମ୍ବଦ ଭଙ୍ଗୀରେ ମୀରାର ଶାଶୁଙ୍କୁ ପ୍ରାର୍ଥନା କଲି, ‘‘ଭାଗବତ ଶୁଣିବାକୁ ଯିବ ମାଉସୀ ! ସାଙ୍ଗରେ ବୋହୂ ଦିହିଙ୍କୁ ନେଇ କରି ଯିବ । ୟେ ତ ଧର୍ମ କଥା, ହରି କଥା । ଏଥିରେ ଲଜ୍ଜା ସଙ୍କୋଚ କରିବାର କିଛି ନାହିଁ ।’’

ବୁଢ଼ୀ ତାଙ୍କର ପାନବୋଳ ବସା ଦୁଇଟି ମାତ୍ର ଅବଶିଷ୍ଟ ଥିବା ଉପର ଦାନ୍ତକୁ ବାହାର କରି ତଳ ଓଠ ସଂଯୋଗରେ ଏମିତି ଏକ ବିଚିତ୍ର ଅବଜ୍ଞାର ଭଙ୍ଗୀ କଲେ ଯୋଉଥିରେ ମୋ ସର୍ବ ଶରୀର ଏକାବେଳେକେ ଜଳିଗଲା ।

ତଥାପି ସେ ଦାହକୁ ସମ୍ଭାଳି ରଖି ଅଧିକ ଅନୁନୟ ଭଙ୍ଗୀରେ କହିଲି–ମୁଁ ଚାଲି ଚାଲି ଯାଉଛି । ମତେ ଆଣିଥିବା ଜିପ୍‌ ଏଇଠି ରହିଲା । ସେଥିରେ ବସି ବୋହୂ ଦି’ଜଣଙ୍କ ସାଙ୍ଗରେ ଆରାମରେ ସଭାକୁ ଯିବେ । ମୁଁ ଅପେକ୍ଷାରେ ଥିବି । ଗଲେ ଯାଇ ଭାଷଣ ଆରମ୍ଭ ହେବ ।

 

କୋଉଠି ଘର ଦୁଆର ଛାଡ଼ି ଯାଇ ହେଉଛି ପୁଅ । ଟିକିଏ ଆଖି ଆଡ଼େଇଲେ ଘର ଦୁଆର ଅଇରି ଖପରା, ବଇରି ବାଆ ହବ । ଏ ମାୟାଜଞ୍ଜାଳ ମତେ ଛାଡ଼ୁଚି କେତେକେ ।

 

ମୁଁ ଉତ୍ସାହିତ ହୋଇ କହିଲି–ଛଡ଼େଇଲେ ସିନା ଛାଡ଼ିବ ମାଉସୀ । ଆଜି ମଲେ କାଲିକି ଦି ଦିନ । କିଏ କ’ଣ ବୋହି ନେଇଯିବ ? ବୋହୂମାନଙ୍କୁ ସାଙ୍ଗରେ ନେଲେ ତାଙ୍କର ବି ବୁଦ୍ଧି ଜ୍ଞାନ ହବ । ଗୁରୁଜନଙ୍କୁ ଅଧିକ ଭକ୍ତି କରିବେ । ଭୟ କରିବେ । ସବୁଦିନେ ସକାଳେ ଗୋଡ଼ ଧୋଇ ପାଣି ପିଇବେ । ମତେ କଥା ଦିଅ ଯିବ ବୋଲି ।

 

ସେ ବର ଦେଲା ଭଳି ପ୍ରସନ୍ନ ମୁଦ୍ରାରେ ଉତ୍ତର ଦେଲେ–

 

‘‘ଆଚ୍ଛା, ହଉ ।’’

 

ତା’ପରେ ମୁଁ ସେଠାରେ ମୁହୂର୍ତ୍ତେ ରହି ନାହିଁ । କାଳେ ବୁଢ଼ୀ ନାସ୍ତି କରିଦେବେ ।

 

ଦାଣ୍ଡ ପାହାଚ ପାଖେ ମୀରାର ସ୍ୱାମୀଙ୍କୁ ବି କହି ଦେଇ ଆସିଲି, ଘରୁ ସମସ୍ତଙ୍କୁ ସଙ୍ଗରେ ଧରି ସଭାକୁ ଯିବାକୁ । ତାଙ୍କ ମୁହଁରେ କୌଣସି ଭାବର ମୁଦ୍ରା ଅଙ୍କିତ ହେଲା ନାହିଁ । ନିର୍ଲିପ୍ତ ଭାବେ ସେ ଦାଣ୍ଡଘର ସତରଞ୍ଜି ଗୋଟେଇବାରେ ବ୍ୟସ୍ତ ରହିଲେ ।

 

X X X

 

ଗାଁ ମୁଣ୍ଡ ପଡ଼ିଆରେ ଭଙ୍ଗା ମହାଦେବ ମନ୍ଦିର ସାମ୍ନାରେ ଛାମୁଡ଼ିଆ କରାଯାଇଛି । ନାଲି ନେଳୀ କାଗଜ ପତାକା ଝୁଲୁଚି । ମାଟି ବେଦୀରେ ମଶିଣା ପରା ଯାଇଛି । ଗୋଟାଏ କୋଣରେ ଭାଗବତ ଥପା ଯାଇଚି ଖଟୁଲିରେ । କେଇଟା ଶୁଖିଲା କାଠଚମ୍ପା ଫୁଲ ସେଠି ପଡ଼ି ରହିଛି । କିଛି ଦୂରରୁ ରନ୍ଧା ଶାଳରୁ ଚେଁ ଚାଁ ପିଆଜ ବଘରାର କଡ଼ା ବାସ୍ନା ଭାସି ଆସୁଚି । ପାନ ଦୋକାନ, ଚା ଷ୍ଟଲ୍‌, ଚେନାଚୁର. ଚିନାବାଦାମ ବିକାଳିଙ୍କ ଚିତ୍କାର ସାଙ୍ଗକୁ ମାଇକ୍‌ରେ ସିନେମା ସଂଗୀତର କାନଫଟା ରଡ଼ି । ଗାଁ ପିଲାଙ୍କର କୋଳାହଳ । ଟେରିକଟା ନଳୀ ପ୍ୟାଣ୍ଟ ପିନ୍ଧା ଗାଁର ଅତ୍ୟାଧୁନିକ ତରୁଣ ଗଣଙ୍କର ସୁସୁରୀ ମରା ସବୁ ମିଶି ଯାଗାଟିର ଶାନ୍ତ ନୀରବତାକୁ ତଡ଼ି ସାରିଛନ୍ତି ।

 

ଭାଗବତ ଚେତନାର ସୁପ୍ତ ସମ୍ଭାବନାଟି ସୁଦ୍ଧା ସେଠାରୁ ଲୁପ୍ତ ହୋଇ ଯାଇଛି ।

 

ତଥାପି ବିଗତ ଛଅଟି ଯାକ ସନ୍ଧ୍ୟାରେ ବିଭିନ୍ନ ବକ୍ତା ଭିନ୍ନ ଭିନ୍ନ ଦୃଷ୍ଟି କୋଣରୁ ଏଠାରେ ଭାଗବତ ଆଲୋଚନା କରିଛନ୍ତି । ଦାମବାବୁ ଅଥବା ଶ୍ୟାମବାବୁମାନଙ୍କ ଗୁଣାବଳୀ ବ୍ୟାଖ୍ୟାନ କରିଛନ୍ତି । ସେଥିରେ କୌଣସି ବିରୋଧ ଘଟି ନାହିଁ ।

 

ଆଜି ମୁଁ ସପ୍ତମ ସନ୍ଧ୍ୟାର ସର୍ବଶେଷ ବକ୍ତା....... ।

 

ମୁଁ ବସି ରହିଥାଏ । ମୋ ଚାରିପାଖେ କେତେ କଥା, କେତେ ଆଳାପ ପରିଚୟର ଆଦାନ ପ୍ରଦାନ, କେତେ ମତାମତର ଅଦଳବଦଳ । ମୁଁ ବି ସବୁଥିରେ ରସୁଥାଏ, ଭାସୁ ଥାଏ......ଏକାବେଳେ ବୁଡ଼ି ଯାଉ ନଥାଏ କାହିଁରେ । କାରଣ ମୋ ଭିତରେ ଆକୁଳ ଆଗ୍ରହରେ, ମୋ ଆତ୍ମଚେତନାରେ ଲୀନ ହୋଇ ମୁଁ ପ୍ରତୀକ୍ଷା କରି ରହିଥାଏ ଜିପ୍‌ ଶବ୍ଦକୁ, ଅନେଇ ଥାଏ ମୀରାକୁ । ସେଇ ଜଣକ ପାଇଁ ମୁଁ ମୋର ଆଗାମୀ ଭାଷଣର ରୂପ ରେଖ ଆଙ୍କୁଥାଏ ଭାବ ମୂର୍ତ୍ତି ଗଢ଼ୁଥାଏ । ଜଣେ ଥିଲେ ଶୁକ, ଜଣେ ଥିଲେ ପରୀକ୍ଷିତ । ଜଣେ ପ୍ରବକ୍ତା ପାଇଁ ଜଣେ ହିଁ ଶ୍ରୋତା ବୋଧେ ଯଥେଷ୍ଟ । ଦରଫୁଟିଲା କଢ଼ଟି ମୋର ଆତ୍ମବିକାଶର ଆକୁଳ ଆପ୍ରାଣ ସଂଗ୍ରାମ ପୁଣି ପରାହତ ମଉଳା ମୁରୁକୁଟିଆ ଧୂଳି ଲୁଣ୍ଠିତ ଫୁଲଟିର ସକରୁଣ ପରିଣତିକୁ ଯିଏ ସାମଗ୍ରିକ ଭାବେ ସିଂହବଲୋକପ କରି ଅନୁଭବରେ ଘେନିଚି, ସେ ଏକା ଜାଣେ ତା’ର ବେଦନା....... । ମୁଁ ଥରକୁ ଥର ଗାଁ ଆଡ଼ ସରୁ ସଡ଼କକୁ ଚାହୁଁଥିଲି ।

 

ମୋତେ ମୀରାର ମୁହଁ ଦିଶି ଯାଉଥିଲା । ସେ ତା’ର ଟ୍ରଙ୍କର ସବାତଳୁ ସଯତ୍ନ ସାଇତା ଶାଢ଼ୀ ଖଣ୍ଡିକ ଅତି ଆଗ୍ରହରେ କାଢ଼ି ପିନ୍ଧୁଥିବ । ଅଲରା ଅଯତ୍ନ କେଶ ଗୁଚ୍ଛକୁ ବେଣୀ ବାନ୍ଧୁ ବାନ୍ଧୁ ତା’ର ଡେରି ହେଉଥିବ ହୁଏତ ।

 

ଧୀରେ ଧୀରେ ଦିନ ଶେଷ ହୋଇଗଲା । ସନ୍ଧ୍ୟାର ପ୍ରଦୀପ ଜଳି ଉଠିଲା ମହାଦେବ ମନ୍ଦିରର ବାସୁଆ ବଳଦ ପାଖେ । ଡେ ଲାଇଟ୍‌ର ଉଜ୍ଜଳ ଆଲୁଅରେ ବେଦୀ ଚାରିପାଖେ ଅଗଣିତ ମୁହଁ, ଅନେକ କୋଳାହଳ ।

 

ମାଇକ୍‌ ସଂଗୀତରେ ସେମାନେ ଶାନ୍ତ ହେଉ ନାହାନ୍ତି ।

 

ମୋ କାନ ପାଖରେ ପଛଆଡ଼େ ଚୁପ୍‌ ଚୁପ୍‌ ଚେତାବନୀ......ଆଜ୍ଞା, ଆରମ୍ଭ ହଉ । ଆଜ୍ଞା, ଡେରି କରନ୍ତୁ ନାହିଁ ।

 

ମୁଁ ଯେଉଁ ମୁହଁଟିକି ଖୋଜୁଚି.... ସେଇଟି ମିଳୁ ନାହିଁ । ମୋ କଥାର ଖିଅ ବି ମିଳୁ ନାହିଁ ମୋ ନିଜ ଭିତରେ । ମୀରାର ସ୍ୱାମୀଙ୍କୁ ଦେଖିପାରି ହାତ ଠାରି ଡାକିଲି । ସଂକ୍ଷେପରେ କହିଲି–

 

ତମ ଘରୁ ସବୁ ଆସିବାର ଥିଲା ? ଉତ୍ତର ମିଳିଲା ଆଉରି ତୁମ୍ବକରେ–

 

ସେ ସବୁ ବୋଉ ଜାଣେ । ଭାଷଣ ଆରମ୍ଭ ପାଇଁ ଏଥର ପାଟି ତୁଣ୍ଡ, ଦାବି ପ୍ରଚ୍ଛନ ଧମକ, କିଞ୍ଚିତ ବ୍ୟଙ୍ଗ, ଯଥା......କିଛି ଆସେ ନାହିଁ କିହୋ ? ଭକୁଆଟାଏ ମ......ଇତ୍ୟାଦି ଶୁଭିଲାଣି-

Image